ମାଇଣ୍ଡ୍‌ଟ୍ରିର ୧୩୪୪୦ ଶେୟାର୍‌ କିଣିଲା ଏଲ୍‌ଏଣ୍ଡ୍‌ଟି


ଭିତ୍ତିଭୂମି ବିକାଶ ଦିଗରେ କାର୍ଯ୍ୟ କରୁଥିବା ଦେଶର ପ୍ରମୁଖ କମ୍ପାନୀ ଲାର୍ସନ୍‌ ଏଣ୍ଡ୍‌ ଟୁବ୍ରୋ (ଏଲ୍‌ଏଣ୍ଡ୍‌ଟି) ଗତ ଶୁକ୍ରବାର ମାଇଣ୍ଡ୍‌ଟ୍ରି କମ୍ପାନୀରେ ତା’ର ଅଂଶଧନ ପରିମାଣକୁ ବୃଦ୍ଧି କରିଛି। କମ୍ପାନୀ ମାଇଣ୍ଡ୍‌ଟ୍ରିର ୧୩୪୪୦ ଶେୟାର୍‌ ଖଣିଦ୍‌ କରିଥିବା ନେଇ ଷ୍ଟକ୍‌ ଏକ୍ସଚେଞ୍ଜ୍‌ରେ ନିଜର ନିୟମିତ ଫାଇଲିଂରେ ମାଇଣ୍ଡଟ୍ରି ସୂଚନା ଦେଇଛି। ଚଳିତ ମାସ ପ୍ରାରମ୍ଭରେ ଏହି କମ୍ପାନୀ ମାଇଣ୍ଡ୍‌ଟ୍ରିର ଭିଜି ସିଦ୍ଧାର୍ଥ ଓ କେଫ୍ କଫି ଡେ’ର ୨୦ ପ୍ରତିଶତ ଶେୟାର୍‌ ଖରିଦ୍‌ କରିଥିଲା। ଉକ୍ତ ଶେୟାର୍‌କୁ କମ୍ପାନୀ ପକ୍ଷରୁ ୩୨୧୦ କୋଟି ଟଙ୍କାରେ ଖରିଦ୍‌ କରାଯାଇଥିଲା। ବର୍ତ୍ତମାନ  ଏଲ୍‌ଏଣ୍ଡ୍‌ଟି କମ୍ପାନୀ ଶେୟାର୍‌ ପିଛା ୧୦ ଟଙ୍କା ମୂଲ୍ୟରେ ୧୩ ହଜାର ୪୪୦ଟି ଶେୟାର୍‌ ଖରିଦ୍‌ କରିଥିବା ମାଇଣ୍ଡ୍‌ଟ୍ରି ପକ୍ଷରୁ ସୂଚନା ଦିଆଯାଇଛି।

ଶୁକ୍ରବାରର ଶେୟାର୍‌ ଖରିଦ୍‌ ପ୍ରକ୍ରିୟା ଚୂଡ଼ାନ୍ତ ହେବା ପରେ ମାଇଣ୍ଡଟ୍ରି କମ୍ପାନୀରେ ଏଲ୍‌ଏଣ୍ଡଟିର ଶେୟାର୍‌ ପରିମାଣ ୨୬.୪୮ ପ୍ରତିଶତରେ ପହଞ୍ଚିଛି। ଆଗାମୀ ଦିନରେ କମ୍ପାନୀ ଓପନ୍‌ ମାର୍କେଟ୍‌ରୁ ଆହୁରି ଅଧିକ ଶେୟାର୍‌ କିଣି ମାଇଣ୍ଡ୍‌ଟ୍ରିରେ ଏହାକୁ ୬୬ ପ୍ରତିଶତ କରିବା ଲକ୍ଷ୍ୟରେ ରହିଛି। ଏହି ୬୬ ପ୍ରତିଶତ ଶେୟାର୍‌ର ମୂଲ୍ୟ ପାଖାପାଖି ୧୦ ହଜାର ୮ ଶହ କୋଟି ଟଙ୍କା ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏଲ୍‌ଏଣ୍ଡ୍‌ଟି ମଧ୍ୟ ଅତିରିକ୍ତ ଶେୟାର୍‌ ଖରିଦ୍‌ କରିବା ସକାଶେ ଏକ ଅଫର୍‌ ଦେଇଛି। ଏହି ଅଫର୍‌ ଗତ ମେ’ ୧୪ ତାରିଖରେ ଦିଆଯାଇଥିବା ବେଳେ ଆସନ୍ତା ୨୭ ତାରିଖ ସୁଦ୍ଧା ଡିଲ୍‌ ଚୂଡ଼ାନ୍ତ ହେବାର ସମୟ ରହିଛି। କିନ୍ତୁ ଏହି ଡିଲ୍‌ ଚୂଡ଼ାନ୍ତ ହେବାର ସମ୍ଭାବନା କମ୍‌ ରହିଛି। କାରଣ ଏପରି ପ୍ରସ୍ତାବକୁ ଭାରତୀୟ ପ୍ରତିଭୂତି ବିନିର୍ମୟ ବୋର୍ଡ (ସେବି)ର ମଞ୍ଜୁରି ମିଳିନାହିଁ। ତେଣୁ ପ୍ରସ୍ତାବଟି ଚୂଡ଼ାନ୍ତ ରୂପ ନେବାରେ ପାଖାପାଖି ୧୫ ଦିନର ବିଳମ୍ବ ହୋଇପାରେ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଯେ ଗତ ଶୁକ୍ରବାର ମାଇଣ୍ଡଟ୍ରି କମ୍ପାନୀର ଶେୟାର୍‌ ଦାମ୍‌ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ (ବିଏସ୍‌ଇ)ରେ ୯୮୧.୮୦ ଟଙ୍କା ଥିଲା। ଏହା ପୂର୍ବାପେକ୍ଷା ୦.୧୬ ପ୍ରତିଶତ ଅଧିକ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