ଧୂରୀଣ ଧର୍ମେନ୍ଦ୍ରଙ୍କ କର୍ତ୍ତବ୍ୟନିଷ୍ଠାକୁ ଶ୍ରେୟ

ଧମନୀରେ ରାଜନୀତିର ରକ୍ତ କରିଛି ମୋଦିଙ୍କ ‘ମନ୍‌ କା ମିତ୍‌’

ଜନ୍ମବେଳୁ ତାଙ୍କ ରକ୍ତରେ ବହୁଥିଲା ରାଜନୀତିର ହାୱା। ପିତା ଦେବେନ୍ଦ୍ର ପ୍ରଧାନ କେନ୍ଦ୍ରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ତେଣୁ କଲେଜରେ ଶିକ୍ଷାଲାଭ କରିବା ବେଳୁ ତାଙ୍କ ପାଖରେ ନେତୃତ୍ବ ନେବାର ଦମ୍ଭ ଦେଖାଦେଇଥିଲା। ୧୯୮୫ରେ ତାଳଚେର କଲେଜରେ ଛାତ୍ର ସଭାପତି ଭାବେ କାର୍ଯ୍ୟ କରିଥିଲେ। ଏହାପରେ ସେ ଜୀବନରେ ଗୋଟିଏ ପରେ ଗୋଟିଏ ରାଜନୀତିକ ପାହାଚରେ ଉପରକୁ ଚଢ଼ିଚାଲିଛନ୍ତି। ରାଜନୀତିରେ ଧୂରୀଣ ଏହି ଉଦୀୟମାନ ରାଜନେତା ଜଣକ ହେଉଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୧୯୯୫ରେ ସେ ଏବିଭିପିର ଜାତୀୟ ସମ୍ପାଦକ ହେବା ସହ ୨୦୦୦ରେ ପାଲଲହଡ଼ାରୁ ବିଧାୟକ ହେବାର ସୌଭାଗ୍ୟ ପାଇଲେ। ବିଧାୟକ ଥିବା ସମୟରେ ସେ ୨୦୦୪ରେ ବିଜେପି ଯୁବମୋର୍ଚ୍ଚାର ଜାତୀୟ ସଭାପତି ଭାବେ କାର୍ଯ୍ୟ କଲେ। ଉକ୍ତ ବର୍ଷ ମଧ୍ୟ ସେ ଦେବଗଡ଼ରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଯୁବମୋର୍ଚ୍ଚାର ମୁଖ୍ୟ ଭାବେ ଦୁଇ ବର୍ଷ ସଫଳତାର ସହ ଏହି ପଦ ସମ୍ଭାଳିବା ପରେ ୨୦୦୭ରେ ବିଜେପିର ଜାତୀୟ ସମ୍ପାଦକ ପଦ ପାଇଲେ। ଏହି ପଦରେ ୩ ବର୍ଷ ରହିବା ସହ ଧର୍ମେନ୍ଦ୍ର ଛତିଶଗଡ଼ ପ୍ରଭାରୀ ଦାୟିତ୍ବରେ ରହିଥିଲେ। ଏହାପରେ ସେ ଉତ୍ତରାଖଣ୍ଡ ଦାୟିତ୍ବ ମଧ୍ୟ ସମ୍ଭାଳିଲେ। ଉକ୍ତ ଦୁଇ ରାଜ୍ୟ ଦାୟିତ୍ବରେ ଧର୍ମେନ୍ଦ୍ର ଥିବା ବେଳେ ବିଜେପି ବେଶ୍‌ ସଫଳତା ହାସଲ କରିଥିଲା। ୨୦୧୧ରେ ତାଙ୍କୁ କର୍ଣ୍ଣାଟକ ବିଜେପି ପ୍ରଭାରୀ ଦାୟିତ୍ବ ମିଳିଥିଲା ଓ ସେଠାରେ ମଧ୍ୟ ସେ ତାଙ୍କ ଦମ୍‌ଦାର ନେତୃତ୍ବର ପରିଚୟ ଦେଇଥିଲେ। ସେହିପରି ୨୦୧୦ରୁ ସେ ଅଦ୍ୟାବଧି ବିହାର ଦାୟିତ୍ବରେ ରହିଆସିଛନ୍ତି।

