ଗଡ଼ ଛାଡ଼ିବାକୁ ଦିଦି ନାରାଜ: ଗଣତନ୍ତ୍ର ଗଡ଼ ଗଡ଼


ନୂଆଦିଲ୍ଲୀ: କୌଣସି ଗଣତାନ୍ତ୍ରିକ ଦେଶ ପରିଚାଳନା ସକାଶେ ରାଜନୀତି ଏକମାତ୍ର ମାଧ୍ୟମ ହୋଇଥିବା ବେଳେ ନିର୍ବାଚନ ମାଧ୍ୟମରେ ଦେଶର ଗଣ ସେମାନଙ୍କ ପ୍ରତିନିଧି ବାଛିଥାନ୍ତି। ଦେଶ ସ୍ବାଧୀନତା ଲାଭ କରିବା ପରେ ଦେଶବାସୀ ବେଡ଼ି ପୀଡ଼ାରୁ ରକ୍ଷା ପାଇଥିଲେ ଓ ଖୋଲା ଆକାଶ ତଳେ ଶାନ୍ତିରେ ନିଃଶ୍ବାସ ମାରିଥିଲେ। ସେମାନେ ଭାବିନେଇଥିଲେ ଯେ ଆମେ ନିଜକୁ ନିଜେ ଶାସନ କରିବୁ। ତେଣୁ ଦେଶ ନିଶ୍ଚିତ ଭାବେ ସ୍ବର୍ଣ୍ଣପ୍ରସୂ ହେବ ଓ ସମସ୍ତେ ସୁଖରେ ରହିବେ। କିନ୍ତୁ ସମୟ କ୍ରମେ ଏହି ଚିନ୍ତାଧାରା ଉପରେ ଅଙ୍କୁଶ ଲାଗିଆସିଛି ଓ ରାଜନୀତିରେ ସକ୍ରିୟ ଥିବା ନେତାମାନେ ନିଜର ବିକାଶରେ ହିଁ ଦେଶର ବିକାଶ ବୋଲି ଧରିନେଇଛନ୍ତି। ତେଣୁ କ୍ଷମତା ଦଖଲ ବର୍ତ୍ତମାନ ସମୟରେ ରାଜନୀତିର ଏକମାତ୍ର ଉଦ୍ଦେଶ୍ୟ ଓ ଏଥିପାଇଁ କଳ ବଳ କୌଶଳ ସବୁକିଛି ଲଗାଇଦେବା ସକାଶେ ସମସ୍ତେ ଆଗଭର। ନ୍ୟାୟ ହେଉ କି ଅନ୍ୟାୟ, ଜୀବନ ରହୁ କି ଜୀବନ ଚାଲିଯାଉ, କେବଳ କ୍ଷମତା ଦରକାର, ଏହା ହିଁ ବର୍ତ୍ତମାନ ରାଜନୀତିର ଏକମାତ୍ର ଉଦ୍ଦେଶ୍ୟ ପାଲଟିଯାଇଛି। ପଶ୍ଚିମବଙ୍ଗରେ ବର୍ତ୍ତମାନ ସମୟରେ ଯେପରି ହିଂସାକାଣ୍ଡ ଜାରି ରହିଛି, ତାହା ଏପରି କିଛି କହୁଥିବାର ପ୍ରତୀୟମାନ ହୁଏ।

ପଶ୍ଚିମବଙ୍ଗରେ ଲଗାତର ଦୁଇ ଥର ମୁଖ୍ୟମନ୍ତ୍ରୀ ରହିଥିବା ମମତା ବାନାର୍ଜୀ ଜଣେ ପ୍ରଭାବଶାଳୀ ନେତ୍ରୀ ଭାବେ ବେଶ୍‌ ପରିଚିତ। ତୃଣମୂଳ କଂଗ୍ରେସର ମୁଖ୍ୟ ଥିବା ମମତା ପୂର୍ବରୁ ୟୁପିଏ ସରକାର ସହ ମେଣ୍ଟ କରି କେନ୍ଦ୍ରରେ କୋଇଲା ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ତେବେ ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରେ ମମତା ବିଶେଷ ଭାବେ ବିଜେପି ବିରୋଧୀ ହୋଇଯାଇଛନ୍ତି। ଗତ ୨୦୧୧ରେ ମମତାଙ୍କ ଟିଏମ୍‌ସି ଏକକ ବହୁମତ ପାଇବା ପରେ ପଶ୍ଚିମବଙ୍ଗରେ ବାମ ଦଳର ୩୪ ବର୍ଷର ଆଧିପତ୍ୟରେ ପୂର୍ଣ୍ଣଚ୍ଛେଦ ଲାଗିଥିଲା। ୨୦୧୬ରେ ମଧ୍ୟ ତାଙ୍କ ଦଳ ୨୯୫ ଆସନରୁ ୨୧୧ଟି ଆସନ ହାତେଇ କ୍ଷମତା ନିଜ ହାତରେ ରଖିପାରିଛି। ଅଦ୍ୟାବଧି ପଶ୍ଚିମବଙ୍ଗରେ ବିଜେପିର ଖାତାଖତିଆନ୍‌ ନ ଥିଲେ ହେଁ ଚଳିତ ଲୋକସଭା ନିର୍ବାଚନରେ ଏହି ଜାତୀୟ ଦଳ ତା’ର ଉପସ୍ଥିତି ଜାହିର୍‌ କରିବାରେ ସକ୍ଷମ ହେବା ପ୍ରତୀୟମାନ ହେଉଛି। ପଶ୍ଚିମବଙ୍ଗବାସୀ ମମତାଙ୍କ ସ୍ବେଚ୍ଛାଚାରୀ ଶାସନ ପ୍ରତିବାଦରେ ବିଜେପିକୁ କ୍ଷମତାକୁ ଆଣିବେ ବୋଲି ଏହି ଦଳ ଆଶା ରଖିଛି। ସେଥିପାଇଁ ଦଳ ଯତ୍‌ପରୋନାସ୍ତି ଉଦ୍ୟମ ମଧ୍ୟ ଚଳାଇଛି। କିନ୍ତୁ ମମତା ଏହି ଦଳକୁ କୌଣସି ପ୍ରକାରେ ପଶ୍ଚିମବଙ୍ଗରେ ପ୍ରବେଶ କରିବାର ସୁଯୋଗ ନ ଦେବା ସକାଶେ ହିଂସାତ୍ମକ ଘଟଣାର ସହାୟତା ମଧ୍ୟ ନେଉଥିବା ଅଭିଯୋଗ ହେଉଛି।

ମମତା ନିୟମିତ ଭାବେ ବିଜେପିର ତାରକା ନେତାମାନଙ୍କୁ ପଶ୍ଚିମବଙ୍ଗରେ ପ୍ରଚାର କରିବାରୁ ରୋକିଆସିଛନ୍ତି। ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ବିମାନ ଅବତରଣ କରିବାର ସୁଯୋଗ ନ ଦେବା, ଏପରିକି ରାଲି ପାଇଁ ଅନୁମତି ନ ଦେବା ସକାଶେ କୋର୍ଟଙ୍କ ଆଶ୍ରୟ ନେବା ପରି ପଦକ୍ଷେପ ମଧ୍ୟ ମମତା ନେଇଛନ୍ତି। କିନ୍ତୁ ସବୁ ପ୍ରକାର ବିରୋଧ ସତ୍ତ୍ବେ ପଶ୍ଚିମବଙ୍ଗର ଅନେକ ଗୁରୁତ୍ବପୂର୍ଣ୍ଣ ନିର୍ବାଚନମଣ୍ଡଳୀରେ ପ୍ରଧାନମନ୍ତ୍ରୀ ମୋଦି ଓ ଶାହ ପ୍ରଚାର କରି ମମତାଙ୍କ ନେତୃତ୍ବକୁ ସମାଲୋଚନା କରିବା ସହ ବିଜେପି ଯେଉଁଠି ବିକାଶ ସେଇଠି ଧାରଣା ଦୃଢ଼ କରିବା ସକାଶେ ଉଦ୍ୟମ କରିଛନ୍ତି। କିନ୍ତୁ ଟିଏମ୍‌ସି ମୁଖ୍ୟ ମମତାଙ୍କ ବ୍ୟତୀତ ଦଳର କର୍ମୀମାନେ ନିୟମିତ ଭାବେ ବିଜେପି କର୍ମୀମାନଙ୍କୁ ଆକ୍ରମଣ କରୁଛନ୍ତି। ଫଳରେ ହିଂସାକାଣ୍ଡ ସୃଷ୍ଟି ହେଉଛି ଓ ଅକାଳରେ ଜୀବନ ମଧ୍ୟ ବରବାଦ ହେଉଛି। ଚଳିତ ଲୋକସଭା ନିର୍ବାଚନରେ ଅଦ୍ୟାବଧି ୬ଟି ପର୍ଯ୍ୟାୟ ଶେଷ ହୋଇସାରିଥିବା ବେଳେ ଯେତେବେଳେ ବି ପଶ୍ଚିମବଙ୍ଗରେ ଭୋଟ୍‌ ହୋଇଛି, ସେତେବେଳେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ମାରପିଟ୍‌, ହଣାକଟା ହୋଇଛି। କେନ୍ଦ୍ର ମନ୍ତ୍ରୀ ବାବୁଲ୍‌ ସୁପ୍ରିୟୋ ଓ ପ୍ରଦେଶ ବିଜେପି ସଭାପତି ଦିଲ୍ଲୀପ ଘୋଷଙ୍କ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ସେମାନଙ୍କୁ ମଧ୍ୟ ଆକ୍ରମଣ ହୋଇଛି। କିନ୍ତୁ ମଙ୍ଗଳବାର ଶାହଙ୍କ ରୋଡ୍‌ ଶୋ’ ବେଳେ ଟିଏମ୍‌ସି କର୍ମୀଙ୍କ ଉତ୍ପାତ ସବୁ ସୀମାକୁ ଟପିଯାଇଛି।

ଗୋଟିଏ ପଟେ ପଶ୍ଚିମବଙ୍ଗରେ ନିର୍ବାଚନ ପରିଚାଳନା ଦାୟିତ୍ବ କେନ୍ଦ୍ରୀୟ ବଳ ହାତରେ ନ୍ୟସ୍ତ ଥିବାରୁ ଏହା ମମତାଙ୍କ ପାଇଁ ଅସହ୍ୟ ହୋଇଛି। ବର୍ତ୍ତମାନ ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ସୁରକ୍ଷା ବଳର ୭୧୩ କମ୍ପାନୀ ଓ ସମୁଦାୟ ୭୧ ହଜାର ସୁରକ୍ଷାକର୍ମୀ ମୁତୟନ ରହିଛନ୍ତି। ଅଦ୍ୟାବଧି କୌଣସି ରାଜ୍ୟରେ ନିର୍ବାଚନ ପରିଚାଳନା ସକାଶେ ଶତ ପ୍ରତିଶତ କେନ୍ଦ୍ରୀୟ ସୁରକ୍ଷା ବଳର ଉପଯୋଗ କରାଯାଇ ନ ଥିଲା। କିନ୍ତୁ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଘଟଣା ଏତେ ମାତ୍ରାରେ ବଢ଼ିଯାଇଛି ଯେ କେନ୍ଦ୍ର ସରକାରଙ୍କୁ ଏପରି ପଦକ୍ଷେପ ନେବାକୁ ପଡ଼ିଛି। ବିଜେପିକୁ ୨୦୧୯ରେ ଦିଲ୍ଲୀ ଦରବାରଠାରୁ ଦୂରେଇ ରଖିବା ଉଦ୍ଦେଶ୍ୟ ନେଇ ମହାମେଣ୍ଟ ଗଠନ ହୋଇଛି ଓ ଏଥିରେ ମମତାଙ୍କ ଭୂମିକା ପ୍ରମୁଖ ରହିଛି। କେନ୍ଦ୍ରରେ ମହାମେଣ୍ଟ ସରକାର ଗଠନ କଲେ, ପ୍ରଧାନମନ୍ତ୍ରୀ ପଦ ପାଇଁ ମମତା ଅନ୍ୟତମ ଦୃଢ଼ ଦାବିଦାର। ତେଣୁ ପଶ୍ଚିମବଙ୍ଗରେ ବିଜେପିକୁ ପ୍ରବେଶ କରାଇ ନ ଦେଇ ତାଙ୍କ ଦଳ ଯେପରି ଅଧିକରୁ ଅଧିକ ସାଂସଦ ସିଟ୍‌ ହାସଲ କରିବ, ତାହା ବର୍ତ୍ତମାନ ମମତାଙ୍କ ପ୍ରମୁଖ ଲକ୍ଷ୍ୟ। ପଶ୍ଚିମବଙ୍ଗରେ ନିଜ ଗଡ଼ରେ କାହାକୁ ବି ପ୍ରବେଶ କରାଇ ନ ଦେବା ସହ କେନ୍ଦ୍ରରେ ବିଜେପିକୁ ଗଡ଼ାଇବା ପାଇଁ ମମତା ହିଂସାକାଣ୍ଡର ଆଶ୍ରୟ ନେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଆସୁଛି। କିନ୍ତୁ ଏହାଦ୍ବାରା ଗଣତାନ୍ତ୍ରିକ ବ୍ୟବସ୍ଥା ଯେ ଗଡ଼ ଗଡ଼ ହୋଇଯାଉଛି, ତାହା  ପ୍ରତି କେହି ବି ନଜର ଦେଉନାହାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?