ସ୍ବପ୍ନ ଭାଙ୍ଗିଦେଲେ ଦଳୀୟ ବିଧାୟକ ପ୍ରାର୍ଥୀ!


କେନ୍ଦ୍ରାପଡା ଲୋକସଭା ନିର୍ବାଚନ ଉପରେ ଏବେ ସାରାରାଜ୍ୟର ନଜର। ସିନେ ତାରକା ତଥା ରାଜ୍ୟସଭା ସଦସ୍ୟ ଅନୁଭବ ମହାନ୍ତିଙ୍କ ସହିତ ବରିଷ୍ଠ ରାଜନେତା ବୈଜୟନ୍ତ ପଣ୍ଡା ଲୋକସଭା ନିର୍ବାଚନ ଲଢ଼ୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଯାଏ ଏଠାରେ ଜୋର୍‌ଦାର ପ୍ରଚାର କରିଛନ୍ତି। ଭୁବନେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ କେନ୍ଦ୍ରାପଡାର ଏକ ହୋଟେଲରେ ଗତ ବୁଧବାର ରାତିରେ ସରକାରୀ ସଂଗଠନ ବିଜୁ ଯୁବ ବାହିନୀର ସଦସ୍ୟମାନଙ୍କୁ ଡାକି ବିଜେଡିକୁ ଭୋଟ୍‌ ଦେବାକୁ ପ୍ରଲୋଭିତ କରିଥିଲେ। ନିର୍ବାଚନରେ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ପାଇଁ ସରକାରୀ ବ୍ୟବସ୍ଥାର ଦୁରୁପଯୋଗ କରାଯାଇଥିବାର ଏହି ସଂଗୀନ ଅଭିଯୋଗ ଉଠିଛି। ବିଜୁ ଯୁବ ବାହିନୀର ମୁଖ୍ୟ ଥିବା ଅରୁପ ପଟ୍ଟନାୟକ ନିର୍ବାଚନ ଲଢୁଥିବାରୁ ପଦବୀରୁ ଇସ୍ତଫା ଦେଇଥିଲେ। କିନ୍ତୁ ଏବେ କେନ୍ଦ୍ରାପଡା ଆସି ସରକାରୀ ଅର୍ଥରେ ଗଠିତ ବିଜୁ ଯୁବ ବାହିନୀକୁ ବିଜେଡି ସପକ୍ଷରେ ଭୋଟ୍‌ ପାଇଁ ଲଗାଉଥିବା ନେଇ ଅସନ୍ତୋଷ ବଢିଛି। ତେଣେ ମାହାଙ୍ଗା ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ପ୍ରତାପ ଜେନା ଏକ ନିର୍ବାଚନୀ ସଭାରେ ସାଂସଦ ପ୍ରାର୍ଥୀ ଅନୁଭବ ନ ଆସିବା କାରଣରୁ ତାଙ୍କୁ ଛାଡି ବିଧାୟକଙ୍କୁ ଭୋଟ୍‌ ଦେବାକୁ ନିବେଦନ କରିଥିବା ନେଇ ଚର୍ଚ୍ଚା ହେଉଛି। କେବଳ ପ୍ରତାପ ଜେନା ଜଣେ ନୁହନ୍ତି ବରଂ ମହେଶ୍ୱର ମହାନ୍ତିଙ୍କ ସମେତ ବହୁ ବରିଷ୍ଠ ନେତା ଏବେ ସାଂସଦଙ୍କ ପାଇଁ ଭୋଟ୍‌ ନ ମାଗି ନିଜ ପାଇଁ ଭୋଟ୍‌ ମାଗିଛନ୍ତି।

ମୁଖ୍ୟମନ୍ତ୍ରୀ ୨୧ରୁ ୨୧ ଆସନକୁ ବିଜେଡିକୁ ଦିଅନ୍ତୁ ବୋଲି ନିବେଦନ କରୁଥିବା ବେଳେ ନିଜ ଦଳର ବିଧାୟକ ପ୍ରାର୍ଥୀମାନେ ନିଜ ନିଜ ଏଜେଣ୍ଡାରେ ଥିବା ପରି ଅନୁଭବ ହୋଇଛି। ସେପଟେ ନିର୍ବାଚନ ସରିନି ହେଲେ ଶପଥ ଗ୍ରହଣ ସମାବେଶକୁ ଆମନ୍ତ୍ରଣ ପ୍ରସଙ୍ଗ ମୁଖ୍ୟ ଚର୍ଚ୍ଚାର ଖୋରାକ ଯୋଗାଇଛି। ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି ନିଜ ନିଜ ବିଜୟ ସମ୍ଭାବନାକୁ ନେଇ ଦୃଢ଼ୋକ୍ତି ପ୍ରକାଶ କରିବା ଆରମ୍ଭ କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛିଦିନ ତଳେ ଏକ ଜାତୀୟ ଚାନେଲ ନିକଟରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କୁ ଦେଖିବାକୁ ଚାହୁଁ ନ ଥିବା କହିଥିଲେ। ଏହାର ଜବାବ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ରାପଡ଼ା ଏବଂ ବାଲେଶ୍ୱର ସମାବେଶରେ ଦେଇଥିଲେ। କହିଥିଲେ ନବୀନବାବୁଙ୍କ ସରକାର ରାଜ୍ୟ ଶାସନରୁ ଯିବା ସୁନିଶ୍ଚିତ। ଓଡ଼ିଶାରେ ବିଜେପି ସରକାର ଗଢ଼ା ହେବାକୁ ଯାଉଛି ବୋଲି ସେ ସୂଚାଇଦେବାକୁ ମଧ୍ୟ ଭୁଲି ନ ଥିଲେ। ଏହାର ୭୨ ଘଣ୍ଟା ଯାଇନି ମୁଖ୍ୟମନ୍ତ୍ରୀ ନବୀନ ବାଲେଶ୍ୱରରେ କହିଲେ ଯେ ୩ଟି ପର୍ଯ୍ୟାୟ ସୁଦ୍ଧା ବିଜେଡିକୁ ସଂଖ୍ୟାଗରିଷ୍ଠତା ମିଳିଗଲାଣି। ସେ ଶପଥ ଗ୍ରହଣ କରିବେ ଏବଂ ଏହି ସମାବେଶକୁ ଆସିବା ପାଇଁ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମନ୍ତ୍ରଣ କରୁଥିବା କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ମତକୁ ଖଣ୍ଡନ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ବିଜେଡି ନୁହେଁ ବରଂ ବିଜେପି ରାଜ୍ୟରେ ଗଢ଼ିବ ସରକାର ଓ ଏଥିରେ ବିଜେପି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଆମନ୍ତ୍ରଣ ଦେବାକୁ ଭୁଲିବନି ଏବଂ ନବୀନଙ୍କୁ ମୋଦିଙ୍କ ନିକଟରେ ବସିବା ପାଇଁ ଜାଗାଦେବ। ମୋଦି, ନବୀନ ଏବଂ ଧର୍ମେନ୍ଦ୍ରଙ୍କ ଆମନ୍ତ୍ରଣ ପଲିଟିକ୍ସରେ ନିର୍ବାଚନ ପ୍ରଚାରର କୌଶଳ ରହିଥିବା ସମୀକ୍ଷକ କହିଛନ୍ତି।

ଏଥର ନିର୍ବାଚନ ନିଶ୍ଚିତ ଭାବେ ରୋଚକ ସ୍ଥିତିରେ ପହଞ୍ଚି ସାରିଛି। କଂଗ୍ରେସ ମଇଦାନରୁଏକ ପ୍ରକାର ବାହାରିଯିବା ପରେ ବିଜେପି ଏବଂ ବିଜେଡି ଜୋର୍‌ ସୋରରେ ନିଜ ନିଜ ପ୍ରଚାରରେ ଲାଗିଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହାଇଟେକ୍‌ ବସରେ ସାରା ଓଡିଶା ବୁଲି ନିଜ ଦଳ ପାଇଁ ପ୍ରଚାର ଚଳାଇଥିବା ବେଳେ ବିଜେପି ଫୁଲ୍‌ ଦମ୍‌ରେ ନିଜ ପ୍ରଚାର ଚଳାଇଛି।
