ଖାଲି ପ୍ରଶଂସା ସାଉଁଟିଲେ କି ଲାଭ? ଗ୍ରାଉଣ୍ଡ ଜିରୋରେ ଆକ୍ସନ ଶୂନ

ବାତ୍ୟା ପରିଚାଳନାରେ ନବୀନ ଫେଲ୍‌

ଜାତିସଂଘ ସାବାସି ଦେଲା। ଦେଶର ପ୍ରଧାନମନ୍ତ୍ରୀ ମୋଦି ପ୍ରସଂଶା କଲେ। ୨୪ ଘଣ୍ଟା ଭିତରେ ଓଡିଶା ସରକାର ୧୦ ଲକ୍ଷ ୮୫ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ନେଇଯାଇ ଜୀବନ ବଞ୍ଚାଇଦେବା ଛୋଟିଆ କଥା ନ ଥିଲା। ଦଳମତ ନିର୍ବିଶେଷରେ ସମସ୍ତେ ପ୍ରଶଂସା କରିବା କଥା। କିନ୍ତୁ ବାତ୍ୟା ପରବର୍ତ୍ତୀ ଘଟଣାପ୍ରବାହକୁ ଅନୁଧ୍ୟାନ କଲେ ନବୀନ ଯେ ଶତ ପ୍ରତିଶତ ବାତ୍ୟା ପରିଚାଳନାରେ ଫେଲ୍‌ ଏହା ସ୍ପଷ୍ଟ ହୋଇଯାଇଛି। ବାତ୍ୟା ଘରଦ୍ୱାର ଉଡାଇନେଲା, ଲୋକେ ବିନା ବିଜୁଳି ଓ ବିନା ପାଣିରେ ସଢୁଥିବାବେଳେ ବାତ୍ୟାର ଦୁଇ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟ ସରକାର ନୀରବରେ ବସିଯାଇଥିବା ପରି ଅନୁଭବ ହୋଇଥିଲା।

ମେ ୩ ତାରିଖରେ ସାମୁଦ୍ରିକ ବାତ୍ୟା ‘ଫୋନି’ ପୁରୀ ନିକଟରେ ଉପକୂଳ ଛୁଇଁଲା। ସକାଳ ୮ରୁ ୧୨ଟା ମଧ୍ୟରେ ଦୁଇ ଦଫାରେ ପବନ ଆସି ୧୪ଟି ଜିଲ୍ଲାର ୫୨ ପୌରସଂସ୍ଥା ଓ ୧୫୯ଟି ବ୍ଲକର ୧୬୫.୫୬ ଲୋକଙ୍କୁ ପ୍ରଭାବିତ କଲା। ୧୨ ହଜାର କୋଟି ଟଙ୍କାର ସମ୍ପତ୍ତିକୁ ଉଡାଇନେଲା। ବାତ୍ୟାରେ ୬୪ ଜଣଙ୍କ ଜୀବନ ଚାଲିଗଲା। ପୁରୀରେ ସର୍ବାଧିକ ୧୯.୬୮ ଲକ୍ଷ ଜନଗଣ ପ୍ରଭାବିତ ହୋଇଥିବା ବେଳେ ୩୯ ଜଣଙ୍କ ଜୀବନ ଗଲା। ରାଜ୍ୟ ସରକାର ବାତ୍ୟା ପୂର୍ବରୁ ବାରମ୍ବାର ଆମେ ପ୍ରସ୍ତୁତ ବୋଲି କହୁଥିଲେ। ଲୋକଙ୍କୁ କିଛି ହେବନି ବୋଲି ଭରସା ଦେଉଥିଲେ। କିନ୍ତୁ ବାତ୍ୟା ଲୋକଙ୍କ ଦିନ ଦିନର ଝାଳବୁହା ସମ୍ପତ୍ତିକୁ ଉଡାଇନେଲା। ଯେତେବେଳେ ଘର ଉଡ଼ିଲା, ଯେତେ ବେଳେ ଗୋଟିଏ ପରେ ଗୋଟିଏ ବିଦ୍ୟୁତ ଖୁଣ୍ଟ ରାସ୍ତାରେ ଲୋଟୁଥିଲା ଓ ଜୀବନ କ୍ଷୟର ରିପୋର୍ଟ ଆସୁଥିଲା ସେଥିରେ ସରକାରୀ ପ୍ରସ୍ତୁତି ଯେ ଶତ ପ୍ରତିଶତ ନ ଥିଲା ଏହା ସ୍ପଷ୍ଟ ହୋଇଯାଉଥିଲା। ‘ଫୋନି’ ବାତ୍ୟାର ପ୍ରକୋପର ଚିତ୍ର ୧୩ ଦିନ ପରେ ବି ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। କଟକ, ଭୁବନେଶ୍ୱର ଓ ପୁରୀ ଜିଲ୍ଲାରେ ୫ ଲକ୍ଷରୁ ଅଧିକ କଚ୍ଚାଘର ଭାଙ୍ଗିଛି। ଆସବାବପତ୍ର ନଷ୍ଟ ହୋଇଛି। ବିଦ୍ୟୁତ ଭିତ୍ତିଭୂମି ଧ୍ୱସ୍ତ ହୋଇଥିବା ବେଳେ ବର୍ଷ ବର୍ଷର ପୁରୁଣା ଗଛସବୁ ଧରାଶାୟୀ ହୋଇଛି। ମେ ମାସରେ ପ୍ରବଳ ଖରା ସାଙ୍ଗକୁ ପିଇବା ପାଣି ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି। ବାତ୍ୟା ବିଧ୍ୱସ୍ତ ଗାଁ ଗୁଡ଼ିକରେ ଏ ଯାଏ ପହଞ୍ଚିନି ରିଲିଫ୍‌। ରାସନ କାର୍ଡ଼ଧାରୀଙ୍କୁ କେଉଁଠି କେମିତି ମିଳିଛି ୫୦ କେଜି ମାଗଣା ଚାଉଳ ଓ ୨୦୦୦ ଟଙ୍କା। ପଲିଥିନ ବାବଦକୁ ଅଲଗା ୫୦୦ ଟଙ୍କା।

ରାସନ କାର୍ଡ଼ ନାହିଁ ତ କିଛି ନାହିଁ। ଏମିତିରେ ଅନେକ ଜାଗାରେ ପ୍ରଶାସନ ମଧ୍ୟ ପହଞ୍ଚି ନାହିଁ। ଯାବତୀୟ ଗାଁ ଏବେ ବି ଅଛି ଅନ୍ଧାରରେ। କିନ୍ତୁ ସରକାରଙ୍କ ଶୁଭ ଦୃଷ୍ଟି ପଡ଼ିଛି ସହରାଞ୍ଚଳର ବସ୍ତି ବାସିନ୍ଦାଙ୍କ ଉପରେ। ପ୍ରଥମେ ତାଙ୍କୁ ମାଗଣା ଚାଉଳ ଦିଆଗଲା। ପରେ ରାସନ କାର୍ଡ଼ ନ ଥିଲେ ବି ୫୦ କେଜି ଚାଉଳ ଓ ଟଙ୍କା ମିଳିଲା ବସ୍ତି ବାସିନ୍ଦାଙ୍କୁ। ଅନ୍ୟ ଅଞ୍ଚଳରେ ରିଲିଫ୍‌ ଦେବାକୁ ସରକାର ଆଗ୍ରହୀ ନ ଥିଲେ। ସତେ ଯେମିତି ‘ଫୋନି’ ରାସନ କାର୍ଡ଼ଧାରୀଙ୍କୁ ଦେଖି ମାଡ଼ କରିଥିଲା। ସହର ଓ ଗ୍ରାମ ଭିତରେ ରିଲିଫ୍‌ ବଣ୍ଟନକୁ ନେଇ ଯେଉଁ ପକ୍ଷପାତିତା ଚାଲିଛି ତାହାକୁ ତୁରନ୍ତ ବନ୍ଦ କରିବା ପାଇଁ ବିଜେପି ସ୍ୱତନ୍ତ୍ର ରିଲିଫ୍‌ କମିଶନଙ୍କ ପାଖରେ ଦାବି କରିଛି। ବିଜେପି କହିଛି ଯେ ସରକାରଙ୍କ ଭୁଲ୍‌ ନୀତି ଯୋଗୁଁ ଅନେକ ଗରିବ ଓ ଯୋଗ୍ୟ ହିତାଧିକାରୀ ଖାଦ୍ୟା ସୁରକ୍ଷା ଆଇନରେ ରାସନ କାର୍ଡ ପାଇନାହାନ୍ତି। ସରକାର ଏହି କାର୍ଡଧାରୀଙ୍କୁ ୫୦ କେଜି ଚାଉଳ ଓ ୨୫୦୦ ଟଙ୍କା ଦେଉଛନ୍ତି ଯାହା କି କାର୍ଡ ନ ଥିବା ପରିବାରକୁ ଅଧିକ ମାନସିକ ଯନ୍ତ୍ରଣା ଦେଉଛି। ସରକାର ସହରାଞ୍ଚଳରେ କାର୍ଡ ନ ଥିବା ପରିବାର ଗୁଡିକ ପାଇଁ ୨୫୦୦ ଟଙ୍କା ଓ ୫୦ କେଜି ଚାଉଳ ପାଇବେ ବୋଲି ଘୋଷଣା କଲେ କିନ୍ତୁ ଏହା ଗ୍ରାମୀଣ ଗରିବଙ୍କୁ ଦେଲେ ନାହିଁ। ଏହା କେଉଁ ପ୍ରକାର ରିଲିଫ୍‌ ପରିଚାଳନା ବୋଲି ପ୍ରଶ୍ନ ଉଠିଛି।