୨୦୧୪ରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦେଶ ଶାସନ କ୍ଷମତା ପାଇଲେ। ମୋଦି ସରକାରରେ ଧର୍ମେନ୍ଦ୍ରଙ୍କୁ ମଧ୍ୟ ମିଳିଲା ମନ୍ତ୍ରିପଦ। କାରଣ ଷୋଡ଼ଶ ଲୋକସଭା ନିର୍ବାଚନରେ ବିଜେପି ବିହାରରେ ଉଲ୍ଲେଖନୀୟ ସଫଳତା ପାଇଥିବା ବେଳେ ଏହା ପଛରେ ଧର୍ମେନ୍ଦ୍ରଙ୍କ ସାଙ୍ଗଠନିକ ଦକ୍ଷତା ସବୁଠାରୁ ବଡ଼ ଭୂମିକା ନିର୍ବାହ କରିଥିଲା। ବିହାର ପ୍ରଭାରୀ ଦାୟିତ୍ବରେ ଥିବା ବେଳେ ୨୦୧୨ରୁ ରାଜ୍ୟସଭା ସାଂସଦ ଥିବା ଧର୍ମେନ୍ଦ୍ରଙ୍କୁ ତୈଳ ଓ ପ୍ରାକୃତିକ ବାଷ୍ପ ବିଭାଗ ମିଳିଥିଲା। ଏହି ବିଭାଗ ଦାୟିତ୍ବ ସେ ସ୍ବାଧୀନ ଭାବେ ପାଇଥିଲେ। ବିଜେପି ସହ ଜଡ଼ିତ ହେବା ପରେ ଧର୍ମେନ୍ଦ୍ର ଜାତୀୟ ସ୍ତରର ନେତାଙ୍କ ବେଶ୍‌ ନିକଟତର ହୋଇପାରିଥିଲେ। ବିଶେଷକରି ରାଷ୍ଟ୍ରୀୟ ସଭାପତି ପଦରେ ରହିଥିବା ଅମିତ୍‌ ଶାହଙ୍କ ଗୁଡ୍‌ବୁକ୍‌ରେ ସେ ସର୍ବଦା ରହିଆସିଛନ୍ତି।

ମନ୍ତ୍ରିମଣ୍ଡଳରେ ପାଇଥିବା ଗୁରୁଦାୟିତ୍ବକୁ ସେ ସୁଚାରୁ ରୂପେ ତୁଲାଇବା ଫଳରେ ଧର୍ମେନ୍ଦ୍ରଙ୍କୁ ୨୦୧୭ରେ ଅତିରିକ୍ତ ଭାବେ ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗର ଦାୟିତ୍ବ ପ୍ରଦାନ କରାଯାଇଥିଲା। ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା’ରେ ମାଗଣାରେ ଗୃହିଣୀମାନଙ୍କୁ ରନ୍ଧନ ଗ୍ୟାସ୍‌ ଯୋଗାଇ ଦିଆଯିବା ସହ ବିଦ୍ୟୁତ୍‌ ବଞ୍ଚାଇବା ସକାଶେ ଏଲ୍‌ଇଡି ବଲ୍‌ବମାନ ମଧ୍ୟ ଯୋଗାଇ ଦିଆଗଲା। ୫ ବର୍ଷ ମଧ୍ୟରେ ଦେଶର ୨୬ କୋଟି ପରିବାର ନିକଟରେ ଏହି ଯୋଜନା ପହଞ୍ଚିଥିବାରୁ ଏଥିରୁ ମୋଦି ସରକାର ବେଶ୍‌ ମାଇଲେଜ୍‌ ପାଇଥିବା ବେଳେ ଏହାର ସିଂହଭାଗ ଶ୍ରେୟ ଧର୍ମେନ୍ଦ୍ରଙ୍କୁ ଯାଇଥିଲା। ଦକ୍ଷ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁଡ୍‌ବୁକ୍‌ରେ ଧର୍ମେନ୍ଦ୍ର ଗୁଡ୍‌ବୟ ପାଲଟିଯାଇଥିଲେ। ୨୦୧୮ରେ ରାଜ୍ୟସଭା ପାଇଁ ସେ ମଧ୍ୟ ପ୍ରଦେଶରୁ ମନୋନୀତ ହୋଇ ମନ୍ତ୍ରିପଦ କାଏମ ରଖିଥିଲେ।

