ମୀରପୁରରେ ରକ୍ତର ବନ୍ୟା, ଦିଲ୍ଲୀରେ ନେହରୁ


ଆଖିବୁଜା ଗୁଳିମାଡ଼ରୁ ନିଜକୁ ବଞ୍ଚାଇବା ପାଇଁ ଦୌଡ଼ିଲି। ଫଳରେ ପରିବାରଠାରୁ ମୁଁ ଅଲଗା ହୋଇଗଲି। ମୋ ସହ ମୋର ପତି ଥିଲେ। କିଛିଦୂର ଯାଇଛୁ କି ନା ରକ୍ତମୁଖା ଦଙ୍ଗାକାରୀମାନେ ଆମକୁ ଘେରିଗଲେ। ସେମାନଙ୍କ ହାତରେ କୁରାଢ଼ି, ଫାର୍ସା, ତରବାରୀ ଥିଲା। ପୁରୁଷଙ୍କୁ ଅଲଗା ଘରେ ଓ ମହିଳାମାନଙ୍କୁ ଅଲଗା ଘରେ ରଖାଗଲା। ମୋ ସହିତ ପାଖାପାଖି ୩୦ରୁ ୪୦ଜଣ ମହିଳା ଥିଲେ। ସେମାନେ କାନ୍ଦି କାନ୍ଦି ଜୀବନଭିକ୍ଷା କରୁଥିଲେ। ଆମକୁ ବାରମ୍ବାର ଯୌନଶୋଷଣ କରାଗଲା। ଚାରିଦିନ ଧରି ମୋତେ ପାକିସ୍ତାନର ବିଭିନ୍ନ ସ୍ଥାନରେ ରଖାଗଲା ଏବଂ ଶେଷରେ ୨୦ଟଙ୍କାରେ ବିକି ଦିଆଗଲା ରେଡ୍‌ଲାଇଟ୍‌ ଏରିଆରେ।

ଦେଶ ବିଭାଜନ ଆଗରୁ ମୀରପୁର (ଏବେ ପାକିସ୍ତାନ ଅଧୀନରେ)ରେ ରହୁଥିବା ହରଭଜନ କୌରଙ୍କର ଏଇ ମର୍ମନ୍ତୁଦ କାହାଣୀ। ବାଲ କେ. ଗୁପ୍ତାଙ୍କ ଦ୍ୱାରା ଲେଖାଯାଇଥିବା ପୁସ୍ତକ ‘ଫରଗଟନ୍ ଆଟ୍ରୋସିଟିଜ୍: ମେମୋରିଜ୍ ଅଫ୍ ଏ ସର୍ଭାଇଭର ଅଫ୍ ଦ ୧୯୪୭ ପାର୍ଟିସନ୍ ଅଫ୍ ଇଣ୍ଡିଆ’ର ଅଂଶ। ଲେଖକ ନିଜେ ମଧ୍ୟ ଏଇ ଭୟାନକ ଦଙ୍ଗାରୁ ବଞ୍ଚି ଯାଇଥିବା ଜଣେ ଭୁକ୍ତଭୋଗୀ।

ଭାରତ-ପାକିସ୍ତାନ ବିଭାଜନ ସମୟରେ ଏଇ ମୀରପୁର ସହର କଶ୍ମୀର ରାଜ୍ୟର ଅଂଶବିଶେଷ ଥିଲା, ଯେଉଁଠାରେ ଅତିକମ୍‌ରେ ୧୮ ହଜାରରୁ ଅଧିକ ହିନ୍ଦୁ ଓ ଶିଖ୍‌ଙ୍କୁ ପାକିସ୍ତାନୀ ସେନାଙ୍କ ହାତରେ କଲବଲ କରି ମାରିବା ପାଇଁ ଛାଡ଼ିଦେଇଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଏବଂ କଶ୍ମୀରର ତତ୍କାଳୀନ ମୁଖ୍ୟ ଶେଖ୍ ଅବ୍‌ଦୁଲ୍ଲା(ଫାରୁକ୍ ଅବଦୁଲ୍ଲାଙ୍କ ବାପା ଏବଂ ଉମର ଅବଦୁଲ୍ଲାଙ୍କ ଜେଜେ)। କେବଳ ସେତିକି ନୁହେଁ, ସେମାନଙ୍କ ବେପରୁଆ ମନୋଭାବ ପାଇଁ ପାକ୍ ସେନା ପକ୍ଷରୁ ୫ ହଜାରରୁ ଅଧିକ ମହିଳାଙ୍କୁ ଅପହରଣ କରି ନିଆଗଲା।