ବାତ୍ୟା ପରିଚାଳନା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଅନେକ ମଞ୍ଚରୁ ସାବାସି ମିଳିଛି। ଫାଇଲିନରେ ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର କରି ଜାତିସଂଘରୁ ପ୍ରସଂଶା ସାଉଁଟିଥିଲେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚଳିତ ଥର ‘ଫୋନି’ ପାଇଁ ମଧ୍ୟ ସେହି ଫର୍ମୁଲା ଆପଣାଯାଇଥିଲା। ୧୨ ଲକ୍ଷ ଲୋକଙ୍କୁ ନିରାପଦ ଜାଗାକୁ ନିଆଗଲା ବୋଲି ସରକାର ପ୍ରଚାର କରିଦେବା ପରେ ବିଶ୍ବବ୍ୟାଙ୍କ ତୁରନ୍ତ ନବୀନଙ୍କୁ ପ୍ରଶଂଶାପତ୍ର ପ୍ରଦାନ କରିବାକୁ ଭୁଲ୍‌ି ନ ଥିଲେ। ଏହି ୧୨ ଲକ୍ଷ ଲୋକ କେଉଁ କେଉଁ ଆଶ୍ରୟସ୍ଥଳୀକୁ କେବେ ଓ କିପରି ଭାବେ ପହଞ୍ଚିଥିଲେ ଏବଂ ସେଥିରେ କେଉଁ ପ୍ରକାର ସୁବିଧା ଥିଲା ତାହା ସାର୍ବଜନୀନ ହେଲେ ଅସଲ ଚିତ୍ର ସାମ୍ନାକୁ ଆସନ୍ତା।

ଜାନୁଆରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଦାପି ଭାବି ନ ଥିଲେ ଯେ ମେ’ ମାସରେ ‘ଫୋନି’ ଆସିବ, ଉଚ୍ଛନ୍ନ କରିଦେଇ ଯିବ ୪ଟି ଉପକୂଳ ଜିଲା। ମୁଖ୍ୟମନ୍ତ୍ରୀ ହୁଏତ ଭାବିଥିବେ ନୂଆ ସରକାର ଆସିବ। ବନ୍ୟା ଆସିଲା ବେଳକୁ ଅଗଷ୍ଟ ମାସ ଯାଇ ହେବ। ସେତେବେଳ ଯାଏ ଆକସ୍ମିକ ପାଣ୍ଠିରେ ଟଙ୍କା ରହି ଲାଭ କ’ଣ? ବରଂ କାଳିଆ ନାଁରେ ଚାଷୀ-ଅଚାଷୀଙ୍କୁ ବାଣ୍ଟିଦେଲେ ଏପ୍ରିଲ ମାସ ନିର୍ବାଚନରେ ନିଜ ଦଳକୁ ଭଲ ଭୋଟ ମିଳିଯିବ। ଏଥିପାଇଁ ସବୁ ବିଧି ବ୍ୟବସ୍ଥା ଉଲ୍ଲଂଘନ କରି ଆପଦକୋଷ ବା କଣ୍ଟିଜେନ୍ସି ଫଣ୍ଡରୁ ନବୀନ ସରକାର ଉଠେଇ ନେଲେ ୭୪୦ କୋଟି ଟଙ୍କା। ‘ଫୋନି’ ଆସିବା ଆଗରୁ ଏବଂ ଏହା ପରେ ପରେ କେନ୍ଦ୍ର ଯଦି ୧୪୦୦ କୋଟି ଟଙ୍କା ଓଡ଼ିଶାକୁ ଦେଇ ନ ଥାନ୍ତା, ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ଏବଂ ସଚିବାଳୟରେ ବସି ହରିକୀର୍ତ୍ତନ କରୁଥାନ୍ତେ। ଏକ ଅପରିଣାମଦର୍ଶୀ ନିଷ୍ପତ୍ତି ଯୋଗୁଁ ଲନ୍ଦଭନ୍ଦ ହୋଇଯାଇଥାନ୍ତା