୨୦୨୪ ସୁଦ୍ଧା ଭାରତକୁ ୫ ଟ୍ରିଲିଅନ୍‌ ଡଲାର୍‌ ଅର୍ଥନୀତି କରିବା ମୁଖ୍ୟ ଲକ୍ଷ୍ୟ: ମୋଦି


ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି କ୍ରମଶଃ ଦୃଢ଼ତର ହେଉଥିବା ବେଳେ ଆସନ୍ତା ୨୦୨୪ ସୁଦ୍ଧା ଏହାକୁ ୫ ଟ୍ରିଲିଅନ୍‌ ଡଲାର୍‌ରେ ପହଞ୍ଚାଇବା ମୁଖ୍ୟ ଲକ୍ଷ୍ୟ ବୋଲି ମତ ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶନିବାର ରାଷ୍ଟ୍ରପତି ଭବନଠାରେ ଅନୁଷ୍ଠିତ ନୀତି ଆୟୋଗର ପଞ୍ଚମ ବୈଠକରେ ଯୋଗଦେବା ଅବସରରେ ମୋଦି କହିଛନ୍ତି ଯେ ୨୦୨୪ ସୁଦ୍ଧା ଭାରତୀୟ ଅର୍ଥନୀତିକୁ ୫ ଟ୍ରିଲିଅନ୍‌ ଡଲାର୍‌ରେ ପହଞ୍ଚାଇବା ଲକ୍ଷ୍ୟ ହାସଲ କରିବା ନିଶ୍ଚିତ ଭାବେ କଷ୍ଟସାଧ୍ୟ। କିନ୍ତୁ ରାଜ୍ୟର ନିୟମିତ ଉଦ୍ୟମ ବଳରେ ଏହାକୁ ହାସଲ କରିବା ସମ୍ଭବପର ହୋଇପାରିବ ବୋଲି ଲଗାତର ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିବା ମୋଦି କହିଛନ୍ତି।

ଗତ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ବେଳେ ଆସନ୍ତା ୨୦୨୪ରେ ମୋଦିଙ୍କ ଦ୍ବିତୀୟ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟକାଳ ଶେଷ ହେବ। ତାଙ୍କର କାର୍ଯ୍ୟକାଳ ଶେଷ ହେବା ବେଳକୁ ମୋଦି ଦେଶର ଅର୍ଥନୀତିକୁ ବେଶ୍‌ ଆଗରେ ପହଞ୍ଚାଇବା ସକାଶେ ବେଶ୍‌ ପ୍ରଯତ୍ନ। ସେ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ନୀତି ଆୟୋଗ ବୈଠକରେ ମୋଦି ସରକାରଙ୍କ ସବ୍‌ କା ସାଥ୍‌, ସବ୍‌ କା ବିକାଶ, ସବ୍‌ କା ବିଶ୍ବାସ ମନ୍ତ୍ରକୁ ବାସ୍ତବରେ ପରିଣତ କରିବା ଦିଗରେ ଆୟୋଗ ମୁଖ୍ୟ ଭୂମିକା ନିର୍ବାହ କରିବ ବୋଲି କହିଛନ୍ତି।

ତେବେ ଏହି ବୈଠକରେ ତିନିଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇନାହାନ୍ତି। ସେମାନେ ହେଲେ ପଶ୍ଚିମବଙ୍ଗର ମମତା ବାନାର୍ଜୀ, ତେଲେଙ୍ଗାନାର କେ. ଚନ୍ଦ୍ରଶେଖର ରାଓ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ବର୍ତ୍ତମାନ ପଶ୍ଚିମବଙ୍ଗରେ ଜୁନିୟର୍‌ ଡାକ୍ତରଙ୍କ ଆନ୍ଦୋଳନ ଚାଲିଥିବା ବେଳେ ଏହାର ମୁକାବିଲା ପାଇଁ ମମତା ବ୍ୟସ୍ତ ଅଛନ୍ତି। ସେହିପରି କାଲେଶ୍ବରମ୍‌ ଉଠା ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଥିବାରୁ କେସିଆର୍‌ ବୈଠକରେ ଯୋଗ ଦେଇପାରିନାହାନ୍ତି। ଏହାଛଡ଼ା କ୍ୟାପ୍‌ଟେନ୍‌ ସିଂହ ଅସୁସ୍ଥ ଥିବା କାରଣରୁ ବୈଠକରେ ଭାଗ ନେଇ ନ ଥିବା କୁହାଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