ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସ୍ବରୂପ

ଦାରୁବ୍ରହ୍ମରୂପୀ ଚତୁର୍ଦ୍ଧା ବିଗ୍ରହଙ୍କ ଆବିର୍ଭାବ ପୂର୍ବରୁ ନୀଳାଚଳ ପୀଠର ଦେବତା ଥିଲେ ଶ୍ରୀନୀଳମାଧବ

କଣ୍ଟିଲୋସ୍ଥିତ ଶ୍ରୀନୀଳମାଧବଙ୍କ ମନ୍ଦିର ଓ ବିଗ୍ରହ

ଦାରୁବ୍ରହ୍ମରୂପୀ ଶ୍ରୀଜଗନ୍ନାଥଙ୍କ ଲୀଳାସ୍ଥଳୀ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ବିଷ୍ଣୁ ଉପାସକମାନଙ୍କ ପାଇଁ ଏକ ଅତ୍ୟନ୍ତ ପବିତ୍ର ସ୍ଥଳ ରୂପେ ସ୍ମରଣାତୀତ କାଳରୁ ସ୍ବୀକୃତ ହୋଇଆସିଛି। ଏହି ଚରମ ରହସ୍ୟମୟ ବିଗ୍ରହଙ୍କ ଆଦ୍ୟ ସ୍ବରୂପ ଥିଲା ଶ୍ରୀନୀଳମାଧବ ରୂପରେ। ଶ୍ରୀନୀଳ ପର୍ବତରେ ଅଧିଷ୍ଠିତ ଭଗବାନ ଶ୍ରୀନୀଳମାଧବ ସ୍ବର୍ଗର ଦେବତାବୃନ୍ଦ ଓ ଶବରରାଜ ବିଶ୍ୱାବସୁଙ୍କ ଦ୍ୱାରା ଅତ୍ୟନ୍ତ ଗୋପନୀୟ ଭାବେ ଉପାସିତ ହେଉଥିଲେ।

ପୁରାଣମାନଙ୍କରେ ବର୍ଣ୍ଣନାରୁ ଜଣାଯାଏ ଯେ ଶ୍ରୀନୀଳାଚଳ କ୍ଷେତ୍ରରେ ଦାରୁବ୍ରହ୍ମରୂପୀ ଚତୁର୍ଦ୍ଧା ବିଗ୍ରହଙ୍କ ଆବିର୍ଭାବ ପୂର୍ବରୁ ଶ୍ରୀନୀଳମାଧବ ହିଁ ପୀଠ ଦେବତା ବା ପ୍ରଧାନ ଦେବତା ରୂପେ ପୂଜା ପାଉଥିଲେ। ମହାପ୍ରଳୟ କାଳରେ ନୀଳଗିରିରେ ଅକ୍ଷୟ ବଟ ପ୍ରଳୟ ଜଳରେ ନିମଗ୍ନ ହୋଇ ନ ଥିଲା ଏବଂ ସେହି ବୃକ୍ଷର ମୂଳରେ ମହର୍ଷି ମାର୍କଣ୍ଡେୟ ନାରାୟଣ ମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ। ଏହି ବଟ ବୃକ୍ଷର ପଶ୍ଚିମକୁ ରୋହିଣୀ କୁଣ୍ଡ ଏବଂ ଉତ୍ତରକୁ ଶ୍ରୀନୀଳମାଧବଙ୍କ ଆସ୍ଥାନ ଥିଲା।

ସ୍କନ୍ଦ ପୁରାଣର ବର୍ଣ୍ଣନାନୁସାରେ ଶ୍ରୀନୀଳମାଧବଙ୍କ ମୂର୍ତ୍ତି ନୀଳକାନ୍ତ ମଣିରେ ନିର୍ମିତ ଏବଂ ଏହି ବିଗ୍ରହଙ୍କର ଉଚ୍ଚତା ଏକଶୀତି ଅଙ୍ଗୁଳ ବିଶିଷ୍ଟ। ସେ ଏକ ସ୍ପଟିକ ମଣିମୟ ବେଦୀ ଉପରେ ସ୍ବର୍ଣ୍ଣ ପଦ୍ମ ଆସନରେ ଅବସ୍ଥାନ କରୁଥିଲେ।

