ଛତିଶଗଡ଼ରେ ଉତ୍କଟ ଜଳ ସଙ୍କଟ: ମାଠିଏରୁ ଅଧିକ ପାଣି ଦେଲେ ଦଣ୍ଡ


ରାୟପୁର: ବର୍ତ୍ତମାନ ଗ୍ରୀଷ୍ମୠତୁରେ ଜଳ ସଙ୍କଟ ପ୍ରାୟତଃ ସବୁ ଜାଗାରେ ଦେଖାଯାଉଛି। ପାଣି ମୁନ୍ଦେ ପାଇଁ ଜନସାଧାରଣ ଡହଳବିକଳ ହେଉଛନ୍ତି। ସ୍ଥାନୀୟ ସରକାରଙ୍କ ପକ୍ଷରୁ ଉତ୍କଟ ଜଳ ସମସ୍ୟା ଦୂର କରିବା ନେଇ ସମସ୍ତ ପ୍ରକାର ପ୍ରତିଶ୍ରୁତି ଦିଆଯାଉଛି। ପ୍ରତିଶ୍ରୁତି ପୂରଣ ନ କରି ବି ଜନପ୍ରତିନିଧିମାନେ ସେମାନଙ୍କ ଦାୟିତ୍ବ ସଠିକ୍‌ ଭାବେ ତୁଲାଉଥିବା ନେଇ ପ୍ରଚାର ପ୍ରସାର ମଧ୍ୟ କରୁଛନ୍ତି। ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ବିନା ଜଳରେ ଜୀବନ କିପରି ହେବ, ତାହା ଭାବିଲା ବେଳକୁ ଆମ ଲୋମମୂଳ ଟାଙ୍କୁରି ଉଠେ। କିନ୍ତୁ ଛତିଶଗଡ଼ରେ ଏବେ ଲୋକଙ୍କ ଅବସ୍ଥା ଏପରି ହୋଇଛି ଯେ ସେମାନେ ବୁନ୍ଦେ ବୁନ୍ଦେ ପାଣି ପାଇଁ ମଧ୍ୟ ବିକଳ ହେଉଛନ୍ତି। ଏକାଧିକ ସ୍ଥାନରେ ଜଳ ବଣ୍ଟନ ନେଇ ବିଚିତ୍ର ବ୍ୟବସ୍ଥା ମଧ୍ୟ ହୋଇଛି। ଏପରିକି ଗୋଟିଏ ମାଠିଆ ପାଣିରେ ଦିନଯାକ କାଟିବା ସକାଶେ ନିର୍ଦେଶ ଦିଆଯାଉଛି। ମାଠିଏ ପାଣିରୁ ଊର୍ଦ୍ଧ୍ବ ନେଲେ ଦଣ୍ଡ ସ୍ବରୂପ ଜରିମାନା ବି ଦେବାକୁ ପଡ଼ୁଛି।

