ନମୋ: ଭାରତୀୟ ରାଜନୀତିର ଖିଲାଡି ନଂ.୧

ମୋଦିଙ୍କ ଆଉ ଏକ ମାଷ୍ଟର୍‌ଷ୍ଟ୍ରୋକ୍‌ରେ ବିରୋଧୀ ନିରୁତ୍ତର

ଗତ ୨୦୧୪ରେ ଲୋକସଭାରେ ୨୮୨ଟି ଆସନ ପାଇ ବିଜେପି ସ୍ପଷ୍ଟ ବହୁମତ ହାସଲ କରିଥିଲା। ଫଳସ୍ବରୂପ କେନ୍ଦ୍ରରେ ଦୀର୍ଘ ଏକ ଦଶନ୍ଧିର ବ୍ୟବଧାନ ପରେ ବିଜେପି ସରକାର ଗଠନ କରିବାର ସୁଯୋଗ ପାଇଥିଲା। ପୂର୍ବରୁ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବରେ ବିଜେପି ପ୍ରଥମ ଥର ପାଇଁ ଦେଶ ଶାସନର ବାଗ୍‌ଡୋର ନିଜ ହାତକୁ ନେଇ ଦେଶରେ ଯେ ଏହି ଦଳ କିଛି ନା କିଛି ଉଲ୍ଲେଖନୀୟ ପରିବର୍ତ୍ତନ କରିବାର କ୍ଷମତା ରଖେ, ତାହା ପ୍ରମାଣିତ କରିଥିଲା। ବିଶେଷକରି ପ୍ରତିରକ୍ଷା କ୍ଷେତ୍ରରେ ଦେଶ ଆଦୌ ସାଲିସ୍‌ କରିବ ନାହିଁ ବୋଲି କାରଗିଲ୍‌ ଯୁଦ୍ଧ ପରେ ବିଜେପି ନେତୃତ୍ବାଧୀନ ସରକାର ସ୍ପଷ୍ଟ କରିଥିଲା। ବିଜେପି କ୍ଷମତାରୁ ଗଲା ପରେ ୨୦୦୪ ଓ ୨୦୦୯ରେ କଂଗ୍ରେସ ୫ ବର୍ଷ ଲେଖାଏଁ ଶାସନ କରିଥିଲେ ମଧ୍ୟ ଦେଶବାସୀ ଏହି ଦଳଠାରୁ ଆଶା ହରାଇ ନରେନ୍ଦ୍ର ମୋଦି (ନମୋ)ଙ୍କ ନେତୃତ୍ବ ଉପରେ ଭରସା କରିଥିଲେ। ଆଉ ମୋଦି ସେମାନଙ୍କୁ ନିରାଶ କରିନାହାନ୍ତି। ଗତ ୫ ବର୍ଷର ଶାସନ କାଳ ମଧ୍ୟରେ ସେ ପ୍ରଧାନମନ୍ତ୍ରୀ ଭାବେ ଯେପରି ଲୋକପ୍ରିୟତା ହାସଲ କରିଛନ୍ତି, ତାହା ଦେଶର ଅନ୍ୟ କୌଣସି ପ୍ରଧାନମନ୍ତ୍ରୀଙ୍କ ଭାଗ୍ୟରେ କେବେ ଜୁଟିନାହିଁ। ଏଥିପାଇଁ ଅହରହ କଠିନ ଅଧ୍ୟବସାୟ କରିଚାଲିଥିବା ମୋଦି ତାଙ୍କ ଶାସନ କାଳରେ ଯୁବପିଢ଼ି ଓ ଗରିବ ଜନସାଧାରଣ ଯେପରି ଉପେକ୍ଷିତ ନ ହେବେ, ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ଚେଷ୍ଟା କରିଛନ୍ତି। ଏହାଛଡ଼ା ତାଙ୍କ ଜୀବନ ପୁସ୍ତିକାର ଖୋଲାଫର୍ଦ୍ଦ କିପରି ଦେଶବାସୀଙ୍କ ଅଗୋଚରରେ ନ ରହୁ, ସେଥିପ୍ରତି ମଧ୍ୟ ଯତ୍ନଶୀଳ ହୋଇଛନ୍ତି। ଏହାକୁ ମୋଦିଙ୍କର ଆଉ ଏକ ମାଷ୍ଟର୍‌ଷ୍ଟ୍ରୋକ୍‌ କୁହାଯାଉଥିବା ବେଳେ ବିରୋଧୀଙ୍କ ପାଖରେ ମଧ୍ୟ ଏହାର କୌଣସି ଜବାବ ନାହିଁ।

