ଭାରତରେ ଗଣତନ୍ତ୍ରର ଗତି କୁଆଡ଼େ?


ଲୋକସଭା ନିର୍ବାଚନରେ ଧନସମ୍ପତ୍ତି ସହ ତାଳ ଦେଇ ବଢ଼ିଛି ଅପରାଧୀ ପ୍ରାର୍ଥୀ ସଂଖ୍ୟା
ନୂଆଦିଲ୍ଲୀ: ୧୯୪୭ ମସିହାରେ ଭାରତ ସ୍ବାଧୀନତା ଲାଭ କରିବା ପରେ ଡ. ଭୀମରାଓ ବାବା ସାହେବ ଆମ୍ବେଦକରଙ୍କ ଦ୍ବାରା ଦେଶର ସମ୍ବିଧାନ କାର୍ଯ୍ୟକାରୀ ହେଲା। ଦେଶ ଶାସନର ଦାୟିତ୍ବ ଦେଶବାସୀଙ୍କୁ ଦିଆଯାଇଥିଲା। କ୍ରମଶଃ ଦେଶ ବିଶ୍ବର ପ୍ରମୁଖ ଗଣତାନ୍ତ୍ରିକ ରାଷ୍ଟ୍ରର ମର୍ଯ୍ୟାଦା ପାଇଛି। ଦେଶବାସୀଙ୍କୁ ଶାସନ କରିବା ସକାଶେ ସେମାନଙ୍କ ଦ୍ବାରା ନିର୍ବାଚିତ ପ୍ରତିନିଧି ଲୋକସଭାରେ ପହଞ୍ଚି ସେମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବା ପାଇଁ ବ୍ରତୀ ହୋଇଛନ୍ତି। କିନ୍ତୁ ସ୍ବାଧୀନତାକୁ ୭୨ ବର୍ଷ ପୂରିବାକୁ ବସିଥିବା ବେଳେ ଦେଶର ଗଣତନ୍ତ୍ର କେଉଁ ଦିଗରେ ଅଗ୍ରସର ହେଉଛି ଓ ଭାରତରେ ଗଣତନ୍ତ୍ରର ଗତି କୁଆଡ଼େ ବୋଲି ଏକ ପ୍ରଶ୍ନ ସ୍ବତଃ ମନକୁ ଆସୁଛି। ତେବେ ଏପରି ଏକ ପ୍ରଶ୍ନର ଏକମାତ୍ର ଉତ୍ତର ହେଉଛି, ଦେଶକୁ ଗଣତନ୍ତ୍ର ଶାସନ ଦ୍ବାରା ଶାସିତ କରିବା ସକାଶେ ଯେଉଁମାନେ ସେମାନଙ୍କ ପ୍ରାଣବଳୀ ଦେଇଛନ୍ତି, ବର୍ତ୍ତମାନ ରାଜନୈତିକ ସ୍ଥିତି ଯେଉଁ ଅବସ୍ଥାରେ ପହଞ୍ଚିଛି, ସେମାନେ ସ୍ବପ୍ନରେ ବି ଏପରି ଆକଳନ କରି ନ ଥିବେ।

ରାଜନୀତିରେ କ୍ରମଶଃ ଅପରାଧ ପୃଷ୍ଠଭୂମି ସମ୍ବଳିତ ପ୍ରାର୍ଥୀମାନଙ୍କ ସଂଖ୍ୟା ବଢ଼ୁଥିବାରୁ ଦେଶର ଗଣତନ୍ତ୍ର ପ୍ରତି ସାଂଘାତିକ ବିପଦ ଘନେଇ ଆସିଛି। ବିଶେଷକରି ଗତ ୧୦ ବର୍ଷ ମଧ୍ୟରେ ଲୋକସଭା ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ସଂଖ୍ୟା ୪ ପ୍ରତିଶତ ବୃଦ୍ଧି ପାଇଛି। ୨୦୦୯ରେ ଯେଉଁମାନେ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ, ସେମାନଙ୍କ ମଧ୍ୟରୁ ୧୫ ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ବିଭିନ୍ନ ପ୍ରକାର ମାମଲା ରହିଥିଲା। ଚଳିତ ଲୋକସଭା ନିର୍ବାଚନରେ ପାଖାପାଖି ୮ ହଜାର ପ୍ରାର୍ଥୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୯ ପ୍ରତିଶତଙ୍କ ନାମରେ ଅପରାଧିକ ରେକର୍ଡ ରହିଛି। ଅର୍ଥାତ୍‌ ୫ ଭାଗରୁ ଭାଗେ ପ୍ରାର୍ଥୀ ବିଭିନ୍ନ ଅପରାଧ ଘଟାଇଛନ୍ତି। ଆସନ୍ତା ୧୯ ତାରିଖରେ ଚଳିତ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ସୋମବାର ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍‌) ପକ୍ଷରୁ ଅପରାଧ ପୃଷ୍ଠଭୂମି ସମ୍ବଳିତ ପ୍ରାର୍ଥୀ ଓ କୋଟିପତି ପ୍ରାର୍ଥୀଙ୍କ ସମ୍ପର୍କରେ ଦିଆଯାଇଥିବାରୁ ସୂଚନାରୁ ଏହା ଜଣାପଡ଼ିଛି।

ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କ ସଂଖ୍ୟା ସହ ତାଳ ଦେଇ ବଢ଼ିଚାଲିଛି କୋଟିପତି ପ୍ରାର୍ଥୀଙ୍କ ସଂଖ୍ୟା। ଅପରାଧ ପୃଷ୍ଠଭୂମି ପ୍ରାର୍ଥୀଙ୍କ ତୁଳନାରେ କୋଟିପତି ପ୍ରାର୍ଥୀଙ୍କ ସଂଖ୍ୟା ୧୦ ପ୍ରତିଶତ ଅଧିକ ରହିଛି। ଚଳିତ ଲୋକସଭା ନିର୍ବାଚନରେ ଅପରାଧୀ ତାଲିକାରେ ସାମିଲ୍‌ ହୋଇଥିବା ପ୍ରାର୍ଥୀଙ୍କ ସଂଖ୍ୟା ୧୯ ପ୍ରତିଶତ ରହିଥିବା ବେଳେ କୋଟିପତିଙ୍କ ସଂଖ୍ୟା ୨୯ ପ୍ରତିଶତ। ଏହି ୨୯ ପ୍ରତିଶତ ପ୍ରାର୍ଥୀଙ୍କ ପାଖରେ କୋଟିଏ କିମ୍ବା ତଦୂର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ରହିଛି ବୋଲି ସେମାନେ ନିର୍ବାଚନ କମିଶନ୍‌ (ଇସି)ଙ୍କଠାରେ ଦାଖଲ କରିଥିବା ସତ୍ୟପାଠରୁ ଜଣାପଡ଼ିଛି। ଗତ ୧୦ ବର୍ଷ ମଧ୍ୟରେ କୋଟିପତି ପ୍ରାର୍ଥୀଙ୍କ ସଂଖ୍ୟାରେ ୧୩ ପ୍ରତିଶତ ବୃଦ୍ଧି ଘଟିଛି। ୨୦୦୯ରେ ସମୁଦାୟ ପ୍ରାର୍ଥୀଙ୍କ ମଧ୍ୟରୁ ୧୬ ପ୍ରତିଶତ କୋଟିପତି ରହିଥିଲେ। ଚଳିତ ନିର୍ବାଚନରେ ଏହା ୧୩ ପ୍ରତିଶତ ବୃଦ୍ଧି ପାଇ ୨୯ ପ୍ରତିଶତରେ ପହଞ୍ଚିଛି। ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସର ସମୁଦାୟ ପ୍ରାର୍ଥୀଙ୍କ ମଧ୍ୟରୁ ୮୩ ପ୍ରତିଶତଙ୍କ ପାଖରେ କୋଟିଏ କିମ୍ବା ତା’ଠାରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି।

ଅବଶ୍ୟ ଅପରାଧୀ ତାଲିକାରେ ସାମିଲ୍‌ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ସମସ୍ତଙ୍କ ନାମରେ ସାଂଘାତିକ ମାମଲା ନାହିଁ। ଚଳିତ ଲୋକସଭା ନିର୍ବାଚନରେ ପାଖାପାଖି ୧୫ ଶହ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ରେକର୍ଡ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୭୦ ଜଣ ଅର୍ଥାତ୍‌ ୧୩ ପ୍ରତିଶତଙ୍କ ନାମରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ, ଦୁଷ୍କର୍ମ ଓ ଅନ୍ୟାନ୍ୟ ମହିଳା ବିରୋଧୀ ଅପରାଧ ପରି ଗୁରୁତର ଅଭିଯୋଗ ରହିଛି। ଗତ ୧୦ ବର୍ଷ ମଧ୍ୟରେ ଗୁରୁତର ଅପରାଧ ଘଟାଇଥିବା ପ୍ରାର୍ଥୀଙ୍କ ସଂଖ୍ୟା ମଧ୍ୟ କ୍ରମଶଃ ବଢ଼ିଛି ବୋଲି ଏଡିଆର୍‌ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଜଣାପଡ଼ିଛି।

ଅପରାଧିକ ରେକର୍ଡ ରହିଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ଅଧିକାଂଶ ଦୁଇ ପ୍ରମୁଖ ରାଜନୈତିକ ଦଳର ସଦସ୍ୟ ହୋଇଥିବାରୁ ଦେଶର ଅଗ୍ରଣୀ ଦଳମାନେ ଅପରାଧକୁ ଏକରକମ ପ୍ରୋତ୍ସାହିତ କରୁଛନ୍ତି ବୋଲି କହିପାରିବା। ଏଡିଆର୍‌ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଦେଶର ଦୁଇଟି ଅଗ୍ରଣୀ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ଦଳର ୧୦ ଜଣରୁ ୪ ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ରେକର୍ଡ ରହିଛି। ଏହାଛଡ଼ା ୭ଟି ପ୍ରମୁଖ ଜାତୀୟ ଦଳ ମଧ୍ୟରୁ ସିପିଆଇ (ଏମ୍‌) ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ଯେଉଁମାନଙ୍କ ନାମରେ ଅପରାଧ ଘଟାଇଥିବା ନେଇ ମାମଲା ରହିଛି। ଏହି ଦଳର ସମୁଦାୟ ପ୍ରାର୍ଥୀଙ୍କ ମଧ୍ୟରୁ ୫୮ ପ୍ରତିଶତ ହେଉଛନ୍ତି ଦାଗୀ। ସେହିପରି ବହୁଜନ ସମାଜ ପାର୍ଟିର ସର୍ବନିମ୍ନ ୨୨ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଅପରାଧ ରେକର୍ଡ ରହିଛି।

