ଜାଗ ଜଗ ଜଗାଅ


ସବୁଦିନ ପରି ଆଜି ପୁଣି ଏକ ନୂଆଦିନ। ତେବେ ଏହାର ଭିନ୍ନତା ମାସ ଓ ବର୍ଷରେ ରହିଛି। ସାରା ବିଶ୍ବରେ ଆଜିର ଦିନକୁ ନବବର୍ଷ ଭାବେ ପାଳନ କରାଯାଉଛି। ଆଜି ଇଂରାଜୀ ନବବର୍ଷର ପ୍ରଥମ ଦିନ। ବିଭିନ୍ନତାର ଦେଶର ଭାରତରେ ଭିନ୍ନ ଭିନ୍ନ ଧର୍ମ, ଜାତି ଓ ସମ୍ପ୍ରଦାୟରେ ନବବର୍ଷର ସ୍ବତନ୍ତ୍ର ପରମ୍ପରା ରହିଥିଲେ ହେଁ ସାରା ବିଶ୍ବରେ ଇଂରାଜୀ ନବବର୍ଷର ପ୍ରଚଳନ ବେଶ୍‌ ପୁରାତନ ଓ ଲୋକପ୍ରିୟ। ଜଗତିକରଣ ଦୃଷ୍ଟିରୁ ଏହାକୁ ବି ଅଣଦେଖା କରାଯାଇ ନ ପାରେ। ସାଧାରଣତଃ ଏହି ଦିନରେ ଲୋକେ ନୂଆବର୍ଷର ପ୍ରାରମ୍ଭରେ କିଛି ନୂଆ କରିବା ପାଇଁ ସଂକଳ୍ପ ନେଇଥାନ୍ତି। କୌଣସି ସୁଅଭ୍ୟାସର ଆରମ୍ଭ କି କୁଅଭ୍ୟାସର ପରିତ୍ୟାଗ ପାଇଁ ନିଆଯାଉଥିବା ଏହି ସଂକଳ୍ପ ସେତେବେଳେ ସାର୍ଥକ ହୁଏ, ଯେତେବେଳେ ଏହାର କାର୍ଯ୍ୟକାରିତା ନେଇ ପ୍ରୟାସ ହୁଏ। ନଚେତ୍‌ ଏହା ବହୁ ଆଡ଼ମ୍ବରେ ଲଘୁକ୍ରିୟା ସଦୃଶ ହୋଇଥାଏ।

ସାମ୍ପ୍ରତିକ ସମୟରେ ନୂଆବର୍ଷ ଯୁବପିଢ଼ିଙ୍କ ପାଇଁ ଅନେକ ଆହ୍ବାନ ସୃଷ୍ଟି କରିଛି। ସମୟର ବିବର୍ତ୍ତନରେ ଆମ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଢାଞ୍ଚାରେ ଅନେକ କିଛି ବଦଳିଛି। ସେହିପରି ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ବିଞାନ ଆଦି କ୍ଷେତ୍ରରେ ମଧ୍ୟ ଢେର ଅଗ୍ରଗତି ହୋଇଛି। ତେବେ ଏସବୁ କ୍ଷେତ୍ରରେ ଆଜି ବି ଅନେକ ସମସ୍ୟା ରହିଛି। ଯଦ୍ଦ୍ବାରା ଏହାର ଲାଭ ସଭିଙ୍କୁ ମିଳିପାରୁ ନାହିଁ। ଏ ସମ୍ପର୍କିତ ଭଲ ମନ୍ଦର ବିଚାର କରିବା ଲାଗି ନିଜସ୍ବ ଆଗ୍ରହ, ଉପସ୍ଥିତ ବୁଦ୍ଧି ଓ ବିସ୍ତାରିତ ଦୃଷ୍ଟିଭଙ୍ଗୀ ଆବଶ୍ୟକ। ଏହା ଆଧାରରେ କୌଣସି କ୍ଷେତ୍ରରେ ତୃଣମୂଳ ସ୍ତର ଠାରୁ ଆରମ୍ଭ କରି ଉପର ପର୍ଯ୍ୟନ୍ତ ସ୍ଥିତି ସମ୍ପର୍କରେ ଅବଗତ ହୋଇପାରିବେ। ସ୍ବାଭାବିକ ଧାରାରୁ ବିଚ୍ୟୁତ ହୋଇଥିବା ଅନୁଭବ କଲେ ଏହାକୁ ରୋକିବାର ପ୍ରୟାସ କରାଯାଇ ପାରିବ। ଏଥିପାଇଁ ପ୍ରଥମେ ନିଜେ ସଜାଗ ହେବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିହେବ। ସବୁଠୁ ବଡ଼କଥା ହେଉଛି ସାମଗ୍ରିକ ବିକାଶ ଲକ୍ଷ୍ୟରେ ଅଧିକରୁ ଅଧିକଙ୍କୁ ଏହି ପ୍ରକ୍ରିୟା ସହ ଯୋଡ଼ିବାକୁ ହେଲେ ସେମାନଙ୍କୁ ଜଗାଇବାକୁ ପଡ଼ିବ।

