ଧିରୁଭାଇ ଅମ୍ବାନୀଙ୍କ ଭିନ୍ନ କାହାଣୀ


ଡିସେମ୍ବର ୨୮ ହେଉଛି ଧିରୁଭାଇ ଅମ୍ବାନୀଙ୍କ ଜନ୍ମତିଥି। ଦେଶର କର୍ପୋରେଟ ଜଗତର ଛବି ବଦଳାଇ ଦେଇଥିବା ଧିରୁଭାଇ ରିଲାଏନ୍ସ ଇଣ୍ଡଷ୍ଟ୍ରିକୁ ନିଜ ହାତରେ ଗଢ଼ିଥିଲେ। ଧିରୁଭାଇ ଅମ୍ବାନୀଙ୍କ ଜନ୍ମ ୨୮ ଡିସେମ୍ବର ୧୯୩୩ ମସିହାରେ ମହାରାଷ୍ଟ୍ରର ଜୁନାଗଡ଼ ଜିଲାରେ ହୋଇଥିଲା। ଧିରୁଭାଇ ଅମ୍ବାନୀଙ୍କ ପୁରା ନାମ ଥିଲା ଧିରଜଲାଲ ହୀରାଚାନ୍ଦ ଅମ୍ବାନୀ। ତାଙ୍କର ଶୈଶବ ଥିଲା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ। ଦାରିଦ୍ର୍ୟ ଭିତରେ ଅମ୍ବାନୀ କଟାଇଥିଲେ ନିଜ ପିଲାଦିନ।

ହାଇସ୍କୁଲ ପରେ ଗରିବୀ ପାଇଁ ତାଙ୍କ ପଢ଼ାରେ ବନ୍ଧା ଯାଇଥିଲା ଡୋରି। ପଢ଼ିବା ପାଇଁ ଇଚ୍ଛା ଥାଇ ମଧ୍ୟ ପଢ଼ି ପାରି ନ ଥିଲେ ଧିରୁଭାଇ। କିଶୋରାବସ୍ଥାରେ ପରିବାରର ଉତ୍ତରଦାୟିତ୍ବ ତାଙ୍କ କାନ୍ଧରେ ଲଦା ଯାଇଥିଲା। ଅର୍ଥ ରୋଜଗାର ପାଇଁ ତାଙ୍କୁ ଛୋଟମୋଟ କାମ କରିବାକୁ ପଡ଼ିଲା। ପାଖରେ ୧୦୦୦ ଟଙ୍କା ହୋଇଯିବା ପରେ ସେ ଆରମ୍ଭ କଲେ ରିଲାଏନ୍ସ। ଯାହାକି ଏବେ ୬ ଲକ୍ଷ କୋଟି ଟଙ୍କାର ବ୍ୟବସାୟିକ ସାମ୍ରାଜ୍ୟରେ ପରିଣତ ହୋଇଯାଇଛି। ୧୯୭୭ ମସିହାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ପ୍ରଥମ ଥର ପାଇଁ ନିଜର ଆଇପିଓ ଜାରି କରିଥିଲା। ୧୯୯୧ରେ ରିଲାଏନ୍ସ ପ୍ରଥମ ଥର ପାଇଁ ରିଫାଇନରୀ କ୍ଷେତ୍ରରେ ପ୍ରବେଶ କଲା। ଯାହାପରେ କମ୍ପାନୀ ଲଗାତର ଭାବେ ଦେଶରେ ନାଁ କରିବାକୁ ଲାଗିଲା।

‘କର୍‌ଲୋ ଦୁନିଆ ମୁଠୀ ମେ’ ସ୍ଲୋଗାନରେ ପ୍ରଗତିର ଯାତ୍ରା
ଧିରୁଭାଇ ଅମ୍ବାନୀ ୨୦୦୨ରେ ଆର୍‌ କମ୍‌ର ଶୁଭାରମ୍ଭ କଲେ। ରିଲାଏନ୍ସ ଗ୍ରୁପ ମୋବାଇଲ ଦୁନିଆରେ ‘କର୍‌ଲୋ ଦୁନିଆ ମୁଠୀ ମେ’ର ସ୍ଲୋଗାନ ଦେଇ ପାଦ ଥାପିଲା। ଯେଉଁ ସମୟରେ ଧିରୁଭାଇ ରିଲାଏନ୍ସ କମ୍ୟୁନିକେସନର ଆରମ୍ଭ କଲେ, ସେହି ସମୟରେ ଭାରତରେ ଅନ୍ୟ କେତେକ ଟେଲିକମ କମ୍ପାନୀ ମହଜୁଦ ଥିଲେ। କିନ୍ତୁ ଆର କମ୍‌ ବଜାରରେ ଆସୁ ଆସୁ ତହଲକା ମଚାଇ ଦେଇଥିଲା। ଧିରୁଭାଇଙ୍କ ଉଦ୍ଦେଶ୍ୟ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟକୁ ମୋବାଇଲ ପହଞ୍ଚାଇବା ଥିଲା। ସେହି ସମୟରେ କଲ୍‌ ରେଟ୍‌ ବହୁତ ମହଙ୍ଗା ମଧ୍ୟ ଥିଲା। ରିଲାଏନ୍ସ ୫୦୧ ଟଙ୍କିଆ ମୋବାଇଲ ଫୋନର ଶୁଭାରମ୍ଭ କରିଥିଲା। ମାତ୍ର ୧୫ ପଇସା ମିନିଟ ପ୍ରତି କଲ୍‌ ଦର ଅଫର ଦେଇ ଉପଭୋକ୍ତାମାନଙ୍କୁ ନିଜ ଆଡ଼କୁ ଟାଣି ଆଣିଥିଲା। ସେ ସମୟରେ ଟେଲିକମ ଇଣ୍ଡଷ୍ଟ୍ରିରେ ସରକାରୀ କମ୍ପାନୀ ବିଏସ୍‌ଏନ୍‌ଏଲ, ଏୟାରଟେଲ, ଭୋଡାଫୋନ (ହଚ୍‌), ଆଇଡିଆ, ଟାଟା, ଏୟାରସେଲ, ସ୍ପାଇସ ଏବଂ ଭର୍ଜିନ ମୋବାଇଲ ଉପଲବ୍ଧ ଥିଲା। ଧିରୁଭାଇ ସେତେବେଳେ ଦୃଢ଼ ଭାବରେ କହିଥିଲେ ପୋଷ୍ଟକାର୍ଡ ଠାରୁ କଲ୍‌ରେଟ୍‌ କମ୍‌ ହେବା ଦରକାର। ଯଦି ପୋଷ୍ଟକାର୍ଡ ଠାରୁ କଲ୍‌ରେଟ୍‌ ମହଙ୍ଗା ହେବ, ତେବେ ପ୍ରତି ଲୋକ ହାତରେ ଫୋନ ଧରାଇବାରେ ଆମେ ଅସଫଳ ହେବା।

ଧିରୁଭାଇ ଅମ୍ବାନୀଙ୍କ ନାମରେ ଏବେ ଇଣ୍ଟରନ୍ୟାସନାଲ ସ୍କୁଲ ରହିଛି। ଏହି ସ୍କୁଲର ନାମ ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲ। ଏହି ସ୍କୁଲରେ ସଚିନ ତେନ୍ଦୁଲକର, ଶାହରୁଖ ଖାନ, ଶ୍ରୀଦେବୀଙ୍କ ଯାଏ ଅନେକ ତାରକା ପାଠପଢ଼ି ବଡ଼ ହୋଇଛନ୍ତି। ଅଧିକାଂଶ ତାରକା ପରିବାରର ପୁଅଝିଅମାନେ ଏଠାରେ ପଢ଼ିଥାନ୍ତି।

ଧିରୁଭାଇ ଅମ୍ବାନୀ ହାଇସ୍କୁଲ ପରେ ସିନା ନିଜେ ଅଧିକ ପାଠ ପଢ଼ିପାରିଲେନି କିନ୍ତୁ ସେ ନିଜ ଦୁଇପୁଅଙ୍କୁ ବିଦେଶରେ ପଢ଼ାଇଥିଲେ। ମୁକେଶ ଓ ଅନୀଲ ୟୁଏସ୍‌ରେ ପଢ଼ିଛନ୍ତି। ୬ ଜୁଲାଇ ୨୦୦୨ରେ ଧିରୁଭାଇଙ୍କ ମହାପ୍ରୟାଣ ପରେ ତାଙ୍କର ଦୁଅପୁଅ ରିଲାଏନ୍ସର ଦାୟିତ୍ବ ନେଲେ। ଧିରୁଭାଇଙ୍କ ମହାପ୍ରୟାଣ ବେଳକୁ ତାଙ୍କ ନିକଟରେ ୬୨ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କାର ସମ୍ପତ୍ତି ହୋଇସାରିଥିଲା। ରିଲାଏନ୍ସ ଇଣ୍ଡଷ୍ଟ୍ରିର ପ୍ରତ୍ୟେକ ନିଷ୍ପତ୍ତି ନେବା ପୂର୍ବରୁ ଧିରୁଭାଇ ନିଜ ଦାରିଦ୍ର୍ୟତାକୁ ମନେପକାଇ ଏ ପ୍ରକାର ନିଷ୍ପତ୍ତି କିଭଳି ସମାଜର ଅଗଣିତ ଗରିବମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶରେ ସହାୟକ ହୋଇପାରିବ, ତାକୁ ନେଇ ଚିନ୍ତା କରୁଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