୩ୟ ଦିନିକିଆରେ ବେୟାର୍‌ଷ୍ଟୋଙ୍କ ଶତକ: ଇଂଲଣ୍ଡକୁ ଅପରାଜେୟ ଅଗ୍ରଣୀ


ଚଳିତ ପାକିସ୍ତାନ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଘରୋଇ ଇଂଲଣ୍ଡ ଦଳ ୨-୦ ଅପରାଜେୟ ଅଗ୍ରଣୀ ଲାଭ କରିଛି। ତୃତୀୟ ଦିନିକିଆ ମଙ୍ଗଳବାର ଏଠାରେ ଖେଳାଯାଇଥିବା ବେଳେ ଏଥିରେ ଇଂଲଣ୍ଡ ଓପନର ଜନ୍ନି ବେୟାର୍‌ଷ୍ଟୋଙ୍କ ଶତକୀୟ ଇନିଂସକୁ ଆଧାର କରି ୬ ୱିକେଟ୍‌ରେ ବିଜୟୀ ହୋଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲେ ହେଁ ପାକିସ୍ତାନ ୯ ୱିକେଟ୍‌ ବିନିମୟରେ ୩୫୮ର ବିଶାଳ ସ୍କୋର୍‌ କରିଥିଲା। ଓପନର ଇମାମ୍‌ ଉଲ୍‌ ହକ୍‌ ୧୫୧ ରନ୍‌ର ଜବରଦସ୍ତ ଇନିଂସ ଖେଳିଥିଲେ ହେଁ ଇଂଲଣ୍ଡ ମାତ୍ର ୪ ୱିକେଟ୍‌ ହରାଇ ୩୧ଟି ବଲ୍‌ ବାକି ଥିବା ବେଳେ ବିଜୟୀ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ବେୟାର୍‌ଷ୍ଟୋଙ୍କ ବ୍ୟତୀତ ତାଙ୍କ ଓପନିଂ ଯୋଡ଼ିଦାର ଜେସନ୍‌ ରୟ ୭୬, ମୋଇନ୍‌ ଅଲୀ ଅପରାଜିତ ୪୬ ଓ ଜୋ ରୁଟ୍‌ ୪୩ ରନ୍‌ କରି ଦଳର ବିଜୟକୁ ବେଶ୍‌ ସହଜ କରିଥିଲେ। ୯୩ ବଲ୍‌ ଖେଳି ୧୫ ଚୌକା ଓ ୫ ଛକା ସହାୟତାରେ ୧୨୮ ରନ୍‌ କରିଥିବା ବେୟାର୍‌ଷ୍ଟୋ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଛନ୍ତି।

ପାକିସ୍ତାନ ଓପନର ଫାଖର୍‌ ଜମାନ୍‌ (୨) ଓ ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ୍‌ ବାବର୍‌ ଆଜମ୍‌ (୧୫)ଙ୍କୁ ସଅଳ ହରାଇଥିଲେ ମଧ୍ୟ ତୃତୀୟ ୱିକେଟ୍‌ ପାଇଁ ଇମାମ୍‌ ଓ ହ୍ୟାରିସ୍‌ ସୋହେଲ୍‌ଙ୍କ ମଧ୍ୟରେ ୬୮ ରନ୍‌ର ଭାଗିଦାରୀ ହୋଇଥିଲା। ସୋହେଲ୍‌ ୭ ଚୌକା ସହ ୪୧ ରନ୍‌ କରି ଆଉଟ୍‌ ହେବା ପରେ ଅଧିନାୟକ ସର୍ଫରାଜ ଅହମଦଙ୍କ ସହ ଇମାମ୍‌ ୬୭ ରନ୍‌ ଯୋଡ଼ିଥିଲେ। ସର୍ଫରାଜ ୨୭ ରନ୍‌ କରି ଆଉଟ୍‌ ହେବା ପରେ ଇମାମ୍‌ ଆଉ ଏକ ବଡ଼ ଭାଗିଦାରୀ କରିଥିଲେ। ପଞ୍ଚମ ୱିକେଟ୍‌ରେ ସେ ଓ ଆସିଫ୍ ଅଲୀ ୧୨୫ ରନ୍‌ ଯୋଡ଼ିବା ଫଳରେ ପାକିସ୍ତାନ ବିଶାଳ ସ୍କୋର୍‌ ଅଭିମୁଖେ ଆଗେଇଥିଲା। ଆସିଫ୍‌ ୪୩ ବଲ୍‌ ଖେଳି ୨ଟି ଚୌକା ଓ ୩ଟି ଛକା ସହ ୫୨ ରନ୍‌ କରି ବିଦାୟ ନେବା ପରେ ଇମାମ୍‌ ଦଳୀୟ ସ୍କୋର୍‌କୁ ୩ ଶହ ଅତିକ୍ରମ କରାଇବା ପରେ ଆଉଟ୍‌ ହୋଇଥିଲେ। ତାଙ୍କ ମାରାଥନ୍‌ ଇନିଂସରେ ସେ ୧୩୧ ବଲ୍‌ ଖେଳିବା ସହ ୧୬ଟି ଚୌକା ଓ ଗୋଟିଏ ଛକା ଲଗାଇଥିଲେ। ଏହାଛଡ଼ା ଇମାଦ୍‌ ୱାସିମ୍‌ ୧୨ ବଲ୍‌ରେ ୪ ଚୌକା ସହ ୨୨, ଫହିମ୍‌ ଅଶରଫ୍ ୧୧ ବଲ୍‌ରେ ଗୋଟିଏ ଚୌକା ସହ ୧୩, ହସନ୍‌ ଅଲୀ ୯ ବଲ୍‌ରେ ୧ ଚୌକା ଓ ୨ଟି ଛକା ସହ ୧୮ ରନ୍‌ କରିବା ଫଳରେ ଘରୋଇ ଦଳ ଆଗରେ ୩୫୯ ରନ୍‌ର ବଡ଼ ଟାର୍ଗେଟ୍‌ ରହିଥିଲା। ଇଂଲଣ୍ଡ ପକ୍ଷରୁ କ୍ରିସ୍‌ ଓକ୍ସ ୪ଟି ଓ ଟମ୍ କୁରାନ୍‌ ୨ଟି ୱିକେଟ୍‌ ନେଇଥିଲେ।

