ମାଟିକୁ ଭେଟି ଦେବାର ବେଳ


ବିଶ୍ବରେ ଭାରତର ସ୍ବାତନ୍ତ୍ର୍ୟ ରହିଛି। ବିକାଶଶୀଳ ଦେଶ ଭାବେ ପରିଗଣିତ ହେଉଥିବା ଭାରତ ଅନେକ କ୍ଷେତ୍ରରେ ଏବେ ବିକଶିତ ରାଷ୍ଟ୍ର ଠାରୁ ମଧ୍ୟ ଆଗୁଆ। ଶିକ୍ଷା, ଅର୍ଥନୀତି, ରାଜନୀତି, ବିଞାନ ଓ ପ୍ରଯୁକ୍ତି, କ୍ରୀଡ଼ା, କଳା ଓ କାରିଗରୀ ଏବଂ ମନୋରଞ୍ଜନ ଆଦି କ୍ଷେତ୍ରରେ ଦେଶ ଉତ୍କର୍ଷତା ପ୍ରତିପାଦିତ କରିଥିଲେ ହେଁ ମୂଳତଃ ଏହା ଏକ କୃଷିପ୍ରଧାନ ଦେଶ। ଭାରତର କୃଷି କ୍ଷେତ୍ରର ଯଥେଷ୍ଟ ପ୍ରଭାବ ଦେଶର ଅର୍ଥନୈତିକ ବ୍ୟବସ୍ଥା ଉପରେ ରହିଛି। ଏଣୁ ଆମ ଦେଶରେ ଚାଷ ଓ ଚାଷୀଙ୍କ ଗୁରୁତ୍ବ କେତେ ତାହା ସହଜରେ ଅନୁମେୟ। ଏହାର ଜ୍ବଳନ୍ତ ପ୍ରମାଣ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ‘ଜୟ ଯବାନ ଜୟ କିଷାନ’ ନାରା ଠାରୁ ଆରମ୍ଭ କରି ହିନ୍ଦୀ ସିନେମା ଉପକାରର ଗୀତ ‘ମେରେ ଦେଶ କୀ ଧରତୀ ସୋନା ଉଗ୍‌ଲେ, ଉଗ୍‌ଲେ ହୀରେ ମୋତି...’ ସବୁଠି ପ୍ରତୀୟମାନ ହୋଇଥାଏ। ଏପରିସ୍ଥଳେ ଦେଶରେ ଆଜି ଏହି କ୍ଷେତ୍ର ବାଟବଣା ହୋଇଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଛି। ୠଣବୋଝ ହେଉ କି ଆବଶ୍ୟକ ସୁବିଧା ସୁଯୋଗର ଅଭାବ, ଏହା ଚାଷୀକୁ ମରଣ ମୁହଁକୁ ଠେଲି ଦେଉଛି। ଫଳରେ ଯେଉଁ ଜନ୍ମମାଟିକୁ ଆମେ ମା’ ବୋଲି କହୁଛେ, ତା’ର ରକ୍ଷଣାବେକ୍ଷଣକାରୀଙ୍କ ସଂଖ୍ୟା କମିବାରେ ଲାଗିଛି। କିଏ ମାଟି ମା’ର ଯତ୍ନ ନେବ, ଏବେ ସେ ପ୍ରଶ୍ନ ଉଙ୍କିମାରୁଛି।

