ଆସୁଛି ଅମିତାଭ ଓ ଆୟୁଷ୍ମାନଙ୍କ ଅଭିନୀତ ଫିଲ୍ମ


ଏବେ ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସମୟ ଭଲ ଚାଲିଛି। ନିଜର ପ୍ରଥମ ସିନେମା ‘ଭିକି ଡୋନର’ରୁ ଲୋକପ୍ରିୟ ହୋଇଥିବା ଆୟୁଷ୍ମାନଙ୍କ ଲଗାତର ୩ଟି ଫିଲ୍ମ ଫ୍ଲପ୍‌ ହୋଇଯାଇଥିଲା। କିନ୍ତୁ ‘ଦମ୍‌ ଲଗାକେ ହୈସା’ ସିନେମା ମାଧ୍ୟମରେ ସେ ପୁଣିଥରେ ତାଙ୍କର ଦମ୍‌ଦାର ଉପସ୍ଥିତି ଜାହିର୍‌ କରିଥିଲା। ଏହା ପରେ ‘ବରେଲୀ କୀ ବର୍ଫି’, ‘ଶୁଭ ମଙ୍ଗଳ ସାବଧାନ’, ‘ବଧାଇ ହୋ’ ଓ ‘ଅନ୍ଧାଧୂନ’ ଭଳି ବ୍ୟାକ୍‌ ଟୁ ବ୍ୟାକ୍‌ ହିଟ୍‌ ଫିଲ୍ମ ଦେବା ପରେ ଏବେ ଆୟୁଷ୍ମାନ ପ୍ରତ୍ୟେକ ଫିଲ୍ମ ନିର୍ମାତା ଓ ନିର୍ଦେଶକଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି।

ଏବେ ଆୟୁଷ୍ମାନ ଅଧା ଡଜନରୁ ଅଧିକ ଫିଲ୍ମ ପାଇଁ ସାଇନ୍‌ କରିସାରିଥିବା ଜଣାପଡ଼ିଛି। ତାଙ୍କ ହାତରେ ଏବେ ଡ୍ରିମଗାର୍ଲ, ବାଲା, ଛୋଟୀ ସୀ ବାତ୍‌, ଆବରା କା ଡାବରା, ଗୁଗଲି, ଶୁଭ ମଙ୍ଗଳ ଜ୍ୟାଦା ସାବଧାନ ରହିଥିବାବେଳେ ଏବେ ମହାନାୟକ ଅମିତାଭ ବଚ୍ଚନଙ୍କ ସହ ‘ଗୁଲାବୋ ସିତାବୋ’ ସିନେମାରେ ଅଭିନୟ କରିବା ଲାଗି ସେ ସାଇନ୍‌ କରିଛନ୍ତି। ଏହି ଫିଲ୍ମର ନିର୍ଦେଶନା ସୁଜିତ ସରକାର ଦେବାକୁ ଯାଉଛନ୍ତି। ଏହି ଫିଲ୍ମ ଏକ ଫ୍ୟାମିଲି ଡ୍ରାମା କମେଡି ଅଟେ। ଏହି ଫିଲ୍ମ ସମ୍ପର୍କରେ ନିଜେ ସୁଜିତ ସୋସାଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ସୁଜିତଙ୍କ ନିର୍ଦେଶନାରେ ଆୟୁଷ୍ମାନ ‘ଭିକ୍କି ଡୋନର’ ସିନେମାରେ ଅଭିନୟ କରି ସାରିଛନ୍ତି। ସେହିପରି ସୁଜିତଙ୍କ ନିର୍ଦେଶନାରେ ଅମିତାଭ ‘ପିକୁ’ ସିନେମାରେ ଅଭିନୟ କରି ସାରିଛନ୍ତି। ‘ଗୁଲାବୋ ସିତାବୋ’ ଫିଲ୍ମ ମାଧ୍ୟମରେ ପ୍ରଥମ ଥର ଲାଗି ଅମିତାଭ ଓ ଆୟୁଷ୍ମାନ ଏକାଠି ନଜର ଆସିବାକୁ ଯାଉଛନ୍ତି। ଏହି ଫିଲ୍ମର କାହାଣୀ ଜୁହୀ ଚତୁର୍ବେଦୀ ଲେଖିଛନ୍ତି। ଫିଲ୍ମର ଶୁଟିଂ ଆଗାମୀ ମାସରୁ ଆରମ୍ଭ ହେବାକୁ ଯାଉଛି। ଜୁହୀଙ୍କ ସହିତ ମିଶି ଦୀର୍ଘ ଦିନ ହେଲାଣି ସେ ସ୍କ୍ରିପ୍ଟ ଉପରେ କାମ କରୁଛନ୍ତି ବୋଲି ସୁଜିତ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