ନବୀନଙ୍କୁ ସ୍ବତନ୍ତ୍ର ନିମନ୍ତ୍ରଣ କରି ଦିଲ୍ଲୀ ଡାକିଲେ ସୋନିଆ


ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ବିଭିନ୍ନ ପ୍ରସଙ୍ଗ ନେଇ ନବୀନଙ୍କୁ କଡ଼ା ସମାଲୋଚନା କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଦିନ କେଇଟା ପରେ ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ନବୀନଙ୍କୁ ହାତେଇବା ପାଇଁ ଏଭଳି କରାଯାଉଥିବା ଚର୍ଚ୍ଚା ଚାଲିଥିବା ବେଳେ ସମାନ ଥୋପ ପକାଇଛନ୍ତି କଂଗ୍ରେସର ହାଇକମାଣ୍ଡ ସୋନିଆ ଗାନ୍ଧି। ‘ଫୋନି’ ବାତ୍ୟା ପରେ ମୋଦି-ନବୀନ ପରସ୍ପରର ପିଠି ଥାପୁଡ଼ାଇବା ପରେ ଏବଂ କଂଗ୍ରେସ ନବୀନଙ୍କୁ କୋଳେଇବାକୁ ଭରପୂର ପ୍ରୟାସ କରୁଛି। ସୋନିଆ ଗାନ୍ଧି ନବୀନଙ୍କୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରଣ କରି ଦିଲ୍ଲୀ ଡାକିଛନ୍ତି। ୨୩ ତାରିଖରେ ଦିଲ୍ଲୀରେ ହେବାକୁ ଥିବା ମହାମେଣ୍ଟ ବୈଠକରେ ଯୋଗଦେବାକୁ ନବୀନଙ୍କୁ ଚିଠି ଲେଖିଛନ୍ତି ସୋନିଆ। ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ଉଠୁଛି ପଡୁଛି।

କେବଳ ସେତିକି ନୁହେଁ, ନବୀନଙ୍କ ବନ୍ଧୁ ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ବି ଫୋନ୍ କରି ଅନୁରୋଧ କରିଛନ୍ତି ଦିଲ୍ଲୀ ବୈଠକରେ ଯୋଗଦେବାକୁ। କଂଗ୍ରେସ ଆଡୁ ନବୀନଙ୍କୁ ଏଭଳି ଘନଘନ ଅନୁରୋଧ ସାଙ୍ଗକୁ ଆଦର ସତ୍କାର ନେଇ ରାଜ୍ୟ ରାଜନୀତି ଏବେ ହୁଲ୍‌ସ୍ତୁଲ୍‌। କେତେବେଳେ ମୋଦି-ନବୀନ ପରସ୍ପରର ପ୍ରଶଂସାରେ ଗଦ୍‌ଗଦ୍‌ ହେଉଛନ୍ତି ତ ଆଉକେତେ ବେଳେ ସୋନିଆଙ୍କ ଚିଠିକୁ ନେଇ ପୂରା ରାଜନୈତିକ ପାଣିପାଗ ରୋଚକ ସ୍ଥିତିକୁ ଆସିଛି। ବିଜେଡି ସମେତ ଓାଇଏସ୍‌ଆରସି, ଟିଆରଏସ୍ ଏବଂ ଟିଡିପି ଆଦି ଦଳଙ୍କୁ ୟୁପିଏ ବୈଠକରେ ସାମିଲ୍‌ ହେବାକୁ ଅନୁରୋଧ କରିଛନ୍ତି ସୋନିଆ। ବିଜେଡି ସୁପ୍ରିମୋ କଂଗ୍ରେସ ଓ ବିଜେପିଠାରୁ ସବୁବେଳେ ସମଦୂରତା କଥା କହି ଆସୁଥିଲେ ମଧ୍ୟ ବିଜେପି ପ୍ରତି ଥିବା ସମର୍ଥନ ବିଭିନ୍ନ ସମୟରେ ପଦାକୁ ଆସିଛି। ତେବେ ଆଗାମୀ ୨୩ର ଭୋଟ୍ ଫଳ ଏ ସମୀକରଣର ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି ବୋଲି ଚର୍ଚ୍ଚା ହେଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