ପ୍ରେମ ପାଲଟିଲା ଅଭିଶାପ, ପ୍ରେମିକ କାଟିଲା ପ୍ରେମିକାଙ୍କ ବେକ


ବର୍ତ୍ତମାନ ସମୟରେ ପ୍ରେମର ପରିଭାଷା ବଦଳିଗଲାଣି। ଯେଉଁ ପ୍ରେମରେ ନିଜର ଭଲ ପାଇବା ସବୁଦିନ ପାଇଁ ବଞ୍ଚିରହୁ ବୋଲି ଏକ ମାନସିକତା ରହିବା କଥା, ସେଠି ହିଂସା ଓ ମାନସିକ ବିକୃତି ଆଜି ଆଧିପତ୍ୟ ବିସ୍ତାର କରିଛି। ପ୍ରେମିକର ହଁରେ ହଁ ନ ମିଶାଇଲେ ଯେ ପ୍ରେମିକାକୁ ଆଜି ହିଂସାର ଶିକାର ହେବାକୁ ପଡ଼ିବ, ଏହା ହିଁ ବର୍ତ୍ତମାନର ପ୍ରେମର ଅସଲ ପରିଭାଷା ପାଲଟିଯାଇଛି। ଏପରି ଏକ ଘଟଣା ଏଠାରେ ଘଟିଛି, ଯେଉଁଥିରେ ପ୍ରେମିକା ଜଣକ ବାହା ହେବାକୁ ମନା କରିବାରୁ ତାଙ୍କୁ ପ୍ରେମିକ ହାତରେ ଆହତ ହେବାକୁ ପଡ଼ିଛି। ପ୍ରେମିକ ପ୍ରେମିକାର ନା’କୁ ଆଦୌ ଗ୍ରହଣ କରି ନ ପାରି ତା’ର ବେକକୁ କାଟିବା ସହ ହାତକୁ ମଧ୍ୟ କାଟି ପକାଇଛି। ଫଳରେ ପ୍ରେମିକା ଜଣକ ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ପ୍ରେମିକ ଜଣକ ତାଙ୍କର ସମ୍ପର୍କୀୟ ଭାଇ ହୋଇଥିବାରୁ ସମାଜ ଡର ତାଙ୍କ ପାଇଁ ଅଭିଶାପ ପାଲଟିଯାଇଛି।

ଅଧିକନ୍ତୁ ପ୍ରେମିକ ଜଣକ ଅତି ମାତ୍ରାରେ ଭାବପ୍ରବଣ ହୋଇ ନିଜକୁ ଆଘାତ ଦେବାକୁ ବି ପଛାଇନାହିଁ। ସେ ଅତ୍ୟଧିକ କ୍ରୋଧିତ ହୋଇ ଏକ ବ୍ଲେଡ୍‌ରେ ପ୍ରେମିକାର ବେକ ଓ ହାତ କାଟି ପକାଇବା ସହ ନିଜର ବେକ ଓ ହାତକୁ ମଧ୍ୟ କାଟି ପକାଇଥିବା ଜଣାପଡ଼ିଛି। ମଙ୍ଗଳବାର ଏପରି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନାଞ୍ଚଳରେ ଘଟିଛି। ସଂପୃକ୍ତ ପ୍ରେମିକା ଜଣେ ନାବାଳିକା ହୋଇଥିବା ବେଳେ ତାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ସ୍ଥାନୀୟ ପୋଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାର ପୃଷ୍ଠଭୂମି କ୍ରମେ ବଲାଙ୍ଗିର ଜିଲ୍ଲା ବିଜେପୁର ଅଞ୍ଚଳର ସୀମା (ଛଦ୍ମନାମ) ଚଳିତ ବର୍ଷ ମ୍ୟାଟ୍ରିକ୍‌ ପରୀକ୍ଷା ଦେଇଥିବା ବେଳେ ଜଣେ ୨୧ ବର୍ଷୀୟ ଯୁବକଙ୍କ ପ୍ରେମରେ ପଡ଼ିଥିଲେ। ଉଭୟଙ୍କ ପ୍ରେମ ସମ୍ପର୍କ ଦୀର୍ଘ ୪ ବର୍ଷ ଧରି ଚାଲିଥିଲା। ତେବେ ମାଟ୍ରିକ୍‌ ପରୀକ୍ଷା ଶେଷ ହେବା ପରେ ଉଭୟ ନିଜ ପରିବାର ଲୋକଙ୍କୁ ସେମାନଙ୍କ ପ୍ରେମ ସମ୍ପର୍କରେ ଅବଗତ କରାଇଥିଲେ। ମାତ୍ର ସେମାନେ ସମ୍ପର୍କରେ ଭାଇ-ଭଉଣୀ ହୋଇଥିବାରୁ ପରିବାର ଲୋକେ ଏହାକୁ ଅସ୍ବୀକାର କରିଥିଲେ। ସୀମା ଏହାକୁ ସ୍ବୀକାର କରିଥିଲେ ମଧ୍ୟ ପ୍ରେମିକ ଜଣକ ହତାଶ ହୋଇପଡ଼ିଥିଲା।

ମଙ୍ଗଳବାର ଘରଠାରୁ ପାଖାପାଖି ୧୦୦ ମିଟର ଦୂର ଏକ ସ୍ଥାନକୁ ପ୍ରେମିକ ଜଣକ ସୀମାଙ୍କୁ ଡାକିଥିଲା। ସୀମା ସେଠାରେ ପହଞ୍ଚିବା ପରେ ପ୍ରେମିକ ଜଣକ ତାଙ୍କୁ ବାହା ହେବା ପାଇଁ ଜିଦ୍‌ ଧରିଥିଲା। କିନ୍ତୁ ସୀମା ଏଥିରେ ଆଦୌ ରାଜି ହୋଇ ନ ଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରେମିକ ଜଣକ ଅଭାବନୀୟ କାଣ୍ଡ ଘଟାଇଥିଲା। ଗୁରୁତର ଭାବେ ଆହତ ହେବା ପରେ ଉଭୟ ଖୁବ୍‌ ଜୋର୍‌ରେ ଚିତ୍କାର କରିବାରୁ ସେମାନଙ୍କ ପରିବାର ଲୋକେ ସେଠାରେ ପହଞ୍ଚି ଉଭୟଙ୍କୁ ଟିଟିଲାଗଡ଼ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରେ ବଲାଙ୍ଗିର ମେଡିକାଲ୍‌ କଲେଜ ସର୍ଜିକାଲ୍‌ ୱାର୍ଡରେ ସେମାନଙ୍କୁ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ ରହିଥିବା ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