ବଢୁଛି ଫୁଡ ଡେଲିଭରୀ ବଜାର: ୧୧ ଲକ୍ଷ କୋଟିର ବେପାର ଉପରେ ସବୁ କମ୍ପାନୀର ଆଖି


ଏବେ ଘରେ ବସି ମୋବାଇଲ ଆପ୍‌ସ ଜରିଆରେ ଗରମାଗରମ ଖାନା ମଗାଇ ଖାଇବାର ସମୟ ଆସିଛି। ଗୁଗୁଲ ସମେତ ଅନେକ ନାମିଦାମୀ କମ୍ପାନୀ ଏବେ ଖାଦ୍ୟ ଡେଲିଭରି ବ୍ୟବସାୟରେ ବିପୁଳ ପୁଞ୍ଜିନିବେଶ କରିଛନ୍ତି। କମ୍ପାନୀମାନେ କୋଟି କୋଟି ଟଙ୍କାର ଅସଂଗଠିତ ନେଟୱର୍କକୁ ଯୋଡି ଗୁରୁଗ୍ରାମ, ବେଙ୍ଗାଳୁରୁ, ମୁମ୍ବାଇରେ ନିଜର ପାଦ ଥାପିଛନ୍ତି। ସମୟ ସହିତ ଦ୍ରୁତଗତିରେ ଦୌଡୁଛି ଦୁନିଆ। ଯିଏ ଯେଉଁଠି ଅଛି ନିଜ ନିଜ ସ୍ତରରେ ବ୍ୟସ୍ତରେ ଅଛି। ଡାଇନିଂ ଟେବୁଲ ଉପରେ ଭଲରେ ବସି ଖାଇବା ପାଇଁ ଅନେକଙ୍କ ନିକଟରେ ସମୟନାହିଁ। ହଁ, ଯଦି ଫଟାଫଟ ଆପ୍‌ସ ସହାୟତାରେ କେହି ଘରକୁ ଖାଦ୍ୟ ଯୋଗାଇ ପରଷି ପାରିଲା ତ ତେବେ ସହଜ ହୋଇଯାଇଥାଏ ଦିନଚର୍ଯ୍ୟା। ଯଦିଓ ଏହି ସୁବିଧା ପାଇଁ ପ୍ରଥମରୁ ଅନେକ ସହରରେ ପାରମ୍ପରିକ ଡବାବାଲା ବା ଟିଫିନ ସପ୍ଲାଏର୍ସ ବ୍ୟବସ୍ଥା ଥିଲା କିନ୍ତୁ ବର୍ତ୍ତମାନର ଆପ୍‌ସ ଭଳି ଏତେଟା ବିସ୍ତାରିତ ନ ଥିଲା। ଏବେ ଏହି କାମ ଦେଶର ଅଧିକାଂଶ ସହରରେ ପହଞ୍ଚିଯାଇଛି। ଏହି ବ୍ୟବସାୟ ପାଇଁ କମ୍ପାନୀ ଗୁଡ଼ିକ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଉପଭୋକ୍ତାଙ୍କ ନିକଟରେ ଭିଭିନ୍ନ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ଉପଲବ୍ଧ ହୋଇପାରୁଛି। ଏଭଳି ଫୁଡ ଡେଲିଭରି କାମରେ ନିୟୋଜିତ ପ୍ରମୁଖ ଆପ ମଧ୍ୟରେ ଅଛନ୍ତି ଫ୍ରେଶ ମେନ୍ୟୁ, ଫୁଡ ଫଣ୍ଡା, ଜୋମାଟୋ, ଉବର ଇଟ୍‌ସ ଭଳି ଅନେକ ଆପ୍‌ସ। କ୍ୟାବ ସର୍ଭିସ ପ୍ରଦାନକାରୀ ଉବର କମ୍ପାନୀ ଗତବର୍ଷ ଠାରୁ ଫୁଡ ଡେଲିଭରି ବ୍ୟବସାୟରେ ପାଦ ଥାପିଛି। କମ୍ପାନୀର କହିବା କଥା ସେ ଅନ୍ୟ କମ୍ପାନୀ ଗୁଡିକ ଠାରୁ ଶୀଘ୍ର ଖାଦ୍ୟ ପହଞ୍ଚାଇଥାଏ। ସ୍ବିଗ ଡେ଼ଲି ଆପ୍‌ସ ତାର ଗ୍ରାହକମାନଙ୍କୁ ଅନେକ କ୍ଷେତ୍ରରେ କ୍ୟାସ୍‌ବ୍ୟାକ ଅଫର ଦେଇଥାଏ।

