ଅଡ଼ୁଆରେ ବିଜେଡି: ନେତାଙ୍କ ହାତରୁ ଖସୁଛି ଦଳୀୟ ସଂଗଠନର ଶୃଙ୍ଖଳ


ସାଧାରଣ ନିର୍ବାଚନ ପର ଠାରୁ ଶାସକ ବିଜେଡିରେ ଏକ ଅସ୍ୱାଭାବିକ ସ୍ଥିତି ଲାଗିରହିଛି। ବିଜେପି ମୁଖ୍ୟ ବିରୋଧୀ ଦଳ ଆସନରେ ବସିବା ଏବଂ ପୂର୍ବ ନିର୍ବାଚନ ଗୁଡ଼ିକ ତୁଳନାରେ ଅଧିକ ଆସନ ଓ ଭୋଟ୍‌ ପାଇବା କାରଣରୁ ଯେତିକି ଉତ୍ସାହିତ ଅଛି, ପଞ୍ଚମ ଥର କ୍ଷମତା ହାତେଇଥିବା ବିଜେଡି ସେତିକି ଖୁସି ଥିବା ପରି ଲାଗୁନି। କ୍ରମାଗତ ପଞ୍ଚମ ଥର ରାଜ୍ୟରେ ସରକାର ଗଢ଼ିଥିବା ବିଜେଡିରେ ଏବେ ନେତୃତ୍ୱ ସଙ୍କଟ ସୃଷ୍ଟି ହୋଇଛି। ଦଳର ୩ ଛାମୁଆ ସଂଗଠନର ନେତୃତ୍ୱ ପରିବର୍ତ୍ତନକୁ ନେଇ ପ୍ରାୟ ଦେଢ଼ମାସରୁ ଅଧିକ ଦିନ ଧରି ଚର୍ଚ୍ଚା ଚାଲିଥିବାବେଳେ ଜିଲ୍ଲା ଓ ରାଜ୍ୟ ସ୍ତରରେ ଦଳୀୟ ନେତା ଓ କର୍ମୀଙ୍କ ମନରେ ବି ନେତୃତ୍ୱଙ୍କୁ ନେଇ ଶଙ୍କା ପଶିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ସୁପ୍ରିମୋ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ଦଳୀୟ ନେତା-କର୍ମୀଙ୍କ ଅନୁରୋଧ, ଆପତ୍ତି-ଅଭିଯୋଗ ଶୁଣିବା ପାଇଁ ସେ ଉପଲବ୍ଧ ହେଉନାହାନ୍ତି। ସାଂଗଠନିକ କାର୍ଯ୍ୟର ତଦାରଖ କେହି ବି କରୁନାହାନ୍ତି। ଏସବୁ କାରଣରୁ ଏବେ ରାଜ୍ୟର ସର୍ବବୃହତ୍ ଆଞ୍ଚଳିକ ଦଳ ବିଜେଡିରେ କୃତ୍ରିମ ନେତୃତ୍ୱ ସଙ୍କଟ ସୃଷ୍ଟି ହୋଇଛି। ଏବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀଙ୍କ ପାଇଁ ଅତି ଜରୁରୀ ନ ଥିଲେ ସମୟ ଦେଉନାହାନ୍ତି କିମ୍ୱା ଦ୍ୱିତୀୟ କ୍ଷମତା କେନ୍ଦ୍ର ତଥା ତାଙ୍କ ପରାମର୍ଶଦାତା ମଧ୍ୟ ସବୁବର୍ଗର ଦଳୀୟ ନେତାଙ୍କୁ ଭେଟୁନାହାନ୍ତି। ତୃତୀୟ ମହଲାରେ ଦଳ କଥା ବୁଝୁଥିବା ୨-୩ ଜଣ ଅଫିସର ନିଜ ନିଜ କୋଟେରୀଙ୍କୁ ଧରି କାର୍ଯ୍ୟ କରୁଛନ୍ତି। ସାଂଗଠନିକ ବ୍ୟାପାରରେ ବିଜେଡି ପରାମର୍ଶଦାତାଙ୍କ ଅତି ବିଶ୍ୱସ୍ତ ତଥା ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସ ନିର୍ବାଚନ ପରଠୁ ଅଧିକାଂଶ ଦଳୀୟ ନେତାଙ୍କ ଆକ୍ରୋଶର ଶିକାର ହୋଇପଡ଼ିଛନ୍ତି। ତାଙ୍କ ପାଖକୁ ମଧ୍ୟ ସବୁବର୍ଗର ନେତା ଯିବାକୁ ଆଗ୍ରହ ଦେଖାଉନାହାନ୍ତି। ଅନ୍ୟ ଯେଉଁ କେତେକ ଆଗଧାଡ଼ିର ନେତା ଅଛନ୍ତି, ସେମାନେ ‘ଆଲୋ ସଖି ଆପଣା ମହତ ଆପେ ରଖି’ ନ୍ୟାୟରେ ନିରବ ରହୁଛନ୍ତି। ତେଣୁ ଏଭଳି ସ୍ଥିତି ହିଁ ବିଜେଡିର ସବୁ ବର୍ଗର ନେତା ଓ କର୍ମୀଙ୍କ ମଧ୍ୟରେ ନିରାଶା ଭାବ ସୃଷ୍ଟି କରିଥିବା ଜଣାପଡ଼ିଛି।

ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରଠୁ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେପିର ଜାତୀୟ ଶୀର୍ଷ ନେତୃତ୍ୱଙ୍କ ସହ ବିଜେଡିର ଭିତିରି ବୁଝାମଣାକୁ ନେଇ ଏବେ ବିଜେଡି ନେତା ଓ କର୍ମୀମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗିରହିଛି। ବିଜେଡି ସୁପ୍ରିମୋଙ୍କ ଏଭଳି ଅପ୍ରତ୍ୟାଶିତ ଆଚରଣ ଓ ଦୁଇ ଦଳ ମଧ୍ୟରେ ଅଘୋଷିତ ମେଣ୍ଟ ସମ୍ଭାବନା ହିଁ ତୃଣମୂଳ ସ୍ତରରେ ବିଜେଡି ନେତା ଓ କର୍ମୀଙ୍କୁ ଅସନ୍ତୁଷ୍ଟ କରିଛି। ସେମାନେ ଦଳରେ ନିଜର ରାଜନୀତିକ ଭବିଷ୍ୟତକୁ ନେଇ ଆଶଙ୍କାରେ ରହିଥିବା ଜଣାପଡ଼ିଛି। ତେଣେ ଦଳର ବହୁ ପୁରୁଖା ନେତାମାନେ ବିଭିନ୍ନ କାରଣରୁ ଦଳର ସୁପ୍ରିମୋଙ୍କ ଉପରେ ଅସନ୍ତୋଷ ଝାଡ଼ିବାରେ ଲାଗିଛନ୍ତି। ପ୍ରତିଶ୍ରୁତି ଦେଇ ନବୀନ ପ୍ରତାରଣା କରିଛନ୍ତି ବୋଲି ପୂର୍ବତନ ସାଂସଦ  ପ୍ରସନ୍ନ ପାଟଶାଣୀ ଓ ପୂର୍ବତନ ବିଧାୟକ  ରମେଶ ଚ୍ୟାଉ ପଟ୍ଟନାୟକ ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା ହେବା ମାତ୍ରେ ପ୍ରତିକ୍ରିୟା ରଖି ସୁପ୍ରିମୋଙ୍କ ନିଷ୍ପତ୍ତିକୁ ସମାଲୋଚନା କରିବାରେ ସାହସ ଜୁଟାଇଛନ୍ତି । ବିଗତ ୨୦ ବର୍ଷ ଧରି ନବୀନଙ୍କ ନିଷ୍ପତ୍ତିକୁ ଶିରୋଧାର୍ଯ୍ୟ କରିଆସିଥିବା ନେତାମାନେ ଏବେ ତାଙ୍କୁ ଖୋଲାଖୋଲି ବିରୋଧ କରୁଛନ୍ତି। ବିଧାୟକ ପାଇଁ ଟିକେଟ୍‌ ନ ମିଳିବାରୁ ଅନେକ ନେତା ବିଜେଡି ଛାଡି ବିଜେପିକୁ ଯାଇଛନ୍ତି। ଯେଉଁଠି ପୁରୁଣା ବିଧାୟକଙ୍କୁ ଟିକେଟ୍‌ ନ ଦେଇ ବିଜେଡି ନୂଆ ନେତାଙ୍କୁ ଟିକେଟ୍‌ ଦେଇ ବିଜୟୀ କରାଇ ଆଣିଛି, ସେଠାରେ ପୂର୍ବତନ ବିଧାୟକଙ୍କ ସମର୍ଥକମାନେ ନୂଆ ବିଧାୟକଙ୍କ ସହିତ ନାହାନ୍ତି। ଉଦାହରଣ ସ୍ୱରୂପ ଖଲିକୋଟ ବିଧାନସଭା ନିର୍ବାଚନମଣ୍ଡଳୀରେ ୨ ଥରର ବିଧାୟକ ପୂର୍ଣ୍ଣ ସେଠୀଙ୍କୁ ଟିକେଟ୍‌ ନ ଦେଇ ଜଣେ ନବାଗତ ମହିଳାଙ୍କୁ ଟିକେଟ୍‌ ଦେଇଥିବାରୁ ପୂର୍ଣ୍ଣଙ୍କ ବହୁ ସମର୍ଥକ ଏବେ ବିଜେଡି ସଂଗଠନରେ ନାହାନ୍ତି।

