କେମିତି ସୁଖ ସମୃଦ୍ଧିର କଳିଙ୍ଗ ସାଗର ହେଲା ଦୁଃଖ ଯାତନାର ବଙ୍ଗୋପସାଗର


୩୦ ବର୍ଷ ପରେ ମେ ମାସରେ ଆସିଛି ସାମୁଦ୍ରିକ ମହାବାତ୍ୟା ‘ଫୋନି। ଅନୁରୂପ ବାତ୍ୟା ୧୯୮୯ ମେ ମାସରେ ଓଡିଶା ଉପକୂଳରେ ତାର ଉପସ୍ଥିତି ଜାହିର କରିଥିଲା। ୧୩୦ ବର୍ଷ ପରେ ମେ ମାସରେ ୩-୪ ଥର ଏଭଳି ବାତ୍ୟା ଦେଖିବାକୁ ମିଳିଛି। କିନ୍ତୁ ପୂର୍ବାପେକ୍ଷା ଏଥର ଅଧିକ ବଳଶାଳୀ ହୋଇଛି ଏହି ବାତ୍ୟା। ଦିନେ ଏହି ସାଗର ସୁଖ ସମୃଦ୍ଧିର ପ୍ରତୀକ ଥିଲା। କଳିଙ୍ଗର ସାଧବ ପୁଅମାନେ ଏହି ସାଗରରେ ବୋଇତ ମେଲାଇ ବେପାର ବଣିଜ କରୁଥିଲେ। ଜାଭା, ବୋର୍ଣ୍ଣିଓ, ସୁମାତ୍ରାରୁ ଧନ ସମ୍ପତ୍ତି ନେଇ ରାଜ୍ୟକୁ ଫେରୁଥିଲେ। ଏସବୁ ଏବେ କାହାଣୀ।

ରାଜନୀତିର ବାତ୍ୟା ଥମି ନ ଥିବା ପୂର୍ବରୁ ସାମୁଦ୍ରିକ ବାତ୍ୟା ଫୋନି ଆସିଛି। ବାତ୍ୟାକୁ ନେଇ ଲୋକଙ୍କ ମନରେ ଆଶଙ୍କା ବଢିଛି। ଲୋକଙ୍କୁ ବିପତ୍ତିରୁ ରକ୍ଷା କରିବା ପାଇଁ ସରକାର ସହଯୋଗର ହାତ ବଢ଼ାଇଛନ୍ତି। ପୁରୀ ନିକଟରେ ୩ ତାରିଖ ସନ୍ଧ୍ୟା ବେଳକୁ ଏହା କୂଳ ଛୁଇଁବ। ବାତ୍ୟାର ପ୍ରକୋପକୁ ଆକଳିତ କରି ସରକାରୀ ସ୍ତରରେ ବିଭିନ୍ନ ନିଷ୍ପତ୍ତି ନିଆଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀରୁ ହାୱଡା ଯାଉଥିବା ସମସ୍ତ ଟ୍ରେନକୁ ବାତିଲ କରାଯାଇ ଥିବା ବେଳେ ଭୁବନେଶ୍ୱରରୁ ପୁରୀ ଓ ବିଶାଖାପାଟଣା ଯାଉଥିବା ସମସ୍ତ ୧୦୩ଟି ଟ୍ରେନକୁ ବାତିଲ କରାଯାଇଛି। ବିପିୟୁଟି ଅଧୀନସ୍ଥ ସମସ୍ତ ୧୬୪ଟି କଲେଜର ୨, ୩ ଓ଼ ୪ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବାତିଲ କରାଯାଇଛି। ସ୍ଥାନୀୟ ପରିବହନକୁ ପ୍ରତ୍ୟାହାର କରାଯାଇଛି। ସମସ୍ତ ସ୍କୁଲ କଲେଜକୁ ୨ ତାରିଖ ଠାରୁ ପରବର୍ତ୍ତୀ ନିର୍ଦେଶ ମିଳିବା ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଓଡିଶା ହାଇକୋର୍ଟକୁ ବାତ୍ୟା ପାଇଁ ୩ ଦିନ ବନ୍ଦ କରାଯାଇଛି। ରାଜ୍ୟରେ ଥିବା ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀରେ ସଜାଗ ରହିଛନ୍ତି କର୍ମଚାରୀ। ମେ ୨ ତାରିଖ ଗୁରୁବାର ଦିନ ୮ ଲକ୍ଷ ଲୋକଙ୍କୁ ନିରାପଦ ଜାଗାକୁ ସ୍ଥାନାନ୍ତରିତ କରିବା ପାଇଁ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି। ବାତ୍ୟା ମୁକାବିଲା କରିବା ପାଇଁ ୧୨ ଜଣ ଆଇଏଏସ ଓ ୧୧ ଜଣ ଆଇପିଏସଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ଡାକବାଜି ଯନ୍ତ୍ର ସାହାଯ୍ୟରେ ତଳୁଆ ଅଞ୍ଚଳରେ ଲୋକଙ୍କୁ ଘର ଖାଲି କରିବା ପାଇଁ କୁହାଯାଉଛି। ଆଶ୍ରୟସ୍ଥଳୀ ଗୁଡିକରେ ୨୪ ଘଣ୍ଟିଆ ପାଣି, ବିଜୁଳି ସହିତ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି। ଭାରତୀୟ ପାଣିପାଗ କେନ୍ଦ୍ର ଆଶଙ୍କା କରୁଛି, ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁ ଏହି ବାତ୍ୟା ତୀବ୍ରରୁ ଅତିତୀବ୍ର ରୂପ ଧାରଣ କରିବା ସହିତ ଅଧିକ ଧନଜୀବନ ନଷ୍ଟ କରିପାରେ। ସେଥିପାଇଁ ଏନ୍‌ଡିଆର୍‌ପିଏଫ ଓ ଓଡିଆର୍‌ପିଏଫଙ୍କ ସମେତ ବ୍ୟାପକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପ୍ରଭାବିତ ଆଶଙ୍କା କରାଯାଉଥିବା ଜିଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଦିଆଯାଇଛି। ପୁରୀ ଆସିଥିବା ପର୍ଯ୍ୟଟକଙ୍କୁ ପୁରୀ ଛାଡି ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ପ୍ରଶାସନ କେବଳ ନୁହେଁ ଲୋକେ ମଧ୍ୟ ନିଜ ଆଡୁ ସତର୍କ ଓ ସଜାଗ ହେବାରେ ଲାଗିଛନ୍ତି। ୧୨ ଟି ଜିଲ୍ଲାରେ ଜିଲ୍ଲାପାଳ ମାନଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ହୋଇଛି। ସୁରକ୍ଷିତ ସ୍ଥାନାନ୍ତର ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ର ବ୍ୟବସ୍ଥା କରାଯାଇଛି। ଓଡ଼ିଶାରେ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବା ନିଷ୍ପତ୍ତି ନିଆଯାଇଛି। ୧ ଲକ୍ଷ ଶୁଖିଲା ଖାଦ୍ୟ ପୁଡିଆ ପ୍ରସ୍ତୁତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ବାତ୍ୟାକୁ ନେଇ ଲୋକଙ୍କ ମନରେ ଏଭଳି ଚର୍ଚ୍ଚା ଚାଲିଥିବା ବେଳେ କାହିଁକି ବଙ୍ଗୋପ ସାଗରରେ ଏଭଳି ବିପତ୍ତି ମାଡିଆସୁଛି ତାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି।