ବିଶେଷକରି ଦେଶର ଯୁବପିଢ଼ି ଏହି ନେତାଙ୍କ ପାଖରେ ଦେଶକୁ ଆଗକୁ ନେବାର କ୍ଷମତା ରହିଛି ବୋଲି ଦୃଢ଼ ବିଶ୍ବାସୀ ହୋଇଛନ୍ତି। ସାମ୍ପ୍ରତିକ ସମୟରେ ମୋଦିଙ୍କ ସମକକ୍ଷ ନେତା ଭାରତୀୟ ରାଜନୀତିରେ ନାହାନ୍ତି ବୋଲି କହିଲେ ଭୁଲ୍‌ ହେବ ନାହିଁ। ପ୍ରଥମେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଆଞ୍ଚଳିକ ସ୍ତରରେ ଓ ପରେ ପ୍ରଧାନମନ୍ତ୍ରୀ ଭାବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମୋଦି କ୍ରମଶଃ ନିଜର ଲୋକପ୍ରିୟତାର ପରିସରକୁ ବେଶ୍‌ ବ୍ୟାପକ କରିପାରିଛନ୍ତି। ତେବେ ତାଙ୍କର ଏହି ଲୋକପ୍ରିୟତା ଯେ ସ୍ବତଃସ୍ଫୂର୍ତ୍ତ ଭାବେ ବଢ଼ିଚାଲିଛି, ତାହା ଆଦୌ ନୁହେଁ। ଏଥିପାଇଁ ମୋଦିଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିଛି। ବିଶେଷକରି ଦେଶର ବୈଦେଶିକ ନୀତିକୁ ଦୃଢ଼ କରିବା ସକାଶେ ତାଙ୍କୁ ଅନେକଗୁଡ଼ିଏ ଦେଶ ବୁଲିବାକୁ ପଡ଼ିଛି। ତା’ଛଡ଼ା ପାକିସ୍ତାନ ପରି ଏକ ଶତ୍ରୁ ରାଷ୍ଟ୍ର ସହ ମିତ୍ରତା ଉଦ୍ୟମ ସ୍ବରୂପ ଅଚାନକ ପ୍ରଧାନମନ୍ତ୍ରୀ ନୱାଜ୍‌ ଶରିଫ୍‌ଙ୍କ ଜନ୍ମଦିନ ପାର୍ଟିରେ ଯୋଗଦେବା ତାଙ୍କର ଏକ ପ୍ରମୁଖ ସାହସିକ ପଦକ୍ଷେପ ଭାବେ ସ୍ବୀକୃତି ପାଇଛି। ଏପରି ମାଷ୍ଟର୍‌ଷ୍ଟ୍ରୋକ୍‌ ମାଧ୍ୟମରେ ସେ ନିଜର ଲୋକପ୍ରିୟତାକୁ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବ୍ୟାପକ କରିପାରିଛନ୍ତି। ଏବେ ଏହି ପୋଖତ ରାଜନେତା ବିରୋଧୀଙ୍କ ପାଟି ଚୁପ୍‌ କରିବା ସକାଶେ ଆଉ ଏକ ବ୍ରହ୍ମାସ୍ତ୍ର ମାରିଛନ୍ତି।

