ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଯୁବରାଜଙ୍କ ସନ୍ନ୍ୟାସ, ବିଶ୍ବକପ୍‌ ବିଜୟ ସର୍ବଶ୍ରେଷ୍ଠ ମୁହୂର୍ତ୍ତ


ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଲ୍‌ରାଉଣ୍ଡର୍‌ ଯୁବରାଜ ସିଂହ ସୋମବାର ତାଙ୍କ ୧୭ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଥିବା ଅନ୍ତର୍ଜାତୀୟ କ୍ରିକେଟ୍‌ ଜୀବନକୁ ଅଲ୍‌ବିଦା କହିଛନ୍ତି। ଏହି ବାମହାତୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଓ ମନ୍ଥର ଗତି ବୋଲର୍‌ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ଜବରଦସ୍ତ କ୍ୟାରିୟର୍‌ରେ ପୂର୍ଣ୍ଣଚ୍ଛେଦ ପକାଇଥିବା ନେଇ ସୂଚନା ଦେଇଛନ୍ତି। ତାଙ୍କ କ୍ରିକେଟ୍‌ ଜୀବନରେ ସେ ଅନେକ ସ୍ମରଣୀୟ ମୁହୂର୍ତ୍ତର ଅନୁଭବ ହାସଲ କରିଥିଲେ ମଧ୍ୟ ୨୦୧୧ରେ ୨୮ ବର୍ଷ ପରେ ଭାରତ ବିଶ୍ବକପ୍‌ ଟ୍ରଫି ହାସଲ ଅନୁଭବ ପାଇଥିବାରୁ ଏହା ତାଙ୍କ ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ବୋଲି ଯୁବରାଜ କହିଛନ୍ତି। ପଡ଼ିଆରେ ନିଜର ଧୂଆଁଧାର ବ୍ୟାଟିଂ ବଳରେ ଅବିଶ୍ବସନୀୟ ମନେ ହେଉଥିବା ଟାର୍ଗେଟ୍‌ର ପିଛା କରିବାରେ ଏକାଧିକ ଥର ସଫଳ ହୋଇଥିବା ଯୁବରାଜ ବ୍ୟକ୍ତିଗତ ଜୀବନରେ କ୍ୟାନ୍‌ସର୍‌ ପରି ଦୁରାରୋଗ୍ୟକୁ ମାତ୍‌ ଦେବାରେ ମଧ୍ୟ ସକ୍ଷମ ହୋଇଥିଲେ।

ସାମ୍ବାଦିକ ସମ୍ମିଳନୀରେ ଯୁବରାଜ କହିଛନ୍ତି ଯେ ପାଖାପାଖି ୨୫ ବର୍ଷ ଧରି କ୍ରିକେଟ୍‌ ପଡ଼ିଆରେ ସକ୍ରିୟ ରହିବା ଓ ୧୭ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଅନ୍ତର୍ଜାତୀୟ ସ୍ତରରେ ଦେଶର ପ୍ରତିନିଧିତ୍ବ କରିବାର ସୁଯୋଗ ମିଳିଥିବା ବେଳେ ବର୍ତ୍ତମାନ ଏସବୁକୁ ପଛରେ ପକାଇଦେବାର ସମୟ ଉପନୀତ ହୋଇଛି। କ୍ରିକେଟ୍‌ ତାଙ୍କୁ ବହୁତ କିଛି ଶିକ୍ଷା ଦେଇଛି। ବିଫଳତାରୂପୀ ଧୂଳିଧୂସରିତ ପରିସ୍ଥିତିକୁ ପଛରେ ପକାଇ ପୁଣିଥରେ ଉଠି ଆଗକୁ ବଢ଼ିବାର ସାହସ କ୍ରିକେଟ୍‌ ହିଁ ତାଙ୍କୁ ଦେଇଛି। ତାଙ୍କର ନିଜ ଉପରେ ଭରପୂର ଭରସା ଥିବାରୁ ତାଙ୍କ ସମ୍ପର୍କରେ ସାଧାରଣ ଲୋକେ କ’ଣ କହୁଛନ୍ତି, ତାହାକୁ ସେ କଦାପି ଗୁରୁତ୍ବ ଦେଇନାହାନ୍ତି। ସୌରଭ ଗାଙ୍ଗୁଲିଙ୍କ ପରି ମହାନ୍‌ ଖେଳାଳିଙ୍କ ନେତୃତ୍ବରେ ଦେଶ ପାଇଁ ପ୍ରତିନିଧିତ୍ବ ଅବସର ହାସଲ କରିବା ଏବଂ ପରେ ସଚିନ୍‌ ତେନ୍ଦୁଲକର, ରାହୁଲ୍‌ ଦ୍ରାବିଡ ଓ ଅନୀଲ କୁମ୍ବଲେଙ୍କ ପରି କିମ୍ବଦନ୍ତୀ କ୍ରିକେଟର୍‌ଙ୍କ ସହ ଡ୍ରେସିଂରୁମ୍‌ ଶେୟାର୍‌ କରିବାର ସୁଯୋଗ ପାଇଥିବାରୁ ସେ ନିଜକୁ ଧନ୍ୟ ମନେ କରୁଥିବା ଯୁବରାଜ କହିଛନ୍ତି। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଭାରତ ବିଶ୍ବକପ୍‌ ହାସଲ କରିବା ଓ ଉକ୍ତ ଟୁର୍ଣ୍ଣାମେଣ୍ଟ୍‌ରେ ସେ ଶ୍ରେଷ୍ଠ ଖେଳାଳି ସାବ୍ୟସ୍ତ ହେବାଠାରୁ ଜଣେ କ୍ରିକେଟର୍‌ କ’ଣ ଅଧିକ ଆଶା କରିପାରେ ବୋଲି ଯୁବରାଜ ମଧ୍ୟ ମତ ଦେଇଛନ୍ତି।