ଜାତୀୟ ସ୍ତରରେ ବେଶ୍‌ ସକ୍ରିୟ ରହିଥିଲେ ମଧ୍ୟ ଧର୍ମେନ୍ଦ୍ର ନିଜ ରାଜ୍ୟକୁ ଭୁଲିଯାଇନାହାନ୍ତି। ରାଜ୍ୟବାସୀ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାର ସୁଫଳ ପାଇବେ, ସେଥିପାଇଁ ସେ ସମସ୍ତ ପ୍ରକାର ଉଦ୍ୟମ କରିଆସିଛନ୍ତି। ତାଙ୍କ କେନ୍ଦ୍ର ମନ୍ତ୍ରିତ୍ବ କାଳରେ ଗତ ୨୦୧୬ରେ ପାରାଦୀପଠାରେ ପାଖାପାଖି ୩୫ ହଜାର କୋଟି ବ୍ୟୟ ଅଟକଳରେ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ଲିମିଟେଡ୍‌ର ବାର୍ଷିକ ୧୫ ଏମ୍‌ଏମ୍‌ଟିପିଏର ବୃହତ୍‌ ବିଶୋଧନାଗାର ପ୍ରତିଷ୍ଠା କରାଯାଇପାରିଛି। ଏଥିସହ ଏହାର ଡାଉନ୍‌ଷ୍ଟ୍ରିମ୍‌ ଇଣ୍ଡଷ୍ଟ୍ରି ପାଇଁ ପ୍ରଚୁର ସମ୍ଭାବନା ମଧ୍ୟ ରହିଛି। ଏହା ରାଜ୍ୟର ବିକାଶକୁ ଆଉ ପାଦେ ଆଗେଇ ନେଇଥିବା ବେଳେ ଯୁବପିଢ଼ି ପାଇଁ କର୍ମନିଯୁକ୍ତିର ଅପାର ସମ୍ଭାବନା ସୃଷ୍ଟି କରିପାରିଛି। ତାଙ୍କ ଉଦ୍ୟମରେ ରାଜ୍ୟରେ ପାଇପ୍‌ ଯୋଗେ ରନ୍ଧନ ଗ୍ୟାସ୍‌ ଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଛି।

ତାଙ୍କ ପାଇଁ ବାଲେଶ୍ବର ଜିଲ୍ଲାରେ ୩୨୧ କୋଟି ଟଙ୍କା ବ୍ୟୟ ଅଟକଳରେ ଏଲ୍‌ପିଜି ବଟଲିଂ ୟୁନିଟ୍‌ ପ୍ରତିଷ୍ଠା ହୋଇପାରିଛି। ସେହିପରି ଧର୍ମେନ୍ଦ୍ରଙ୍କ ଉଦ୍ୟମରେ ଗତବର୍ଷ ବରଗଡ଼ଠାରେ ବିପିସିଏଲ୍‌ ସହଯୋଗରେ ପାଖାପାଖି ହଜାରେ କୋଟି ଟଙ୍କା ବ୍ୟୟରେ ଦେଶର ପ୍ରଥମ ଇଥାନଲ୍‌ ପ୍ଲାଣ୍ଟ୍‌ ପ୍ରତିଷ୍ଠା କରାଯାଇପାରିଛି, ଯାହାକି ବାର୍ଷିକ ୩ କୋଟି ଲିଟର୍‌ ଇନ୍ଧନ ଉପଯୋଗୀ ଇଥାନଲ୍‌ ଉତ୍ପାଦନ କରିପାରିବ। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନଡ଼ା, ପାଳ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁରୁ ଏହି ଇଥାନଲ୍‌ ଉତ୍ପାଦନ କରାଯାଇପାରିବ। ଏହାଛଡ଼ା ପାରାଦୀପ-ହଳଦିଆ-ବରୌନି କ୍ରୁଡ୍‌ ଅଏଲ୍‌ ପାଇପ୍‌ଲାଇନ୍‌ (ପିଏଚ୍‌ବିପିଏଲ୍‌) ପ୍ରକଳ୍ପ ମଧ୍ୟ ଆରମ୍ଭ ହୋଇଛି। ଏଥିସହ ତାଳଚେରଠାରେ ବନ୍ଦ ହୋଇ ପଡ଼ିଥିବା ସାର କାରଖାନାକୁ ଗେଲ୍‌ ସହାୟତାରେ ଓ ଧର୍ମେନ୍ଦ୍ରଙ୍କ ଉଦ୍ୟମରେ ପୁନଃ କାର୍ଯ୍ୟକ୍ରମ କରାଯାଇପାରିଛି। ବାର୍ଷିକ ୧.୨୬ ଏମ୍‌ଏମ୍‌ଟିପିଏ ୟୁରିଆ ଉତ୍ପାଦନର କ୍ଷମତା ରଖୁଥିବା ଏହି କାରଖାନାର ବ୍ୟୟ ଅଟକଳ ପାଖାପାଖି ୧୩ ହଜାର କୋଟି ଟଙ୍କା ରଖାଯାଇଛି। ଏଠାରେ କୋଇଲା ଓ ଫିଡ୍‌ଷ୍ଟକ୍‌ର ବ୍ୟବହାର କରାଯାଇ ଏହି ସାର ଉତ୍ପାଦନ କରାଯାଇପାରିବ। ଏହାଛଡ଼ା କେନ୍ଦ୍ରରେ ମନ୍ତ୍ରୀ ରହିବା ସହ ନିଜର ପାରିବାପଣିଆ ବଳରେ ଓଡ଼ିଶାର ହକ୍‌ ପାଇଁ ଧର୍ମେନ୍ଦ୍ର ବରାବର ଲଢ଼େଇ କରିଆସିଛନ୍ତି। ସେହିପରି ଧର୍ମେନ୍ଦ୍ରଙ୍କ ପ୍ରଚ୍ଛନ୍ନ ଉଦ୍ୟମ କାରଣରୁ ସିପାହୀ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ଆନ୍ଦୋଳନର ପରିଚୟ ମିଳିପାରିଛି।

