ଟିନ୍‌ଏଜର୍ସଙ୍କ ବେଷ୍ଟ ଫ୍ରେଣ୍ଡ ହୁଅନ୍ତୁ


ଟେକ୍ନୋଲୋଜି ପାଇଁ ସମୟ ଏତେ ବଦଳି ଯାଇଛି ଯେ ଏବେ ପିଲମାନଙ୍କୁ ମୋବାଇଲ୍‌ ଫୋନ୍‌ ଏବଂ ଇଣ୍ଟରନେଟ୍‌ ବିନା ବଞ୍ଚିବା କଷ୍ଟକର ହୋଇପଡ଼ିଛି। ପୂର୍ବ ପିଢ଼ି ଅପେକ୍ଷା ବର୍ତ୍ତମାନର ପିଢ଼ି ପିଲାଙ୍କ ପାଖରେ ଅନେକ କିଛି ସାଧନ ରହିଛି। ଏପରିସ୍ଥଳେ ପିଲାମାନଙ୍କର ବିଶେଷକରି ଟିନ୍‌ଏଜର୍ସଙ୍କ ବାପା ମା’ ହେବା ଏକ କଷ୍ଟକର କାମ ହୋଇପାରେ। କାରଣ ପିଲାମାନେ ସବୁକିଛି ନିଜ ହିସାବରେ କରିବାକୁ ଚାହୁଛନ୍ତି। ସେମାନେ ତାଙ୍କ କାମରେ କାହାରି ହସ୍ତକ୍ଷେପକୁ ପସନ୍ଦ କରନ୍ତି ନାହିଁ। ମାତ୍ର ସଠିକ ବ୍ୟବହାର ଏବଂ ଦୃଷ୍ଟିକୋଣ ରଖି ଆପଣ ନିଜ କିଶୋର ପିଲାର ଉତ୍ତମ ବନ୍ଧୁ ଏବଂ ପଥ ପ୍ରଦର୍ଶକ ହୋଇପାରିବେ। କିନ୍ତୁ ଆପଣଙ୍କୁ ଏସବୁ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ।

ପିଲାଙ୍କୁ କହୁଥିବା କଥା ନିଜେ କରି ଦେଖାନ୍ତୁ

ବାପା ମା’ ହେଉଛନ୍ତି ପିଲାର ପ୍ରଥମ ଶିକ୍ଷକ। ଆପଣ ପିଲାଙ୍କୁ ଯାହା କହୁଛନ୍ତି, ନିଜେ ବି କରିବାକୁ ଚେଷ୍ଟା କରନ୍ତୁ। ଯାହାଫଳରେ ସେମାନଙ୍କ ଆଗରେ ଆପଣ ଏକ ଭଲ ଉଦାହରଣ ପ୍ରଦର୍ଶନ କରିପାରିବେ। ପିଲାଙ୍କ ସମ୍ମୁଖରେ ସଚ୍ଚୋଟରହନ୍ତୁ। ଯଦି ଆପଣଙ୍କର କିଛି ଭୁଲ୍‌ ହୋଇଯାଏ, ତେବେ ପିଲାଙ୍କ ସମ୍ମୁଖରେ ଭୁଲ୍‌ ମାନନ୍ତୁ। ପିଲା ଆପଣଙ୍କଠାରୁ ଏହି ଗୁଣ ଶିଖିବ ଏବଂ ବଡ଼ ହେବା ପରେ ନିଜେ ମଧ୍ୟ ଠିକ୍‌ ସେଇଆ କରିବ। ଆପଣଙ୍କ ସଚ୍ଚୋଟତା ପାଇଁ ସେ ଆପଣଙ୍କୁ ସବୁବେଳେ ପ୍ରଶଂସା କରିବ। ବିନା କୌଣସି ଡର ଏବଂ ସଙ୍କୋଚରେ ନିଜ ଭୁଲ୍‌ ମାନିବା ଭଳି ଏକ ସଂସ୍କାର ପିଲା ଆପଣଙ୍କଠାରୁ ଶିଖିପାରିବେ।

ସ୍ବାଧୀନତା ଦିଅନ୍ତୁ

ଘରେ ବିନା କୌଣସି କାରଣରେ କଠୋର ଆଇନ ତିଆରି କରିବା କିଛି ଆବଶ୍ୟକ ନାହିଁ। ଏମିତି ପ୍ରଶ୍ନ କରନ୍ତୁ ନାହିଁ, ଯାହା ସେମାନଙ୍କୁ ଲାଗିବ ଆପଣ ତାଙ୍କୁ ବିଶ୍ବାସ କରୁ ନାହାନ୍ତି। ଏପରି କରିବା ଦ୍ବାରା ପିଲାମାନେ ବିଶେଷକରି ଟିନ୍‌ଏଜର୍ସମାନେ ନିଜକୁ ଡୋମିନେଟଡ ଅନୁଭବ କରନ୍ତି। ଯାହାଫଳରେ ସେମାନେ କଥା ଶୁଣି ନ ଥାନ୍ତି। ତେଣୁ ପିଲାଙ୍କୁ ସମ୍ପୂର୍ଣ୍ଣ ଭାବେ ସ୍ବାଧୀନତା ଦିଅନ୍ତୁ। ଯାହାଫଳରେ ସେମାନେ ନିଜକୁ ଜାଣିବାର ସୁଯୋଗ ପାଇପାରିବେ। ଯଦି କୌଣସି କଥାକୁ ନେଇ ଚିନ୍ତିତ ଅଛନ୍ତି, ତେବେ ପିଲାଙ୍କୁ ବନ୍ଧୁ ଭାବେ ପ୍ରଶ୍ନ କରନ୍ତୁ। ଏହାଫଳରେ ପିଲାମାନେ ଆପଣଙ୍କୁ ଭଲ ଭାବେ ବୁଝିପାରିବେ।

ପିଲାଙ୍କ ସହିତ ସମୟ ବିତାନ୍ତୁ

ପିଲାଙ୍କୁ ସବୁବେଳେ ସେମାନଙ୍କର ଆବଶ୍ୟକୀୟ ଜିନିଷ ଯୋଗାଇଦେଲେ ଆପଣଙ୍କ ବାପା ମା’ଙ୍କ ଦାୟିତ୍ବ ପୂରା ହୋଇଯିବ ନାହିଁ। ପିଲା ସବୁବେଳେ ଚାହାନ୍ତି ସେମାନଙ୍କ ବାପା ମା’ ସେମାନଙ୍କୁ ସମୟ ଦିଅନ୍ତୁ। ତେଣୁ ପିଲାଙ୍କ ସହ କ୍ବାଲିଟି ସମୟ ବିତାଇବାକୁ ଚେଷ୍ଟା କରନ୍ତୁ। ସେମାନଙ୍କ ସହ ସିନେମା ଯିବା, ବୁଲିବା, ଶପିଂ କରିବା, ୱାର୍କଶପ୍‌ ଯାଇ କିଛି ସମୟ ବିତାନ୍ତୁ। ଆପଣ ଚାହିଲେ ପିଲାଙ୍କ ସହ ରୋଷେଇ କରିବା, ଗାର୍ଡେନିଂ, ସାଇକ୍ଲିଂ, ସ୍ବିମିଂ ଭଳି କାର୍ଯ୍ୟକଳାପରେ ସାମିଲ ହୁଅନ୍ତୁ। ଏହାଫଳରେ ଆପଣଙ୍କ ପିଲାଙ୍କ ସହ ସମ୍ପର୍କ ଭଲ ରହିବା ସହ ପିଲାମାନେ ଆପଣଙ୍କ ସହ ଖୋଲାଖୋଲି କଥା ହୋଇପାରିବେ।

ପିଲାଙ୍କ ମନରେ ବିଶ୍ବାସ ସୃଷ୍ଟି କରନ୍ତୁ

ପିଲାଦିନୁ ପିଲାଙ୍କ ମନରେ ବିଶ୍ବାସ ଜନ୍ମାନ୍ତୁ ଯେ ସେମାନେ ଆପଣଙ୍କୁ ଯାହା କହୁଛନ୍ତି ତାହା ଆପଣ କେବେ ବି ଆଉ କାହା ଆଗରେ କହିବେ ନାହିଁ। ଯାହାଫଳରେ ପିଲାମାନେ ସେମାନଙ୍କ ବଡ଼ ଡର ଏବଂ ଗୁପ୍ତ କଥା ଆପଣଙ୍କ ଆଗରେ କହିବାକୁ ସଙ୍କୋଚ କରିବେ ନାହିଁ। ପିଲାଙ୍କ କଥାକୁ ନ ଧରି ସେମାନଙ୍କ ଉପରେ ବିଶ୍ବାସ କରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