ଗତବର୍ଷ ତାମିଲନାଡୁରେ ତାଣ୍ଡବ ରଚିଥିଲା ବାତ୍ୟା ‘ଗାଜା’। ଏହାର ପ୍ରଭାବରେ ୨୦ ଲୋକଙ୍କର ମୃତ୍ୟୁ ହେବା ସହିତ ବହୁ ଧନସମ୍ପତ୍ତି ନଷ୍ଟ ହୋଇଥିଲା। ତିତଲି ବାତ୍ୟାରେ କ୍ଷତିଗ୍ରସ୍ଥ ହୋଇଥିଲା ଆନ୍ଧ୍ରପ୍ରଦେଶ। ଫାଇଲିନ, ହୁଡହୁଡ ଓ ତିତଲିରେ ଓଡିଶା ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ବାତ୍ୟା ସମୟରେରେ ଓଡ଼ିଶାରେ ଶୂନ ମୃତ୍ୟୁହାର ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଦାୟିତ୍ୱରେ ଥିବା ଜଣେ ଅଧିକାରୀ କହିଛନ୍ତି। ହୁଡ଼ହୁଡ଼ ବେଳେ ମଧ୍ୟ ଜିରୋ କାଜୁଆଲିଟି ପାଇଁ ପ୍ରଶଂସନୀୟ ହୋଇଥିଲା ଓଡିଶା। ୧୯୯୯ ମହାବାତ୍ୟା ପରେ ଓଡିଶା ଏ ଦିଗରେ ଅନେକ ଅଭିଜ୍ଞତା ହାସଲ କରିସାରିଛି। ବିପତ୍ତି ହ୍ରାସ ପାଇଁ ସଫଳ ପରିଚାଳନା ଯୋଜନା ନେଇ ଓଡିଶା ଆଗକୁ ବଢୁଥିବା ବେଳେ ସଂଖ୍ୟାଧିକ ବାତ୍ୟା ଓଡ଼ିଶାର ଗତିପଥକୁ ଅଟକାଉଛି। କେବଳ ଓଡିଶା ନୁହେଁ ଭାରତର ପୂର୍ବ ଉପକୂଳ ମଧ୍ୟ ବାତ୍ୟା ପ୍ରବଣତା ଦୃଷ୍ଟିରୁ ଅଧିକ ବିପଦସଙ୍କୁଳ ହୋଇଯାଇଛି। ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ କେରଳ ପରି ରାଜ୍ୟ ଗୁଡ଼ିକରେ ଅଧିକ ସଂଖ୍ୟକ ସାମୁଦ୍ରିକ ବାତ୍ୟା, ମହାବାତ୍ୟା ସଂଘଟିତ ହୋଇଥାଏ। ପଶ୍ଚିମ ପ୍ରଶାନ୍ତ ମହାସାଗର ଓ ଭାରତ-ବାଂଲାଦେଶ ମଝିରେ ଥିବା ବଙ୍ଗୋପସାଗରରେ ଉଠୁଥିବା ଝଡ଼କୁ ସାଇକ୍ଲୋନ୍‌ ବା ବାତ୍ୟା କୁହାଯାଏ। ସମୁଦ୍ରର ଯେଉଁ ସ୍ଥାନର ତାପମାତ୍ରା ଅନ୍ୟସ୍ଥାନ ତୁଳନାରେ ଅଧିକ ଥାଏ, ସେହି ସ୍ଥାନରେ ସାଇକ୍ଲୋନ୍‌ ବା ଚକ୍ରବାତ କେନ୍ଦ୍ରୀଭୂତ ହୋଇଥାଏ। ଉତ୍ତର ଧ୍ରୁବ ନିକଟବର୍ତ୍ତୀ ଅଞ୍ଚଳରେ ସାଇକ୍ଲୋନ୍‌ ତାର ଦିଗ ଆଣ୍ଟି କ୍ଳକ ୱାଇଜ୍ ପରିବର୍ତ୍ତନ କରି ଆଗକୁ ବଢ଼ିଥାଏ। ସେହିପରି ଭାରତୀୟ ଉପ-ମହାଦ୍ୱୀପ ପାଖାପାଖି ଅଞ୍ଚଳରେ ଉଠୁଥିବା ସାଇକ୍ଲୋନ୍‌ କ୍ଲକ୍‌ ୱାଇଜ୍ ତାହାର ଦିଗ ପରିବର୍ତ୍ତନ କରି ଆଗକୁ ବଢ଼ିଥାଏ। ତେବେ ସାମୁଦ୍ରିକ ବାତ୍ୟା ଦ୍ୱାରା ବାଂଲାଦେଶ ଅଧିକ ପ୍ରଭାବିତ। ଇତିହାସ କହେ, ଆରବସାଗର ତୁଳନାରେ ବଙ୍ଗୋପସାଗରରେ ଅଧିକ ସାଇକ୍ଲୋନ୍‌ ହୋଇଥାଏ। ଆଜି ସୁଦ୍ଧା ହୋଇଥିବା ୩୫ଟି ଅତି ଭୟଙ୍କର ସାଇକ୍ଲୋନ୍‌ ମଧ୍ୟରୁ ୨୬ଟି ଭାରତ-ବାଂଲାଦେଶ ମଧ୍ୟବର୍ତ୍ତୀ ବଙ୍ଗୋପସାଗରରେ ହୋଇଛି। ଏସବୁ ସାଇକ୍ଲୋନ୍‌ରେ ବାଂଲାଦେଶରେ ବେଶି କ୍ଷୟକ୍ଷତି ଘଟିଛି। ଗତ ୨୦୦ ବର୍ଷ ମଧ୍ୟରେ ପୃଥିବୀରେ ହୋଇଥିବା ସାଇକ୍ଲୋନ୍‌ରେ ୪୦ ପ୍ରତିଶତ ମୃତ୍ୟୁ କେବଳ ବାଂଲାଦେଶରେ ହିଁ ହୋଇଛି। କିନ୍ତୁ ଭାରତରେ ଏହି ସାଇକ୍ଲୋନ୍‌ରେ ମୃତ୍ୟୁ ସଂଖ୍ୟା ଏକ ଚତୁର୍ଥାଶଂ କହିଲେ ଚଳେ।

ତେବେ କାହିଁକି ଏଭଳି ଘଟଣା ପୂର୍ବ ଉପକୂଳରେ ହୋଇଥାଏ? ଏହାର କାରଣ ହେଉଛି ବାୟୁ ପ୍ରବାହର ଦିଗ। ଅଧିକ ପବନ ପ୍ରବାହିତ ହେବା ଯୋଗୁ ପଶ୍ଚିମରେ ଥିବା ସାଗର ଥଣ୍ଡା ରହିଥାଏ। ଥଣ୍ଡା ଥିବା ଜଳଭାଗରେ କମ୍‌ ସାଇକ୍ଲୋନ୍‌ ହୋଇଥାଏ। ତା’ ଛଡା ପଶ୍ଚିମ ଉପକୂଳରେ ସୃଷ୍ଟି ହେଉଥିବା ଅଧିକାଂଶ ସାଇକ୍ଲୋନ୍‌ ଓମାନ୍‌ ଆଡ଼କୁ ଗତି ପରିବର୍ତ୍ତନ କରିଥାଏ। ତାହା ଭାରତୀୟ ଉପକୂଳକୁ ଆସି ପାରି ନ ଥାଏ। ‘ନ୍ୟାସନାଲ୍‌ ସାଇକ୍ଲୋନ୍‌ରିସ୍କ ମିଟିଗେସନ୍‌ ପ୍ରୋଜେକ୍ଟ’ର ତଥ୍ୟ ଅନୁସାରେ ୧୮୯୧ରୁ ୨୦୦୦ ମଧ୍ୟରେ ଭାରତର ପୂର୍ବ ଉପକୂଳରେ ୩୦୮ଟି ସାଇକ୍ଲୋନ୍‌ ହୋଇଛି। ଏହା ମଧ୍ୟରେ ପଶ୍ଚିମ ଉପକୂଳରେ କେବଳ ୪୮ଟି ସାଇକ୍ଲୋନ୍‌ ହୋଇଛି।

ପୂର୍ବ ଉପକୂଳରେ ହେଉଥିବା ସାଇକ୍ଲୋନ୍‌ ଅଧିକ ପ୍ରଭାବଶାଳୀ ହୋଇଥାଏ। ଏହାର କାରଣ ପୂର୍ବ ଉପକୂଳରେ ରହିଥିବା ରାଜ୍ୟ ଗୁଡ଼ିକର ଭୂମି ଅଧିକ ସମତଳ ରହିଥାଏ। ଏହି କାରଣରୁ ସାଇକ୍ଲୋନ୍‌ ତା’ର ଗତିପଥ ପରିବର୍ତ୍ତନ କରିପାରି ନ ଥାଏ। କିନ୍ତୁ ପଶ୍ଚିମ ଉପକୂଳରେ ସୃଷ୍ଟି ହେଉଥିବା ସାଇକ୍ଲୋନ୍‌ ଦିଗ ପରିବର୍ତ୍ତନ କରିପାରେ। ଯଦି କୌଣସି ପ୍ରଭାବଶାଳୀ ସାଇକ୍ଲୋନ୍‌ ଭାରତର ପୂର୍ବ ଉପକୂଳ ଓ ବାଂଲାଦେଶରେ ସୃଷ୍ଟି ହୋଇଥାଏ, ତେବେ ଏଥିରୁ ଯେଉଁ ଲହରୀ ସୃଷ୍ଟି ହୋଇଥାଏ, ତାହା ପୃଥିବୀର ଯେ କୌଣସି ସ୍ଥାନରେ ଉଠୁଥିବା ସାଇକ୍ଲୋନ୍‌ର ଲହରୀଠାରୁ ଅଧିକ ବଳଶାଳୀ ଓ ଉଚ୍ଚା ହୋଇଥାଏ। ଉପକୂଳବର୍ତ୍ତୀ ଅଞ୍ଚଳର ପ୍ରକୃତି ଏବଂ ସମୁଦ୍ରର ଗଭୀରତା ଯୋଗୁ ଏପରି ହୋଇଥାଏ।