ବିହାର, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ଆଦିରେ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ସଫଳତା ଆଣିଥିବା ଧର୍ମେନ୍ଦ୍ରଙ୍କ ଦମ୍‌ଦାର ନେତୃତ୍ବ ବଳରେ ଗତ ଲୋକସଭା ନିର୍ବାଚନରେ ଓଡ଼ିଶାରେ ୮ ଜଣ ସାଂସଦ ବିଜୟୀ ହୋଇପାରିଛନ୍ତି। ଗତ ୨୦୧୪ରେ ଦଳର ମାତ୍ର ଜଣେ ସାଂସଦ ନିର୍ବାଚିତ ହୋଇଥିବା ବେଳେ ୫ ବର୍ଷ ବ୍ୟବଧାନ ପରେ ଏହା ୮ରେ ପହଞ୍ଚିପାରିଛି। ନିର୍ବାଚନ ପୂର୍ବରୁ ସେ ରାଜ୍ୟର ଅଧିକାଂଶ ସ୍ଥାନରେ ନିଜେ ରାଲି କରିବା ସହ କେନ୍ଦ୍ରୀୟ ନେତୃବର୍ଗଙ୍କୁ ମଧ୍ୟ ଓଡ଼ିଶାରେ ପ୍ରଚାର କରିବା ସକାଶେ ଉତ୍ସାହିତ କରିପାରିଥିଲେ। ଏହି କାରଣରୁ କେବଳ ଯେ ଲୋକସଭା ନିର୍ବାଚନରେ ବିଜେପି ପ୍ରତିପକ୍ଷ ବିଜେଡିକୁ କଡ଼ା ଚ୍ୟାଲେଞ୍ଜ୍‌ ଦେଇଥିଲା ତାହା ନୁହେଁ, ବରଂ ବିଧାନସଭାରେ ମଧ୍ୟ ନବୀନ ନେତୃତ୍ବକୁ କଡ଼ା ଟକ୍କର ଦେଇପାରିଥିଲା। ୨୦ ବର୍ଷର ରାଜନୈତିକ ଜୀବନରେ ନବୀନ ପଟ୍ଟନାୟକ ସରକାରକୁ ପ୍ରଥମ ଥର ପାଇଁ ଭୟଭୀତ ହେବାର ଦେଖାଯାଇଥିଲା ଓ ଏହାର ସମସ୍ତ ଶ୍ରେୟ ଧର୍ମେନ୍ଦ୍ରକୁ ଯିବ। ତାଙ୍କ ଉଦ୍ୟମ ବଳରେ ବିଧାନସଭାରେ ବିଜେପି ବିଧାୟକଙ୍କ ସଂଖ୍ୟା ୨୩ରେ ପହଞ୍ଚିପାରିଛି।