ଆମ ଦେଶରେ ଚାଷୀଙ୍କ ସୁଖଦୁଃଖ ବୁଝିବା କର୍ତ୍ତବ୍ୟ ସରକାରଙ୍କର। ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇବା, ବଜାର ସୃଷ୍ଟି କରିବା, ୠଣ ଓ ରିହାତି ଏବଂ ଚାଷ ସମ୍ପର୍କିତ ପରାମର୍ଶ ଏପରି ଦାୟିତ୍ବ ଓ କର୍ତ୍ତବ୍ୟର ଅଂଶବିଶେଷ। କିନ୍ତୁ ରାଜନୈତିକ ଦଳଗୁଡ଼ିକ କ୍ଷମତାକୁ ଆସିବା ପରେ ଦେଇଥିବା ପ୍ରତିଶ୍ରୁତି ସବୁ ଭୁଲିଯାଆନ୍ତି। ସେହିପରି ବିରୋଧୀ ଦଳଗୁଡ଼ିକ ଯାହାସବୁ ସ୍ବପ୍ନ ଦେଖାଇଥାନ୍ତି, ତାହା କେବେ ପୂରଣ ହୁଏନି। ପ୍ରତିବଦଳରେ ଚାଷୀଙ୍କୁ ମିଳେ କିଛି ଲୋଭନୀୟ ଯୋଜନାର ପୁଡ଼ିଆ। ଏହା ଉପରକୁ ସୁନା ଭଳି ଚିକ୍‌ଚିକ୍‌ ଦେଖାଯାଉଥିଲେ ହେଁ ଅସଲରେ ମୃଗତୃଷ୍ଣା ସଦୃଶ। ଉଦାହରଣସ୍ବରୂପ ଟଙ୍କିକିଆ ଚାଉଳ ଯୋଗାଣ ଯୋଜନାକୁ ନିଆଯାଇପାରେ। ଯେଉଁ ଉଦ୍ଦେଶ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା, ଆଜି ତା’ର ଫଳ ଓଲଟା। ଏହା ପାଇ ଚାଷୀ ନିଜେ ସ୍ବାବଲମ୍ବୀ ହୋଇଗଲା ବୋଲି ମନେକରୁଛି। ନଚେତ୍‌ ତା’ ମନରେ ଏଭଳି ଭାବ ଉଦ୍ରେକ କରାଯାଉଛି। ଫଳରେ ଚାଷୀ ଖେତରୁ ବିମୁଖ ହେଉଛି। ଧୀରେ ଧୀରେ ଉର୍ବର ଜମିରେ ଚାଷ ନ ହେବା କାରଣରୁ ଏହା ଅନୁର୍ବର ପାଲଟିଯାଉଛି। ଯତ୍ନର ସହ ଚାଷ କରାଯିବା ଦ୍ବାରା ମାଟି ମା’ର ଯେଭଳି ଆଦର ହୋଇପାରନ୍ତା, ତାହା ହେଉନି। ମାଟି ଚାଷ ପାଇଁ ଅଲୋଡ଼ା ହେଉଛି। ଅପରପକ୍ଷେ ନ୍ୟସ୍ତସ୍ବାର୍ଥ ପାଇଁ ଲୋକେ ଏହାକୁ କଂକ୍ରିଟ ଜଙ୍ଗଲ ଭାବେ ଅଧିକ ବ୍ୟବହାର କରୁଛନ୍ତି।

ଏବେ ସବୁ ମୋହମାୟାରୁ ଚାଷୀକୂଳକୁ ମୁକ୍ତ ହେବାକୁ ପଡ଼ିବ। ୟା, ତା’ କଥାରେ ନ ପଡ଼ି ଚାଷରେ ମନୋନିବେଶ କରିବାକୁ ହେବ। ସରକାରଙ୍କ ଠାରୁ ଫାଇଦା ପାଇବା ଲାଳସାରେ ନିଜ ଭିଟାମାଟିକୁ ଉଜାଡ଼ିବା ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିବା ସଦୃଶ। ନ୍ୟୁଟନଙ୍କ ତୃତୀୟ ନିୟମ ଅନୁଯାୟୀ ‘ଟୁ ଏଭ୍ରି ଆକ୍ସନ, ଦେଆର ଇଜ ଆନ ଇକ୍ବାଲ ଏଣ୍ଡ ଅପୋଜିଟ ରିଆକ୍ସନ’ ଅର୍ଥାତ୍‌ ପ୍ରତ୍ୟେକ କ୍ରିୟାର ଏକ ସମାନ ଓ ବିପରୀତ ପ୍ରତିକ୍ରିୟା ରହିଛି। ଯେଉଁ ମାଟି ମା’ ଆମର ଲାଳନ ପାଳନ କରିବା ପୂର୍ବକ ଆମକୁ ଖାଇବାକୁ ମୁଠାଏ ଅନ୍ନ ଦେଇଥାଏ, ସମୟ ପଡ଼ିଲେ ସେ ତା’ର ଭୟାବହ ସ୍ବରୂପ ମଧ୍ୟ ଦେଖାଇଥାଏ। ସାମ୍ପ୍ରତିକ ସମୟରେ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଭୂକମ୍ପ ଓ ସୁନାମୀ ଏହାର ପ୍ରତ୍ୟକ୍ଷ ନିଦର୍ଶନ। ଏଣୁ ସମଗ୍ର ଚାଷୀକୂଳ ଏ ନେଇ ସଚେତନ ହେବା ନିତାନ୍ତ ଜରୁରୀ। ଅବଶ୍ୟ ସେମାନଙ୍କ ସମସ୍ୟାକୁ ଅଣଦେଖା କରାଯାଇ ନ ପାରେ। ପରିସ୍ଥିତି ଯେତେ ପ୍ରତିକୂଳ ହେଲେ ବି ସେଥିରେ ଯାତ୍ରା କରିବାକୁ ହେବ। ତେବେ ଯାଇ ଜୀବନଯାତ୍ରାର ଅସଲ ମୂଲ୍ୟ ରହିବ।

ପବିତ୍ର ମକର ସଂକ୍ରାନ୍ତି ଅବସରରେ ଚାଷୀକୂଳ ତଥା ରାଜ୍ୟବାସୀଙ୍କ ନିକଟରେ ଟିମ୍‌ ପ୍ରତିନିଧିର ଏହା ହିଁ କାମ୍ୟ। ଜୟ ଯବାନ, ଜୟ କିଷାନ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