ଥମିନି ପରାଜୟର କ୍ରୋଧ: ନୀତି ଆୟୋଗ ବୈଠକକୁ ମମତାଙ୍କ ବର୍ଜନ


ପଶ୍ଚିମବଙ୍ଗରେ ଶାସକ ଟିଏମ୍‌ସି ଏବଂ ବିଜେପି ମଧ୍ୟରେ ବାଦବିବାଦ ଉଗ୍ର ହେବାରେ ଲାଗିଛି। ଆଗାମୀ ୧୫ ଜୁନରେ ଦିଲ୍ଲୀରେ ହେବାକୁ ଯାଉଥିବା ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି। ମମତା ବାନାର୍ଜୀ ନୀତି ଆୟୋଗ ବୈଠକରେ ସାମିଲ ହୋଇପାରୁ ନ ଥିବା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଜଣାଇ ଦେଇଛନ୍ତି। ଏହା ପୂର୍ବରୁ ମମତା ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥ ଗ୍ରହଣ ସମାରୋହକୁ ଯିବା ପାଇଁ କହି ଅନ୍ତିମ ସମୟରେ ଯିବା ପାଇଁ ମନା କରିଦେଇଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ଲେଖିଥିବା ଚିଠିରେ ନୀତି ଆୟୋଗ ନିକଟରେ ଆର୍ଥିକ ଅଧିକାର ନ ଥିବା ଓ ଏହି କାରଣରୁ ନୀତି ଆୟୋଗ ରାଜ୍ୟକୁ କୌଣସି ପ୍ରକାର ସହାୟତା କରିପାରିବେ ନାହିଁ ବୋଲି ମମତା ଦର୍ଶାଇଛନ୍ତି। ରାଜ୍ୟକୁ ନୀତି ଆୟୋଗ କୌଣସି ପ୍ରକାର ସାହାଯ୍ୟ କରିପାରୁ ନ ଥିବାରୁ ଏଭଳି ବୈଠକକୁ ଯିବା ମୋ ପାଇଁ ନିରର୍ଥକ ବୋଲି ମମତା କହିଛନ୍ତି। ଏହା ପୂର୍ବରୁ ମମତା ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥ ଗ୍ରହଣ ସମାରୋହକୁ ଆସି ନ ଥିଲେ। ଏକ ଚିଠି ଜରିଆରେ ମମତା ନିଜର କ୍ରୋଧ ବ୍ୟକ୍ତ କରିଥିଲେ। ଚିଠିରେ ମମତା ଲେଖିଥିଲେ ଯେ ନୂଆ ପ୍ରଧାନମନ୍ତ୍ରୀ ହେବା ପାଇଁ ଆପଣଙ୍କୁ ଅଭିନନ୍ଦନ। ସାମ୍ବିଧାନିକ ନିମନ୍ତ୍ରଣ କ୍ରମେ ମୁଁ ଆପଣଙ୍କ ଶପଥ ଗ୍ରହଣ ସେମାରୋହକୁ ଯାଇଥାନ୍ତି। ଯିବାକୁ ମଧ୍ୟ ବାହାରିଥିଲି। କିନ୍ତୁ ବିଗତ କିଛି ଘଣ୍ଟା ତଳର ମିଡ଼ିଆ ରିପୋର୍ଟ ମୋତେ ଯୋଗ ନ ଦେବାକୁ ବିବଶ କରାଇଥିଲା। ପଶ୍ଚିମବଙ୍ଗରେ ୫୪ ଜଣ ବିଜେପି ନେତାଙ୍କୁ ଟିଏମ୍‌ସି ହତ୍ୟା କରିଛି ଏବଂ ଏହି ପରିବାରର ସଦସ୍ୟଙ୍କୁ ବିଜେପି ନିମନ୍ତ୍ରିତ କରୁଥିବା ଜାଣି ମୁଁ ବ୍ୟଥିତ ଓ ମର୍ମାହତ। ଏହା ସମ୍ପୂର୍ଣ ଅସତ୍ୟ। ବେଙ୍ଗଲରେ କୌଣସି ରାଜନୈତିକ ହତ୍ୟାକାଣ୍ଡ ଘଟିନାହିଁ। ଏହିସବୁ ହତ୍ୟା ପୁରୁଣା ପାରିବାରିକ ବିବାଦ। ଏହା ସହିତ ରାଜନୀତିର କୌଣସି ସମ୍ପର୍କ ନାହିଁ। ଏବେ ମମତା ୧୫ ଜୁନରେ ହେବାକୁ ଯାଉଥିବା ନୀତି ଆୟୋଗ ବୈଠକକୁ ମଧ୍ୟ ନ ଯିବା ପାଇଁ ଏଭଳି ଏକ କାରଣ ଲିଖିତ ଭାବେ ଜଣାଇ ନିଜ ଦାୟିତ୍ୱ ସାରିଦେଇଛନ୍ତି। ବିଜେପି ଏବଂ ଟିଏମ୍‌ସି ମଧ୍ୟରେ କନ୍ଦଳ କୁହୁଳିବାରେ ଲାଗିଛି।

ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନ ଆରମ୍ଭରୁ ହିଁ ଏହି ଦୁଇ ଦଳ ମଧ୍ୟରେ ବିବାଦ ତେଜିଆନ ହୋଇଛି। ନିର୍ବାଚନ ସମୟରେ ଉଭୟ ଦଳ ସମର୍ଥକଙ୍କ ମଧ୍ୟରେ ରକ୍ତପାତ ଓ ହିଂସା ଅଧିକ ଭାବେ ଦେଖାଯାଇଛି। ଘଟୁଥିବା ହିଂସାକୁ ନେଇ ଉଭୟେ ଉଭୟଙ୍କ ଉପରେ ଅଭିଯୋଗ ଲଦିଛନ୍ତି। ଜୟ ଶ୍ରୀରାମ ଓ ଜୟ ବଙ୍ଗଳା ପରି ସ୍ଲୋଗାନର ଅସ୍ତ୍ର ବି ବ୍ୟବହାର ହୋଇଛି। ବିଜେପି ପକ୍ଷରୁ ମମତା ବାନାର୍ଜୀଙ୍କ ନିକଟକୁ ଜୟ ଶ୍ରୀରାମ ଲେଖାଥିବା ହଜାର ହଜାର ପୋଷ୍ଟକାର୍ଡ ପଠାଇବାର ନିଷ୍ପତ୍ତି ନିଆଯିବା ପରେ ମମତା କଡ଼ା ଭାଷାରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ଲୋକସଭା ନିର୍ବାଚନରେ ମମତାଙ୍କ ପ୍ରବଳ ବିରୋଧ ସତ୍ତ୍ବେ ସମୁଦାୟ ୪୨ ଟି ଆସନ ମଧ୍ୟରୁ ବିଜେପି ୧୮ ଟି ଆସନକୁ ଟିଏମ୍‌ସି ହାତରୁ ଛଡ଼ାଇ ନେଇଥିଲା। ୨୦୧୪ରେ ମାତ୍ର ୨ ଟି ଆସନ ଜିତିଥିବା ବିଜେପି ୨୦୧୯ରେ ୧୮ ଟି ଆସନ ଜିତିବା ମମତାଙ୍କୁ ଉତ୍ତେଜିତ କରାଇଥିଲା। ବିଜୟୀ ବିଜେପି ସାଂସଦଙ୍କ ବିଜୟ ଉତ୍ସଵ ଉପରେ ମଧ୍ୟ କଟକଣା କରିଥିଲେ ଟିଏମ୍‌ସି ସୁପ୍ରିମୋ ମମତା। ନିର୍ବାଚନ ଫଳାଫଳ ପୂର୍ବରୁ ଓ ପରେ ବହୁତ ଟିଏମ୍‌ସି ନେତା ଦଳକୁ ବାଏ ବାଏ କହି ବିଜେପିରେ ସାମିଲ ହୋଇଯିବାକୁ ନେଇ ଦିଦି କ୍ଷୁବ୍ଧ ହୋଇଥିଲେ। ବିଜେପି ନେତା ମୁକୁଲ ରାୟଙ୍କ ପୁଅ ଟିଏମ୍‌ସିର ହାତ ଛାଡି ବିଜେପିରେ ଯୋଗଦେବା ଓ ପରେ ପରେ ଆଉ କେତେକ ନେତା ଖସିଯିବା ମମତାଙ୍କୁ ମୋଦି ବିରୋଧୀ ଆଭିମୁଖ୍ୟରେ ଇନ୍ଧନ ଢାଳିଥିଲା।