ଯୁବରାଜ ଗତ ୨୦୦୦ରେ କେନିୟାରେ ଅନୁଷ୍ଠିତ ଆଇସିସି ମିନି ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟର୍‌ ଆରମ୍ଭ କରି ଉକ୍ତ ମ୍ୟାଚ୍‌ରେ ୮୦ ବଲ୍‌ରେ ୮୪ ରନ୍‌ କରି ତାଙ୍କ ଦକ୍ଷତାର ପ୍ରମାଣ ଦେଇଥିଲେ। ସେବେଠାରୁ ସେ ୩୦୪ ଦିନିକିଆ ଖେଳି ୮୭୦୧ ରନ୍‌ କରିଛନ୍ତି। ସେହିପରି  ଟେଷ୍ଟ୍‌ରେ ସେ ୪୦ ମ୍ୟାଚ୍‌ ଖେଳି ୧୯୦୦ ରନ୍‌ କରିଥିବା ବେଳେ ଟି-୨୦ କ୍ରିକେଟ୍‌ରେ ତାଙ୍କୁ ବିଶ୍ବର ଅନ୍ୟତମ ବିଧ୍ବଂସୀ ବ୍ୟାଟ୍ସମ୍ୟାନ୍‌ ମନେ କରାଯାଇଥାଏ। ୨୦୦୭ ଟି-୨୦ ଓ ୨୦୧୧ ଦିନିକିଆ ବିଶ୍ବକପ୍‌ରେ ଭାରତ ଚାମ୍ପିଅନ୍‌ ହେବାରେ ଯୁବରାଜଙ୍କର ପ୍ରମୁଖ ଭୂମିକା ରହିଛି। ବିଶେଷକରି ଇଂଲଣ୍ଡ ବୋଲର୍‌ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ୬ ବଲ୍‌ରେ ୬ ଛକା ମାରି ସେ ଟି-୨୦ କ୍ରିକେଟ୍‌ରେ ପ୍ରଥମ ବ୍ୟାଟ୍ସମ୍ୟାନ୍‌ ହେବା ଓ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ୍‌ରେ ମାତ୍ର ୩୦ ବଲ୍‌ରେ ୭୦ ରନ୍‌ର ଇନିଂସ ଖେଳିବା ଏବେ ବି ଭାରତୀୟ ଦର୍ଶକଙ୍କ ମନରେ ବେଶ୍‌ ତାଜା ହୋଇ ରହିଛି।

ଏହାଛଡ଼ା ୨୦୦୨ରେ ନାଟ୍‌ୱେଷ୍ଟ୍‌ ଟ୍ରଫିରେ ଭାରତ ରେକର୍ଡ ୩୨୬ ରନ୍‌ର ଟାର୍ଗେଟ୍‌କୁ ପିଛା କରିବାରେ ଯୁବରାଜଙ୍କ ଅର୍ଦ୍ଧଶତକର ପ୍ରମୁଖ ଭୂମିକା ଥିଲା। ୨୦୧୧ ବିଶ୍ବକପ୍‌ରେ ସେ ପ୍ଲେୟର୍‌ ଅଫ୍‌ ଦ ସିରିଜ୍‌ ବିବେଚିତ ହୋଇଥିଲେ। ତେବେ ଉକ୍ତ ବିଶ୍ବକପ୍‌ ପରେ ତାଙ୍କ ଶରୀରରେ କର୍କଟ ରୋଗର ଜୀବାଣୁ ଥିବା ଜଣାପଡ଼ିଥିଲା। କିନ୍ତୁ ସେ ମାନସିକ ଭାବେ ଦୁର୍ବଳ ନ ହୋଇ ବରଂ ତାହାର ଦୃଢ଼ ମୁକାବିଲା କରିଥିଲେ ଓ ପାଖାପାଖି ବର୍ଷେ ପରେ ସୁସ୍ଥତା ଲାଭ କରିଥିଲେ। ପରେ ସେ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ସହ ଦଳର ନିୟମିତ ସଦସ୍ୟ ବି ହୋଇପାରିଥିଲେ। ସେ ଶେଷ ଥର ପାଇଁ ୨୦୧୨ରେ ଟେଷ୍ଟ୍‌ ଓ ୨୦୧୭ରେ ଟି-୨୦ ମ୍ୟାଚ୍‌ ଖେଳିଥିଲେ। ଭାରତୀୟ କ୍ରିକେଟ୍‌ ଅଦ୍ୟାବଧି ପାଇଥିବା ହାତଗଣତି ମହାନ୍‌ ଦିନିକିଆ ଖେଳାଳିଙ୍କ ମଧ୍ୟରେ ଯୁବରାଜ ଅନ୍ୟତମ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?