ସ୍ମାର୍ଟ ସିଟି ଅପରାଧରେ ବି ସ୍ମାର୍ଟ


ଯେବେଠୁ ସ୍ମାର୍ଟ ସିଟି କଥା ଉଠିଲାଣି ଓ ଭୁବନେଶ୍ବର ଏହାର ତାଲିକାଭୁକ୍ତ ହେଲାଣି, ସେବେଠୁ ଚର୍ଚ୍ଚାର ଶିଖର ମଣ୍ଡନ କରିଛି ଏହି ମନ୍ଦିରମାଳନୀ ସହର। ଏପରିକି ବିଭିନ୍ନ ସମୟରେ ପୃଥକ୍‌ ପୃଥକ୍‌ ଭିତ୍ତିଭୂମି ଆଧାରରେ ହୋଇଥିବା କେତେକ ସର୍ବେକ୍ଷଣରେ ଭୁବନେଶ୍ବର ଦେଶର ସ୍ମାର୍ଟ ସିଟିଗୁଡ଼ିକ ମଧ୍ୟରେ ୧ ନମ୍ବର ଏବଂ ବିଶ୍ବରେ ମଧ୍ୟ ଶ୍ରେଷ୍ଠ ୫ଟି ସ୍ମାର୍ଟ ସିଟି ମଧ୍ୟରେ ରହିଥିବା ଦର୍ଶାଯାଇଛି। ତେବେ ପୂର୍ବରୁ ଭୁବନେଶ୍ବର ସମ୍ପର୍କରେ ଯେତିକି ଭଲ ଚର୍ଚ୍ଚା ହୋଇଛି, ପରବର୍ତ୍ତୀ ସମୟରେ ଏହାକୁ ନେଇ ସେତିକି ମନ୍ଦ କଥା ମଧ୍ୟ ଜାଣିବାକୁ ମିଳିଛି। ଗୋଟିଏ ପଟେ ପୁରୁଷ ହକି ବିଶ୍ବକପ୍‌ର ଆୟୋଜନ କରି ସାରା ବିଶ୍ବରେ ଭୁବନେଶ୍ବର ଯେଉଁଭଳି ଭାବେ ଶିରୋନାମା ପାଲଟିଥିଲା, ଠିକ୍‌ ସେହିଭଳି ଭାବେ ନିକଟରେ ପ୍ରକାଶିତ କମିଶନରେଟ୍‌ ପୋଲିସର ବାର୍ଷିକ ଅପରାଧ ପରିସଂଖ୍ୟାନ ଅନୁଯାୟୀ ଭୁବନେଶ୍ବରରେ ବଢ଼ି ଚାଲିଥିବା ଅପରାଧ ସହର ପାଇଁ ଦୁର୍ନାମ ଆଣିଦେଇଛି। ଏଥିସହ ଦ୍ବୈତ ନଗରୀର ଅନ୍ୟତମ ସହର କଟକ ଯୋଡ଼ିହୋଇଥିବା ବେଳେ କଟକ ତୁଳନାରେ ମଧ୍ୟ ଭୁବନେଶ୍ବରରେ ଅଧିକ ଅପରାଧିକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଫଳରେ ଅସୁରକ୍ଷିତ ଶବ୍ଦଟି ଏବେ ଭୁବନେଶ୍ବର-କଟକ ସହ ଗୁନ୍ଥି ହୋଇଯାଇଛି।