ଆଜିଠାରୁ ଚାରି ପାଞ୍ଚ ବର୍ଷ ପରେ ବିଶ୍ୱର ଫୁଡ ଡେଲିଭରି ମାର୍କେଟ ପାଖାପାଖି ୧୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଯିବ ବୋଲି ପୂର୍ବାନୁମାନ କରାଯାଉଛି। ସ୍ମାର୍ଟ ଫୋନ, ଇଣ୍ଟରନେଟର ବ୍ୟବହାର ବଢିବା ସହିତ ବିଶ୍ଵବ୍ୟାପୀ ଫୁଡ ଡେଲିଭେରୀ ବ୍ୟବସାୟ ଦ୍ରୁତଗତିରେ ଆଗକୁ ବଢୁଛି। ଭାରତରେ ୫ -୬ ବର୍ଷ ପୂର୍ବରୁ ଏହି ବଜାର ପ୍ରାୟ ୧.୧୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିଲା ଯାହା ୧୬.୨ ପ୍ରତିଶତ ଗତିରେ ଆଗକୁ ବଢିଛି। ଆଜି ଏହି ବ୍ୟବସାୟରେ ଅନେକ ବଡ ବଡ କମ୍ପାନୀଙ୍କୁ ଦେଖିବାକୁ ମିଳୁଛି। ଏପରିକି ବିଶାଳ ବହୁରାଷ୍ଟ୍ରୀୟ କମ୍ପାନୀ ଗୁଗୁଲକୁ ଏହି ବ୍ୟବସାୟରେ ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ତାହାରି ଜରିଆରେ ଗ୍ରାହକ ଅଲଗା ଅଲଗା ଆପ୍‌ସ ଡାଉନଲୋଡ଼ ନ କରି ମଧ୍ୟ ନିଜ ପସନ୍ଦର ହୋଟେଲରୁ ଖାଇବା ମଗାଇ ପାରୁଛି। ଯଦି କେହି ଗୁଗୁଲ ସର୍ଚ୍ଚକୁ ଯାଇ ନିଜ ପସନ୍ଦର ଖାଦ୍ୟ ଅର୍ଡର ଦେବା ପାଇଁ ଖୋଜୁଛି ତ ତାଙ୍କୁ ବତାଇ ଦିଆଯାଉଛି ସେ କେଉଁଠାରୁ ଓ କିପରି ଅର୍ଡର କରିବେ। ଗୁଗୁଲ ପେ ଜରିଆରେ ତୁରନ୍ତ ପ୍ରାପ୍ୟ ଦେୟ କରିବାର କଥା ବି କୁହାଯାଉଛି।

ଗୁଗୁଲ ବର୍ତ୍ତମାନ ପର୍ଯ୍ୟନ୍ତ ତାର ଭୂମିକା ଏତିକିରେ ସୀମିତ ରଖିଛି। ଖାଦ୍ୟ ଯୋଗାଣକାରୀ କମ୍ପାନୀ ମାନଙ୍କ ସହିତ ତାଳମେଳ ରଖି ଗୁଗୁଲ ଭବିଷ୍ୟତରେ ହୁଏତ ଆଉ କେତେ ପାଦ ଆଗକୁ ଯାଇପାରେ ବୋଲି ବଜାର ଗବେଷକ ମାନେ ଅନୁମାନ କରୁଛନ୍ତି। ସ୍ବିଗି ଡେ଼ଲି କମ୍ପାନୀ ପ୍ରଥମେ ଗୁରୁଗ୍ରାମରେ ବ୍ୟବସାୟ ଆରମ୍ଭ କରିଥିଲା। ଏବେ ମୁମ୍ବାଇ ଓ ବାଙ୍ଗାଲୁରରେ କମ୍ପାନୀ ତାର କାରବାର ବିସ୍ତାର ପାଇଁ ନୂଆ କାର୍ଯ୍ୟାଳୟ ଖୋଲିବାକୁ ଯାଉଛି।