ଜଣେ ଯୁବନେତା ଭାବେ ରାଜ୍ୟ ତଥା ଦେଶ ରାଜନୀତିରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ଧର୍ମେନ୍ଦ୍ର ନିଜର ସାଙ୍ଗଠନିକ ଦକ୍ଷତା କାରଣରୁ ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ସହ ସେ ବିଜେପିର ଜଣେ ବଳିଷ୍ଠ କାର୍ଯ୍ୟକର୍ତ୍ତା ଭାବେ ସବୁ କ୍ଷେତ୍ରରେ ସକ୍ରିୟ ରହିଆସିଛନ୍ତି। ରାଜ୍ୟ ହେଉ କିମ୍ବା ରାଜ୍ୟ ବାହାରେ, ସେ ବେଶ୍‌ ବ୍ୟସ୍ତବହୁଳ ଜୀବନ ଅତିବାହିତ କରିଆସିଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନାକୁ ଘରେ ଘରେ ପହଞ୍ଚାଇବା ସକାଶେ ତାଙ୍କ ଉଦ୍ୟମ ବେଶ୍‌ ପ୍ରଶଂସନୀୟ। ରାଜନୀତି ବ୍ୟତୀତ ସାମାଜିକ କ୍ଷେତ୍ରରେ ମଧ୍ୟ ସେ ଉଲ୍ଲେଖନୀୟ ଭୂମିକା ତୁଲାଇ ଆସିଛନ୍ତି। ଗତ ମେ’ ୩ ତାରିଖରେ ରାଜ୍ୟରେ ଦେଖାଦେଇଥିବା ଭୟଙ୍କର ସାମୁଦ୍ରିକ ଝଡ଼ ‘ଫୋନି’ରେ ରାଜ୍ୟର ୫ଟି ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା। ବିଶେଷକରି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। କେନ୍ଦ୍ର ସରକାରରେ ମନ୍ତ୍ରୀ ଭାବେ ଥିବା ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କ ଦାବି ମୁତାବକ ଆର୍ଥିକ ସହାୟତା ଯୋଗାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ବିଦ୍ୟୁତ୍‌ ସଂଯୋଗ ନ ଥିବାରୁ ବ୍ୟାପକ ପରିମାଣର କିରୋସିନ୍‌ ଯୋଗାଇଦେବାରେ ସାମାନ୍ୟତମ ବିଳମ୍ବ କରି ନ ଥିଲେ। ଏହାଛଡ଼ା ବିରୋଧୀ ଦଳରେ ଥିଲେ ମଧ୍ୟ ବିଜେଡି ଶାସିତ ଓଡ଼ିଶାରେ ଶାସକ ଦଳ ସହ ଉତ୍ତମ ସମନ୍ବୟ ରକ୍ଷା ପୂର୍ବକ ଫୋନି ପୀଡ଼ିତଙ୍କ ଦୁର୍ଦ୍ଦଶା ଲାଘବ କରିବାରେ ସହାୟକ ହୋଇଥିଲେ।

ଏସବୁ ଦୃଷ୍ଟିକୋଣରୁ ବିଚାର କଲେ, ପୂର୍ବରୁ ଜାତୀୟ ସ୍ତରରେ ରାଜ୍ୟର ଦାବି ଉପସ୍ଥାପନ କରିବା ସହ ଦାବି ହାସଲ ପାଇଁ ଶିଙ୍ଗ ଲଢ଼େଇ ଦେଉଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପରେ ଧର୍ମେନ୍ଦ୍ର ହିଁ ଏକମାତ୍ର ଓଡ଼ିଆ ଯିଏକି ରାଜ୍ୟ ପାଇଁ ଲଢ଼ିଆସୁଛନ୍ତି। ନିଜର ସାଙ୍ଗଠନିକ ଦକ୍ଷତା ଓ ଠିକ୍‌ ସମୟରେ ଅନୁକୂଳ ନିଷ୍ପତ୍ତି ନେବାର କ୍ଷମତା ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟତର କରିପାରିଛି। ଏହି କାରଣରୁ ସେ ଦେଶର ପ୍ରଥମ ପୂର୍ଣ୍ଣକାଳୀନ ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଭାବେ ଲଗାତର ଦ୍ବିତୀୟ ଥର ପାଇଁ ଦାୟିତ୍ବ ପାଇପାରିଛନ୍ତି। ତେଣୁ ପ୍ରତି ମାସରେ ଦେଶର ଜନସାଧାରଣଙ୍କ ନିକଟରେ ‘ମନ୍‌ କୀ ବାତ୍‌’ ଉପସ୍ଥାପନ କରୁଥିବା ମୋଦିଙ୍କ ପାଇଁ ଧର୍ମେନ୍ଦ୍ର ‘ମନ୍‌ କା ମିତ୍‌’ ପାଲଟିଯାଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।