କିନ୍ତୁ ଏହା ଆଦୌ ଅଛପା ନାହିଁ ଯେ ଶାସକ ବିଜୁ ଜନତା ଦଳରେ ବିଚଳିତ ଭାବ ଅଧିକ ବାହାରକୁ ଜଣାଯାଉଛି, ଯାହା ବିଜେପି କ୍ଷେତ୍ରରେ ଦେଖାଯାଉ ନାହିଁ। ବିଜେପି ଅଧିକରୁ ଅଧିକ ଆକ୍ରମଣ କରୁଥିବା ବେଳେ ନବୀନ ଶେଷକୁ ବୈଜୟନ୍ତ ପଣ୍ଡା ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ତରକୁ ନିଜକୁ ନେଇ ଆସିଲେଣି। ମିଛ ବିଞାପନ ଓ ହିଂସାର ଆଶ୍ରୟ ନେଇ ବିଜେଡି ଧରାପଡ଼ିଯାଇଛି। ଏବେ ଯେଉଁ ତିନିଟି ପର୍ଯ୍ୟାୟର ନିର୍ବାଚନ ସରିଛି, ସେଥିରେ ପ୍ରାଥମିକ ଆକଳନ ଏକ ଭିନ୍ନ ଧରଣର ସୂଚନା ଦେଉଛି। ପ୍ରଥମ ଥର ପାଇଁ ଅନେକ ଆସନରେ ମତଦାତା ବିଧାନସଭା ସକାଶେ ଗୋଟିଏ ଦଳର ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଥିବା ବେଳେ ଲୋକସଭା ପାଇଁ ଭିନ୍ନ ଏକ ଦଳର ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଥିବା ଆଲୋଚନା ହେଉଛି।

ଭୁବନେଶ୍ୱର, ଢେଙ୍କାନାଳ, ବ୍ରହ୍ମପୁର, ଭଳି ଅନେକ ଆସନରେ ବିଜେପିର ସଂସଦ ପ୍ରାର୍ଥୀ ମାନେ ଭଲ ଲଢେଇ କରିଥିବା ଜଣାଯାଇଛି। ଏଥିପାଇଁ ବିଜେଡିର ବିଧାନସଭା ପ୍ରାର୍ଥୀମାନେ ବହୁ ପରିମାଣରେ ଦାୟୀ। ପୂର୍ବ ନିର୍ବାଚନ ଗୁଡ଼ିକରେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀମାନେ ସାମୂହିକ ପ୍ରଚେଷ୍ଟା ଦ୍ୱାରା ଦଳର ଲୋକସଭା ପ୍ରାର୍ଥୀଙ୍କୁ ଜିତାଇ ଆସୁଥିଲେ। ଯେଉଁ ରଣନୀତିରେ ନବୀନ ଓଡ଼ିଶାର ବିକାଶ ସକାଶେ ୨୧ରୁ ୨୧ ଲୋକସଭା ଆସନ ବିଜେଡିର ଦରକାର ବୋଲି ଜନତାଙ୍କୁ ବୁଝାଇବା ସକାଶେ ଚେଷ୍ଟା କରିଥିଲେ, ତାହାକୁ ବିଧାୟକ ପ୍ରାର୍ଥୀମାନେ ପୂରା ଅକାମି କରିଦେଲେ। ବିଜେଡିର ଫୋକସ ପୁଣି ଥରେ ନବୀନ ସରକାରରୁ ହଟିଯାଇ ଲୋକସଭା ନିର୍ବାଚନ ଉପରେ କେନ୍ଦ୍ରୀଭୂତ ହୋଇଗଲା। ଲୋକସଭାରେ କାହାକୁ ସଂଖ୍ୟାଗରିଷ୍ଠତା ମିଳିବ ନାହିଁ ସୁତରାଂ ବେଶୀ ଲୋକସଭା ଆସନ ମିଳିଲେ ବିଜେଡି କିଙ୍ଗମେକର ହୋଇପାରିବ ଏବଂ ସରକାରରେ ଭାଗୁଆଳି ହେବ ବୋଲି ନବୀନ ପ୍ରଚାର କରିବା ଆରମ୍ଭ କରିଦେଲେ।