ଓଡ଼ିଶା। ଓଡ଼ିଶାକୁ ମୋଦି ସରକାର ରକ୍ଷା କରିଦେଲେ। କେବଳ ଭୋଟ୍‌ ବାଉଳାରେ ଆପଦ କୋଷରୁ ଅର୍ଥ ଖର୍ଚ୍ଚ କରିଥିଲେ ନବୀନ ସରକାର। କିନ୍ତୁ ଏହାଠାରୁ ଆହୁରି ଗର୍ହିତ କାମ କରିଛନ୍ତି ଏହି ସରକାର। ଭୋଟ୍‌ ଲାଳସାରେ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି ପଇସାକୁ ମଧ୍ୟ ଛାଡ଼ି ନାହାନ୍ତି ନବୀନ ପଟ୍ଟନାୟକ। ତାମିଲନାଡ଼ୁ ଢାଞ୍ଚାରେ ଓଡ଼ିଶାରେ ଆହାର ଯୋଜନା ଲାଗୁ କରାଗଲା। କିନ୍ତୁ ତାମିଲନାଡ଼ୁରେ ଏଥିପାଇଁ ବଜେଟ୍‌ ବ୍ୟବସ୍ଥା ଥିଲା। ମାତ୍ର ନବୀନ ସରକାର ବଜେଟ୍‌ ବ୍ୟବସ୍ଥା ନ କରି ଏକ ଜଘନ୍ୟ ପନ୍ଥା ଗ୍ରହଣ କରିଛନ୍ତି ୫ ଟଙ୍କାରେ ଭାତ ଓ ଡାଲମା ଦେବା ପାଇଁ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡରୁ ଆହାର ଯୋଜନା ପାଇଁ ଖର୍ଚ୍ଚ କରାଯିବା ଓଡିଶା ଭଳି ଏକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ପାଇଁ କେତେ ଠିକ ଅନୁମାନ କରିପାରୁଥିବେ। ପ୍ରଧାନରେ ସଂକୀର୍ତ୍ତନ ଭଳି ନବୀନ ସରକାର ରିଲିଫ୍‌ ସାମଗ୍ରୀକୁ ନେଇ ରାଜନୀତି କରୁଥିବାର ସଂଗୀନ ଅଭିଯୋଗ ଆସିଛି। ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ କର କମଳରେ ରିଲିଫ୍‌ ବଣ୍ଟାଯାଉଛି। ଜିଲ୍ଲାପାଳଙ୍କ ଏଥିରେ ପ୍ରଚ୍ଛନ୍ନ ଭୂମିକା ଥିବା ନେଇ ଚର୍ଚ୍ଚା ହେଉଛି। ଦାୟିତ୍ୱରେ ଥିବା ସରକାରୀ ଅଫିସରମାନଙ୍କ ଉପସ୍ଥିତିରେ ହିଁ ପ୍ରଭାବିତ ଲୋକଙ୍କୁ ସାବିତ୍ରୀ ଦେବୀ ସରକାରୀ ରିଲିଫ୍‌ ସାମଗ୍ରୀ ବଣ୍ଟନ କରୁଛନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି ବାତ୍ୟା ‘ଫୋନି’ ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟକୁ ଶାସକ ବିଜେଡି ସମ୍ପୂର୍ଣ୍ଣ କବ୍‌ଜା କରିବା ଗଣତନ୍ତ୍ର ପ୍ରତି ଉପହାସ ପାଲଟିଛି ବୋଲି ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି।

