ରବୀନ୍ଦ୍ର ମଣ୍ଡପରେ ‘ଠିଆପାଲା’ ମଞ୍ଚସ୍ଥ


ରବୀନ୍ଦ୍ର ମଣ୍ଡପଠାରେ ଚାଲିଥିବା ୪ଦିନିଆ ‘ସ୍ରିଷ୍ଟି ହାସ୍ୟରସାତ୍ମକ ନାଟକ ଉତ୍ସବ’ରେ ସୋମବାର ଥିଲା ତୃତୀୟ ସନ୍ଧ୍ୟା। ଏହି ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ହାସ୍ୟରସାତ୍ମକ ନାଟକ ‘ଠିଆପାଲା’। ସ୍ବାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚରିତ୍ରକୁ ଦେଖିବାକୁ ମିଳିଥିଲା ଏହି ନାଟକରେ। ଶଙ୍କର ତ୍ରିପାଠୀଙ୍କ ନାଟ୍ୟ ରଚନା ଓ ହରେନ୍‌ ସାହୁଙ୍କ ନିର୍ଦେଶନାରେ ନାଟକଟିକୁ ପରିବେଷଣ କରିଥିଲେ ଭୁବନେଶ୍ବର ପଞ୍ଚମ ବେଦ ନାଟ୍ୟାନୁଷ୍ଠାନର କଳାକାରମାନେ।

ରୋଗୀଙ୍କ ଚିକିତ୍ସାକୁ ଦିନେ ସେବା ଭାବରେ ଗ୍ରହଣ କରାଯାଉଥିଲା। କୁହାଯାଉଥିଲା ମାନବ ସେବା ହିଁ ମାଧବ ସେବା। ସେଥିପାଇଁ ସାଧାରଣତଃ ଲୋକମାନେ ଡାକ୍ତରଙ୍କୁ ଦେବତା ମନେ କରିଥାନ୍ତି। ମାତ୍ର ବର୍ତ୍ତମାନ ସମୟରେ ସ୍ୱାସ୍ଥ୍ୟ ସେବା ନାଁରେ ଶୋଷଣ କରିବାର ମାନସିକତା ଏକ ଦୁଃସ୍ଥ ବାତାବରଣକୁ ଜନ୍ମ ଦେଉଛି। ସ୍ବାସ୍ଥ୍ୟ ବ୍ୟବସ୍ଥାର ବ୍ୟବସାୟୀକରଣ ପରେ ଶୋଷିତ ହେଉଛନ୍ତି ରୋଗୀ। ଗରିବଙ୍କଠାରୁ ଆରମ୍ଭ କରି ମଧ୍ୟବିତ୍ତ ପରିବାରର ରୋଗୀ ମଧ୍ୟ ଏଥିରୁ ବାଦ୍‌ ପଡ଼ୁନହାନ୍ତି। ରୋଗୀକୁ ସୁସ୍ଥ କରିବା ପାଇଁ ମାଳମାଳ ଘରୋଇ ଡାକ୍ତରଖାନା ଖୋଲିଛି ସତ, କିନ୍ତୁ କିଛି ମେଡିକାଲ୍‌ରେ ରୋଗୀଙ୍କୁ ସେବା ବଦଳରେ ଠକେଇର ଶିକାର ହେବାକୁ ପଡ଼ୁଛି। କେଉଁଠି ମରିଯାଇଥିବା ରୋଗୀକୁ ବଞ୍ଚିଥିବାର ଆଶ୍ବାସନା ଦେଇ ଲକ୍ଷ ଲକ୍ଷ ଟଙ୍କା ଆଦାୟ ହେଉଛି ତ ଆଉ କେଉଁଠି ଆଧୁନିକ ବ୍ୟବସ୍ଥା ଆଳରେ ଲକ୍ଷେ ଜାଗାରେ ୩ ଲକ୍ଷ ଦାବି କରାଯାଉଛି।

ତଥାପି ସବୁ ଦେଖି ଚୁପ୍‌ ବସିଛି ଜନତା। ଆମେ ଅସହାୟ ହୋଇ ଯେପରି ଆପଣେଇ ନେଇଛୁ ଶୋଷଣକୁ। ସ୍ୱାସ୍ଥ୍ୟ ବିଭାଗର ଏକ ନଗ୍ନ ନମୁନାର ଚିତ୍ର ଦେଖିବାକୁ ମିଳିଥିଲା ନାଟକ ‘ଠିଆପାଲା’ରେ। ହାସ୍ୟରସରେ ଭରପୂର ଏହି ନାଟକକୁ ବେଶ୍‌ ରୋଚକ ଢଙ୍ଗରେ ଭେଟି ଦେଇଥିଲେ କଳାକାରବୃନ୍ଦ। ନାଟକରେ ବିଭିନ୍ନ ଚରିତ୍ରରେ ଜିତୁ, ବାପୁ, ମାନସ, ମନୀଷା, ସୁବାସ, ଚିତ୍ତ, କରୁଣାକର, ପ୍ରକାଶ, ମମତା, ଲକ୍ଷ୍ମୀପ୍ରିୟା, ଜ୍ଞାନ, ଅବିନାଶ, କେ. ଚନ୍ଦ୍ରଶେଖର, ବିବେକ‌, ନରେନ୍‌ ପ୍ରମୁଖ ଅଭିନୟ କରିଥିଲେ। କାର୍ଯ୍ୟକ୍ରମକୁ ନାଟ୍ୟକାର ନବୀନ ପରିଡ଼ା, ସୁରେନ୍ଦ୍ର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ହରେନ୍‌ ସାହୁ ମଞ୍ଚ ପରିଚାଳନା କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