ନିକଟରେ ସେ ବଲିଉଡ୍‌ରେ ଖିଲାଡି ଭାବେ ପରିଚିତ ଅକ୍ଷୟ କୁମାରଙ୍କ ସହ ଏକ ଅଣରାଜନୈତିକ ସାକ୍ଷାତକାରରେ ତାଙ୍କ ଜୀବନର ଅନେକ ଗୂଢ଼ ରହସ୍ୟ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସେ ବିରୋଧୀଙ୍କୁ ବାଣ ମଧ୍ୟ ମାରିବାକୁ ଭୁଲିନାହାନ୍ତି। ବିଶେଷକରି ପଶ୍ଚିମବଙ୍ଗ ରାଜନୀତିର ଦବଙ୍ଗ ଲେଡି ମମତା ବାନାର୍ଜୀ ତାଙ୍କର ଜଣେ ମିତ୍ର ଭାବେ ପରିଚିତ ବୋଲି କହି ଦେଶର ରାଜନୈତିକ ପାଣିପାଗରେ ବେଶ୍‌ ହଲ୍‌ଚଲ୍‌ ସୃଷ୍ଟି କରିଛନ୍ତି। ମମତା ତାଙ୍କ ପାଖକୁ ପ୍ରତିବର୍ଷ ମିଠା ସହ ଜ୍ୟାକେଟ୍‌ ପଠାଇଥାନ୍ତି ବୋଲି ଏହି ଆଲୋଚନା ବେଳେ ମୋଦି ପ୍ରକାଶ କରିଥିଲେ। ଅବଶ୍ୟ ଦିଦି ତୁରନ୍ତ ଏନେଇ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ପଶ୍ଚିମବଙ୍ଗର ସଂସ୍କୃତି ଅତିଥିଙ୍କୁ ସମ୍ମାନ ଦେବା ବୋଲି ମମତା କହିବା ସହ ଏହି କାରଣରୁ ସେ ରସଗୋଲା ଦେଇଥାନ୍ତି ବୋଲି କହିଛନ୍ତି। କିନ୍ତୁ ସେ ମୋଦିଙ୍କୁ ପଶ୍ଚିମବଙ୍ଗର ଗୋଟିଏ ବି ଭୋଟ୍‌ ଦେବାକୁ ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି। ତେବେ ମମତା ଏହି ପ୍ରସଙ୍ଗରେ ମୋଦିଙ୍କୁ ତାଙ୍କ ଶତ୍ରୁ ବୋଲି ଦର୍ଶାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ମୋଦିଙ୍କ ମନ୍ତବ୍ୟ ନିଶ୍ଚିତ ଭାବେ ଭୋଟର୍‌ଙ୍କୁ କିଛି ଭିନ୍ନ ଚିନ୍ତା କରିବାର ଖୋରାକ ଯୋଗାଇବ।

ସେହିପରି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୁଲାମ୍‌ ନବୀ ଆଜାଦ୍‌ଙ୍କୁ ସେ ତାଙ୍କର ବ୍ୟକ୍ତିଗତ ଜୀବନରେ ଜଣେ ବନ୍ଧୁ ଭାବେ ବର୍ଣ୍ଣନା କରିଛନ୍ତି। ସେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ସଂସଦକୁ ଯାଇଥିବା ବେଳେ ସେଠାରେ ଆଜାଦ୍‌ଙ୍କ ସହ ବେଶ୍‌ ବାର୍ତ୍ତାଳାପ ହୋଇଥିଲା। ପରେ ଆଜାଦ୍‌ ନିଜେ ମିଡିଆ ପ୍ରତିନିଧିଙ୍କୁ ସେମାନେ ରାଜନୀତି କ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବୀ ହୋଇଥିଲେ ମଧ୍ୟ ବ୍ୟକ୍ତିଗତ ଜୀବନରେ ବେଶ୍‌ ଘନିଷ୍ଠ ବୋଲି କହିଥିଲେ। ଏହିସବୁ ପ୍ରସଙ୍ଗ ଉତ୍‌ଥାପନ କରି ମୋଦି ରାଜନୈତିକ ମାହୋଲ୍‌ ମଧ୍ୟରେ ଅଣରାଜନୈତିକ ସାକ୍ଷାତକାରର ଢେର୍‌ ଫାଇଦା ନେବାର ସମ୍ଭାବନା ରହିଛି।

