ବିଜେଡି ବିଧାୟକଙ୍କ କଙ୍ଗାରୁ କୋର୍ଟ


ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବିଜେଡି ବିଧାୟକ ସରୋଜ ମେହେର କୋଟିପତି ନେତା ଭାବେ ରାଜ୍ୟରେ ପରିଚିତ। ହେଲେ ଏବେ ତାଙ୍କ ପରିଚୟ ସହ ଯୋଡ଼ିହୋଇ ଯାଇଛି ଆଉ ଏକ ପରିଚୟ। ସମାନ୍ତରାଳ ଭାବେ ସେ କଙ୍ଗାରୁ କୋର୍ଟ ଚଳାଇ ସରକାରୀ ବାବୁମାନଙ୍କୁ ବି ସର୍ବସାଧାରଣ ସ୍ଥାନରେ ମଧ୍ୟ ଦଣ୍ଡ ଦେଇପାରନ୍ତି, ତା’ର ଏକ ଉଦାହରଣ ସୃଷ୍ଟି କରିଛନ୍ତି ଏହି କୋଟିପତି ବିଧାୟକ। ବିଧାୟକଙ୍କ ଏପରି ନିଜସ୍ୱ ଆଇନକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା। ପାଟଣାଗଡ଼ରେ ସରକାରୀ ଆଇନ କାନୁନ କି ସାମ୍ବିଧାନିକ ବିଧି ବ୍ୟବସ୍ଥା ଏଣିକି ଆଉ କାର୍ଯ୍ୟ କରିବ ନାହିଁ। ଏଣିକି ତାଙ୍କ ନିର୍ବାଚନମଣ୍ଡଳୀରେ ତାଙ୍କ ଆଇନ ହିଁ ଚାଲିବ। କେହି କିଛି ଭୁଲ୍‌ କାମ କଲେ, ମାଓବାଦୀଙ୍କ ଭଳି ପ୍ରଜାକୋର୍ଟ ବା କଙ୍ଗାରୁ କୋର୍ଟ କରି ଜନତାଙ୍କ ସମ୍ମୁଖରେ ସେ ଦଣ୍ଡ ଦେବେ। ବିଧାୟକ ଜଣେ ସରକାରୀ ଅଧିକାରୀଙ୍କୁ ଦଣ୍ଡିତ କରିବାର ଭିଡିଓ ଭାଇରାଲ ହେବା ପରେ ଏହା ଚର୍ଚ୍ଚାର ବିଷୟ ହୋଇଛି।

ପ୍ରାପ୍ତ ସୂଚନାରୁ ଜଣାଯାଇଛି ଯେ ବୁଧବାର ସନ୍ଧ୍ୟା ସମୟ ହେବ। ବେଲପଡ଼ା ଗସ୍ତରେ ଯାଇଥାନ୍ତି ନବନିର୍ବାଚିତ ବିଧାୟକ ସରୋଜ ମେହେର। ଗସ୍ତ ସମୟରେ ବିଭିନ୍ନ ପ୍ରସଙ୍ଗ ନେଇ ବିଧାୟକ ଲୋକଙ୍କ ସହ ଆଲୋଚନା କରୁଥାନ୍ତି।ଏହି ସମୟରେ ଲୋକେ ମଣ୍ଡଲଠାରୁ ବେଲପଡ଼ା ଯାଏ ବାଇପାସ ରୋଡ ନିର୍ମାଣ କାମରେ ବହୁ ଅନିୟମିୟତା ହେଉଥିବା ନେଇ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାୟକଙ୍କ ସାମ୍ନାରେ ନିମ୍ନମାନର କାମ ହୋଇଥିବା ନେଇ ଉପସ୍ଥିତ ଗ୍ରାମବାସୀ ପ୍ରମାଣ ମଧ୍ୟ ଦେବାକୁ ପଛେଇ ନ ଥିଲେ। ହାତରେ ଏବଂ କୋଡିରେ ରାସ୍ତାର ପିଚୁ କିଭଳି ଅତି ସହଜରେ ବାହାରିପାରୁଛି, ତାହା ଦେଖାଇଥିଲେ। ଅଭିଯୋଗର ସତ୍ୟତା ଉପଲବ୍ଧି ପରେ ବିଧାୟକ ସରୋଜ ମେହେର ରାସ୍ତା ନିର୍ମାଣ କରୁଥିବା ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଘଟଣାସ୍ଥଳକୁ ଡକାଇଥିଲେ। ନିମ୍ନମାନର ରାସ୍ତାକାମ ନେଇ ତାଙ୍କ ଠାରୁ ଉତ୍ତର ମାଗିବା ସହ ତାଙ୍କୁ ୧୦୦ ଥର ଉଠବସ ହେବାକୁ କହିଥିଲେ। ଏପରିକି ସର୍ବସମ୍ମୁଖରେ ୩ରୁ ୪ ଥର ଉଠବସ ହୋଇଥିଲେ ଏହି ସରକାରୀ ଅଫିସର। ଯନ୍ତ୍ରୀ ଜଣକ ଵସଉଠ ହେଉଥିବା ବେଳେ ଉପସ୍ଥିତ ଲୋକେ ଓ ଦଳୀୟ କର୍ମୀ ଘଟଣାର ପୂରା ଭିଡିଓ ମୋବାଇଲ ଫୋନରେ ରେକର୍ଡ କରିବାରେ ଲାଗିଥିଲେ। ପରେ ଏହି ଭିଡିଓ ସୋସାଲ ମିଡିଆରେ ଭାଇରାଲ ହେବା ପରେ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ତୁମ୍ଭିତୋଫାନ ସୃଷ୍ଟି ହୋଇଛି। ସବୁଠି ଏହାକୁ ସକାରାତ୍ମକ ଭାବେ ନେଇନାହାନ୍ତି ଜନତା। ବିଧାୟକଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ସାମୟିକ ଭାବେ ଦଳୀୟ କର୍ମକର୍ତ୍ତା ଓ ଗ୍ରାମବାସୀଙ୍କୁ ଆମୋଦିତ କରିଥାଇପାରେ କିନ୍ତୁ ଏପରି କାମ ଜଣେ ନିର୍ବାଚିତ ବିଧାୟକଙ୍କ ନିକଟରେ ଶୋଭାପାଏନା ବୋଲି ମତାମତ ଶୁଣିବାକୁ ମିଳିଛି।

