କ୍ୟାରିଅର ସଜାଡ଼ିବାକୁ ନୂଆବର୍ଷରେ ନିଅନ୍ତୁ ଏହି ୫ ସଂକଳ୍ପ


ନୂଆବର୍ଷ ୨୦୧୯ରେ ଆପଣ ନିଜର ପୁରୁଣା ଅଭ୍ୟାସ ଛାଡ଼ି ନିଜକୁ ବିକଶିତ କରିପାରିବେ। ବିଶେଷକରି ବିଦ୍ୟାର୍ଥୀମାନେ ଯାହା ୨୦୧୮ରେ କରିପାରି ନାହାନ୍ତି, ସେହି କାମ ୨୦୧୯ରେ କରିପାରିବେ।

ନୂଆବର୍ଷ ଆସୁଛି। ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଆପଣ ନୂଆବର୍ଷକୁ ସଂକଳ୍ପ ଭାବେ ନେଇ ନିଜର ଜୀବନ ଗଢ଼ିବାରେ ପ୍ରଯତ୍ନ କରିପାରିବେ। କିଛି ପୁରୁଣା ଅଭ୍ୟାସକୁ ପରିତ୍ୟାଗ କରି ନିଜ ଜୀବନକୁ ଅଧିକ ଉନ୍ନତ ଓ ସୁନ୍ଦର ଭାବେ ଗଢ଼ିତୋଳିବା ଦିଗରେ ସଂକଳ୍ପ ନେବାକୁ ହେବ। ଲୋକେ ନୂଆବର୍ଷରେ ମଦ,ସିଗାରେଟ ଛାଡ଼ିବା, ସକାଳୁ ଶୀଘ୍ର ଉଠିବା, ବ୍ୟାୟାମ ଓ ପ୍ରାଣାୟାମ କରିବା ଏବଂ ସଞ୍ଚୟ ଅଭ୍ୟାସ କରିବା ଭଳି ସଂକଳ୍ପମାନ କରିଥାନ୍ତି। କିନ୍ତୁ ଅଧିକାଂଶ ଲୋକ ନିଜ ସଂକଳ୍ପ ପୂରା କରିପାରନ୍ତି ନାହିଁ। ଛାତ୍ରଛାତ୍ରୀମାନଙ୍କ ସଂକଳ୍ପ ଲେଖାପଢ଼ା ଏବଂ ନିଜକୁ ଆହୁରି ଉନ୍ନତ କରାଇବା ପାଇଁ ହୋଇଥାଏ। ବିଦ୍ୟାର୍ଥୀମାନଙ୍କ ପାଇଁ ଏହା ଜରୁରୀ ଅଟେ ଯେ ସେମାନେ ପ୍ରତିବର୍ଷ ଏଭଳି ପ୍ରତିଞାମାନ କରନ୍ତୁ ଏବଂ ତାହା ହାସଲ ପାଇଁ ପନ୍ଥା ଅନୁସରଣ କରନ୍ତୁ। ନିୟମିତ ପାଠ ପଢ଼ିବା ବିଦ୍ୟାର୍ଥୀମାନଙ୍କ ପାଇଁ ସବୁଠୁ ବଡ଼ ଆବଶ୍ୟକତା। ଏଥି ସହିତ ସେମାନେ କ୍ୟାରିଅର ସହ ଯୋଡ଼ା ନିଷ୍ପତ୍ତି ନେବା ପୂର୍ବରୁ ବଡ଼ମାନଙ୍କର ପରାମର୍ଶ ମଧ୍ୟ ଗ୍ରହଣ କରିବା ଉଚିତ। ଆଜି ଆମେ ନୂଆବର୍ଷ ପାଇଁ ଅନ୍ୟୁନ ନିମ୍ନୋକ୍ତ କେତେକ ପ୍ରତିଞା ବାବଦରେ ଦର୍ଶାଉଛୁ, ଯାହାକୁ ପାଳନ କଲେ ବିଦ୍ୟାର୍ଥୀଙ୍କ ଜୀବନରେ ବଡ଼ ପରିବର୍ତ୍ତନ ସହଜ ଓ ସମ୍ଭବ ହୋଇପାରିବ।

ନିୟମିତ ପଢ଼ା ଅଭ୍ୟାସ ଜାରି ରଖନ୍ତୁ
ବିଦ୍ୟାର୍ଥୀମାନେ ଅତି କମ୍‌ରେ ଦୈନିକ ୩-୪ ଘଣ୍ଟା ପଢ଼ିବା ଉଚିତ। ପାଠ୍ୟକ୍ରମର ପୁସ୍ତକ ସହିତ ସାଧାରଣଞାନ, କରେଣ୍ଟ ଆଫେୟାର୍ସର ପୁସ୍ତକ, ଗଳ୍ପ କବିତା ଓ ଖବରକାଗଜର ସମ୍ପାଦକୀୟ ଲେଖା ଓ ସମୀକ୍ଷାମାନ ପଢ଼ିବା ଆବଶ୍ୟକ। ଇଣ୍ଟରନେଟ ସଂଯୋଗ କରି କମ୍ପ୍ୟୁଟର ସହାୟତାରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକର ଅନ୍‌ଲାଇନ ଶିକ୍ଷାଦାନ ଭିଡିଓ ମଧ୍ୟ ଦେଖିପାରିବେ।

