ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା: ୨୪ ଘଣ୍ଟା ପାଇଁ ସତର୍କ ସୂଚନା ଜାରି


ଭୁବନେଶ୍ବର: ବୁଧବାର ସନ୍ଧ୍ୟାରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଯାଇଛି। ରାଜଧାନୀ ଭୁବନେଶ୍ବର ସମେତ ବାଲେଶ୍ବର ଓ ଢେଙ୍କାନାଳ ଜିଲ୍ଲାରେ କାଳବୈଶାଖୀ ହୋଇଥିବା ସୂଚନା ମିଳିଛି। ୧୨ ଦିନ ତଳେ ଦେଖାଯାଇଥିବା ସାମୁଦ୍ରିକ ଝଡ଼ ‘ଫୋନି’କୁ ଲୋକେ ଭୁଲି ନ ଥିବା ବେଳେ ବୁଧବାର ସନ୍ଧ୍ୟା ୭ଟାରେ ଭୁବନେଶ୍ୱରରେ କାଳବୈଶାଖୀର ପ୍ରଭାବରେ ବିଜୁଳି ମାରିବା ସହିତ ଜୋର୍‌ରେ ପବନ ବୋହିବା ଯୋଗୁଁ ଲୋକେ ପୁଣି ଥରେ ଭୟଭୀତ ହୋଇ ଯାଇଛନ୍ତି। ଭୁବନେଶ୍ୱରରେ ଘଡ଼ଘଡ଼ି ସହ କିଛି ସ୍ଥାନରେ ବର୍ଷା ହୋଇଛି। ଅନ୍ୟପଟେ ଝଡ଼ତୋଫାନ ଯୋଗୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଦିନସାରା ହେଉଥିବା ଗୁଳୁଗୁଳିରୁ ସହରବାସୀ ଆଶ୍ୱସ୍ତ ହୋଇଛନ୍ତି।

ବାଲେଶ୍ୱରରେ ବୁଧବାର ଅପରାହ୍ଣ ପ୍ରାୟ ସାଢ଼େ ୩ଟାରୁ ପ୍ରାୟ ଅଧ ଘଣ୍ଟା ଯାଏ କାଳବୈଶାଖୀ ଦେଖାଯାଇଥିଲା। ଏହା ପରେ ଘଡ଼ଘଡ଼ି ସହିତ ବର୍ଷା ହୋଇଥିଲା। ସହରର କିଛି ସ୍ଥାନରେ ବଡ଼ ବଡ଼ ହୋର୍ଡିଂ ଭାଙ୍ଗି ଯାଇଥିବା ବେଳେ ବଡ଼ ବଡ଼ ଗଛ ଉପୁଡି ପଡ଼ିଛି। କିଛି ଲୋକଙ୍କର ଘର ଛପର ଉଡାଇ ନେଇଥିବା ବେଳେ ଆଜବେଷ୍ଟସ ଭାଙ୍ଗି ଯାଇଛି। ସେହିପରି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍‌ରେ ବୁଧବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବଜ୍ରପାତରେ ୩ ବଖରା ଘର ପୋଡ଼ିଯାଇଛି। କାମାକ୍ଷାନଗର କଲେଜ ନିକଟସ୍ଥ ଦୁଇଗୋଡ଼ିଆ ସାହିର ଜଗଦାନନ୍ଦ ମଲ୍ଲିକଙ୍କ ୩ ବଖରା ପୋଡ଼ି ଛାରଖାର ହୋଇଯାଇଛି।  ଜିରିଡ଼ାମାଳି, ବାଇସିଙ୍ଗା, ଭଣ୍ଡାରିଆରେ ଶତାଧିକ ଗଛ ଭାଙ୍ଗି ଯାତାୟାତ ପ୍ରଭାବିତ ହୋଇଛି। କେତେକ ସ୍ଥାନରେ ବିଦ୍ୟୁତ୍‌ ବିଭ୍ରାଟ ମଧ୍ୟ ହୋଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ହେବା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, ବରଗଡ଼, କଳାହାଣ୍ଡି ଏବଂ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ପବନ ସହ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ସହିତ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଥିବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।