ଜବାବରେ ଇଂଲଣ୍ଡର ଦୁଇ ଓପନର ବେୟାର୍‌ଷ୍ଟୋ ଓ ରୟ ଧୂଆଁଧାର ପ୍ରାରମ୍ଭ କରିଥିଲେ। ଉଭୟ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରି ଦଳୀୟ ସ୍କୋର୍‌କୁ ୧୫୯ରେ ପହଞ୍ଚଇଥିଲେ। ଇତି ମଧ୍ୟରେ ଉଭୟ ବ୍ୟାଟ୍ସମ୍ୟାନ୍‌ ସେମାନଙ୍କ ଅର୍ଦ୍ଧଶତକ ପୂରଣ କରିଥିଲେ। ରୟ ବ୍ୟକ୍ତିଗତ ଭାବେ ୫୫ ବଲ୍‌ରେ ୮ ଚୌକା ଓ ୪ ଛକା ସହ ୭୬ ରନ୍‌ କରି ଆଉଟ୍‌ ହେବା ପରେ ବେୟାର୍‌ଷ୍ଟୋ ଦ୍ବିତୀୟ ୱିକେଟ୍‌ ପାଇଁ ରୁଟ୍‌ଙ୍କ ସହ ୭୫ ରନ୍‌ର ଭାଗିଦାରୀ କରିଥିଲେ। ବେୟାର୍‌ଷ୍ଟୋ ଆଉଟ୍‌ ହେବା ପରେ ଅଲ୍‌ରାଉଣ୍ଡର୍‌ ବେନ୍‌ ଷ୍ଟୋକ୍ସ ୨ଟି ଲେଖାଏଁ ଚୌକା ଓ ଛକା ସହ ୩୭ ରନ୍‌ କରିଥିଲେ। ପରେ ଅଧିନାୟକ ଇଅନ୍‌ ମୋର୍ଗାନ୍‌ ଓ ମୋଇନ୍‌ ପଞ୍ଚମ ୱିକେଟ୍‌ ପାଇଁ ଅବିଭାଜିତ ୩୫ ରନ୍‌ର ଭାଗିଦାରୀ କରିବା ସହ ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ। ପାକିସ୍ତାନ ପକ୍ଷରୁ ଜୁନୈଦ୍‌ ଖାନ୍‌, ଇମାଦ୍‌ ଓ ଫହିମ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଏହାଛଡ଼ା ଷ୍ଟୋକ୍ସ ରନ୍‌ଆଉଟ୍‌ ହୋଇଥିଲେ। ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ ଆସନ୍ତା ୧୭ ତାରିଖରେ ନଟ୍ଟିଂହାମ୍‌ଠାରେ ଖେଳାଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?