ଆଜିର କାମ ଏବେ କରନ୍ତୁ

ଆମେ ନିଜର ଆଜିର କାମକୁ କାଲି କରିବା କହି ଟାଳି ଦେଇଥାଉ। କାଲି କାଲି ହୋଇ ସମୟ ସରିଯାଏ। ଆସାଇନମେଣ୍ଟ ହେଉ ବା ପରୀକ୍ଷା ପାଇଁ ପ୍ରସ୍ତୁତି, ବାକି ଥିବା କାମ ପଛରେ ବୋଝ ପରି ମାଡ଼ିବସେ। ତେଣୁ କାଲିର କାମ ଆଜି କରନ୍ତୁ ଏବଂ ଆଜିର କାମ ଏବେ କରନ୍ତୁ। ଯୋଜନାବଦ୍ଧ ଭାବେ ବା ନିର୍ଦ୍ଦିଷ୍ଟ ଟାଇମ ଟେବୁଲ ରଖି ପଢ଼ିବସିଲେ ଅନେକ ପାଠ ଆୟତ୍ତ ହୋଇଯାଏ।

ସାର୍ଟିଫିକେଟ ବା ଡିପ୍ଲୋମା କରନ୍ତୁ
ଦ୍ବାଦଶ ବା ସ୍ନାତକ ଶିକ୍ଷାପ୍ରାପ୍ତ ଛାତ୍ରଛାତ୍ରୀମାନେ ରୁଚିକୁ ଧ୍ୟାନରେ ରଖି ନୂଆବର୍ଷରେ ଏକ ସାର୍ଟିଫିକେଟ ବା ଡିପ୍ଲୋମା କରନ୍ତୁ। ଏହାଦ୍ବାରା ନିଜ ପାଖରେ ଆଉ ଏକ ସାର୍ଟିଫିକେଟ ମଧ୍ୟ ଉପଲବ୍ଧ ହୋଇପାରିବ। ନିଜ ଭିତରେ ବିଜୟର ସାମର୍ଥ୍ୟ ସୃଷ୍ଟି ହୋଇପାରିବ।

ସୋସଲ ମିଡିଆରେ ସମୟ ବରବାଦ କରନ୍ତୁନି
ଇଣ୍ଟରନେଟ୍‌ର ଏହି ଯୁଗରେ ଛାତ୍ରଛାତ୍ରୀମାନେ ବେଶି ଭାଗ ସମୟ ସୋସାଲ ମିଡିଆରେ ଦେଇ ସମୟ ବରବାଦ କରି ଥାନ୍ତି। ସାଙ୍ଗସାଥୀ ଏବଂ ପରିବାରକୁ ସମୟ ଦେବା ବଦଳରେ ଫେସବୁକ, ହ୍ବାଟ୍‌ସଆପ ଓ ଟ୍ବିଟରରେ ଯୋଡ଼ିହୋଇ ରହିବା ବିଦ୍ୟାର୍ଥୀଙ୍କ ପାଇଁ ଠିକ୍‌ ଅଭ୍ୟାସ ନୁହେଁ। ବିଦ୍ୟାର୍ଥୀମାନେ ନିଜ ପାଠପଢ଼ାକୁ ଏହା ଫଳରେ ଫୋକସ୍‌ କରିପାରନ୍ତି ନାହିଁ। ଏଥିପାଇଁ ସେମାନେ ସଂକଳ୍ପ ନେବା ଉଚିତ ଯେ ଦିନକୁ ଘଣ୍ଟାଏରୁ ଅଧିକ ସମୟ ସୋସାଲ ମିଡିଆ ପାଇଁ ଅପଚୟ କରିବେ ନାହିଁ।

ସକ୍ରିୟ ରହିବା ପାଇଁ ନିଅନ୍ତୁ ଶପଥ
ଆପଣ ଯେତେ ଅଧିକ ସକ୍ରିୟ ହେବେ ସେତେ ବେଶି ପାଠପଢ଼ାକୁ ଧ୍ୟାନ ଦେଇପାରିବେ। ଆଳସ୍ୟ ପରିତ୍ୟାଗ କରି ସକ୍ରିୟ ରହିବା ସହ ସମସ୍ତ ପ୍ରକାର କାମ କରିବାକୁ ଆଗକୁ ଆସନ୍ତୁ। ବସିରହିଲେ ଅଳସୁଆ ହୋଇଯିବେ। ପରେ ଆଉ କୌଣସି କାମରେ ମନ ଲାଗିବ ନାହିଁ। ନୂଆବର୍ଷ ଆରମ୍ଭରୁ ଏସବୁ ଦୃଢ଼ ସଂକଳ୍ପ ନେଇ ତା’ ପଛରେ ଦୌଡ଼ିଲେ ୨୦୧୯ ଆପଣଙ୍କ ଜୀବନକୁ ଆହୁରି ସୁନ୍ଦର ଭାବେ ସଜାଡ଼ି ପାରିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