ଶ୍ରୀନୀଳମାଧବଙ୍କ ରୂପ ଅତୀବ ମନୋହର ବୋଲି ଏହି ପୁରାଣରେ ଉଲ୍ଲେଖ ରହିଛି। ଯୁଗଳ ମକର ମୁଖ କର୍ଣ୍ଣ ଭୂଷଣରେ ତାଙ୍କର କର୍ଣ୍ଣ ଶୋଭିତ ଥିଲା। କଣ୍ଠ ଦେଶରେ ମନୋହର ଭୂଷଣ, ଏକ ହସ୍ତରେ ଦକ୍ଷିଣାବର୍ତ୍ତ ଶଙ୍ଖ। ଚତୁର୍ବାହୁ। ବାହୁ ଆଜାନୁଲମ୍ବିତ। ବକ୍ଷ ସ୍ଥଳରେ ଦିବ୍ୟ ହାର। ଗଳାରେ କୌସ୍ତୁଭ ମଣି ହାର, କଣ୍ଠ ଲମ୍ବିତମାଳା ନାଭିଦେଶ ପର୍ଯ୍ୟନ୍ତ ସ୍ପର୍ଶ କରୁଥିଲା। ପରିଧାନ ପୀତ ବସନ ଥିଲା। ଚରଣ ଦ୍ୱୟ ରତ୍ନ ବଳୟରେ ଶୋଭିତ। ହାର, କଙ୍କଣ, କିରୀଟ ପ୍ରଭୃତି ନାନାଦି ରତ୍ନ ଅଳଙ୍କାରରେ ବିଗ୍ରହଙ୍କର ତନୁ ସୁଶୋଭିତ।

ଚତୁର୍ବାହୁରେ ଯଥାକ୍ରମେ ଶଙ୍ଖ, ଚକ୍ର, ଗଦା, ପଦ୍ମ ସମେତ ଏହି ଦିବ୍ୟ କମନୀୟ ବିଗ୍ରହ ଶ୍ରୀନୀଳମାଧବଙ୍କ ପାର୍ଶ୍ୱରେ ଲକ୍ଷ୍ମୀ ସର୍ବବିଧ ଅଳଙ୍କାରରେ ବିଭୂଷିତ ହୋଇ ଭଗବାନଙ୍କ ମୁଖମଣ୍ଡଳକୁ ନୟନ ନିକ୍ଷେପ ପୂର୍ବକ ବୀଣାବାଦନ କରୁଛନ୍ତି।ଶ୍ରୀନୀଳମାଧବ ବିଗ୍ରହଙ୍କ ପଶ୍ଚାତ୍ ଭାଗରେ ଅନନ୍ତ ଦେବ ଫଣା ସମୂହ ଛତ୍ରାକାର କରି ରହିଛନ୍ତି। ଅଗ୍ରରେ ଦେହଧାରୀ ସୁଦର୍ଶନ ବିଦ୍ୟମାନ।ପଶ୍ଚାତ୍ ଭାଗରେ କୃତାଞ୍ଜଳି ପୁଟରେ ପକ୍ଷୀରାଜ ଗରୁଡ଼ ଅବସ୍ଥାନ କରୁଛନ୍ତି ବୋଲି ସ୍କନ୍ଦ ପୁରାଣର ୧୦ମ ଅଧ୍ୟାୟରେ ୧୯ରୁ ୩୭ ଶ୍ଳୋକ ମଧ୍ୟରେ ବିସ୍ତୃତ ଭାବେ ବର୍ଣ୍ଣିତ ହୋଇଛି।

ପୁନଶ୍ଚ ଏହି ପୁରାଣର ଉଲ୍ଲେଖ ପ୍ରକାରେ କ୍ଷେତ୍ରର ମଧ୍ୟ ସ୍ଥଳରେ ନୀଳଗିରି ଅବସ୍ଥିତ ଏବଂ ଶ୍ରୀନୀଳମାଧବ ନୀଳ ପର୍ବତର ମଧ୍ୟ ସ୍ଥଳରେ ଅକ୍ଷୟ ବଟର ମୂଳଠାରୁ ବାୟୁକୋଣସ୍ଥିତ ରୋହିଣୀ କୁଣ୍ଡର ତୀରରେ ବିରାଜମାନ କରୁଥିଲେ। ଦେବତାମାନେ ପ୍ରତିଦିନ ସ୍ବର୍ଗରୁ ଅବତରଣ କରି ବୃକ୍ଷରାଜିରେ ସୁଶୋଭିତ ଏହି ନୀଳଗିରିରେ ଆବିର୍ଭୂତ ବିଭିନ୍ନ ରତ୍ନ ଅଳଙ୍କାରରେ ଭୂଷିତ ଦିବ୍ୟ କମନୀୟ ଶ୍ରୀନୀଳମାଧବଙ୍କୁ ସହସ୍ର ଉପଚାରରେ ପୂଜାର୍ଚ୍ଚନା କରୁଥିଲେ। ଦିବ୍ୟ ସୁଗନ୍ଧି ମହାପ୍ରସାଦରେ ଚତୁର୍ଦିଗ ମହମହ ବାସନାରେ ପରିପୂର୍ଣ୍ଣ ହୋଇ ଉଠୁଥିଲା। ସ୍ବର୍ଗରୁ ପାରିଜାତ ପୁଷ୍ପ ଓ ନାନାଦି ପୁଷ୍ପମାଲ୍ୟରେ ଶୋଭିତ ଭଗବାନ ଶ୍ରୀନୀଳମାଧବ ଗୋପନୀୟ ଲୀଳା କରୁଥିଲେ।