ଅତୀତରେ କଂଗ୍ରେସ ଓ ଅନ୍ୟାନ୍ୟ ଦଳରେ ଯେଉଁମାନେ ଲୋକଙ୍କୁ ଡରାଇ ଥରାଇ ଭୋଟ୍‌ ନେଉଥିଲେ, ସେମାନେ ଏବେ ବିଜେଡିର ମଙ୍ଗୁଆଳ ସାଜିଲେଣି। ପୁଣି ବିଧାୟକଙ୍କ ମଧ୍ୟରୁ ମନ୍ତ୍ରିମଣ୍ଡଳରେ  ସ୍ଥାନ ନ ପାଇବା ପରଠାରୁ ପିପିଲି ବିଧାୟକ ନିଜର  ଅସନ୍ତୋଷ ଖୋଲାଖୋଲି ଭାବେ ବ୍ୟକ୍ତ କରୁଥିବା ଦେଖାଯାଉଛି। ତାଙ୍କୁ ଏଥର ମନ୍ତ୍ରିମଣ୍ଡଳରେ କାହିଁକି ସ୍ଥାନ ମିଳିଲାନି ସେକଥା ସେ ବୁଝି ପାରୁନାହାନ୍ତି। ପୁରୀ ଜିଲ୍ଲାରେ ସେ ହିଁ ଏକମାତ୍ର ସବୁଠାରୁ ବରିଷ୍ଠ ବିଧାୟକ। ବିଧାନସଭାକୁ ୭ ଥର ନିର୍ବାଚିତ ହେଲେଣି। କିନ୍ତୁ ତାଙ୍କୁ ସୁଯୋଗ ଦିଆ ନ ଯାଇ ତାଙ୍କ ଠାରୁ କନିଷ୍ଠ ବିଧାୟକଙ୍କୁ ମନ୍ତ୍ରୀ କରାଯାଇଛି। ପୁରୀ ଜିଲ୍ଲାରୁ ୨ ଜଣଙ୍କୁ ନିଆଗଲା, ଅଥଚ ତାଙ୍କ ପାଳି ପଡ଼ିଲା ନାହିଁ। ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ତିନି ଥର ପାଇଁ ନିର୍ବାଚିତ ହୋଇଥିଲା ବେଳେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ପ୍ରଥମ ଥର ନିର୍ବାଚିତ ହୋଇଥିଲେ ବି ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍‌ କରାଯାଇଛି। ଏପରିକି ତୁଷାରକାନ୍ତି ବେହେରା ନିର୍ବାଚନ ବେଳେ ବିଜେପିରୁ ଆସି ବିଜେଡିରେ ଯୋଗ ଦେଇଥିଲେ। ସେ ବିଜେଡିର ମୂଳ ନେତା ନୁହନ୍ତି। ଏ କ୍ଷେତ୍ରରେ ମହାରଥୀଙ୍କ ଭଳି ଜଣେ ବରିଷ୍ଠ ନେତା ଓ ବିଧାୟକଙ୍କୁ ସ୍ଥାନ ନ ମିଳିବା ଘଟଣା ତାଙ୍କ ପାଇଁ ବେଶ ଅପମାନଜନକ ହୋଇଛି। ଏ କଥାକୁ ସେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଫଳରେ ସୁଯୋଗ ଦେଖିଲେ କ୍ଷୋଭ ଓଜାଡ଼ିବା ପାଇଁ ପଛଘୁଞ୍ଚା ଦେଉ ନାହାନ୍ତି। ସେ ଭଲ ଭାବେ ଜାଣନ୍ତି ଯେ ବିଧାନସଭାରେ ସରକାରଙ୍କ ବିରୋଧରେ ମତ ରଖିଲେ କ’ଣ ପରିସ୍ଥିତି ହେବ। ସବୁ କଥା ଜାଣି ମତ ରଖିବା ଦ୍ୱାରା ତାଙ୍କ ଉଦ୍ଦେଶ୍ୟ ଆଉ ଅବୁଝା ରହୁ ନାହିଁ ବୋଲି  ଆଲୋଚନା ହେଉଛି। ଦଳର ବହୁ ବରିଷ୍ଠ ନେତାଙ୍କୁ ବୟସର ଆଳ ଦେଖାଇ ନବୀନ ମନ୍ତ୍ରିମଣ୍ଡଳରେ ନେଇ ନ ଥିଲେ ହେଁ ନିଜେ ଦଳର ଅଧ୍ୟକ୍ଷ ପଦ ସହିତ ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ ଅଛନ୍ତି। ନବୀନ ନିଜ ଉତ୍ତରାଧିକାରୀ ଚୟନ କରୁ ନ ଥିବା ବେଳେ ତୃଣମୂଳ ସଂଗଠନ ଦୁର୍ବଳ ହେବାକୁ ନେଇ ବହୁ ଦଳୀୟ କର୍ମୀ ଚିନ୍ତା ବ୍ୟକ୍ତ କଲେଣି। ଦଳରେ ଯୋଗ ଦେଉଥିବା ନୂଆ ଯୁବ ନେତା ମାନେ ଦଳକୁ କିଭଳି ସଜାଡ଼ିବେ, ତାକୁ ନେଇ ଅନେକ ସକାରାତ୍ମକ ଭାବନା ପୋଷଣ କରିପାରୁନାହାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