୧୯୪୭ ମସିହା ଅକ୍ଟୋବର ୨୭ ତାରିଖରେ ମୀରପୁର ଭାରତରେ ମିଶିଯିବ ବୋଲି ଘୋଷଣା କରାଯାଇଥିଲା, କିନ୍ତୁ ତା’ଆଗରୁ ପାକିସ୍ତାନ ମୀରପୁର ଏବଂ ତା’ ଆଖପାଖ ସହରଗୁଡ଼ିକୁ ନିଜ କବ୍‌ଜାକୁ ନେଇଯାଇଥିଲା। କାରଣ ଏଇ ଅଞ୍ଚଳରେ କଶ୍ମୀର ସରକାରଙ୍କର ମାତ୍ର ଆଠଶହ ସୈନିକ ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ମୁସଲମାନ ଥିଲେ, ଯେଉଁମାନେ ଅସ୍ତ୍ରଶସ୍ତ୍ର ସହ ପାକ୍‌ସେନାଙ୍କ ସହ ହାତ ମିଳାଇ ନେଇଥିଲେ। ଉତ୍ତେଜନା ବଢ଼ିବଢ଼ି ଚାଲିଥିଲା। ତଥାପି କଶ୍ମୀର ମାମଲାରେ ହସ୍ତକ୍ଷେପ କରିବା ଉଚିତ ନୁହେଁ କହି,  ଚୁପ୍‌ଚାପ୍‌ ବସି ରହିଥିଲା ଭାରତ। ତେବେ ଭାରତୀୟ ସେନା ନଭେମ୍ବର ୧୬ ବେଳକୁ କଶ୍ମୀରରେ ପହଞ୍ଚି ସାରିଥିଲା। ମାତ୍ର ତା’ଆଗରୁ ୧୩ ତାରିଖରେ ଶେଖ୍ ଅବଦୁଲ୍ଲା ଦିଲ୍ଲୀ ପହଞ୍ଚି ସାରିଥିଲେ ଏବଂ ୧୪ ତାରିଖରେ ନେହରୁ ଜରୁରୀକାଳୀନ ବୈଠକ ଡକାଇ ଭାରତୀୟ ସେନାକୁ ଆଗକୁ ନ ଆଗେଇବା ପାଇଁ ସେନାମୁଖ୍ୟଙ୍କୁ ନିର୍ଦେଶ ଦେଇଥିଲେ। ମୀରପୁରର ଓରପୀର ପାହାଡ଼ ପର୍ଯ୍ୟନ୍ତ ଭାରତୀୟ ସେନା ମାଡ଼ିଯାଇଥିଲା ସତ, ହେଲେ ଦିଲ୍ଲୀରୁ କୌଣସି ନିର୍ଦେଶ ନ ମିଳିବାରୁ ସେଇଠାରେ ହିଁ ଅଟକି ରହିବାକୁ ବାଧ୍ୟ ହୋଇଥିଲା।