ନିଜର ନିରଳସ ଜୀବନ, ପରିବାର ଲୋକଙ୍କଠାରୁ ଦୂରେଇ ରହି ଦେଶର ସେବା କରିବା ମନୋବୃତ୍ତି ଓ ଅବିରତ କାର୍ଯ୍ୟ କରିବା ସମ୍ପର୍କରେ ଉଲ୍ଲେଖ କରି ମୋଦି ନିଶ୍ଚିତ ଭାବେ ଦେଶବାସୀଙ୍କ ମନରେ ରେଖାପାତ କରିପାରିଛନ୍ତି। ବିଶେଷକରି ତାଙ୍କ ମା’ ତାଙ୍କ ସହ ରହୁ ନ ଥିବାରୁ ବିରୋଧୀମାନେ ଅନେକ ସମୟରେ ଏହାକୁ ପ୍ରସଙ୍ଗ କରିଥିବା ବେଳେ ମୋଦି ଏହି ସାକ୍ଷାତକାରରେ ସବୁକିଛି ସ୍ପଷ୍ଟ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ଅବିରତ ବ୍ୟସ୍ତ ରହୁଥିବାରୁ ତାଙ୍କ ମା’ଙ୍କୁ ସେ ପାଖରେ ରଖିପାରି ନ ଥିବା କହିଛନ୍ତି। ତା’ଛଡ଼ା ମା’ କଦାପି ମୋଦିଙ୍କୁ ତାଙ୍କ କର୍ତ୍ତବ୍ୟରେ ବାଧା ଦେବାକୁ ମଧ୍ୟ ଚାହୁଁ ନ ଥିବାରୁ ତାଙ୍କଠାରୁ ଅଲଗା ରହୁଛନ୍ତି ବୋଲି ମୋଦି ସାକ୍ଷାତକାର ସମୟରେ ଦର୍ଶାଇଛନ୍ତି। ଏହା ନିଶ୍ଚିତ ଭାବେ ତାଙ୍କୁ ସମାଲୋଚନା କରୁଥିବା ବିରୋଧୀଙ୍କ ପ୍ରଶ୍ନର ଉତ୍ତର ହୋଇପାରିବ ବୋଲି ଆଶା କରାଯାଉଛି। ତା’ଛଡ଼ା ବିରୋଧୀ ମୋଦିଙ୍କ ବ୍ୟକ୍ତିଗତ ଜୀବନ ଉପରେ ଆକ୍ଷେପ କରି ଯେଉଁ ମାଇଲେଜ୍‌ ନେବାକୁ ଉଦ୍ୟମ କରୁଥିଲେ, ବର୍ତ୍ତମାନ ସବୁକିଛି ସ୍ପଷ୍ଟ ହେବା ପରେ ଦେଶବାସୀ ମଧ୍ୟ ବିଭ୍ରାନ୍ତ ହେବାର ଆଉ ସମ୍ଭାବନା ନାହିଁ।

ତା’ଛଡ଼ା ମୋଦି ଯେ ଦେଶର ଯୁବପିଢ଼ି ପାଇଁ ବେଶ୍‌ ଚିନ୍ତିତ, ଏପରି ଏକ ଧାରଣା ଏହି ଆଲୋଚନା ବେଳେ ଜନ୍ମିପାରିଛି। କାରଣ ତାଙ୍କୁ ଯଦି ଆଲ୍ଲାଦିନ୍‌ର କୁହୁକ ଦୀପ ମିଳିଯାଏ, ତା’ହେଲେ ସେ କ’ଣ ମାଗିବେ ବୋଲି ଅକ୍ଷୟ କୁମାର ମୋଦିଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମୋଦି ଯାହା କହିଥିଲେ, ସେଥିରେ ଅକ୍ଷୟ କୁମାର ତ ଆଶ୍ଚର୍ଯ୍ୟ ହୋଇଥିଲେ, ଦେଶର ଯୁବପିଢ଼ି ମଧ୍ୟ ଏଥିରେ ନିଶ୍ଚିତ ଭାବେ ପ୍ରଭାବିତ ହୋଇଥିବେ। କାରଣ ମୋଦି ତାଙ୍କ ଉତ୍ତରରେ କହିଥିଲେ ଯେ ଆଗାମୀ ଦିନରେ ଦେଶର ଯୁବସମାଜ ଯେପରି ଏହି କୁହୁକ ଦୀପ କାହାଣୀ ବିଷୟରେ କୌଣସି ସୂଚନା ନ ପାଇପାରିବ, ସେପରି ଯାଦୁ ପାଇଁ ସେ କୁହୁକ ଦୀପକୁ ଅନୁରୋଧ କରିବେ। କାରଣ ଦେଶର ଯୁବପିଢ଼ି ନିଜର ସ୍ବପ୍ନ ପୂରଣ କରିବା ସକାଶେ କୁହୁକ ଦୀପର ନୁହେଁ, ବରଂ ନିଜର ପରିଶ୍ରମ ଉପରେ ଭରସା କରିବା ଦରକାର ବୋଲି  ମୋଦି କହିଥିଲେ।

ବର୍ତ୍ତମାନ ଦେଶରେ ଲୋକସଭା ନିର୍ବାଚନ କାରଣରୁ ରାଜନୈତିକ ହଟଚମଟ ଜାରି ରହିଛି। ରାଜନୈତିକ ଦଳକୁ କୌଣସି ପ୍ରକାର ପ୍ରସଙ୍ଗରୁ ଫାଇଦା ନେବାର ସୁଯୋଗ ନ ଦେବା ସକାଶେ ନିର୍ବାଚନ କମିଶନ୍‌ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି। ତେଣୁ ଏହି ସମୟରେ କୌଣସି ପ୍ରକାର ରାଜନୈତିକ ପ୍ରଚାରଧର୍ମୀ ପଦକ୍ଷେପ ଉପରେ ନିଶ୍ଚିତ ଭାବେ କଟକଣା ରହିଛି। ଅବଶ୍ୟ ଦେଶରେ ମୋଦି ଲହରୀ ଏବେ ବି ଅତୁଟ ରହିଛି ଓ କେନ୍ଦ୍ରରେ ସେ ପୁନର୍ବାର ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ ଭାବେ ଏକ ସାଧାରଣ ଧାରଣା ବଦ୍ଧମୂଳ ହୋଇଛି। ତଥାପି ବି ମୋଦିଙ୍କ ପରି ବିଚକ୍ଷଣ ରାଜନେତା ତାଙ୍କ ସମ୍ପର୍କରେ ଦେଶବାସୀଙ୍କୁ ସବିଶେଷ ସୂଚନା ଦେବା ଯେଉଁ ନୂଆ ତରିକା ଆପଣାଇଛନ୍ତି, ତାହା ନିଶ୍ଚିତ ଭାବେ ଭୋଟର୍‌ଙ୍କୁ ପ୍ରଭାବିତ କରିବ। ଆହୁରି ମଧ୍ୟ ଏହା ମୋଦିଙ୍କର ଏପରି ଏକ ରାମବାଣ, ଯାହାର ଜବାବ ବୋଧହୁଏ ବିରୋଧୀ ଦଳ ପାଖରେ ନାହିଁ। ତେଣୁ ଖିଲାଡିଙ୍କ ସହ ସାକ୍ଷାତକାର କାର୍ଯ୍ୟକ୍ରମ ମାଧ୍ୟମରେ ମୋଦି ପୁଣିଥରେ ନିଜକୁ ଭାରତୀୟ ରାଜନୀତିର ଖିଲାଡି ନଂ.୧ ବୋଲି ପ୍ରମାଣିତ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?