ଓଭାଲ୍‌ରେ ରେକର୍ଡର ପାହାଡ଼: ପ୍ରଥମ ଭାରତୀୟ ଭାବେ ଇଂଲଣ୍ଡରେ ଧୱନ୍‌ଙ୍କ ଚତୁର୍ଥ ଶତକ


ଚଳିତ ବିଶ୍ବକପ୍‌ରେ ରବିବାର ଚତୁର୍ଦ୍ଦଶ ମ୍ୟାଚ୍‌ ଖେଳାଯାଇଥିବା ବେଳେ ଏଥିରେ ଭାରତ ୩୬ ରନ୍‌ରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ଭାରତର ଦମ୍‌ଦାର ପ୍ରଦର୍ଶନ ସହ ଅଷ୍ଟ୍ରେଲିଆର ଦୃଢ଼ ଜବାବ ଫଳରେ ଏକାଧିକ ରେକର୍ଡ ପ୍ରତିଷ୍ଠା ହୋଇଛି। ଭାରତୀୟ ଓପନର ଶିଖର ଧୱନ୍‌ ଓ ରୋହିତ ଶର୍ମା ବ୍ୟକ୍ତିଗତ ରେକର୍ଡ ପ୍ରତିଷ୍ଠା କରିବା ସହ ଯୋଡ଼ିଦାର ଭାବେ ଏକାଧିକ ମାଇଲ୍‌ଖୁଣ୍ଟ ଛୁଇଁଛନ୍ତି। ସେହିପରି ଅଷ୍ଟ୍ରେଲୀୟ ୱିକେଟ୍‌କିପର୍‌ ଆଲେକ୍ସ କ୍ୟାରୀ ମଧ୍ୟ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ପକ୍ଷରୁ ଦ୍ରୁତ ଅର୍ଦ୍ଧଶତକ ହାସଲ କରିବାର ଗୌରବ ନିଜ ନାମରେ କରିପାରିଛନ୍ତି। ଏହିସବୁ ରେକର୍ଡ ସମ୍ପର୍କରେ ଏଠାରେ ଆଲୋଚନା କରିବା।

ଧୱନ୍‌ ଧମାକା
ଭାରତୀୟ ଓପନର ଧୱନ୍‌ ଏଠାରେ ୧୦୯ ବଲ୍‌ରେ ୧୧୭ ରନ୍‌ କରିବା ସହ ବିଶ୍ବକପ୍‌ରେ ତାଙ୍କର ତୃତୀୟ ଶତକ ଅର୍ଜନ କରିଛନ୍ତି। ଫଳରେ ସେ ରମିଜ୍‌ ରାଜା, ମାଥ୍ୟୁ ହେଡେନ୍‌, ଭିଭିଆନ୍‌ ରିଚାର୍ଡସ, ସଈଦ୍‌ ଅନୱର୍‌ ଓ ସନତ୍‌ ଜୟସୂର୍ଯ୍ୟାଙ୍କ ସମକକ୍ଷ ହୋଇପାରିଛନ୍ତି। ଏଥିସହ ସେ ଓଭାଲ୍‌ରେ ମଧ୍ୟ ସମାନ ସଂଖ୍ୟକ ଶତକ ପୂରଣ କରିପାରିଛନ୍ତି। ଏହା ଓଭାଲ୍‌ରେ ତାଙ୍କର ଚତୁର୍ଥ ୫୦ରୁ ଊର୍ଦ୍ଧ୍ବ ରନ୍‌ର ଇନିଂସ। ଆହୁରି ମଧ୍ୟ ସେ ପ୍ରଥମ ଭାରତୀୟ ଭାବେ ଇଂଲଣ୍ଡ ମାଟିରେ ୪ଟି ଶତକ ସ୍କୋର୍‌ କରିବାର ସଫଳତା ପାଇଛନ୍ତି। ସେହିପରି ସେ ଇଂଲିଶ୍‌ ମାଟିରେ ୧୦୦୦ ରନ୍‌ ପୂରଣ କରିବା ପାଇଁ ସବୁଠାରୁ କମ୍ ଇନିଂସ (୧୯ଟି) ନେଇଛନ୍ତି। ଏ କ୍ଷେତ୍ରରେ ମଧ୍ୟ ସେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍‌। ଏଥିସହ ସେ ଆଇସିସି ଟୁର୍ଣ୍ଣାମେଣ୍ଟ୍‌ରେ ତାଙ୍କର ଷଷ୍ଠ ଶତକ ହାସଲ କରି ଅଷ୍ଟ୍ରେଲିଆର ରିକି ପଣ୍ଟିଂ, ଶ୍ରୀଲଙ୍କାର କୁମାର ସାଙ୍ଗାକାରାଙ୍କ ସମକକ୍ଷ ହୋଇଛନ୍ତି। ଏହି ସୂଚୀରେ ଭାରତର ସଚିନ୍‌ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲି  ୭ଟି ଲେଖାଏଁ ଶତକ ସହ ଶୀର୍ଷରେ ଅଛନ୍ତି। ରବିବାରର ଇନିଂସ ଧୱନ୍‌ଙ୍କ ଦିନିକିଆ କ୍ୟାରିୟର୍‌ର ସପ୍ତଦଶ ଶତକ। ତାଙ୍କ ଶତକ ସହ ବିଶ୍ବକପ୍‌ରେ ଭାରତ ନାମରେ ସର୍ବାଧିକ ୨୭ଟି ଶତକର ରେକର୍ଡ ସ୍ଥାପନ ହୋଇଛି। ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ରୋହିତ ଅପରାଜିତ ଶତକୀୟ ଇନିଂସ ଖେଳିବା ଫଳରେ ଭାରତ ଅଷ୍ଟ୍ରେଲିଆ ସମକକ୍ଷ ହୋଇଥିଲା। ଏହି ସୂଚୀରେ ଅଷ୍ଟ୍ରେଲିଆ ୨୬ଟି ସହ ଦ୍ବିତୀୟରେ ରହିଥିବା ବେଳେ ଶ୍ରୀଲଙ୍କା (୨୩), ୱେଷ୍ଟ୍‌ଇଣ୍ଡିଜ୍‌ (୧୭) ଓ ନ୍ୟୁଜିଲାଣ୍ଡ୍‌ ଯଥାକ୍ରମେ ତୃତୀୟ, ଚତୁର୍ଥ ଓ ପଞ୍ଚମରେ ଅଛନ୍ତି। ତାଙ୍କର ୧୧୭ ରନ୍‌ର ଇନିଂସ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବକପ୍‌ରେ ତୃତୀୟ ସର୍ବାଧିକ ସ୍କୋର୍‌।

ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତଙ୍କ ୨ ହଜାର ରନ୍‌
ଓପନର ରୋହିତ ଶର୍ମା ୫୭ ରନ୍‌ କରି ଆଉଟ୍‌ ହେବା ପୂର୍ବରୁ ଦିନିକିଆ କ୍ରିକେଟ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ୨ ହଜାର ରନ୍‌ ପୂରଣ କରିଛନ୍ତି। ସେ ତାଙ୍କର ୩୭ତମ ଇନିଂସରେ ଏହି ସଂଖ୍ୟକ ରନ୍‌ କରି ସବୁଠାରୁ ଦ୍ରୁତତମ ବ୍ୟାଟ୍ସମ୍ୟାନ୍‌ ହୋଇପାରିଛନ୍ତି। ଏ କ୍ଷେତ୍ରରେ ସେ ସଚିନ୍‌ଙ୍କୁ ଅତିକ୍ରମ କରିଛନ୍ତି। କାରଣ ସଚିନ୍‌ ୪୦ଟି ମ୍ୟାଚ୍‌ ଖେଳି ଏହି ସଂଖ୍ୟକ ରନ୍‌ କରିପାରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ୨୦୦୦ ରନ୍‌ ପୂରଣ କରିବାରେ ସେ ଚତୁର୍ଥ ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି। ପୂର୍ବରୁ ସଚିନ୍‌ଙ୍କ ବ୍ୟତୀତ ସାର୍‌ ଭିଭିଆନ୍‌ ରିଚାର୍ଡସ ଓ ଡେସ୍‌ମଣ୍ଡ୍‌ ହେନ୍ସ ଏହି ସଫଳତା ପାଇସାରିଛନ୍ତି। ସେହିପରି ରୋହିତ ଏହି ଇନିଂସରେ ଗୋଟିଏ ଛକା ମାରି ସର୍ବକାଳୀନ ଛକା ମାରିଥିବା ଖେଳାଳିଙ୍କ ସୂଚୀରେ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ୫୨୦ଟି ଛକା ସହ ଗେଲ୍‌ ଶୀର୍ଷରେ ରହିଥିବା ବେଳେ ୪୭୬ଟି ସହ ଶାହିଦ୍‌ ଆଫ୍ରିଦି ଦ୍ବିତୀୟରେ ଓ ୩୯୮ଟି ସହ ନ୍ୟୁଜିଲାଣ୍ଡ୍‌ର ବ୍ରେଣ୍ଡନ୍‌ ମ୍ୟାକ୍‌କୁଲମ୍‌ ତୃତୀୟ ସ୍ଥାନରେ ରହିଛନ୍ତି। ପୂର୍ବରୁ ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ୱିକେଟ୍‌କିପର୍‌ ମହେନ୍ଦ୍ର ସିଂହ ଧୋନିଙ୍କ ସହ ରୋହିତ ୩୫୪ଟି ଛକା ସହ ଯୁଗ୍ମ ଭାବେ ଚତୁର୍ଥ ସ୍ଥାନରେ ଥିଲେ।

ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ
ଭାରତ ୫ ୱିକେଟ୍‌ ବିନିମୟରେ ୩୫୨ ରନ୍‌ କରିବା ଫଳରେ ଏହା ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ତା’ର ସର୍ବାଧିକ ସ୍କୋର୍‌ କରିପାରିଛି। ଏହା ବିଶ୍ବକପ୍‌ରେ ଭାରତର ତୃତୀୟ ସର୍ବାଧିକ ସ୍କୋର୍‌। ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ମଧ୍ୟ ଏହା ୫୦ତମ ବିଜୟ। ଭାରତ ଅଦ୍ୟାବଧି ଏହି ଦଳ ସହ ସମୁଦାୟ ୧୩୭ଟି ଦିନିକିଆ ଖେଳିଛି ଓ ସେଥି ମଧ୍ୟରୁ ଅଷ୍ଟ୍ରେଲିଆ ୭୭ଟିରେ ବାଜିମାତ୍‌ କରିଛି। ତେବେ ଭାରତ ୩୬ ରନ୍‌ରେ ବିଜୟୀ ହେବା ସହ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବକପ୍‌ରେ ଚତୁର୍ଥ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ଦୀର୍ଘ ୨୦ ବର୍ଷ ପରେ ଅଷ୍ଟ୍ରେଲିଆ ବିଶ୍ବକପ୍‌ରେ କୌଣସି ମ୍ୟାଚ୍‌ରେ ରନ୍‌ ଚେଜ୍‌ କରିବାରେ ବିଫଳ ହୋଇଛି।

ରୋହିତ-ଶିଖରଙ୍କ ଓପନିଂ ଯୋଡ଼ି ରେକର୍ଡ
ଅଷ୍ଟ୍ରେଲିଆ ବିରୋଧରେ ରୋହିତ ଓ ଶିଖର ଯୋଡ଼ି ରେକର୍ଡ କରିଛନ୍ତି। ୱେଷ୍ଟ୍‌ଇଣ୍ଡିଜ୍‌ର ଡେସ୍‌ମଣ୍ଡ୍‌ ହେନ୍ସ ଓ ଗର୍ଡନ୍‌ ଗ୍ରୀନିଜ୍‌ ଯୋଡ଼ିକୁ ପଛରେ ପକାଇ ଏହି ଯୋଡ଼ି ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ରନ୍‌ କରିପାରିଛନ୍ତି। ହେନ୍ସ-ଗ୍ରୀନିଜ୍‌ ଯୋଡ଼ି ୨୯ ଇନିଂସରେ ୧୧୫୨ ରନ୍‌ କରିଥିବା ବେଳେ ରୋହିତ-ଶିଖର ଯୋଡ଼ି ୨୨ଟି ଇନିଂସରେ ୧୨୭୩ ରନ୍‌ କରିଛନ୍ତି। ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ଏହି ଯୋଡ଼ି ଷଷ୍ଠ ଥର ପାଇଁ ଶତକୀୟ ଭାଗିଦାରୀ କରିଛନ୍ତି, ଯାହାକି ସର୍ବାଧିକ। ଷୋଡ଼ଶ ଥର ପାଇଁ ଏହି ଯୋଡ଼ି ଶତକୀୟ ଭାଗିଦାରୀ କରିବା ସହ ତୃତୀୟ ସ୍ଥାନରେ ରହିଛନ୍ତି।

ଆଲେକ୍ସ କ୍ୟାରୀଙ୍କ ଅର୍ଦ୍ଧଶତକୀୟ ରେକର୍ଡ
ଅଷ୍ଟ୍ରେଲିଆ ଦଳ ୩୬ ରନ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ଶେଷ ଭାଗରେ ୱିକେଟ୍‌କିପର୍‌ ଆଲେକ୍ସ କ୍ୟାରୀ ୫୫ ରନ୍‌ର ଅପରାଜିତ ଇନିଂସ ଖେଳି ପରାଜୟ ବ୍ୟବଧାନକୁ କମାଇଥିଲେ। ତେବେ ଏହି ଇନିଂସ ଅବସରରେ ସେ ବିଶ୍ବକପ୍‌ରେ ଦଳ ପକ୍ଷରୁ ଏକ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ସେ ମାତ୍ର ୨୫ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରି ନିଜ ଦେଶର ଟମ୍ ମୁଡି ଓ ଶେନ୍‌ ୱାଟ୍‌ସନ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। ୧୯୯୯ରେ ମୁଡି ଓ ୨୦୦୭ରେ ୱାଟ୍‌ସନ୍‌ ୨୮ଟି ଲେଖାଏଁ ବଲ୍‌ରେ ଏହି ସଫଳତା ପାଇଥିଲେ। ନ୍ୟୁଜିଲାଣ୍ଡ୍‌ର ବ୍ରେଣ୍ଡନ୍‌ ମ୍ୟାକ୍‌କୁଲମ୍‌ ବିଶ୍ବକପ୍‌ ଇତିହାସରେ ସବୁଠାରୁ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୨୦୧୫ରେ ଇଂଲଣ୍ଡ ବିପକ୍ଷରେ ମାତ୍ର ୧୮ ବଲ୍‌ରେ ୫୦ ରନ୍‌ ପୂରଣ କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?