ଗାଁରୁ ରାଜଧାନୀ ଏବେ ସବୁଠି ରାଜ କରିବ ମାଟିର ପର୍ବ ‘ରଜ’


ଦିନେ ଉତ୍କଳୀୟ ପଲ୍ଲୀ ଜୀବନରେ ରଜ  ପର୍ବ ପାଳନର ପରମ୍ପରା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଥିଲା। କୃଷି ଓଡ଼ିଶାବାସୀଙ୍କ ମୁଖ୍ୟ ଜୀବିକା ହୋଇ ଯେତେଦିନ ପର୍ଯ୍ୟନ୍ତ ଥିଲା, ରଜର ମହକ ସେତେ ବେଶୀ ଅନୁଭବ କରାଯାଉଥିଲା। ଏବେ କୃଷି ଅଭ୍ୟାସ ସଂକୁଚିତ ହେଉଥିବାରୁ ଗାଁର ଆମ୍ବ ତୋଟାରୁ ନିରବି ଯାଇଛି  ରଜଦୋଳି ଗୀତ। ଡୁଡୁ, ବାଗୁଡ଼ି, ବୋହୁ ଚୋରି ଖେଳର କୁହାଟ ଆଉ ଗାଁ ଦାଣ୍ଡରେ ନାହିଁ କି ଲୁଡୁ,ପୁଚି ଓ କଉଡ଼ି ଖେଳର ସରାଗ କାହା ମନରେ ନାହିଁ। ଏବେ ସହରରେ ରଜକୁ ବଞ୍ଚାଇବା ପାଇଁ ନାଚ,ଗୀତ,ପାନ ଓ ପୋଡ଼ପିଠାର ପ୍ରତିଯୋଗିତା ହେଉଥିବା ବେଳେ ଗାଁରେ ସରିସରି ଆସୁଛି ରଜ ମଉଜର ଦିନ ଓ  ଜମାନା। ତଥାପି ଓଡ଼ିଆ ଘରର ମହନୀୟ ସଂସ୍କୃତି ସହ ଯୋଡ଼ା ରଜ ଏବେ ବି ଗାଁରୁ ସହର ଯାଏ ରାଜ କରୁଛି।

ରଜ ଆସିଲେ ରଜସ୍ଵଳା ହୁଏ ଧରିତ୍ରୀ। ପଲ୍ଲବିତ ହୁଏ ପୃଥିବୀ। ନୂତନ ସୃଷ୍ଟିର ସନ୍ଦେଶ ଦିଏ ବସୁମତୀ।  ଆନମନା କରେ ପ୍ରକୃତି ଓ ପୁରୁଷକୁ। ଧରିତ୍ରୀରେ ରଚିତ ହୁଏ ପ୍ରକୃତି ଓ ପୁରୁଷର ମିଳନ ପର୍ବ। ସତରେ ଓଡ଼ିଆ ଘରର ଏହି ମହନୀୟ ପରମ୍ପରା କେତେ ସୁନ୍ଦର ଆଉ ମଧୁର ଥିଲା। ରଜ ପର୍ବ ପାଳନର ରୀତିନୀତିରେ ପ୍ରତିଫଳିତ ହେଉଥିବା ସୃଷ୍ଟି ରଚନାର ଆଦ୍ୟ ରହସ୍ୟ ଆଜି ଆଧୁନିକ ଯୁବା ମନରେ ହଜିଯାଇଛି। କୃଷି ଓଡିଶାବାସୀଙ୍କ ମୁଖ୍ୟ ଜୀବିକା ହୋଇଥିବାରୁ ମାଟି ମାକୁ ବିଶ୍ରାମ ଦେବା ଏବଂ ପୂଜା କରିବା ରଜ ପର୍ବର ମୁଖ୍ୟ ଉଦେଶ୍ୟ। ସାଧାରଣତଃ କୃଷକମାନେ ରଜସଂକ୍ରାନ୍ତି ପୂର୍ବରୁ କ୍ଷେତ୍ରେ ଧାନବୁଣି ବର୍ଷାର ଆଗମନକୁ ଅପେକ୍ଷା କରିଥାନ୍ତି। ଆଷାଢ଼ର ପ୍ରଥମ ବାରିପାତରେ ପୃଥିବୀ ଶୀତଳ ହେବାସହ ପ୍ରଜନନକ୍ଷମ ହୋଇଥାଏ ବୋଲି ଅତୀତର ମଣିଷ ଆକଳିତ କରିଛି। ପୃଥିବୀର ଏହି ଅବସ୍ଥାକୁ ରଜସ୍ୱଳା ନାରୀ ସହିତ ତୁଳନା କରି ପୂର୍ଣ୍ଣ ବିଶ୍ରାମ ଦିଆଯାଏ । କୃଷକ ମାନେ ମଧ୍ୟ କୃଷିକର୍ମରୁ ଅବ୍ୟାହତି ନେଇ ବିଶ୍ରାମ ନିଅନ୍ତି। କୁମାରୀ ମାନେ ପୃଥିବୀ ମାତାକୁ ଆଘାତ ନ ଦେଇ ଖାଲିପାଦରେ ଚଲାବୁଲା କରନ୍ତି ନାହିଁ। କଦଳୀ ପାଟୁକା ପାଦରେ ବାନ୍ଧି କିମ୍ବା ଚପଲ ମାଡି ଚଳପ୍ରଚଳ କରିଥାନ୍ତି। ଜ୍ୟେଷ୍ଠ ମାସର ଶେଷଦିନଟିକୁ ପହିଲି ରଜ,ଆଷାଢ଼ର ଆଦ୍ୟ ଦିନକୁ ରଜସଂକ୍ରାନ୍ତି,ଏବଂ ତାପରଦିନ କୁ ବସୁମତୀ ସ୍ନାନ ବା ଭୂମିଦୋହନ ଭାବେ ପାଳନ କରାଯାଇଥାଏ। ଏହି ଦିନ ଗୁଡିକର ରୀତିନୀତିରେ ସମ୍ପୂର୍ଣ୍ଣ ଓଡ଼ିଆ ଘରର ଚଳଣି ପ୍ରତିଫଳିତ ହୋଇଥାଏ। ଏବେ ଏହି ପର୍ବ ଆମର ଦ୍ୱାରଦେଶରେ ବଦଳୁଥିବା ସମୟ ସହିତ ତାଳଦେଇ କିଛିଟା ରୀତି,ନୀତି ଚଳଣି ବଦଳିଥିବା ବେଳେ ଏବେ ବି ରଜ ପାଇଁ କିଛି ସରାଗ, କିଛି ଆଦର ଦେଖିବାକୁ ମିଳିଛି।

ଆମ ରାଜଧାନୀ ଭୁବନେଶ୍ୱରକୁ ରଜ ଆସୁଛି ନୁଆ ରୂପରେ। ଫନି ବାତ୍ୟାର ପ୍ରକୋପରେ ଭୁବନେଶ୍ୱରବାସୀ ବଡ଼ କ୍ଷତିର ସାମ୍ମା କରିଥିବାବେଳେ ରଜକୁ ନେଇ ଖୁସି ହେବାର ଅବକାଶ ବି ସୃଷ୍ଟିକରିଛନ୍ତି । ପ୍ରତିବର୍ଷ ଭଳି ଏଥର ମଧ୍ୟ ସହରରେ ରଜର ଅନୁଭୂତି ଦେବାକୁ ବିଭିନ୍ନ ସଙ୍ଗଠନ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ରଜ ମହୋତ୍ସବ ଆୟୋଜନ ପାଇଁ  ପ୍ରସ୍ତୁତି ସରିଛି। ପାରମ୍ପରିକ ରଜକୁ ବଞ୍ଚାଇ ରଖିବା ସହ ସହରବାସୀଙ୍କୁ ପିଠା, ମିଠା, ଦୋଳି, ପାନ ଆଦିର ମଜା ଦେବାକୁ ବିଭିନ୍ନ ବ୍ୟବସ୍ଥା ହୋଇଛି। ବିଭିନ୍ନ ହୋଟେଲ,ମଣ୍ଡପ,ଓ କଳାତଥା ସାଁସୃତିକ ଅନୁଷ୍ଠାନ ଗୁଡିକ ଠାରୁ ଆରମ୍ଭକରି ପାର୍କ ଆଦି ସ୍ଥାନରେ ରଜ ଉତ୍ସବ ର ଆୟୋଜନ କରାଯାଉଛି । ପ୍ରତିବର୍ଷ ପରି ଏଥର ମଧ୍ୟ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଦ୍ୱାରା ପରିଚାଳିତ ପାନ୍ଥନିବାସ ଗୁଡ଼ିକରେ ଜାକଜମକରେ  ରଜ ମହୋତ୍ସବ ପାଳନ ପାଇଁ ସଜବାଜ ସରିଛି। ଭୁବନେଶ୍ୱର ସହ କଟକ, ଚାନ୍ଦିପୁର, ଗୋପାଳପୁର, ସମ୍ବଲପୁର, ରାଉରକେଲା, ବରକୁଳ ଓ ପାରାଦୀପରେ ଥିବା ପାନ୍ଥନିବାସରେ ୧୩ରୁ ୧୬ତାରିଖ ପର୍ଯ୍ୟନ୍ତ ରଜ ମହୋତ୍ସବ ପାଳନ ହେବ। ତେବେ ଫନିରେ ବ୍ୟାପକ କ୍ଷୟକ୍ଷତି ଯୋଗୁ କୋଣାର୍କ ଏବଂ ପୁରୀ ପାନ୍ଥନିବାସରେ ଚଳିତବର୍ଷ ରଜ ମହୋତ୍ସବ ଆୟୋଜନ ହେବନାହିଁ ବୋଲି ଓଟିଡିସି ପକ୍ଷରୁ ସୂଚନା ଦିଆଯାଇଛି।