ସତ୍ୟ ଯୁଗରେ ସୂର୍ଯ୍ୟ ବଂଶୀୟ ମହାରାଜା ଇନ୍ଦ୍ରଦ୍ୟୁମ୍ନ ମାଳବ ଦେଶର ଅବନ୍ତୀ ନଗରରୀରେ ବାସ କରୁଥିଲେ। ସେ ଜଣେ ପ୍ରଗାଢ଼ ବିଷ୍ଣୁ ଉପାସକ ଥିଲେ। ଦିନେ ରାଜ ସଭାରେ ଜଣେ ତୀର୍ଥ ପର୍ଯ୍ୟଟକ ତପସ୍ବୀଙ୍କଠାରୁ ଶୁଣିବାକୁ ପାଇଥିଲେ ଯେ ଉତ୍କଳ ପ୍ରଦେଶର ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ସ୍ବୟଂ ଭଗବାନ ବିରାଜମାନ ହୋଇଛନ୍ତି। ପ୍ରଜାପାଳକ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ମନରେ ଶ୍ରୀବିଷ୍ଣୁଙ୍କର ଆରାଧନା ନିମିତ୍ତ ଆଗ୍ରହ ଉପୁଜିଥିଲା। ମହାରାଜା ଇନ୍ଦ୍ରଦ୍ୟୁମ୍ନ ବହୁ ସୈନ୍ୟ, ସାମନ୍ତ, ପାରିଷଦ ବର୍ଗଙ୍କ ସହ ଉତ୍କଳ ପ୍ରଦେଶକୁ ଆଗମନ ପୂର୍ବକ ଶ୍ରୀନୀଳମାଧବ ମୂର୍ତ୍ତିଙ୍କ ଦର୍ଶନ ପାଇଁ ନୀଳାଚଳ କ୍ଷେତ୍ରରେ ପହଞ୍ଚତ୍ ଥିଲେ।

କିନ୍ତୁ ସେତେବେଳକୁ ଶ୍ରୀନୀଳମାଧବ ମୂର୍ତ୍ତି ଅନ୍ତର୍ଦ୍ଧାନ ହୋଇଯାଇଥିବା କଥା ଶୁଣି ଇନ୍ଦ୍ରଦ୍ୟୁମ୍ନ ଅତ୍ୟନ୍ତ ଦୁଃଖିତ ତଥା ମ୍ରିୟମାଣ ହୋଇ ପଡ଼ିଥିଲେ। ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡରେ ବର୍ଣ୍ଣିତ ତଥ୍ୟ ପ୍ରକାରେ କଳ୍ପର ଅନ୍ତିମ ଭାଗରେ ହଠାତ୍ ଦକ୍ଷିଣ ମହୋଦଧିର ତୀର ଭାଗରୁ ପ୍ରବଳ ବେଗରେ ଝଡ଼ ବତାସ ପ୍ରବାହିତ ହେବା ଦ୍ୱାରା ସ୍ବର୍ଣ୍ଣ ବାଲୁକା ରାଶିରେ ପ୍ରଭୁ ଶ୍ରୀନୀଳମାଧବ ଅନ୍ତର୍ହିତ ହୋଇଯାଇଥିଲେ।

ଇନ୍ଦ୍ରଦ୍ୟୁମ୍ନଙ୍କ କରୁଣ ପ୍ରାର୍ଥନା ଓ ଭକ୍ତି ଭାବରେ ସନ୍ତୁଷ୍ଟ ହୋଇ ଭଗବାନ ଆକାଶବାଣୀ ଜରିଆରେ କହିଥିଲେ, ‘ହେ ରାଜନ୍! ଶ୍ରୀନୀଳମାଧବ ଅନ୍ତର୍ଦ୍ଧାନ ହୋଇଯାଇଥିଲେ ମଧ୍ୟ ତୁମ୍ଭଙ୍କୁ ଭଗବାନ ବିଷ୍ଣୁ ଦାରୁବ୍ରହ୍ମ ରୂପରେ ଦର୍ଶନ ଦେବେ।’ ଏହି ଦିବ୍ୟବାଣୀ ଅନୁସାରେ ସ୍ବୟଂ ଭଗବାନ ଶ୍ରୀନୀଳମାଧବ ନୀଳାଚଳରେ ଦାରୁବ୍ରହ୍ମରୂପୀ ଶ୍ରୀଜଗନ୍ନାଥାଦି ଚତୁର୍ଦ୍ଧା ବିଗ୍ରହ ରୂପେ ଆର୍ବିଭୂତ ହୋଇଥିଲେ।   

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।