ବିପତ୍ତି ବେଳେ ନିରୁଦ୍ଦିଷ୍ଟ ବିଜୁ ଯୁବ ବାହିନୀ


ଧନୀ ଓ ଗରିବ କାହାରିକୁ ଛାଡ଼ିଲା ନାହିଁ। କୁଡ଼ିଆ ଘରଠୁ ଆରମ୍ଭ କରି ବଡ଼ ପ୍ରାସାଦର ରଙ୍ଗୀନ କାଚ ଯାଏଁ ସବୁକିଛିକୁ ଧରାଶାୟୀ କରିଦେଲା ସାମୁଦ୍ରିକ ଝଡ଼ ଫୋନି। ୧୯୯୯ ମହାବାତ୍ୟାର ପ୍ରାୟ ୨୦ ବର୍ଷ ପରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାଗୁଡ଼ିକୁ ଉଜାଡ଼ି ଦେଇଛି ଫୋନି। ପୁରୀ, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡା ଓ ଜଗତ୍‌ସିଂହପୁର ଜିଲାର ଅନେକ ଲୋକ ବାତ୍ୟାର ୧୧ ଦିନ ପରେ ମଧ୍ୟ ବିଜୁଳି, ପାନୀୟ ଜଳ, ଟେଲିଫୋନ ସେବାରୁ ବଞ୍ଚିତ ରହିଛନ୍ତି। ଏଗୁଡିକୁ ସ୍ଵସ୍ଥିତିକୁ ଆଣିବାରେ ପ୍ରଶାସନ ସକ୍ରିୟ ଥିବା ଭଳି ଜଣାପଡୁ ନାହିଁ। ବାତ୍ୟା ପ୍ରଭାବରେ ଯାହାସବୁ କ୍ଷତି ଘଟିଛି, ତା’ର ପୁନରୁଦ୍ଧାର ପାଇଁ ମୁଖ୍ୟତଃ ମାନବସମ୍ବଳର ଅଭାବ ଥିବାରୁ ପରିସ୍ଥିତିରେ ସୁଧାର ଆସିବାରେ ବିଳମ୍ବ ହେଉଥିବା ସରକାରୀ ଅଧିକାରୀମାନେ କହିସାରିଲେଣି। ଆନ୍ଦ୍ର ପ୍ରଦେଶ, ତେଲେଙ୍ଗାନା ଆଦି ରାଜ୍ୟର କୁଶଳୀ ଶ୍ରମିକ ଏଠାରେ ପହଞ୍ଚିବା ପରେ କାମ ଆରମ୍ଭ ହୋଇଛି। ପୁରୀ ଜିଲ୍ଲାର ଏ ପର୍ଯ୍ୟନ୍ତ ବହୁତ ଗାଁ ଗହଳିରେ ରାସ୍ତା ସଫା କରାଯାଇ ନାହିଁ କି ବିଦ୍ୟୁତ୍‌ ଖୁଣ୍ଟରେ ତାର ସଂଯୋଗ ହୋଇପାରି ନାହିଁ। ଏହା ଏବେ ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଲୋକଙ୍କ ଅସନ୍ତୋଷ ବୃଦ୍ଧିର କାରଣ ପାଲଟିଛି। ଏଭଳି ପରିପ୍ରେକ୍ଷୀରେ କରଦାତାଙ୍କ ଅର୍ଥରେ ରାଜ୍ୟ ସରକାର ଗଠନ କରିଥିବା ବିଜୁ ଯୁବ ବାହିନୀକୁ ଲୋକେ ଖୋଜିବା ଆରମ୍ଭ କରିଛନ୍ତି। ସାଧାରଣ ନିର୍ବାଚନ ବେଳେ ରାଜ୍ୟରେ ହାଉଯାଉ ହେଉଥିବା ଏହି ବାହିନୀର ବିପର୍ଯ୍ୟୟ ସମୟରେ ଦେଖା ନ ଥିବାରୁ ଏମାନେ କୁଆଡେ ଗଲେ ବୋଲି ଲୋକେ ପ୍ରଶ୍ନ କରିବା ଆରମ୍ଭ କଲେଣି।

୨୦୧୮ ମାର୍ଚ୍ଚ ୧୪ରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବିଜୁ ଯୁବ ବାହିନୀ ଗଠନ ସମ୍ପର୍କିତ ପ୍ରସ୍ତାବ ଉପରେ ମୋହର ବାଜିଥିଲା। ଏହା ପରେ ଉକ୍ତ ପ୍ରସ୍ତାବ ବିଧାନସଭାରେ ଗୃହୀତ ହେଲା। ଯୁବ ବାହିନୀର ପରିଚାଳନା ପାଇଁ କରଦାତଙ୍କ ଅର୍ଥ ମଧ୍ୟ ବ୍ୟବହାର କରାଗଲା। ସେତେବେଳେ ବିରୋଧୀ ଏବଂ ସାଧାରଣରେ ବିଜୁ ଯୁବ ବାହିନୀ ଗଠନକୁ ନେଇ ସରକାରଙ୍କୁ ସମାଲୋଚନା କରାଯାଇଥିଲା। ହେଲେ ରାଜ୍ୟ ସରକାର ବିଜୁ ଯୁବ ବାହିନୀ ଗଠନ ଜରିଆରେ ବେକାରୀ ସମସ୍ୟାରେ ସୁଧାର ଆସିବ ଏବଂ ସେମାନେ ଜନହିତକର କାର୍ଯ୍ୟରେ ନିୟୋଜିତ ହେବେ ବୋଲି କହିଥିଲେ। ସରକାରଙ୍କ ପକ୍ଷରୁ ବଜେଟ୍‌ରେ ଯୁବ ବାହିନୀ ପାଇଁ ୪୫୦ କୋଟି ୪୯ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଥିଲା। ରାଜ୍ୟର ୬,୮୦୦ଗ୍ରାମ ଓ ୧୨୦ ସହରାଞ୍ଚଳରେ ମୋଟ ୮ ହଜାର ବିଜୁ ଯୁବ ବାହିନୀ ଗଠନ ହେଲା। ୮ ହଜାର ବିଜୁ ଯୁବ ବାହିନୀରେ ୨ ଲକ୍ଷ ୫୧ ହଜାର ୬ ଶହ ଯୁବତୀଯୁବକଙ୍କୁ ସାମିଲ କରାଯାଇଥିଲା। ପ୍ରତି ଯୁବବାହିନୀ ପାଇଁ ବର୍ଷକୁ ୧.୫ ଲକ୍ଷ ଟଙ୍କା ଲେଖାଏଁ ଯୋଗାଇ ଦେବାକୁ ସରାକରଙ୍କ ପକ୍ଷରୁ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ସେହିପରି ୩ବର୍ଷ ପାଇଁ ଯୁବ ବାହିନୀକୁ ବଜେଟ୍‌ରୁ ଟଙ୍କା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି। ଯୁବ ବାହିନୀରେ ସାମିଲ ହେବା ପାଇଁ ବୟସ ସୀମା ୧୫ରୁ ୩୫ବର୍ଷ ରଖାଯାଇଛି। ଅର୍ଥାତ୍‌ ୨ ଲକ୍ଷରୁ ଅଧିକ ସଦସ୍ୟ ଏହି ବୟସ ସୀମା ମଧ୍ୟରେ ରହିଥିବା ବୁଝିବାକୁ ହେବ।

ବାତ୍ୟା ପ୍ରଭାବିତ ୫ଟି ଜିଲାର ମୋଟ ୫୨ଟି ବ୍ଲକରେ ୧୨୩୪ ଗ୍ରାମପଞ୍ଚାୟତ ରହିଛି। ବିଜୁ ଯୁବ ବାହିନୀର କଳେବରକୁ ଦେଖିଲେ ୨ ଲକ୍ଷରୁ ଅଧିକ ସଦସ୍ୟଙ୍କୁ ଯଦି ବାତ୍ୟା ପ୍ରଭାବିତ ଅଞ୍ଚଳରେ ସ୍ବାଭାବିକ ସ୍ଥିତି ଆଣିବା ଲାଗି ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇଥାଆନ୍ତା ତେବେ ପଞ୍ଚାୟତ ପିଛା ପ୍ରାୟ ୨୦୩ ଜଣ ଲେଖାଏଁ କାମରେ ଆସିପାରି ଥାଆନ୍ତେ। ଫଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ବେଶ୍‌ ତ୍ୱରାନ୍ବିତ ହୋଇପାରି ଥାଆନ୍ତା ବୋଲି ଆଲୋଚନା ହେଉଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜୁ ଯୁବ ବାହିନୀ ସଦସ୍ୟମାନେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ହେଲେ ନିର୍ବାଚନ ସରିବା ପରେ ଯୁବ ବାହିନୀ ଥିଲା ଭଳି ଆଉ ମନେହେଉ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। କେବଳ ଭୋଟ ପୂର୍ବରୁ ସରକାର ‘ମୁଁ ହିରୋ’ କାର୍ଯ୍ୟକ୍ରମ କରି ନାଚଗୀତ ଜରିଆରେ ସେମାନଙ୍କୁ ଖେଳାଇଲେ। ଅନ୍ୟପଟେ ବେଆଇନ ଭାବେ ଏହି ସରକାରୀ ଟିମ୍‌କୁ ମୋବାଇଲ ଫୋନ ମଧ୍ୟ ଯୋଗାଇ ଦିଆଗଲା। ସାଧାରଣ କରଦାତାଙ୍କ ଅର୍ଥକୁ ବ୍ୟବହାର କରି ବିଯୁ ଯୁବ ବାହିନୀର ସଦସ୍ୟମାନେ ବିଦେଶ ଭ୍ରମଣରେ ଯାଇଥିଲେ। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ସେମାନଙ୍କୁ କାହିଁକି ସିଙ୍ଗାପୁର ନିଆଯାଇଥିଲା ତାହା ଏବେ ବି ଗରିବ ଓଡ଼ିଶାବାସୀଙ୍କ ଗୋଚରରେ ନାହିଁ। ସମାଜ ସେବା ପାଇଁ ବିଜୁ ଯୁବ ବାହିନୀ ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଆଗରୁ ବାରମ୍ବାର କହୁଥିବାବେଳେ ବିପତ୍ତି ସମୟରେ ବିଜୁ ଯୁବ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥରେ ହେଲେ ନ କହିବା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଜୁ ଯୁବ ବାହିନୀ ଏବେ ବି ସୋସାଲ ମିଡିଆରେ ସକ୍ରିୟ ଥିବାବେଳେ ବାତ୍ୟା ପୀଡିତଙ୍କ ପାଇଁ ଥରେ ବି ସହାନୁଭୁତିର କଥା କହିନି।

ଉପକୂଳ ଓଡ଼ିଶାର ଅଣ୍ଟା ଭାଙ୍ଗିଦେଇଛି ଫୋନି। ଶ୍ରୀମନ୍ଦିରରୁ ସଲିଆସାହି, ଚନ୍ଦ୍ରଭାଗା ବେଳାଭୂମିରୁ ଚନ୍ଦକା ଓ ସାତପଡ଼ା ଠାରୁ ସାତଶଙ୍ଖ ଯାଏ ବିସ୍ତୃତ ଅଞ୍ଚଳ ଯାଏ ଏହି ବାତ୍ୟା ଉଜାଡି ଦେଇଥିବା ବେଳେ ପୁନର୍ଗଠନ ଦିଗରେ ଚିନ୍ତା ପ୍ରକଟ କରାଯାଇଛି ସତ, ହେଲେ ବିଜୁ ଯୁବ ବାହିନୀଙ୍କ ନିଖୋଜ ଶାସକ ଦଳର ଅସଲ ମୁଖା ଖୋଲିଦେଇଛି। ପଶ୍ଚିମବଙ୍ଗରେ ଯୁବାବର୍ଗଙ୍କୁ ଠିକାକାମରେ ନିୟୋଜିତ କରାଇ ଭୋଟବ୍ୟାଙ୍କ ସୁରକ୍ଷିତ କରାଇବାର ଧାରା ଓଡ଼ିଶାରେ ପ୍ରବେଶ କରିଛି। ଶାସକ ବିଜେଡି ନିର୍ବାଚନର ଅବ୍ୟବହିତ ପୂର୍ବରୁ ମାସିକ ୧୩୦୦୦ ରୁ ୩୫ ହଜାର ଟଙ୍କାର ଦରମା ସରକାରୀ ତହବିଲରୁ ଦେଇ କ୍ଷମତାର ଡୋରି ନିଜ ହାତରେ ରଖିବାକୁ ଚାହୁଁଛି। ଅଧା ଓଡ଼ିଶାର ଦୁର୍ଗତି ସମୟରେ ନିଖୋଜ ରହିଥିବା ବିଜୁ ଯୁବ ବାହିନୀର ସମଗ୍ର କାର୍ଯ୍ୟକଳାପ ଏବେ ସନ୍ଦେହ ଘେରକୁ ଚାଲି ଆସିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।