ଏଥର ମଧ୍ୟ ପୋଡ଼ପିଠା, ମଣ୍ଡା, ଆରିସା, କାକରା, ଚକୁଳି ପିଠା ସାଙ୍ଗକୁ ମୁଗବୁନ୍ଦି, କ୍ଷୀରଗଜା, ଦହିବରା, ଛେନାପୋଡ଼ ପାନ୍ଥନିବାସର ମୁଖ୍ୟ ଆକର୍ଷଣ ରହିବ। ସେହିଭଳି ସମ୍ବଲପୁର ପ୍ରସିଦ୍ଧ ପିଠା ଖୁଦମଣ୍ଡା, କଦମ୍ବା, ମୁଗପାପ୍‌ଚି ସମ୍ବଲପୁର ପାନ୍ଥନିବାସରେ ଉପଲବ୍ଧ ହେବ। ଚଳିତବର୍ଷ ଆଦିବାସୀମାନଙ୍କ ଲୋକପ୍ରିୟ ପିଠା ମହୁଲ ଓ ମାଣ୍ଡିଆରେ ପ୍ରସ୍ତୁତ କରାଯିବ। ଏହାସହ ପର୍ଯ୍ୟଟକ ରଜପାନ ଖାଇ ରଜଦୋଳିର ମଜା ମଧ୍ୟ ଉଠାଇପାରିବେ। ରଜ ପାଇଁ ରାଜଧାନୀର ଏକାମ୍ର ହାଟରେ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ପ୍ରୟାସ ଅନୁଷ୍ଠାନ ପକ୍ଷରୁ ଏକାମ୍ର ହାଟ ପରିସରରେ ରଜ ୩ଦିନ ‘ପ୍ରୟାସ ରଜ ମହୋତ୍ସବ’ ସିଜିନ-୨ ଅନୁଷ୍ଠିତ ହେବ। ଏହି ଅବସରରେ ପିଲାଙ୍କ ମଧ୍ୟରେ ପୁଚି, ରୁମାଲ ଚୋରି ଭଳି ପାରମ୍ପରିକ ଖେଳ ସହ ନୃତ୍ୟ, ଗୀତ, ମ୍ୟୁଜିକ୍‌ ଚେୟାର ଓ ଫ୍ୟାଶନ ଶୋ ଭଳି ପ୍ରତିଯୋଗିତା କରାଯିବ। ଏହାସହ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ମା’ମାନଙ୍କ ମଧ୍ୟରେ ଏକ ଭିନ୍ନସ୍ବାଦର ପ୍ରତିଯୋଗିତା ସହ ରଜ କୁଇନ୍‌ ପ୍ରତିଯୋଗିତା ଆୟୋଜନ ହେବ। ଯେ କେହି ଚାହିଁଲେ, ଏଠାକୁ ଯାଇ ବିନା କୌଣସି ପ୍ରବେଶ ଶୁଳ୍କରେ ଦୋଳି ଖେଳି ରଜ ମହୋତ୍ସବର ମଜା ଉଠାଇପାରିବ। ଏହାବ୍ୟତୀତ ହୋଟେଲ ପେଟ ପୂଜା ପକ୍ଷରୁ ରଜ ସ୍ପେଶାଲ ପିଠା ଓ ମିଠା ବିକ୍ରି କରାଯିବ। ପୋଡ଼ପିଠା ସହ ସୁଜି ମଣ୍ଡା, ସୁଜି କାକରା, କରଞ୍ଜିଆ, ଚନ୍ଦ୍ର କଳା, ସିଝା ମଣ୍ଡା ପିଠା, ମୁଗ ହାଲୁଆ, ଖିର ଗଜା, ଛେନା ଝିଲ୍ଲି, ଛେନା ମାଲପୁଆ ଆଦି ଉପଲବ୍ଧ ହେବ। ୧୨ତାରିଖ ସନ୍ଧ୍ୟାରୁ ୧୭ତାରିଖ ପର୍ଯ୍ୟନ୍ତ ରଜ ସ୍ପେଶାଲ ପୋଡ଼ପିଠା ଲୋକେ ଏଠାରୁ ପାଇପାରିବେ ବୋଲି ଏହାର ମାଲିକ ପ୍ରକାଶ ବେହେରା କହିଛନ୍ତି।

