ଦିଲ୍ଲୀ ବିଶ୍ବବିଦ୍ୟାଳୟର ନିର୍ଦେଶାବଳୀ: ହୋଲିରେ ଅଭଦ୍ରାମି କଲେ କଟିବ ନାମ


ଦିଲ୍ଲୀରେ ହୋଲି ନାଁରେ କୌଣସି ବି ଛାତ୍ରଛାତ୍ରୀଙ୍କ ପ୍ରତି ଅଭଦ୍ରାମି ଆଚରଣକୁ ବରଦାସ୍ତ କରାଯିବ ନାହିଁ। ଏପରି କରୁଥିବା ଛାତ୍ରଛାତ୍ରୀଙ୍କୁ ବିଶ୍ବବିଦ୍ୟାଳୟରୁ କେବଳ ନାମ କାଟି ଦିଆଯିବନି, ବରଂ ଜେଲ୍‌ ଭୋଗିବାକୁ ମଧ୍ୟ ଛାଡ଼ିଦିଆଯିବ। ଏ ସମ୍ପର୍କରେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ପକ୍ଷରୁ ଏକ ନିର୍ଦେଶାବଳୀ ଜାରି କରାଯାଇଛି।

ଦିଲ୍ଲୀ ବିଶ୍ବବିଦ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ପ୍ରଦତ୍ତ ସୂଚନା ଅନୁଯାୟୀ କୌଣସି ମୂଲ୍ୟରେ ବି ହୋଲି ନାମରେ ଅଭଦ୍ରାମିକୁ ବରଦାସ୍ତ କରାଯାଇ ପାରିବ ନାହିଁ। ଏଥିପାଇଁ ଡିଟିସି, ମେଟ୍ରୋ, ପୋଲିସ ଏବଂ ସମ୍ପୃକ୍ତ ସୁରକ୍ଷା କର୍ମଚାରୀଙ୍କ ସହିତ ବୈଠକ କରାଯାଇଛି। ବିଭାଗ ଏବଂ କଲେଜ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ଅଧିକାରୀ ଜଣକ କହିଛନ୍ତି ହୋଲିରେ କୌଣସି ବିଦ୍ୟାର୍ଥୀଙ୍କ ସହ କୌଣସି ପ୍ରକାର ଅଭଦ୍ରାମି ଯଥା ବଳପୂର୍ବକ ରଙ୍ଗ ଲଗାଇବା, ପିଚକାରୀ ମାରିବା ଆଦି ଅଭିଯୋଗ ହେଲେ ସମ୍ପୃକ୍ତ ଛାତ୍ରଙ୍କୁ ବହିଷ୍କାର କରିଦିଆଯିବ। ପଞ୍ଜୀକରଣ ରଦ୍ଦ ହେବ ଓ ତାଙ୍କ ବିରୋଧରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଏତଲା ଦିଆଯାଇ ଗିରଫ ମଧ୍ୟ କରାଯିବ। କେବଳ ଏତିକି ନୁହେଁ, ଏହାକୁ କର୍ମସ୍ଥଳୀରେ ଯୌନ ନିର୍ଯାତନା ଆଇନ ୨୦୧୩ ଅନୁଯାୟୀ ବିବେଚନା କରାଯିବ। ଅନିଚ୍ଛାସତ୍ତ୍ବେ ବଳପ୍ରୟୋଗ କରି ରଙ୍ଗ ଲଗାଇବା କର୍ମସ୍ଥଳୀରେ ଯୌନ ନିର୍ଯାତନା ଭଳି ବୋଲି ଅଧିକାରୀ ଜଣକ ଦୋହରାଇଥିଲେ।

ହଷ୍ଟେଲରେ ବଢ଼ିଲା ସୁରକ୍ଷା
ଦିଲ୍ଲୀ ବିଶ୍ବବିଦ୍ୟାଳୟର କଲେଜ ଏବଂ ବିଭାଗ ଗୁଡ଼ିକରେ ଦେଶସାରାର ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି। କେତେକ ହୋଲି ଅବସରରେ ନିଜ ନିଜ ଘରକୁ ଯାଉଥିବା ବେଳେ ଆଉ କେତେକ ଛାତ୍ରାବାସରେ ରହିଯାଇଥାନ୍ତି। ଏଭଳି କ୍ଷେତ୍ରରେ ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କ ପ୍ରତି ହୋଲିରେ ବଳପୂର୍ବକ ରଙ୍ଗ ବୋଳା ଯାଇଥାଏ। ହୋଲି ନାଁରେ ଅଭଦ୍ରାମିର କ୍ରମବର୍ଦ୍ଧିଷ୍ଣୁ ଅଭିଯୋଗ ଆସୁଥିବାରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏବେ ଏକ ଜରୁରୀ ବୈଠକ କରି ନିର୍ଦେଶାବଳୀ ଜାରି କରିଛନ୍ତି। ହଷ୍ଟେଲରେ ଅଣଛାତ୍ରମାନଙ୍କ ପ୍ରବେଶକୁ ଜିରୋ କରାଯିବା ନେଇ ତାଗିଦ୍‌ କରାଯାଇଛି। ପ୍ରବେଶ ପଥରେ ଆଇକାର୍ଡ ତନଖିକୁ କଡ଼ାକଡ଼ି କରାଯାଇଛି। କୌଣସି ଛାତ୍ର, କର୍ମଚାରୀ ଏଭଳି ଘଟଣାକୁ ସମ୍ମୁଖୀନ ହେବା ମାତ୍ରେ ବିଶ୍ବବିଦ୍ୟାଳୟ ଓ ପୋଲିସକୁ ସୂଚିତ କରାଇବା ପାଇଁ କୁହାଯାଇଛି। ହୋଲି ପୂର୍ବରୁ ହଷ୍ଟେଲ କିମ୍ବା କଲେଜରେ ହୋଲି ପାର୍ଟି ହୋଇଥାଏ। କ୍ୟାମ୍ପସ ଓ ହଷ୍ଟେଲରେ ଏଭଳି ହୋଲି ପାର୍ଟି କରାଯାଇ ପାରିବ ନାହିଁ ବୋଲି ନିର୍ଦେଶ ଦିଆଯାଇଛି।

କ୍ୟାମ୍ପସରେ ବଳପୂର୍ବକ ପିଚକାରୀ ମାରିବା ଓ ରଙ୍ଗ ଖେଳୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବାର ଚେତାବନୀ ଦିଆଯାଇଛି। ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ହୋଲିକୁ ଦୃଷ୍ଟିରେ ରଖି ନର୍ଥ ଏବଂ ସାଉଥ୍‌ କ୍ୟାମ୍ପସରେ ଯୁଗ୍ମ କଣ୍ଟ୍ରୋଲ ରୁମ୍‌ ଖୋଲା ଯାଇଛି। ଏହା ବ୍ୟତୀତ ସାଦା ପୋଷାକଧାରୀ ପୋଲିସକୁ କ୍ୟାମ୍ପସରେ ମୁତୟନ କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