ଅପ୍ରତ୍ୟାଶିତ ଭାବେ ନେତାମାନେ ଦଳ ଛାଡୁଥିବା ଟିଏମ୍‌ସି ପାଇଁ ଏକ ବଡ଼ ଝଟ୍‌କା ହୋଇଥିଲା। ପରସ୍ପର ଉପରେ ରାଗ ରଖି ପ୍ରତିଶୋଧ ନେବା ଭଳି ସ୍ଥିତିକୁ ଚାଲିଆସିଥିବା କର୍ମୀଙ୍କ ମଧ୍ୟରେ ବିବାଦ କମିବାର ନାଁ ନେଉନି। ଏବେ ବି ଜୋର୍‌ ଧରିଛି ସ୍ଲୋଗାନ ୱାର। ସ୍ଲୋଗାନ ସହିତ ବିଜେପି କର୍ମୀମାନେ ଶହ ଶହ ସଂଖ୍ୟକ ଜୟ ଶ୍ରୀରାମ ଲେଖାଥିବା ପୋଷ୍ଟକାର୍ଡ ମମତାଙ୍କ ନିକଟକୁ ପଠାଇବାରେ ଲାଗିଛନ୍ତି। ଏବେ ଦକ୍ଷିଣ କୋଲକାତାରେ ଥିବା କାଳିଘାଟ ପୋଷ୍ଟ ଅଫିସରେ ବିଜେପି ଦ୍ୱାରା ପଠାଯାଇଥିବା ହଜାର ହଜାର ସଂଖ୍ୟାରେ ‘ଜୟ ଶ୍ରୀରାମ’ ଲେଖାଥିବା ପୋଷ୍ଟ କାର୍ଡ ପହଞ୍ଚୁଛି। ଯାହା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଠିକଣାରେ ଆସୁଛି। ଏବେ ପୋଷ୍ଟ ଅଫିସର କର୍ମଚାରୀଙ୍କ ପାଇଁ ଏହି ପୋଷ୍ଟକାର୍ଡ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ପୋଷ୍ଟ ମାଷ୍ଟରଙ୍କ କହିବା କଥା ହେଲା ମମତା ବାନାର୍ଜୀ ଯେବେଠାରୁ ମୁଖ୍ୟମନ୍ତ୍ରୀ ହେଲେଣି, ସେବେଠାରୁ ପ୍ରାୟ ପ୍ରତିଦିନ ଏଠାକୁ  ୩୦ରୁ ୪୦ ପୋଷ୍ଟକାର୍ଡ ଓ ରେଜିଷ୍ଟର ଲେଟର ଆସିଥାଏ। ସେଥିପାଇଁ ଜଣେ ଡାକ କର୍ମଚାରୀଙ୍କୁ ସ୍ବତନ୍ତ୍ର ଭାବେ ମମତାଙ୍କ ଘରେ ଚିଠି ଗୁଡିକ ପହଞ୍ଚାଇବା ଦାୟିତ୍ୱ ଦିଆଯାଇଛି। ଆଉ ସେହି କର୍ମଚାରୀ ଜଣକ ସେଠାରେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସେସବୁ ପତ୍ର ହସ୍ତାନ୍ତର କରିଥାନ୍ତି। ହେଲେ ଏବେ ମମତାଙ୍କ ଠିକଣାରେ ଏତେ ପରିମାଣରେ ‘ଜୟ ଶ୍ରୀରାମ’ ଲେଖାଥିବା ପୋଷ୍ଟକାର୍ଡ ଆସୁଛି ଯେ ଡାକଘରକୁ ଆସୁଥିବା ସମସ୍ତ ଚିଠିଠାରୁ ଏହା ଦଶଗୁଣା ଅଧିକ। ତେଣୁ ଏହା ଆମ ପାଇଁ ସମସ୍ୟା ସୃଷ୍ଟି କରୁଛି ବୋଲି ପୋଷ୍ଟ ମାଷ୍ଟର କହିଛନ୍ତି।

