ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇଲା ଦୁବାଇଭିତ୍ତିକ ଚ୍ୟାରିଟି ସଂସ୍ଥା


ନିକଟରେ ଶେଷ ହୋଇଛି ମୁସଲିମ୍‌ ଧର୍ମାବଲମ୍ବୀମାନଙ୍କର ପବିତ୍ର ମାସ ଭାବେ ପରିଚିତ ରମ୍‌ଜାନ। ଏହି ପବିତ୍ର ମାସରେ ମୁସଲିମ୍‌ ଧର୍ମାବଲମ୍ବୀମାନଙ୍କ ଉପବାସ ଦୂର କରିବା କ୍ଷେତ୍ରରେ ଦୁବାଇ ଭିତ୍ତିକ ଏକ ଚ୍ୟାରିଟି ସଂସ୍ଥା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଅବୁ ଧାବୀଠାରେ ପିସିଟି ହ୍ୟୁମାନିଟି ନାମକ ଏହି ସଂସ୍ଥା ଏପରି ବନ୍ଦୋବସ୍ତ ପାଇଁ ଗିନିଜ୍‌ ବୁକ୍‌ ଅଫ୍ ୱାର୍ଲ୍ଡ ରେକର୍ଡ୍ସରେ ସ୍ଥାନ ପାଇଛି। ଏ ସଂକ୍ରାନ୍ତରେ ପିସିଟି ହ୍ୟୁମାନିଟିର ପ୍ରତିଷ୍ଠାତା ଯୋଗିନ୍ଦର ସିଂ ସାଲାରିଆ କହିଛନ୍ତି ଯେ ଦୁବାଇ ଇଣ୍ଡଷ୍ଟ୍ରିଆଲ୍‌ ପାର୍କସ୍ଥିତ ତାଙ୍କ କମ୍ପାନୀ ପେହଲ୍‌ ଇଣ୍ଟରନ୍ୟାସନାଲ୍‌ ପରିସରରେ ସଂସ୍ଥା ପକ୍ଷରୁ ନିୟମିତ ଭାବେ ସମ୍ପୂର୍ଣ୍ଣ ଶାକାହାରୀ ଇଫ୍‌ତାରର ଆୟୋଜନ କରାଯାଇଥିଲା। କ୍ଷୁଧା ମେଣ୍ଟାଇବା ସକାଶେ ସବୁଠାରୁ ଦୀର୍ଘତମ ପ୍ୟାକେଜ୍‌ ପ୍ରସ୍ତୁତ କରିଥିବାରୁ ଏହି ଚ୍ୟାରିଟି ସଂସ୍ଥା ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇଛି ବୋଲି ଶନିବାର ଗଲ୍‌ଫ ନ୍ୟୁଜ୍‌ ରିପୋର୍ଟରେ ପ୍ରକାଶ ପାଇଛି।

ଏ ସଂକ୍ରାନ୍ତରେ ସାଲାରିଆ ଏକ ବିବୃତିରେ କହିଛନ୍ତି ଯେ ଜନସାଧାରଣଙ୍କ ଜୀବନକୁ ସମୃଦ୍ଧ କରିବା ସହ ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆମେ ଉଦ୍ୟମ କରିଆସିଛୁ। ଆମେ ଏ କ୍ଷେତ୍ରରେ ରେକର୍ଡ କରିଛୁ ଓ ଏହା ଆମ ପାଇଁ ଏକ ସୁଖଦ ଖବର। କିନ୍ତୁ ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଜନସାଧାରଣଙ୍କୁ ବିଶୁଦ୍ଧ ଶାକାହାରୀ ଖାଦ୍ୟ ଯୋଗାଇ ଦେବୁ ଓ ଏହାଦ୍ବାରା ଲୋକମାନେ ସୁସ୍ଥ ଓ ଫିଟ୍‌ ରହିପାରିବେ। ତା’ଛଡ଼ା ପଶୁମାନଙ୍କୁ ସୁରକ୍ଷା ଦେବା ମଧ୍ୟ ଆମର ଅନ୍ୟତମ ପ୍ରାଥମିକତା। ତେବେ ଏପରି ଉତ୍ତମ ବାର୍ତ୍ତା ପ୍ରଚାର ଦିଗରେ ଜନସାଧାରଣ ସହଯୋଗ କରୁଥିବା ନିଶ୍ଚିତ ଭାବେ ଏକ ଭଲ ସଂକେତ ବୋଲି ସାଲାରିଆ କହିଛନ୍ତି। ସମ୍ପୃକ୍ତ ଚ୍ୟାରିଟି ସଂସ୍ଥା ପକ୍ଷରୁ ରମ୍‌ଜାନ ମାସରେ ଇଫ୍‌ତାର ଭୋଜନ ପାଇଁ ବହୁ କିମି ପର୍ଯ୍ୟନ୍ତ ଲୋକମାନଙ୍କ ଧାଡ଼ି ଲାଗିଥିଲା, ଯାହାକି କୌଣସି ସ୍ବାଭାବିକ ଧାଡ଼ିଠାରୁ ପାଖାପାଖି ୭ ଗୁଣା ଅଧିକ ବୋଲି ଗିନିଜ୍‌ ବୁକ୍‌ ପକ୍ଷରୁ ଏହାକୁ ରେକର୍ଡଭୁକ୍ତ କରିଥିବା ଡଗଲାସ୍‌ ପଲାଉ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