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଜିଲ୍ଲାପାଳ ପ୍ରେମଚାନ୍ଦ ଚୌଧୁରୀଙ୍କ ସହଯୋଗରେ ବିଜେଡି ଚିହ୍ନ ଲଗାଇ ସରକାରୀ ରିଲିଫ୍‌ ସାମଗ୍ରୀ ବଣ୍ଟନ କରାଯିବା ଉପରେ ତୁରନ୍ତ କଟକଣା ଜାରି ପାଇଁ ନିର୍ଦେଶ ଦେବାକୁ ଅନୁରୋଧ କରିଛନ୍ତି। ସରକାରଙ୍କ ରିଲିଫ୍‌କୁ ବିଜେଡି ନାଁରେ ବାଣ୍ଟିବା ଖୋଲାଖୋଲି ଭାବେ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରୁଛି। ସରକାରୀ ଅର୍ଥରେ ବିଜେଡି ନିଜର ପ୍ରଚାର କରୁଥିବାରୁ ଏହା ଏକ ଅପରାଧ ମଧ୍ୟ। ସେପଟେ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥୀ ଅଭିଯୋଗ କରିଛନ୍ତି ଯେ ବାତ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ସର୍ବନିମ୍ନ ମୌଳିକ ଆବଶ୍ୟକତା ଯୋଗାଇ ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ରିଲିଫ୍‌ ପରିଚାଳନାରେ ସରକାରଙ୍କ ଉଦାସୀନତା ତଥା ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁ ବାତ୍ୟା ପ୍ରଭାବିତ ସାଧାରଣ ଲୋକ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ପ୍ରଭାବିତଙ୍କୁ ପିଇବା ପାଣି, ରନ୍ଧାଖାଦ୍ୟ ଓ ପିନ୍ଧାବସ୍ତ୍ର ମଧ୍ୟ ଯୋଗାଇବାରେ ସରକାର ସକ୍ଷମ ହୋଇନାହାନ୍ତି। ସେହିପରି ୧୨ ତାରିଖ ସୁଦ୍ଧା ଭୁବନେଶ୍ୱର, କଟକ ଏବଂ ପୁରୀ ବଡ଼ଦାଣ୍ଡକୁ ବିଜୁଳି ସଂଯୋଗ ଦିଆଯିବ ବୋଲି ସରକାର ଯେଉଁ ବାହାସ୍ଫୋଟ ମାରିଥିଲେ ତାହା ଏବେ ଡାହା ମିଛରେ ପରିଣତ ହୋଇଛି। ପୁରୀକୁ ବିଭିନ୍ନ ସ୍ଥାନରୁ ଆସି ପହଞ୍ଚୁଥିବା ରିଲିଫ୍‌ ସାମଗ୍ରୀକୁ ଠିକ୍ ଭାବରେ ବାଣ୍ଟିବା ପାଇଁ ଯେଉଁଭଳି ଭାବରେ ମାନବସମ୍ବଳକୁ ଉପଯୋଗ କରାଯିବା କଥା ତାହା ହେଉନାହିଁ ଏବଂ ସରକାରୀ ଅଧିକାରୀମାନେ ଏ ନେଇ ନୀରବତା ଅବଲମ୍ବନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ମୁଖପାତ୍ର କହିଛନ୍ତି। ବାତ୍ୟା କ୍ଷତିଗ୍ରସ୍ତ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଯେଉଁ ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ ସରକାର ସେହି ଗ୍ରାମକୁ କିଭଳି ରିଲିଫ୍ ସାମଗ୍ରୀ ପଠାଉଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି।