ସେପଟେ ଜୟ ବଙ୍ଗଳା ଲେଖାଥିବା ୮ ହଜାର ପୋଷ୍ଟକାର୍ଡ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ପଠାଉଛନ୍ତି ଟିଏମ୍‌ସି କର୍ମକର୍ତ୍ତା। ବିଜେପିର ଜୟ ଶ୍ରୀରାମ ସ୍ଲୋଗାନକୁ କାଉଣ୍ଟର କରିବା ପାଇଁ ଏବେ ତୃଣମୂଳ କଂଗ୍ରେସ ଆରମ୍ଭ କରିଛି ନୂଆ ସ୍ଲୋଗାନ, ଜୟ ମା କାଳୀ। ତେବେ ଏ ପ୍ରସଙ୍ଗରେ ମମତା ବାନାର୍ଜୀ କହିଛନ୍ତି, ବିଜେପିର ଜୟ ଶ୍ରୀରାମକୁ ନେଇ ସେମାନେ ଭୟଭୀତ ହେବାର ପ୍ରଶ୍ନ ଉଠୁନାହିଁ। ତେବେ ବିଜେପିକୁ ସେମାନେ ପ୍ରତି-ଉତ୍ତରରେ ଜୟହିନ୍ଦ, ଏବଂ ଜୟ ମା କାଳୀ ମାଧ୍ୟମରେ ଏହାର ଜବାବ ଦେବେ ବୋଲି ମମତା କହିଛନ୍ତି। ମମତାଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସର ସାଂସଦ ଅଭିଷେକ ବାନାର୍ଜୀ କହିଛନ୍ତି ବିଜେପିର ଜୟ ଶ୍ରୀରାମ ସ୍ଲୋଗାନ କେବଳ ଟିଆରପି ପାଇଁ, କିନ୍ତୁ ଏବେ ତାଙ୍କ ଜୟ ଶ୍ରୀରାମ ସ୍ଲୋଗାନର ଟିଆରପି କମୁଥିବା ବେଳେ ଜୟ ମା କାଳୀର ଟିଆରପି ବଢିବାରେ ଲାଗିଛି। କେବଳ ସେତିକି ନୁହେଁ, ଆମ ଜୟ ମା କାଳୀ ସ୍ଲୋଗାନରେ ବିଜେପି ଏବେ ଡରି ଯାଇ ଜୟ କାଳୀ କହିବା ଆରମ୍ଭ କରିଛି ବୋଲି ଅଭିଷେକ କହିଛନ୍ତି। ତେବେ ଏକଥା ସତ୍ୟ ଯେ ମୋଦିଙ୍କ ପ୍ରଭାବକୁ ଡରି ନିରପେକ୍ଷବାଦୀର ମୁଖା ପିନ୍ଧିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜକୁ ଶିବ ଭକ୍ତ ପ୍ରମାଣ ଦେବା ପାଇଁ ମନ୍ଦିର ମନ୍ଦିର ବୁଲିବା ବେଳେ ଏବେ ମମତା ସେହି ମୋଦି ସୁନାମୀରୁ ବର୍ତ୍ତିବା ପାଇଁ ଜୟକାଳୀଙ୍କ ଶରଣାପନ୍ନ ହୋଇଛନ୍ତି। ମୋଦିଙ୍କୁ ବିରୋଧ କରିବାକୁ ଯାଇ ନୀତି ଆୟୋଗ ପରି ଗୁରୁତ୍ୱପୂର୍ଣ୍ଣ ବୈଠକକୁ ନ ଯିବା ମମତାଙ୍କ ବଙ୍ଗ ବିକାଶ ପ୍ରତି ଏକ ଉପହାସ ନୁହେଁ କି?

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?