ଏହି କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦେଶକ ଶ୍ରୀହର୍ଷ ମଜେତିଙ୍କ ପ୍ରଦତ୍ତ ସୂଚନାନୁଯାୟୀ ଏଣିକି ଗ୍ରାହକଙ୍କୁ ନିଜ ଖାଦ୍ୟ ପହଞ୍ଚାଇବାର ସମୟ ବାଛିବାର ବିକଳ୍ପ ରହିଛି। କେଉଁ ସମୟରେ ଗ୍ରାହକ ନିଜ ପାଖରେ ଖାଦ୍ୟ ପହଞ୍ଚିବା ଚାହାନ୍ତି ସେ ଦର୍ଶାଇ ପାରିବେ। ଦୈନିକ, ସାପ୍ତାହିକ ଓ ମାସିକ ଗ୍ରାହକ ବି ଗ୍ରହଣ କରାଯିବ। ସ୍ୱୀଗ ଡେ଼ଲି ତାର ଭେଣ୍ଡର, ଘରୋଇ ରୋଷେୟା ଏବଂ ଜଳଖିଆ ସେବା ଦେଉଥିବା ବ୍ୟକ୍ତିର ଖାଦ୍ୟକୁ କ୍ରୟ ମୂଲ୍ୟରେ ଗ୍ରାହକଙ୍କ ନିକଟରେ ପହଞ୍ଚାଇବ। ସ୍ୱୀଗ ଡେ଼ଲିରେ ପ୍ରତ୍ୟେକ ଖାଦ୍ୟର ଦୁଇ ଡଜ଼ନରୁ ଅଧିକ ଅପସନ ଥିବାରୁ ଏହି ଆପସ ଗ୍ରାହକଙ୍କ ନିକଟରେ ବେଶ୍‌ ଆଦୃତ ହୋଇଥିବା କମ୍ପାନୀର ସିଇଓ କହନ୍ତି। କମ୍ପାନୀ ନିଜର ନେଟୱର୍କରେ ସଂଗଠିତ ଭେଣ୍ଡରଙ୍କ ସଂଖ୍ୟା ବୃଦ୍ଧି କରାଇବା ସହିତ ସ୍ଥାନୀୟ ସ୍ତରେରେ ଅଧିକ ଚାହିଦା ଥିବା ବା ପସନ୍ଦ ପାଲଟୁଥିବା ଟିଫିନ ସେବାକୁ ନିଜ ସହିତ ଯୋଡ଼ିଥାଏ। ସ୍ବିଗ ଡେ଼ଲିର ଆଲୋକ ଜୈନ କହନ୍ତି କମ୍ପାନୀ ଅସଂଗଠିତ ଖାଦ୍ୟ ବଜାରକୁ ଏଭଳି ଭାବେ ସଂଗଠିତ କରି ବିଭିନ୍ନ ବର୍ଗର ଗ୍ରାହକ ଓ ରୋଷେୟାଙ୍କୁ ସହାୟତା ପ୍ରଦାନ କରିଥାଏ। କମ୍‌ ବ୍ୟୟରେ ଜଣେ ଗ୍ରାହକ ତାର ପସନ୍ଦର ସ୍ୱାଦିଷ୍ଟ ଭୋଜନ ପାଇଯିବା ପରେ ବାରମ୍ବାର ଏପରି ସେବା ନିଶ୍ଚୟ ଲୋଡ଼ିଥାଏ। ଫୁଡ ଫଣ୍ଡା କମ୍ପାନୀର ଫୁଡ ସର୍ଭିସ ବର୍ତ୍ତମାନ ବିଶ୍ୱର ୨୪ଟି ଦେଶରେ ଚାଲୁ ରହିଛି। ଏହି କମ୍ପାନୀ ସମ୍ପୃକ୍ତ ଦେଶରେ ୪୫ ମିନିଟ ମଧ୍ୟରେ ଖାଦ୍ୟ ପହଞ୍ଚାଇ ଦେବାର ଗ୍ୟାରେଣ୍ଟି ଦେଇଥାଏ। ଜୋମାଟୋର ସର୍ଭିସ ଏବେ ଭାରତର ୧୦ ହଜାର ସହରରେ ପହଞ୍ଚି ସାରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।