ରାଜ୍ୟର ରାଜଧାନୀ ତଥା ସ୍ମାର୍ଟ ସିଟି ଭୁବନେଶ୍ବର ରାଜ୍ୟ ତଥା ଦେଶ ବାହାରର ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ ସହର ସମ୍ପର୍କିତ ଏଭଳି ରିପୋର୍ଟ ରାଜଧାନୀବାସୀ ଓ ରାଜ୍ୟବାସୀଙ୍କୁ ହତୋତ୍ସାହିତ କରିଛି। କମିଶନରେଟ ପୋଲିସର ବାର୍ଷିକ ଅପରାଧ ପରିସଂଖ୍ୟାନ ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ୩ ବର୍ଷ ତୁଳନାରେ ୨୦୧୮ରେ ଭୁବନେଶ୍ବରରେ ହୋଇଥିବା ମୋଟ ଅପରାଧ ୫ ପ୍ରତିଶତ ବୃଦ୍ଧି ପାଇଛି। ହତ୍ୟା ଓ ଦୁଷ୍କର୍ମ ଭଳି ସମ୍ବେଦନଶୀଳ ମାମଲା ମଧ୍ୟ ବଢ଼ିବାରେ ଲାଗିଛି। ଗତବର୍ଷ ହତ୍ୟାଜନିତ ମାମଲା ୭.୫ ପ୍ରତିଶତ ବଢ଼ିଥିବା ବେଳେ ଦୁଷ୍କର୍ମଜନିତ ମାମଲା ୨୬ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ଡକାୟତି ୨୫ ପ୍ରତିଶତ, ଛିନ୍‌ତାଇ ୫.୮ ପ୍ରତିଶତ ଓ ଦୁର୍ଘଟଣା ୮ ପ୍ରତିଶତ ବଢ଼ିଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି। ଦୁଷ୍କର୍ମ ଭଳି ଘୃଣ୍ୟ ଅପରାଧକୁ ନେଇ ସାରା ଦେଶରେ ସଚେତନତା ସୃଷ୍ଟି କରାଯିବା ସହ ଆଇନର ସଂଶୋଧନ ହୋଇଥିବା ବେଳେ ଭୁବନେଶ୍ବରରେ ଏହାର ପ୍ରଭାବ ପରିଲକ୍ଷିତ ହେବା ଭଳି ମନେହେଉ ନାହିଁ। ଫଳସ୍ବରୂପ କେବଳ ୨୦୧୮ରେ ରାଜଧାନୀରେ ୧୨୨ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଏହି ପରିଂସଖ୍ୟାନ ଭୁବନେଶ୍ବରକୁ ‘କ୍ରାଇମ କ୍ୟାପିଟାଲ’ ଆଖ୍ୟା ଦେଇଛି କହିଲେ ଭୁଲ୍‌ ହେବନି।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରାଜ୍ୟର ଗୃହ ବିଭାଗ ଦୀର୍ଘ ୧୮ ବର୍ଷ ଧରି ଶାସନ କରିଆସୁଥିବା ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୀନରେ ରହିଛି। ଅଥଚ ଠିକ୍‌ ତାଙ୍କ ନାକ ତଳେ ରାଜଧାନୀର ଅପରାଧ ହୁ ହୁ ହୋଇ ବଢ଼ିଚାଲିଛି। ଶାନ୍ତିପ୍ରିୟ ଓଡ଼ିଶାବାସୀଙ୍କ ସହ ଏହା ଅନ୍ୟାୟ ନୁହେଁ କି? ଯଦି ରାଜଧାନୀରେ ଅପରାଧକୁ ନିୟନ୍ତ୍ରଣ କରାଯାଇ ପାରୁନି, ତେବେ ରାଜ୍ୟର ଅନୁନ୍ନତ ତଥା ଦୁର୍ଗମ ଇଲାକାରେ ଲୋକେ କିଭଳି ମାନସିକ ସନ୍ତାପରେ ଜୀବନ ଅତିବାହିତ କରୁଛନ୍ତି, ତାହା ସହଜରେ ଅନୁମେୟ। ଏହା ସତ୍ତ୍ବେ ଏଠି ସବୁକିଛି ଠିକ୍‌ଠାକ୍‌ ଚାଲିଛି ବୋଲି ସରକାର ଓ ପ୍ରଶାସନ ପକ୍ଷରୁ ବାରମ୍ବାର କୁହାଯାଇ ଆସୁଛି। ନମ୍ବର ୧ ମୁଖ୍ୟମନ୍ତ୍ରୀ ଭାବେ ପୁରସ୍କୃତ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନଙ୍କ ଉପରେ କେବେ ଏହାର ପ୍ରଭାବ ପଡ଼ିବ, ତାହା ଈଶ୍ବର ଜାଣନ୍ତି।

ଅପରପକ୍ଷେ ଦେଶ ବିଦେଶରୁ ରାଜ୍ୟକୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ୁଛି। ଯଦ୍ଦ୍ବାରା ବିଶ୍ବ ମାନଚିତ୍ରରେ ଓଡ଼ିଶାର ଛବି ମଳିନ ହେବାରେ ଲାଗିଛି। ପରୋକ୍ଷରେ ଏହା ରାଜ୍ୟର ରାଜସ୍ବକୁ ମଧ୍ୟ ପ୍ରଭାବିତ କରୁଛି। ତେଣେ ମୁଣ୍ଡ ଉପରେ ନିର୍ବାଚନ ଥିବାବେଳେ ରାଜଧାନୀର ଚିନ୍ତା ମୁଣ୍ଡବ୍ୟଥା ବଢ଼ାଇଛି। ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସର ସୁଦୃଢ଼ୀକରଣ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଅବସ୍ଥା ମହରଗରୁ ଯାଇ କାନ୍ତାରରେ ପଡ଼ିବା ଭଳି ହୋଇଛି। ସତରେ ଭୁବନେଶ୍ବର ଅପରାଧରେ ବି ସ୍ମାର୍ଟ ହୋଇଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