ମେହେରଚନ୍ଦ ମହାଜନଙ୍କ ନେତୃତ୍ୱରେ ମୀରପୁରର ଏକ ପ୍ରତିନିଧିଦଳ କଶ୍ମୀରରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଏବଂ ଶେଖ୍ ଅବଦୁଲ୍ଲାଙ୍କୁ ଭେଟି ମୀରପୁରରେ ୨୫ ହଜାର ହିନ୍ଦୁ ଓ ଶିଖ୍ ଫସିଯାଇଛନ୍ତି ବୋଲି ଜଣାଇଥିଲେ। କିନ୍ତୁ ଏ ନେଇ ଭାରତ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଗଲା ନାହିଁ। ପରେ ଏଇ ପ୍ରତିନିଧିଦଳ ମହାତ୍ମା ଗାନ୍ଧିଙ୍କୁ ମଧ୍ୟ ସାକ୍ଷାତ କରି ଆଲୋଚନା କରିଥିଲେ। କିନ୍ତୁ ମୀରପୁରରେ ବରଫ ପଡୁଥିବାରୁ ସେଠାକୁ ସେନାବାହିନୀ ପଠାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ଜଣାଇଦେଲେ ଗାନ୍ଧିଜୀ। ହେଲେ ବାସ୍ତବତା ହେଉଛି ଏୟା ଯେ ମୀରପୁରରେ କେବେ ବି ବରଫ ପଡ଼େନାହିଁ। ମୀରପୁରର ଅଧିବାସୀ ନିଜକୁ ଭାରତୀୟ ବୋଲି ମାନୁଥିଲେ, ଗର୍ବ କରୁଥିଲେ। ତା’ସତ୍ତ୍ବେ ସେମାନଙ୍କ ପାଖରେ ଭାରତ ସରକାରଙ୍କ ପକ୍ଷରୁ ତିନିମାସ ପର୍ଯ୍ୟନ୍ତ କୌଣସି ସହାୟତା ଯୋଗାଇ ଦିଆଗଲା ନାହିଁ।

ତା’ପରେ ଯେଉଁ ହୃଦୟବିଦାରକ ଘଟଣା ଘଟିଲା, ତାହା ମାନବ ଇତିହାସ ପାଇଁ କଳଙ୍କିତ ଅଧ୍ୟାୟ। ନଭେମ୍ବର ୨୫ରେ ପାକିସ୍ତାନୀ ସେନା ମୀରପୁର ଉପରେ ଆକ୍ରମଣ କଲା। ଯିଏ ମିଳିଲା, ସେମାନଙ୍କୁ  ଅତି ବର୍ବରଭାବରେ ମାରି ଦିଆଗଲା। ନିଜ ଜୀବନ ବଞ୍ଚାଇବା ପାଇଁ ଅନେକେ ନିରାପଦ ସ୍ଥାନକୁ ପଳାୟନ କଲେ, ଏବଂ ଏହାର ସୁଯୋଗରେ ସାରା ମୀରପୁରରେ ଲୁଟ୍‌ତରାଜ ଓ ଆତଙ୍କରାଜ ଚଳାଇଲେ ପାକ୍‌ ବାହିନୀ। ଚାରିପଟୁ ଘେରାବନ୍ଦୀ କରାଯାଇ ୧୮ ହଜାର ହିନ୍ଦୁ ଓ ଶିଖ୍‌ଙ୍କୁ ହତ୍ୟା କରାଗଲା। ପ୍ରାୟ ପାଞ୍ଚ ହଜାର ମହିଳାଙ୍କୁ ଅପହରଣ କରି ପାକିସ୍ତାନର ବିଭିନ୍ନ ଅଞ୍ଚଳ ଏବଂ ଉପସାଗରୀୟ ଦେଶଗୁଡ଼ିକରେ ୧୦-୨୦ ଟଙ୍କାରେ ବିକ୍ରି କରି ଦିଆଯାଇଥିଲା।

ମୀରପୁର ଯଦିଓ ଆଜି ପାକିସ୍ତାନର କବ୍‌ଜାରେ, ତଥାପି ସେଇ ନୃଶଂସ ନରସଂହାରର ଯନ୍ତ୍ରଣା ଆଜି ବି ଭାରତ ହୃଦୟରେ ଜୀବନ୍ତ ହୋଇରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