ଓଡ଼ିଶାରେ ଏବେ ଯୁବପିଢ଼ି ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଅନେକ ଚାଲେଞ୍ଜର ସମ୍ମୁଖୀନ ହେଉଥିବା ବେଳେ ତତ୍‌ସହିତ ଚାଷୀ ଆତ୍ମହତ୍ୟା, ଗଣବଳାତ୍କାର, ଗୁଣ୍ଡାଗର୍ଦ୍ଦି, ନିଶା ସେବନ ଓ ଟେକ୍ନୋଲୋଜିର ଅପବ୍ୟବହାର ଭଳି ସମସ୍ୟା ସବୁ ବୋଝ ଉପରେ ନଳିତା ବିଡ଼ା ଭଳି ହୋଇଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଯୁବିପିଢ଼ିଙ୍କୁ ଉଚିତ ମାର୍ଗଦର୍ଶନ କରିବା କାର୍ଯ୍ୟ ହେଉଛି ସରକାର ଓ ପ୍ରଶାସନର। ଖାଲି ସରକାର କାହିଁକି, ବିରୋଧୀ ରାଜନୈତିକ ଦଳଗୁଡ଼ିକର ମଧ୍ୟ ଏ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ତେବେ ଖାଲି ରାଜନୈତିକ ଅଭୀପ୍‌ସା ପୂରଣର ଲାଳସା ଓ ନିହିତ ବ୍ୟକ୍ତିଗତ ସ୍ବାର୍ଥସାଧନକୁ ଗୁରୁତ୍ବ ଦିଆଯାଉଥିବାରୁ ପରିସ୍ଥିତି ଗୋଳମାଳିଆ ହେଉଛି। ସମାଜର ବିକାଶ ପାଇଁ ଯେଉଁ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକ ତାହା ଦେଖିବାକୁ ମିଳୁନି। ଏପରିସ୍ଥଳେ ଯୁବପିଢ଼ିଙ୍କୁ ସ୍ବାର୍ଥପର ରାଜନେତା ଓ ଏତାଦୃଶ ବ୍ୟକ୍ତିବିଶେଷଙ୍କ ଚାପରେ ନ ଆସି ସଚେତନ ହେବାର ସମୟ ଆସିଛି। ସେମାନଙ୍କ ପାଇଁ ‘ଜାଗ, ଜଗ ଓ ଜଗାଅ’ ଏବେ ମୂଳମନ୍ତ୍ର ପାଲଟିଛି। ତେବେ ଯାଇ ପ୍ରକୃତ ଅର୍ଥରେ ଏକ ନୂତନ ସମାଜ ଗଠନର ପରିକଳ୍ପନା ସମ୍ଭବ।

ନୂଆବର୍ଷ ଉପଲକ୍ଷେ ସଭିଙ୍କୁ ଟିମ୍‌ ପ୍ରତିନିଧିର ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ। ଜୟ ଜଗନ୍ନାଥ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