ସେହିପରି ମିଶାଲ ଅନୁଷ୍ଠାନ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜନ ହେବ ରାଜ୍ୟସ୍ତରୀୟ ରଜ ମହୋତ୍ସବ। ୧୫ତାରିଖ ଅପରାହ୍ନରୁ ଆରମ୍ଭ ହୋଇ ରାତି ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବ। ପ୍ରେକ୍ଷାଳୟ ଭିତରେ ଏବଂ ବାହାରେ ଏକାଧିକ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ସହ ଖାଦ୍ୟପେୟ ଓ ରଜଦୋଳି ଖେଳ ପ୍ରମୁଖ ଆକର୍ଷଣ ରହିବ। ଝୋଟି, ପିଠା, କାନ୍ଦଣା ଓ ପୁଚିଖେଳକୁ ନେଇ ମହିଳାଙ୍କ ମଧ୍ୟରେ ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେହିଭଳି ମୋଗଲ ତାମ୍‌ସା ସହ ନାଟକ ପ୍ରେକ୍ଷାଳୟ ବାହାରେ ପରିବେଷଣ କରାଯିବ। ପ୍ରେକ୍ଷାଳୟ ଭିତରେ ରଜଗୀତ, ସମ୍ବଲପୁରୀ ନାଚ ଆଦି ପରିବେଷଣ କରାଯିବ। ରାଜଧାନୀ ରଜର ସବୁଠୁ ବେଶୀ ଆକର୍ଷଣ ଥିବା ପାତ୍ରପଡା ରଜଦୋଳି ଆସର ଏଥର ଟିକେ ଫିକା ପଡିପାରେ। ପ୍ରତିବର୍ଷ ଏଥରେ ୧୫୦ ରୁ ଅଧିକ ଦୋଳି ଲାଗୁଥିବା ବେଳେ ଚଳିତ ଥର ଫନି ବାତ୍ୟା ଅନେକ ଗଛକୁ ଫନି ଧରାଶାୟୀ କରିଥିବାରୁ କେତୋଟି ଦୋଳି ହେବ, ତାକୁ ନେଇ ସଠିକ ସୂଚନା ମିଳିନି । ସବୁବର୍ଷ ଭଳି ଏ ବର୍ଷ ଏତେ ସଂଖ୍ୟାରେ ଦୋଳି ବାନ୍ଧିବା ସମ୍ଭବ ନ ଥିବାରୁ ୪୦ରୁ ୫୦ ଦୋଳି ବନ୍ଧାଯିବ ବୋଲି ଆସୋସିଏଶନ ଉପସଭାପତି ରବୀନ୍ଦ୍ର ସାହୁ କହିଛନ୍ତି। ରଜ ଅବସରରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା କରାଯିବ। ପ୍ରଥମ ଦିନରେ ପୁଚି ଖେଳ, ପସାପାଲି, ଚେସ୍‌, ଝୋଟି ଚିତା ଆଦି ପ୍ରତିଯୋଗିତା କରାଯିବ। ଅପରାହ୍ନରେ ପିଠା ତିଆରି, ଶଙ୍ଖ ଫୁଙ୍କା, ହୁଳହୁଳି, ମ୍ୟୁଜିକ୍‌ ଚେୟାର୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହାସହିତ ସର୍ବସାଧାରଣଙ୍କ ପାଇଁ ଫୁଡ୍‌ ଷ୍ଟଲ ଲାଗିବ। ମିନାବଜାରର ମଧ୍ୟ ବ୍ୟବସ୍ଥା କରାଯାଉଛି। ୧୪ତାରିଖରୁ ୪ଦିନ ଧରି ଏଠାରେ ରଜ ଉତ୍ସବ ପାଳନ କରାଯିବ। କେବଳ ରାଜଧାନୀରେ ରଜ ନୁହେଁ ମୟୁରଭଞ୍ଜ ,କେଉଁଝର,ବାଲେଶ୍ୱର,ଭଦ୍ରଖ,କଟକ ଓ ଖୋରଧା ଜିଲ୍ଲାରେ ରଜକୁ ନେଇ ଗାଁଗହଳି ମୁଖରିତ ହେବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।