ଲଙ୍କାରେ ହରି ଶବ୍ଦ: ପୋଡ଼ା ଟ୍ରାନ୍ସଫର୍ମର୍‌ଙ୍କୁ ପ୍ରଶଂସାରେ ପୋତିଲେ ଶାହ


ଭୁବନେଶ୍ବର: ଓଡ଼ିଶାରେ ନିର୍ବାଚନ ପ୍ରଚାର ପାଇଁ ଆସିଥିବା ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ସ୍ବର ଶାଣିତ କରିଥିଲେ। ନବୀନଙ୍କୁ ପୋଡ଼ା ଟ୍ରାନ୍ସଫର୍ମର୍‌ କହିବା ସହ ତାଙ୍କୁ ଉପାଡ଼ି ଫିଙ୍ଗିଦେବା ପାଇଁ ମଧ୍ୟ ଆହ୍ବାନ ଦେଇଥିଲେ ଶାହ। ମାତ୍ର ଏବେ ବଦଳି ଯାଇଛି ପାଣିପାଗ। ଲଙ୍କାରେ ହରି ଶବ୍ଦ ଶୁଭିବା ପରି ଶାହଙ୍କ ମୁହଁରୁ ଶୁଣିବାକୁ ମିଳିଛି ନବୀନଙ୍କ ପ୍ରଶଂସା। ବାତ୍ୟା ‘ଫୋନି’ ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ପରେ ଏବେ ରାଜ୍ୟର ଶାନ୍ତିଶୃଙ୍ଖଳା ରକ୍ଷା କରିବା ପ୍ରସଙ୍ଗରେ ନବୀନଙ୍କୁ ପ୍ରଶଂସା କରିଛନ୍ତି ଶାହ।

ପଶ୍ଚିମବଙ୍ଗରେ ରୋଡ୍ ଶୋ ବେଳେ ଘଟିଥିବା ହିଂସାକୁ ନେଇ ମମତା ବାନାର୍ଜୀଙ୍କ ବିରୋଧରେ ବର୍ଷୁଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶାହ। ହେଲେ ହଠାତ୍ ଆରମ୍ଭ ହୋଇଥିଲା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରଶଂସା। ପଶ୍ଚିମବଙ୍ଗରେ ହିଂସା ହେଉଛି, ହେଲେ ପଡ଼ୋଶୀ ଓଡ଼ିଶାରେ, ବିଜେଡି ଶାସନରେ ତ ଏମିତି ହେଉନି ବୋଲି ଶାହ କହିଥିଲେ। ଯେଉଁ ତୁଣ୍ଡରୁ ବିଜେଡି ସରକାର ଲାଗି ପୋଡ଼ା ଟ୍ରାନ୍ସଫର୍ମର, ବଙ୍ଗୋପସାଗରକୁ ଫିଙ୍ଗିବା ଭଳି କଥା ବାହାରୁଥିଲା, ସେଇଠି ଏବେ ନବୀନଙ୍କ ପ୍ରଶଂସା ଦଳୀୟ କର୍ମୀଙ୍କୁ ଅଡ଼ୁଆରେ ପକାଇ ଦେଇଛି।

ସୂଚନାଯୋଗ୍ୟ, ମଙ୍ଗଳବାର ଅମିତ୍‌ ଶାହ କୋଲକାତାରେ ରୋଡ୍ ଶୋ’ କରୁଥିବା ବେଳେ ହିଂସାକାଣ୍ଡ ଘଟିଥିଲା। ଟିଏମ୍‌ସି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପ୍ରଥମେ ରୋଡ୍ ଶୋ’ ଉପରକୁ ଢେଲା ମାଡ଼ ହୋଇଥିଲା। ତା’ପରେ ବିଜେପି ଓ ଟିଏମ୍‌ସି କର୍ମୀଙ୍କ ମଧ୍ୟରେ ତୁମୂଳ କାଣ୍ଡ ଦେଖିବାକୁ ମିଳିଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