ଏପରି ଏକ ସୂଚନାକୁ ଗ୍ରହଣ କରିବା ଅବଶ୍ୟ ସହଜ ନୁହେଁ। ଏହା କୌଣସି କାହାଣୀ କିମ୍ବା କପୋଳକଳ୍ପିତ ସୂଚନା ବୋଲି ମଧ୍ୟ ଅନେକ ଭାବିପାରନ୍ତି। କିନ୍ତୁ ଛତିଶଗଡ଼ର ଦକ୍ଷିଣ ଦିଗରେ ରହିଥିବା ବସ୍ତର ଜିଲ୍ଲାରେ ଡଜନେରୁ ଊର୍ଦ୍ଧ୍ବ ଗାଁର ବାସିନ୍ଦାଙ୍କୁ ବର୍ତ୍ତମାନ ସମୟରେ ଏପରି ଅବସ୍ଥା ଭୋଗିବାକୁ ପଡ଼ୁଛି। ଏଠାକାର ବାସିନ୍ଦାମାନଙ୍କୁ ବୁନ୍ଦେ ବୁନ୍ଦେ ପାଣି ପାଇଁ ମଧ୍ୟ ବିକଳ ହେବାକୁ ପଡ଼ୁଛି। ପାଣିର ଦୁରୂପଯୋଗ ରୋକିବା ସକାଶେ ଗ୍ରାମ ପଞ୍ଚାୟତ ପକ୍ଷରୁ ଫରମାନ୍‌ ମଧ୍ୟ ଜାରି ହୋଇଛି। ପ୍ରତି ପରିବାର ପିଛା ଦିନକୁ ମାଠିଆଏ ପାଣି ଦେବାର ନିୟମ ହୋଇଛି। ଆଉ ଯିଏ ଏହି ନିୟମ ଉଲ୍ଲଙ୍ଘନ କରିବ, ତାକୁ ଜୋରିମାନା ଦେବାକୁ ପଡ଼ିବ। ଏପରି ନିୟମ ବୋଧହୁଏ ଦେଶର ଅନ୍ୟ କୌଣସି ଭାଗରେ ଦେଖିବାକୁ ମିଳିବ ନାହିଁ। ସାଧାରଣତଃ ବସ୍ତର ଦେଶରେ ନକ୍ସଲ ସମସ୍ୟା ପାଇଁ ପରିଚିତ ରହିଛି। କିନ୍ତୁ ଏବେ ଏହି ଜିଲ୍ଲା ଏକ ଭିନ୍ନ କାରଣ ପାଇଁ ମଧ୍ୟ ଦେଶବାସୀଙ୍କ ନଜରରେ ରହିବା ନିଶ୍ଚିତ।

ବସ୍ତର ଜିଲ୍ଲାର ଦରଭା ବ୍ଲକ୍‌ କାର୍ଯ୍ୟାଳୟଠାରୁ ପାଖାପାଖି ୩୦ କିମି ଦୂରବର୍ତ୍ତୀ ଲେଣ୍ଡ୍ରି ଗ୍ରାମରେ ପାଣିର ଦୁରୂପଯୋଗ ରୋକିବା ସକାଶେ ଏପରି ବିଚିତ୍ର ଆଇନ ହୋଇଛି। ଗୋଟିଏ ମାଠିଆରୁ ଅଧିକ ପାଣି ନେଲେ ବାଲ୍‌ଟି କିମ୍ବା ମାଠିଆ ପିଛା ୫୦ ଟଙ୍କା ଲେଖାଏଁ ଜରିମାନା ଦେବାର ନିୟମ ରହିଛି। ଅବଶ୍ୟ ଅଦ୍ୟାବଧି କେହି ବି ଜରିମାନା ଦେଇନାହାନ୍ତି। କିନ୍ତୁ ଏହାଦ୍ବାରା ପାଣିର ଅପବ୍ୟବହାର ନିଶ୍ଚିତ ଭାବେ ହ୍ରାସ ହୋଇଛି। ଜରିମାନା ଭୟରେ ଲୋକମାନେ ପାଣିର ଅପବ୍ୟବହାର କରୁନାହାନ୍ତି। ଗ୍ରାମର ମଧ୍ୟ ଭାଗରେ ଏକ ଟାଙ୍କି ରହିଛି, ଯେଉଁଥିରୁ ଲୋକମାନେ ପାଣି ନେଉଛନ୍ତି। କିନ୍ତୁ ସେଠାରେ ଏକ ନୋଟିସ୍‌ ଲଗାଯାଇଛି ଓ ଅଧିକ ପାଣି ନେଲେ ଜରିମାନା ଭରିବାକୁ ପଡ଼ିବ ବୋଲି ନିର୍ଦେଶ ରହିଛି। ତେବେ ଦେଶର ସିଂହଭାଗ ଅଞ୍ଚଳରେ ଜଳର ଉତ୍ସ କ୍ରମଶଃ କମୁଥିବାରୁ ଆଗାମୀ ଦିନରେ ସବୁ ଭାଗରେ ବସ୍ତରର ଏହି ଡଜେନ ଗ୍ରାମର ଅବସ୍ଥା ଦେଖିବାକୁ ମିଳିବ, ଏହା କହିଲେ ବୋଧହୁଏ ଅତ୍ୟୁକ୍ତି ହେବନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।