ଏକାଥରେ ୧୦୪ ଉପଗ୍ରହର ଉତ୍‌କ୍ଷେପଣ!

ଫେବୃଆରୀ ୧୫ରେ ଏହି ରେକର୍ଡ ଉତ୍‌କ୍ଷେପଣ କରିଛି ଇସ୍ରୋ

ଶ୍ରୀହରିକୋଟାସ୍ଥିତ ଇସ୍ରୋର ସତୀଶ ଧୱନ ସ୍ପେସ୍‌ ସେଣ୍ଟରରୁ ପିଏସ୍‌ଏଲ୍‌ଭି-ସି୩୭ର ଉତ୍‌କ୍ଷେପଣ
ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର କେନ୍ଦ୍ରଠାରେ ଏକାଥରେ ୧୦୪ଟି ଉପଗ୍ରହର ବ୍ୟାବସାୟିକ ଉତ୍‌କ୍ଷେପଣ କରିଛି ଇସ୍ରୋ। ଫେବୃଆରୀ ୧୫ରେ ଏହି ଐତିହାସିକ ସଫଳତା ହାସଲ କରିଥିଲା ଇସ୍ରୋ। ଅତ୍ୟାଧୁନିକ ପିଏସ୍‌ଏଲ୍‌ଭି-ସି୩୭ (ପୋଲାର ସାଟେଲାଇଟ୍‌ ଲଞ୍ଚ୍‌ ଭେଇକ୍ଲ-ସି୩୭) ମାଧ୍ୟମରେ ଏହି ଉତ୍‌କ୍ଷେପଣ କାର୍ଯ୍ୟ ସମ୍ପାଦିତ ହୋଇଛି। ଆଗକୁ ପ୍ରଧାନମନ୍ତ୍ରୀଙ୍କ ପସନ୍ଦର ପ୍ରକଳ୍ପ ସାଉଥ୍‌ ଏସିଆନ ସାଟେଲାଇଟ୍‌ ଓ ଏପ୍ରିଲରେ ଜିଏସ୍‌ଏଲ୍‌ଭି-ମାର୍କ ୩ ଯୋଗେ ସ୍ବଦେଶୀ କମ୍ୟୁନିକେସନ ସାଟେଲାଇଟ୍‌ ଜିସାଟ୍‌ ୧୯ର ଉତ୍‌କ୍ଷେପଣ କରାଯିବ।

ବିକ୍ରମ ସରାଭାଇ ସ୍ପେସ ସେଣ୍ଟର (ଭିଏସ୍‌ଏସ୍‌ସି), ଲିକ୍ବିଡ୍‌ ପ୍ରପଲ୍‌ସନ ସିଷ୍ଟମ୍‌ସ ସେଣ୍ଟର (ଏଲ୍‌ପିଏସ୍‌ସି) ଓ ଇସ୍ରୋ ଇନର୍ସିଆଲ ସିଷ୍ଟମ ୟୁନିଟ (ଆଇଆଇଏସ୍‌ୟୁ)ର ବୈଜ୍ଞାନିକମାନେ ଏହାକୁ ବୈଜ୍ଞାନିକ ଜ୍ଞାନକୌଶଳର ମାଇଲଖୁଣ୍ଟ ରୂପେ ଅଭିହିତ କରିଛନ୍ତି। ଉତ୍‌କ୍ଷେପଣ ହୋଇଥିବା ୧୦୪ଟି ଉପଗ୍ରହ ମଧ୍ୟରୁ ନାନୋ ସାଟେଲାଇଟ୍‌ ସମେତ ୧୦୧ଟି ବିଦେଶୀ ଉପଗ୍ରହ ଓ କାରୋସାଟ୍‌ ସିରିଜ୍‌-୨ଡି (ରିମୋଟ୍‌ ସେନ୍‌ସିଂ ହାଇ ରିଜୋଲ୍ୟୁସନ କ୍ୟାମେରାଯୁକ୍ତ)ର ୩ଟି ଭାରତୀୟ ଉପଗ୍ରହ ରହିଥିଲା। ଭାରତୀୟ ଉପଗ୍ରହ ଗୁଡ଼ିକର ବ୍ୟବହାର ପ୍ରତିରକ୍ଷା ଓ ରଣକୌଶଳ ପାଇଁ ଉପଯୋଗୀ ହେବ।

୨୦୧୬ ଜୁନ ୨୨ରେ ପିଏସ୍‌ଏଲ୍‌ଭି-ସି୩୪ ଯୋଗେ ଇସ୍ରୋ ଏକାଥରେ ୨୦ଟି ଉପଗ୍ରହ ଉତ୍‌କ୍ଷେପଣ କରିଥିବା ବେଳେ ୨୦୧୪ରେ ରୁଷିଆ ଏକକ ଅଭିଯାନରେ ରେକର୍ଡ ୩୭ଟି ଓ ଆମେରିକୀୟ ମହାକାଶ ଏଜେନ୍ସି ନାସା ୨୯ଟି ଉପଗ୍ରହ ଉତ୍‌କ୍ଷେପଣ କରିସାରିଛି। ଉପଗ୍ରହ ଉତ୍‌କ୍ଷେପଣର ଖର୍ଚ୍ଚ କାଟ ସାଙ୍ଗକୁ ସହଜରେ ଏହାର ବ୍ୟବହାର ଉପଲବ୍ଧ କରାଇବା ଏହି ଅଭିଯାନର ମୂଳ ଲକ୍ଷ୍ୟ। ୨୦୧୪ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ଏଭଳି ସୁବିଧା ଉପଲବ୍ଧ କରାଇବାକୁ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇଛି। ଏହି ପ୍ରକଳ୍ପରୁ ପାକିସ୍ତାନ ପଛକୁ ହଟିଯାଇଥିବା ବେଳେ ଭାରତ ସମେତ ଶ୍ରୀଲଙ୍କା, ମାଳଦ୍ବୀପ, ବାଂଲାଦେଶ, ନେପାଳ ଓ ଭୁଟାନ ଏବେ ଏହି ବୈଜ୍ଞାନିକ ଜ୍ଞାନକୌଶଳର ଫାଇଦା ଉଠାଇ ପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