ବିଜେଡିର କର୍ମକର୍ତ୍ତା ମାନେ ଏହି ଘଟଣାକୁ ସ୍ୱାଗତ କରିଥିବା ବେଳେ ଜଣେ ଅନୁସୂଚିତ ଜନଜାତିର ଅଫିସରଙ୍କୁ ସର୍ବସମ୍ମୁଖରେ ଏଭଳି ଦଣ୍ଡ ଦେବା କେତେ ଦୂର ଯୁକ୍ତିଯୁକ୍ତ, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏହି ଘଟଣାକୁ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଂଘ ତୀବ୍ର ବିରୋଧ କରିଛି। ବିଧାୟକଙ୍କ ନାମରେ ଥାନାରେ ଏତଲା ଦାଏର କରାଯିବ ବୋଲି ସୂଚନା ଦେଇଛନ୍ତି ସଂଘର ମହାସଚିବ ନିରଞ୍ଜନ ବିଶି। ଏପରିକି ବିଧାୟକଙ୍କ କୁଶପୁତ୍ତଳିକା ଦାହ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ଜଣେ ଆଦିବାସୀ ସମ୍ପ୍ରଦାୟର ଅଧିକାରୀଙ୍କୁ  ୫ ମିନିଟରେ ୧୦୦ ଥର ଉଠବସ ପାଇଁ ସର୍ବସାଧାରଣରେ ଧମକ ଦେବା ଓ କରି ନ ପାରିଲେ ଲୋକେ ଆଇନକୁ ହାତକୁ ନେବେ ବୋଲି ପରୋକ୍ଷରେ ଚେତାବନୀ ଦେବାକୁ ନେଇ ମୁଖ୍ୟମନ୍ତ୍ରୀ କାହିଁକି ନିରବ, ପ୍ରଶ୍ନ ଉଠିଲାଣି। ଶାସକ ଦଳର ବିଧାୟକ ହୋଇଥିଲେ ବି  ଆଇନ ତାଙ୍କୁ ଏପରି ଅଧିକାର ଦେଇ ନାହିଁ। ସରକାରୀ ଅଧିକାରୀଙ୍କ ତୁଳନାରେ ବିଧାୟକଙ୍କ ଅପରାଧ ବଳିଯାଇଛି ବୋଲି କୁହାଯାଉଛି। ଅନ୍ୟପଟେ ଏହି ଘଟଣାରେ ନିର୍ବାହୀ ଯନ୍ତ୍ରୀ କହିଛନ୍ତି, ରାସ୍ତାକାମ ଚାଲିଛି। ତେବେ ବିଧାୟକ କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ କରିବା ଘଟଣାରେ ସେ ପ୍ରତିକ୍ରିୟା ଦେବାଠାରୁ ଦୁରେଇ ଯାଇଛନ୍ତି। ସେପଟେ ଘଟଣା ସମ୍ପର୍କରେ ରିପୋର୍ଟ ଦେବାକୁ ଉପଜିଲ୍ଲାପାଳଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଦଳୀୟ ଚାପ ଆଗରେ ହୁଏତ ଉପଜିଲ୍ଲାପାଳଙ୍କ ରିପୋର୍ଟ ଦବିଯାଇପାରେ ବା ବିଧାୟକଙ୍କୁ ସୁହାଇପାରେ। କିନ୍ତୁ ଯେଉଁ ଭିଡିଓ ମୋବାଇଲରେ ଘୂରିବୁଲୁଛି, ସେ ସମ୍ପର୍କରେ ବିଧାୟକ କ’ଣ କହିବେ। ବିଧାୟକ ଏହି ଘଟଣାକୁ କଦାପି ଅସ୍ବୀକାର କରିପାରିବେ ନାହିଁ। ରାଜ୍ୟରେ ନବୀନ ସରକାରଙ୍କ ୨୦ ବର୍ଷର ଶାସନ କାଳରେ ପିସି କାରବାର ଯେଉଁ ହାରରେ ହେଉଛି, ସେଥିରେ ଗୁଣାତ୍ମକ ମାନ ରକ୍ଷା କରିବା ଯନ୍ତ୍ରୀଙ୍କ ପାଇଁ କାଠିକର ପାଠ ହେବ। କିନ୍ତୁ ଏହାର ମାନେ ନୁହେଁ ଯେ ସେମାନେ ବିଧାୟକମାନଙ୍କ ଠାରୁ ଏଭଳି ଲାଞ୍ଛିତ ହେବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।