ଏପ୍ରିଲ ମାସରୁ ଡିସେମ୍ୱର ମାସ ପର୍ଯ୍ୟନ୍ତ ସମୟକୁ ସାଇକ୍ଲୋନ୍‌ର ଋତୁ ବୋଲି କୁହାଯାଏ। କିନ୍ତୁ ୬୫ ପ୍ରତିଶତ ସାଇକ୍ଲୋନ୍‌ ବର୍ଷର ଶେଷ ଚାରି ମାସ ସେପ୍ଟେମ୍ୱରରୁ ଡିସେମ୍ୱର ମଧ୍ୟରେ ହୋଇଥାଏ। ସାଇକ୍ଲୋନ୍‌ର ପ୍ରକାର ଭେଦ ପବନର ଗତିକୁ ଦେଖି ନିର୍ଦ୍ଧାରଣ କରାଯାଇଥାଏ। ଘଣ୍ଟା ପ୍ରତି ୬୨ କିଲୋମିଟରରୁ ଅଧିକ ବେଗରେ ପବନ ବହିଲେ ଏପରି ସାଇକ୍ଲୋନ୍‌କୁ ଉଷ୍ମ କଟିବନ୍ଧୀୟ ବା ଟ୍ରପିକାଲ ସାଇକ୍ଲୋନ୍‌ କୁହାଯାଏ। ପରେ ଏହି ସାଇକ୍ଲୋନ୍‌ ତୀବ୍ରରୂପ ଧାରଣ କରିଥାଏ ଏବଂ ପବନର ବେଗ ଘଣ୍ଟା ପ୍ରତି ୮୯ କିଲୋମିଟରରୁ ୧୧୮ କିଲୋମିଟର ହୋଇଥାଏ। ଯଦି ପବନର ବେଗ ଘଣ୍ଟା ପ୍ରତି ୧୧୯ କିଲୋମିଟରରୁ ୨୨୧ କିଲୋମିଟର ହୁଏ ତେବେ ସାଇକ୍ଲୋନ୍‌ ଭୟଙ୍କର ରୂପ ଧାରଣ କରିଥାଏ। ଏହାଠାରୁ ଅଧିକ ବେଗ ଥିବା ସାଇକ୍ଲୋନ୍‌କୁ ସୁପର ଟ୍ରପିକାଲ ସାଇକ୍ଲୋନ୍‌ କୁହାଯାଏ। ୧୯୯୯ ମହାବାତ୍ୟାକୁ ସୁପର ଟ୍ରପିକାଲ ସାଇକ୍ଲୋନ ବର୍ଗର ବୋଲି କୁହାଯାଉଛି। ସେ ସମୟରେ ଘଣ୍ଟା ପ୍ରତି ପବନର ବେଗ ୩୦୦ କିମିରୁ ଅଧିକ ରହିଥିଲା।

ଦିନେ କଳିଙ୍ଗ ସାଗର ନାଁରେ ପରିଚିତି ହାସଲ କରିଥିବା ବଙ୍ଗୋପସାଗର ଏବେ ଦୁଃଖର ସାଗର ଭାବେ ଚର୍ଚ୍ଚିତ ହୋଇଛି। ବର୍ଷର ଅଧିକାଂଶ ସମୟରେ ସମୁଦ୍ର ଅଶାନ୍ତ ରହିବା ସାଙ୍ଗକୁ ନିୟମିତ ବ୍ୟବଧାନରେ ବାତ୍ୟା, ମହାବାତ୍ୟା, ସୁପର ମହାବାତ୍ୟାର ତାଣ୍ଡବ ରଚୁଛି। ଯଦି ଓଡିଶା ଉପକୂଳକୁ ପ୍ରାକୃତିକ ବିପର୍ଯ୍ୟୟରୁ ମୁକ୍ତ କରାଯାଇ ପାରନ୍ତା, ତେବେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଗଞ୍ଜାମର ଆର୍ଥିକ ସ୍ଥିତିରେ ଢେର କିଛି ପରିବର୍ତ୍ତନ ଦେଖିବାକୁ ମିଳୁଥାନ୍ତା। କିନ୍ତୁ ଜଳବାୟୁର ପରିବର୍ତ୍ତନ ବଙ୍ଗୋପସାଗରର ବୁକୁରେ ବିପର୍ଯ୍ୟୟର କଳା ବୋଳିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।