ଭାରତ ସହ ଦ୍ବିପାକ୍ଷିକ ସମ୍ପର୍କକୁ ଦୃଢ଼ କରିବା ସପକ୍ଷରେ ଚୀନ୍‌


ଭାରତରେ ସପ୍ତଦଶ ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ ନରେନ୍ଦ୍ର ମୋଦି ପୁନର୍ବାର ଦେଶର ପ୍ରଧାନମନ୍ତ୍ରୀ ହେବା ସକାଶେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି। ନିଜର ପ୍ରଥମ ୫ ବର୍ଷର ଶାସନ କାଳରେ ଭାରତର ବୈଦେଶିକ ନୀତିକୁ ସୁଦୃଢ଼ କରିବା ସହ ମୋଦି ବିଦେଶୀ ରାଷ୍ଟ୍ରମାନଙ୍କ ସହ ଭାରତର ସମ୍ପର୍କକୁ ବେଶ୍‌ ମଜଭୁତ କରିପାରିଛନ୍ତି। ସେ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କର ଏହି ନୀତିକୁ ଆହୁରି ବ୍ୟାପକ କରିବେ ବୋଲି ବିଦେଶୀ ରାଷ୍ଟ୍ରମାନେ ଆଶା ବ୍ୟକ୍ତ କରିଛନ୍ତି। ଏହି କାରଣରୁ ଗୁରୁବାର ଅପରାହ୍ନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସଂଖ୍ୟାଗରିଷ୍ଠତା ହାସଲ କରିବାର ସଙ୍କେତ ମିଳିବା ପରେ ଇସ୍ରାଏଲ୍‌ ରାଷ୍ଟ୍ରପତି ବେଞ୍ଜାମିନ୍‌ ନେତନ୍ୟାହୁ ମୋଦିଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରିବା ସହ ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ନିବିଡ଼ ହେବ ବୋଲି ଆଶା କରିଛନ୍ତି। ଏବେ ଚୀନ୍‌ ମଧ୍ୟ ମୋଦିଙ୍କ ନେତୃତ୍ବାଧୀନ ନବଭାରତ ସହ ତା’ର ସମ୍ପର୍କକୁ ଅଧିକ ଦୃଢ଼ କରିବା ସପକ୍ଷରେ ମତ ଦେଇଛି।

ଦେଶର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଲୁ କାଙ୍ଗ୍‌ ଏ ସଂକ୍ରାନ୍ତରେ କହିଛନ୍ତି ଯେ ଭାରତରେ ନିର୍ବାଚନ ବେଶ୍‌ ଶାନ୍ତିଶୃଙ୍ଖଳା ମଧ୍ୟରେ ସମ୍ପନ୍ନ ହୋଇଛି। ମୋଦି ବିଜୟ ହାସଲ କରିବା ଖବର ପାଇବା ପରେ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଚୀନ୍‌ ଓ ଭାରତ ସବୁବେଳେ ପରସ୍ପର ସହ ଉତ୍ତମ ସମ୍ପର୍କ ବଜାୟ ରଖିଆସିଛନ୍ତି। ଉଭୟ ଦେଶ ପ୍ରଗତି ପଥେ ଅଗ୍ରସର ହେଉଛନ୍ତି ଓ ଉଭୟ ଦେଶରେ ଅର୍ଥନୀତି ବେଶ୍‌ ଅନୁକୂଳ ଭାବେ ଆଗକୁ ବଢ଼ିଚାଲିଛି। ଗତ ବର୍ଷ ଉହାନ୍‌ ସମ୍ମିଳନୀରେ ଜିନ୍‌ପିଙ୍ଗ୍‌ ଓ ମୋଦି ଉପସ୍ଥିତ ରହି ଉଭୟ ଦେଶର ଦ୍ବିପାକ୍ଷିକ ସମ୍ପର୍କକୁ ଏକ ନୂଆ ସ୍ତରକୁ ନେଇଯାଇଛନ୍ତି। ଉହାନ୍‌ ସମ୍ମିଳନୀର ବର୍ଷେ ପରେ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କରେ ବେଶ୍‌ ଉନ୍ନତି ଘଟିଛି ଓ ପାରସ୍ପରିକ ସହଯୋଗର ପରିସୀମା ମଧ୍ୟ ବ୍ୟାପକ ହୋଇଛି। ଆଗାମୀ ଦିନରେ ଚୀନ୍‌ ଭାରତ ସହ ତା’ର ସମ୍ପର୍କକୁ ଆହୁରି ମଜଭୁତ କରିବା ସହ ଉଭୟ ଦେଶର ପ୍ରଗତି ଉପରେ ଗୁରୁତ୍ବ ପ୍ରଦାନ କରିବ ବୋଲି କାଙ୍ଗ୍‌ କହିଛନ୍ତି। ସୂଚନାଯୋଗ୍ୟ ଯେ ଗତବର୍ଷ ଏପ୍ରିଲ୍‌ ୨୭-୨୮ରେ ଅନୁଷ୍ଠିତ ଉହାନ୍‌ ସମ୍ମିଳନୀ ୭୩ ଦିନର ଡୋକ୍‌ଲାମ୍‌ ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