ରିଲାଏନ୍ସର ରେକର୍ଡ: ଭାରତର ସର୍ବବୃହତ୍‌ କମ୍ପାନୀ ମାନ୍ୟତା


ଭାରତର ସବୁଠାରୁ ବିତ୍ତଶାଳୀ ବ୍ୟକ୍ତିବିଶେଷ ରହିଆସିଥିବା ମୁକେଶ ଅମ୍ବାନିଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଗୁରୁବାର ଭାରତର ସର୍ବବୃହତ୍‌ କମ୍ପାନୀର ପରିଚୟ ପାଇଛି।  ପୂର୍ବରୁ ଦେଶର ପ୍ରମୁଖ ତୈଳ ଯୋଗାଣକାରୀ କମ୍ପାନୀ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ (ଆଇଓସି)କୁ ପଛରେ ପକାଇ ରାଜସ୍ବ ଦୃଷ୍ଟିକୋଣରୁ ଦେଶର ଏକ ନମ୍ବର କମ୍ପାନୀ ହୋଇପାରିଛି। ଗତ ମାର୍ଚ୍ଚ ୩୧ ତାରିଖରେ ଶେଷ ହୋଇଥିବା ୨୦୧୮-୧୯ ଆର୍ଥିକ ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ କମ୍ପାନୀର ମୂଲ୍ୟ ୬.୨୩ ଲକ୍ଷ କୋଟି ଟଙ୍କା ଥିଲା। କିନ୍ତୁ ଏହି ନିର୍ଦ୍ଦିଷ୍ଟ ସମୟ ସୁଦ୍ଧା ଆଇଓସିର ମୋଟ ପୁଞ୍ଜି ୬.୧୭ ଲକ୍ଷ କୋଟି ରହିଛି। ଉଭୟ କମ୍ପାନୀ ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌ (ଏନ୍‌ଏସ୍‌ଇ)ରେ ଦାଖଲ କରିଥିବା ସେମାନଙ୍କ ସୂଚନାରୁ ଏହା ଜଣାପଡ଼ିଛି।

ଦେଶର ସର୍ବବୃହତ୍‌ କମ୍ପାନୀ ହେବା ସହ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ମଧ୍ୟ ଲାଭ ହାସଲରେ ଦେଶର ସର୍ବବୃହତ୍‌କ କମ୍ପାନୀ ହୋଇପାରିଛି। ଗତ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଶେଷ ହୋଇଥିବା ଆର୍ଥିକ ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ର ସମୁଦାୟ ପୁଞ୍ଜି ଆଇଓସିର ପୁଞ୍ଜି ତୁଳନାରେ  ପାଖାପାଖି ଦୁଇ ଗୁଣ ରହିଥିବା ଜଣାପଡ଼ିଛି। ଗତ କିଛି ବର୍ଷ ମଧ୍ୟରେ ରିଲାଏନ୍ସ ବିଭିନ୍ନ କ୍ଷେତ୍ରରେ ବେଶ୍‌ ଅଗ୍ରଗତି କରିଛି। ପାଖାପାଖି ୧୦ ବର୍ଷ ତଳେ କମ୍ପାନୀର ସମ୍ପତ୍ତି ଆଇଓସିର ସମ୍ପତ୍ତି ତୁଳନାରେ ପାଖାପାଖି ଅଧା ରହିଥିଲା। କିନ୍ତୁ କମ୍ପାନୀର ଏକାଧିକ ଯୋଜନାରେ ଦେଶର ନିମ୍ନ ମଧ୍ୟବିତ୍ତ, ମଧ୍ୟବିତ୍ତ ଓ ଚଳଣି ଥିବା ଲୋକମାନଙ୍କୁ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ସାମିଲ୍‌ କରି ବେଶ୍‌ ସଫଳତା ପାଇଛି। ଦୂରସଞ୍ଚାର ସହ ଖୁଚୁରା ବ୍ୟବସାୟ ଓ ଡିଜିଟାଲ୍‌ ସର୍ଭିସ୍‌ କ୍ଷେତ୍ରରେ କମ୍ପାନୀ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରି ଏବେ ଏକ ବିଶାଳ କମ୍ପାନୀରେ ପରିଣତ ହୋଇସାରିଛି। ଦୂରସଞ୍ଚାର କ୍ଷେତ୍ରରେ ରିଲାଏନ୍ସ ଜିଓ ସିମ୍‌ ସେବା ଆରମ୍ଭ କରିବା ପରେ ଏହା ଭାରତୀୟ ମୋବାଇଲ୍‌ ଗ୍ରାହକମାନଙ୍କୁ ବେଶ୍‌ ସହଜରେ ନିଜ ଆଡ଼କୁ ଟାଣିଆଣିପାରିଥିଲା। ବିଭିନ୍ନ ସେକ୍ଟରରେ ଭଲ ପ୍ରଦର୍ଶନ କରି ଗତ ଆର୍ଥିକ ବର୍ଷରେ କମ୍ପାନୀର ନେଟ୍‌ ପ୍ରଫିଟ୍‌ ୩୯ ହଜାର ୫୮୮ କୋଟି ଟଙ୍କା ହୋଇଛି।

ଅନ୍ୟପକ୍ଷରେ ଗତ ଆର୍ଥିକ ବର୍ଷରେ ଆଇଓସି ୧୭ ହଜାର ୨୭୪ କୋଟି ଟଙ୍କାର ଲାଭ ଅର୍ଜନ କରି ଦ୍ବିତୀୟ ସ୍ଥାନରେ ରହିଛି। ପୂର୍ବରୁ ଆଇଓସି ଦେଶର ସର୍ବାଧିକ ଲାଭ ପ୍ରଦାନକାରୀ କମ୍ପାନୀ ଭାବେ ପରିଚିତି ହାସଲ କରିଥିଲା। କିନ୍ତୁ ଗତ ଆର୍ଥିକ ବର୍ଷ ଶେଷରେ ଆଇଓସିକୁ ପଛରେ ପକାଇ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ନିଗମ (ଓଏନ୍‌ଜିସି) ଦେଶର ସବୁଠାରୁ ଲାଭଜନକ ସଂସ୍ଥା ହୋଇପାରିଥିଲା। ଯଦିଓ ୨୦୧୮-୧୯ ଆର୍ଥିକ ବର୍ଷରେ ଓଏନ୍‌ଜିସି କେତେକ ରୋଜଗାର କରିଛି, ସେନେଇ କୌଣସି ସୂଚନା ଦେଇନାହିଁ, ତଥାପି ଗତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ଆଇଓସି ୨୨ ହଜାର ୬୭୧ କୋଟି ଟଙ୍କାର ଲାଭ ହାସଲ କରିଥିବା ଜଣାପଡ଼ିଛି। ୨୦୧୭-୧୮ ଆର୍ଥିକ ବର୍ଷରେ ରିଲାଏନ୍ସ ୧୩ ପ୍ରତିଶତ ଅଧିକ ଲାଭ ହାସଲ କରି ଏହାକୁ ୩୪ ହଜାର ୯୮୮ କୋଟିରୁ ଊର୍ଦ୍ଧ୍ବରେ ପହଞ୍ଚାଇଥିବା ବେଳେ ଓଏନ୍‌ଜିସି  ୧୯ ହଜାର ୯୪୫.୨୬ କୋଟି ଟଙ୍କାର ଲାଭ ହାସଲ କରିଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