ଠକେଇ ଅଭିଯୋଗରେ ଯୁକ୍ତରାଜ୍ୟରେ ମୂଳ ଭାରତୀୟଙ୍କୁ ଜେଲ୍‌ଦଣ୍ଡ


ଲିସେଷ୍ଟର୍‌: ଏଠାକାର ଜଣେ ମୂଳ ଭାରତୀୟଙ୍କୁ ଠକେଇ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯିବା ସହ ତିନି ବର୍ଷ ୯ ମାସ ଜେଲ୍‌ ଦଣ୍ଡାଦେଶ ଦିଆଯାଇଛି। ଏଠାକାର ଏକ କମ୍ପାନୀରେ ଭାରତ ସୂଚକ ନାମକ ଏହି ୬୫ ବର୍ଷୀୟ ଆକାଉଣ୍ଟାଣ୍ଟ୍‌ ଜଣକ ୬୬୨,୦୦୦ ପାଉଣ୍ଡ୍‌ ଚୋରି କରିଥିବା ଅଭିଯୋଗ ରହିଥିଲା। ଏହି କମ୍ପାନୀରେ ୩୦ ବର୍ଷ ଧରି କାମ କରିବା ସମୟରେ ସୂଚକ୍‌ ଏହି ଅର୍ଥ ଚୋରି କରିଥିଲେ ବୋଲି ସ୍ଥାନୀୟ ପୋଲିସ୍‌ ପକ୍ଷରୁ ଶୁକ୍ରବାର କୁହାଯାଇଥିଲା। ତାଙ୍କ ବିରୋଧରେ ଆସିଥିବା ୩ଟି ଅଭିଯୋଗକୁ ସୂଚକ୍‌ ସ୍ବୀକାର କରିବା ପରେ ତାଙ୍କୁ ଲିସେଷ୍ଟର୍‌ କ୍ରାଉନ୍‌ କୋର୍ଟ ଗତ ଗୁରୁବାର ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚକ କମ୍ପାନୀର ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟ୍‌କୁ ବିପୁଳ ପରିମାଣର ଅର୍ଥ ଟ୍ରାନ୍ସଫର୍‌ କରିଥିଲେ ବୋଲି ମାମଲାର ବିଚାର ବେଳେ ସ୍ପଷ୍ଟ ହୋଇଥିଲା।

ଏହି ମାମଲା ନେଇ ଅର୍ଥନୈତିକ ତଦନ୍ତକାରୀ ନିକୋଲ୍‌ ମ୍ୟାକ୍‌ଇନ୍‌ଟାୟର୍‌ କହିଛନ୍ତି ଯେ ଏହା ତାଙ୍କର ପାରିବାରିକ ବ୍ୟବସାୟ ହୋଇଥିବା ବେଳେ ସେ ଗତ ୪୦ ବର୍ଷ ହେଲା ଏଥିସହ ଜଡ଼ିତ ରହିଛନ୍ତି। ସୂଚକ ବ୍ୟାପକ ପରିମାଣର ଅର୍ଥ ହେରଫେର୍‌ କରିବା ଫଳରେ ତାଙ୍କ କମ୍ପାନୀ ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହେବା କାରଣରୁ ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡ଼ିଥିବା ନିକୋଲ୍‌ କହିଛନ୍ତି। ସୂଚକ ତାଙ୍କ କମ୍ପାନୀରେ ଢେର୍‌ ବର୍ଷ କାମ କରିଥିବାରୁ ନିକୋଲ୍‌ ତାଙ୍କ ଉପରେ ଅଧିକ ଭରସା କରିଥିଲେ। କିନ୍ତୁ ସୂଚକ ତାଙ୍କ ପଦବୀ ସହ ମାଲିକଙ୍କ ଭରସା ପ୍ରତି କୁଠାରାଘାତ କରିଥିଲେ। ତେବେ ବିଚାର ବେଳେ ସୂଚକ ତାଙ୍କ ଦୋଷ ସ୍ବୀକାର କରିଥିବା ବେଳେ ଜେଲ୍‌ରେ ତାଙ୍କ କୃତକର୍ମ ପାଇଁ ଅନୁତାପ କରିବେ ବୋଲି ନିକୋଲ୍‌ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