କିନ୍ତୁ ମୋଦି ହାୱାକୁ ପ୍ରତିହତ କରିବା ପାଇଁ ଏହି ପ୍ରଚାର ବିଜେଡିକୁ ବିଶେଷ ସହାୟକ ହୋଇ ନାହିଁ। ଅଧିକାଂଶ ଲୋକସଭା ସାଂସଦଙ୍କ ଟିକେଟ୍‌ କାଟିବା ପରେ ନୂଆ ମୁହଁ ଭୋଟ୍‌ରଙ୍କୁ ଆକୃଷ୍ଟ କରିବ ବୋଲି ନବୀନଙ୍କ ଗଣିତ ବିଶେଷ କାମ ଦେଇ ନାହିଁ। ସେ ଦୃଷ୍ଟିରୁ ବିଜେପିର ଲୋକସଭା ପ୍ରାର୍ଥୀମାନଙ୍କର ଭାବମୂର୍ତ୍ତି ଲୋକଙ୍କୁ ଅଧିକ ଆକୃଷ୍ଟ କରିଛି।
ଭୁବନେଶ୍ୱର ଲୋକସଭା ଆସନକୁ ନମୁନା ଭାବେ ଧରି ନିଆଯାଇ ପାରେ। ଆଶ୍ଚର୍ଯ୍ୟର କଥା ଭୁବନେଶ୍ୱରରେ ଭୋଟର ଲୋକସଭା ପାଇଁ ପଦ୍ମକୁ ପସନ୍ଦ କରିଥିବା ବେଳେ ବିଧାନସଭା ପାଇଁ ଶଙ୍ଖକୁ ବାଛୁଥିବା ବେଶ୍‌ ନଜରକୁ ଆସିଥିଲା। ଅନେକ ସ୍ଥାନରେ ଶାସକ ଦଳର କର୍ମୀମାନେ ଉପରେ ଯାହାକୁ ଦେଉଛ ଦିଅ ତଳେ ଆମକୁ ଦିଅ ବୋଲି କହିଥିବା ଜଣାଯାଇଛି। ଏଭଳି ଘଟଣା ରାଜ୍ୟର ବହୁ ସ୍ଥାନରେ ଦେଖିବାକୁ ମିଳିଥିବା ଖବର ପହଞ୍ଚୁଛି।

ଶାସକ ଦଳର ବିଧାୟକ ପ୍ରାର୍ଥୀମାନେ ସେମାନଙ୍କ ବିଜୟ ସୁନିଶ୍ଚିତ କରିବା ପାଇଁ ଅଧିକ ତତ୍ପର ହୋଇ ଉଠିବା କାରଣରୁ ଲୋକସଭା ପ୍ରାର୍ଥୀ ଏବଂ ସେମାନଙ୍କ ମଧ୍ୟରେ ଅଧିକାଂଶ ସ୍ଥାନରେ ସମନ୍ୱୟର ଘୋର ଅଭାବ ଦେଖିବାକୁ ମିଳିଛି ଏଥର। ଏହାର ଫାଇଦା ବିଜେପିକୁ ଯାଇଛି। ବିଶେଷ କରି ଲୋକସଭା ଆସନଗୁଡ଼ିକରେ ବିଜେପି ପ୍ରାର୍ଥୀଙ୍କ ପ୍ରଦର୍ଶନ ବିଜେଡିଠାରୁ ଯଥେଷ୍ଟ ଭଲ ହେବ ବୋଲି ଏକ ସଂକେତ ବିଭିନ୍ନ ଆଡ଼ୁ ଆସିବାରେ ଲାଗିଛି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ବିଜେଡି ଦିନରାତି ଏକ କରି ଲଢେଇକୁ ଜୋର୍‌ଦାର କରିଥିବାବେଳେ ଭୋଟରଙ୍କ ମୁଡ଼୍‌ କିନ୍ତୁ ଭିନ୍ନ ରହିଛି। ବିଜେଡି ରାଜ୍ୟସଭା ସଦସ୍ୟ ମାନଙ୍କୁ ଆଣି ଲୋକସଭା ନିର୍ବାଚନ ଲଢାଉଥିବାରୁ ଏହାକୁ ନେଇ ସାଧାରଣ ଭୋଟରଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି। ବିଜେଡି ୨୧ରୁ ୨୧ ଲୋକସଭା ଆସନ ଓଡ଼ିଶାର ବିକାଶ ପାଇଁ ଦାବି କରିଥିବା ଯୁକ୍ତିକୁ ମତଦାତାମାନେ ଗ୍ରହଣ କରିପାରୁ ନ ଥିବା ବେଳେ ଶାସକ ଦଳର ଅନେକ ବିଧାୟକ, ସାଂସଦ ପ୍ରାର୍ଥୀଙ୍କୁ ନେଇ ପ୍ରଚାର କରିବା ବଦଳରେ ନିଜ ବିଜୟକୁ ନେଇ ମାତିଥିଲେ। ବିଜେଡି ବିଧାୟକଙ୍କ ଏଭଳି ଆଚରଣ ଦଳ ପାଇଁ ସୁବିଧା ହୋଇଛି କି ନାହିଁ ମେ ୨୩ରେ ଫଳାଫଳ ଆସିଲେ ଜଣାଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?