ଗତ ୧୦ ବର୍ଷ ମଧ୍ୟରେ କଂଗ୍ରେସ ଓ ବିଜେପି ଦଳ ପକ୍ଷରୁ ପ୍ରତିନିଧିତ୍ବ କରିଥିବା ପ୍ରାର୍ଥୀଙ୍କ ସଂଖ୍ୟାରେ ମଧ୍ୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟିଛି। ୨୦୦୯ରେ ଉଭୟ ଦଳ ଦେଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୨୭ ପ୍ରତିଶତ ଦାଗୀ ଥିବା ବେଳେ ୨୦୧୪ରେ ଏହା ୩୦ ପ୍ରତିଶତରେ ପହଞ୍ଚିଥିଲା। ଚଳିତ ଲୋକସଭା ନିର୍ବାଚନରେ ଏହା ଆହୁରି ବଢ଼ି ୪୦ ପ୍ରତିଶତରେ ପହଞ୍ଚିଯାଇଛି। ସେହିପରି କୌଣସି ଜଣେ ପ୍ରାର୍ଥୀଙ୍କ ନାମରେ ସର୍ବାଧିକ ଅପରାଧିକ ମାମଲା ପ୍ରସଙ୍ଗରେ ବିଜେପି ସବୁଠାରୁ ଆଗରେ ରହିଛି। କେରଳର ପଠାନ୍‌ମଥିତ୍ତା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା କେ. ସୁରେନ୍ଦ୍ରନ୍‌ଙ୍କ ନାମରେ ୨୪୦ଟି ଅପରାଧିକ ରେକର୍ଡ ରହିଛି, ଯେଉଁଥିରୁ ୧୨୯ଟି ଗୁରୁତର ଅପରାଧ। ଏହି ସୂଚୀରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି କଂଗ୍ରେସ ଦଳର କେରଳ ଇଡୁକ୍କି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ଡିନ୍‌ କୁରିଆକୋସ୍‌। ତାଙ୍କ ନାମରେ ୨୦୪ଟି ଅପରାଧ ଦରଜ ହୋଇଥିବା ବେଳେ ସେଥି ମଧ୍ୟରୁ ୩୭ଟି ଗୁରୁତର ଅପରାଧ ଶ୍ରେଣୀଭୁକ୍ତ।

ଗତ ୧୦ ବର୍ଷ ମଧ୍ୟରେ ଅପରାଧ ପୃଷ୍ଠଭୂମି ସମ୍ପନ୍ନ ନେତା ଓ କୋଟିପତି ନେତାଙ୍କ ସଂଖ୍ୟା ସମାନୁପାତିକ ଭାବେ ବଢ଼ିଚାଲିଛି। ସାଧାରଣରେ ଏକ ପ୍ରବାଦ ଅଛି ଅର୍ଥରୁ ଅନର୍ଥ। ତେଣୁ ଅପରାଧ ଘଟାଇଥିବା ପ୍ରାର୍ଥୀଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ମିଳୁଥିବା ବେଳେ କୋଟିପତିମାନଙ୍କୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି ବୋଲି ଆମେ କହିପାରିବା। କାରଣ ବର୍ତ୍ତମାନ ସମୟରେ କେବଳ ବହୁବଳ ଓ ଟଙ୍କାବଳ ମାଧ୍ୟମରେ ନିର୍ବାଚନ ଲଢ଼ାଯାଉଛି ଓ ଏହା ନିର୍ଣ୍ଣାୟକ ଭୂମିକା ମଧ୍ୟ ନେଉଛି। ଉପଯୁକ୍ତ ପ୍ରାର୍ଥୀ ମୈଦାନରେ ଥିଲେ ମଧ୍ୟ ସାଧାରଣ ଭୋଟର୍‌ ଟଙ୍କାରେ ଆକୃଷ୍ଟ ହୋଇ ନିଜର ଭୋଟ୍‌ ଏକରକମ ବିକ୍ରି କରିଦେଉଛି ବୋଲି କହିପାରିବା। ତେଣୁ ଉଭୟ ଗଣ ଓ ଶାସନ ତନ୍ତ୍ର ପରିଚାଳନା କରୁଥିବା ଜନପ୍ରତିନିଧି ବର୍ତ୍ତମାନ ସମୟରେ ଦିଗହରା ହୋଇଥିବାରୁ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାର ଭବିଷ୍ୟତ ଯେ ଅନ୍ଧକାରମୟ, ଏପରି ଏକ ଧାରଣା କ୍ରମଶଃ ବଦ୍ଧମୂଳ ହେଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।