ଖାଲି ବାତ୍ୟା କ୍ଷତିଗ୍ରସ୍ତ ଜିଲ୍ଳା ନୁହେଁ, ବରଂ ସମଗ୍ର ଓଡ଼ିଶାର ଗ୍ରାମାଞ୍ଚଳରେ ଦୀର୍ଘଦିନ ଧରି ଅଚଳ ହୋଇପଡ଼ିଥିବା ଗଭୀର ନଳକୂପକୁ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କରାଯିବାର ଅତ୍ୟନ୍ତ ଆବଶ୍ୟକତା ରହିଛି। ସେହିପରି ସରକାରଙ୍କ ରାଜସ୍ୱ ବିଭାଗ ଓ ଜଙ୍ଗଲ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁ ରାସ୍ତା ଉପରେ ଉପୁଡ଼ି ପଡ଼ିଥିବା ହଜାର ହଜାର ସଂଖ୍ୟାର ଗଛ କାଟି ସଫା କରିବାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଲାଗିରହିଛି ଓ ସଡ଼କ ଯୋଗାଯୋଗରେ ସୁଧାର ଆସିପାରୁନି ବୋଲି କଂଗ୍ରେସ ଅଭିଯୋଗ କରିଛି। ପ୍ରଭାବିତ ଲୋକଙ୍କ ପାଖରେ ସର୍ବନିମ୍ନ ରିଲିଫ୍‌ ସାମଗ୍ରୀ ପହଞ୍ଚି ପାରିନି। ପାନୀୟ ଜଳ, ବିଦ୍ୟୁତ ଯୋଗାଣ ଓ ରାସ୍ତାଘାଟକୁ ବ୍ୟବସ୍ଥିତ କରିବାରେ ସରକାରୀ ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଏହା ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳତାକୁ ସ୍ପଷ୍ଟ କରୁଛି ବୋଲି ବିଜେପି ଅଭିଯୋଗ କରିଛି। ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର ବାତ୍ୟା ପ୍ରଭାବିତ ଅନେକ ଲୋକଙ୍କ ପାଖରେ ଏପର୍ଯ୍ୟନ୍ତ ରନ୍ଧାଖାଦ୍ୟ କିମ୍ବା କୌଣସି ରିଲିଫ୍‌ ସାମଗ୍ରୀ ପହଞ୍ଚି ନାହିଁ ବୋଲି ଅଭିଯୋଗ କରିଛନ୍ତି। ବିଜେପିର ଏକ ପ୍ରତିନିଧି ଦଳ ନିକଟରେ ପୁରୀ ଜିଲ୍ଲାର କଣାସ ଓ ସତ୍ୟବାଦୀ ବ୍ଲକ ପରିଦର୍ଶନ କରିବା ବେଳେ କ୍ଷତିଗ୍ରସ୍ତ ଲୋକମାନଙ୍କଠୁ ଏହା ଜାଣିବାକୁ ପାଇଥିଲେ। ପ୍ରଳୟଙ୍କରୀ ବାତ୍ୟାରେ ଚାଳଘର ଓ ଆଜବେଷ୍ଟସ ଘର ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା ପ୍ରଭାବିତ ଲୋକେ ଖୋଲା ଆକାଶ ତଳେ ପିଲାଛୁଆଙ୍କ ସହ ଦୁର୍ଦ୍ଦଶା ମଧ୍ୟରେ ଜୀବନ ବିତାଉଛନ୍ତି। ଭାଙ୍ଗି ଯାଇଥିବା ଘରକୁ ସଜାଡ଼ିବା ପାଇଁ ସାମାନ୍ୟ ପଲିଥିନ ନାହିଁ। ଏପରିକି ପାନୀୟ ଜଳ ପାଇଁ ଲୋକେ ସଂଗ୍ରାମ କରୁଛନ୍ତି। ଅଳ୍ପ କେତୋଟି ସ୍ଥାନରେ ଚୁଡ଼ା ୩୦୦ ଗ୍ରାମ ଏବଂ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ଏହା ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନାରେ ସଂପୂର୍ଣ୍ଣ ବିଫଳତାକୁ ସ୍ପଷ୍ଟ କରିଛି ବୋଲି ବିଜେପି ଅଭିଯୋଗ କରିଛି।

କେନ୍ଦ୍ରୀୟ ପାଣିପାଗ ବିଭାଗ ୭ ଦିନ ପୂର୍ବରୁ ବାତ୍ୟା ଆସିବା ନେଇ ଚେତାବନୀ ଦେଇଥିଲା। କିନ୍ତୁ ରାଜ୍ୟ ସରକାର ଏବଂ ରାଜ୍ୟ ପ୍ରଶାସନ ନିର୍ବାଚନ ଶେଷ ହେବା ପରେ ଆଉ କୌଣସି କର୍ତ୍ତବ୍ୟ ନ ଥିବା ମନେକରି ଶୋଇପଡ଼ିଲେ, ଆଉ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବାକୁ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କଲେ ନାହିଁ। ଲୋକଙ୍କୁ ସ୍ଥାନାନ୍ତର କରିବା କହି ବାହାବା ନେଇଥିବା ରାଜ୍ୟ ସରକାର ବାତ୍ୟା ବିପନ୍ନମାନଙ୍କୁ ସାହାଯ୍ୟ କରିବାରେ ସଂପୂର୍ଣ୍ଣ ଭାବେ ଫେଲ୍‌ ମାରିଛନ୍ତି। ବାତ୍ୟାର ୧୩ ଦିନ ପରେ ମଧ୍ୟ ଲୋକଙ୍କୁ ପିଇବା ପାଣି ମିଳୁନାହିଁ। ଅନେକ ଜାଗାରେ ବିଦ୍ୟୁତ ସଂଯୋଗ ନାହିଁ, ଖାଦ୍ୟ ନାହିଁ ଏବଂ ଆଶ୍ରୟ ପାଇଁ କୌଣସି ପଲିଥିନ ବି ଦିଆଯାଇନି। ବିଜେଡି ନେତା ତଥା ମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ପ୍ରମିଳା ମଲ୍ଲିକ ନିଜ ଦେଲିଆ କର୍ମୀଙ୍କୁ ରିଲିଫ୍‌ ଯୋଗାଣ ଉପରେ ଗୁରୁତ୍ୱ ଦେଉଥିବାରୁ ଶହଶହ ଲୋକ ପିଇବାପାଣି, ମହମବତୀ ଓ ମୁଠାଏ ଚୁଡା ପାଇବାରୁ ବଞ୍ଚିତ ହୋଇଛନ୍ତି। ବାତ୍ୟା ପରବର୍ତ୍ତୀ ବଜାରରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି। କଳାବଜାରିଙ୍କୁ ଧରିବାରେ ହାତ ଟେକିଦେଇଛି ବିଜେଡି ସରକାର। ବାତ୍ୟା ପରିଚାଳନାରେ ନବୀନ ଯେ ଆଉ ନମ୍ବର ୧ ନୁହନ୍ତି ଏହା ‘ଫୋନି’ ପ୍ରମାଣିତ କରିଦେଇ ଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।