ଚିଲିକାର ସୁରକ୍ଷା ସଂକ୍ରାନ୍ତରେ ସରକାରଙ୍କ ବିଭ୍ରାନ୍ତିକର ତଥ୍ୟ


ଭୁବନେଶ୍ୱର: ଚିଲିକା ହ୍ରଦରେ ଓ୍ୱାଟର୍‌ ଏରୋଡ୍ରମ୍ ପ୍ରତିଷ୍ଠା ଓ ସି’ ପ୍ଲେନ୍ ଚଳାଚଳର ପ୍ରଭାବ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ଙ୍କ କାର୍ଯ୍ୟ ପରିସରଭୁକ୍ତ। ଏହି ସଂସ୍ଥା ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ଏ ସଂକ୍ରାନ୍ତରେ ସେମାନଙ୍କ ପାଖରେ କୌଣସି ତଥ୍ୟ ଉପଲବ୍ଧ ନାହିଁ। ଚିଲିକା ହ୍ରଦରେ ଓ୍ୱାଟର୍‌ ଏରୋଡ୍ରମ୍ ପ୍ରତିଷ୍ଠା କରି ସି’ ପ୍ଲେନ୍ ଚଳାଇଲେ ଚିଲିକାର ଚିଙ୍ଗୁଡ଼ି, କଙ୍କଡ଼ା ଓ ମାଛ ଉତ୍ପାଦନ ପ୍ରଭାବିତ ହେବା ସହ ମତ୍ସ୍ୟଜୀବୀଙ୍କ ବେଉସା ବୁଡ଼ିବାର ଆଶଙ୍କା ଥିବା ଦୃଷ୍ଟିରୁ ଏହାର ପ୍ରତିକାର ପାଇଁ ରାଜ୍ୟ ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ବିଧାୟକ ଦିଲିପ ରାୟ ପଚାରିଥିବା ଏକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ଏଭଳି ତଥ୍ୟ ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ପ୍ରଦୀକ ମହାରଥୀ।

ତେବେ ଚିଲିକା ହ୍ରଦ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ୬୧ ହଜାର ୩୩୮ ଜଣ ପାରମ୍ପରିକ ମତ୍ସ୍ୟଜୀବୀ ନିର୍ଭର କରୁଛନ୍ତି ଏବଂ ଏହି ହ୍ରଦରୁ ବାର୍ଷିକ ହାରାହାରି ୬୪୧୩ ମେଟ୍ରିକ୍ ଟନ୍ ଚିଙ୍ଗୁଡ଼ି, ୩୩୪ ମେଟ୍ରିକ୍ ଟନ୍ କଙ୍କଡ଼ା ଓ ୯୨୪୨ ମେଟ୍ରିକ୍ ଟନ୍ ମାଛ ମିଳୁଛି ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି। ଚିଲିକାରୁ ୨୦୧୬-୧୭ ବର୍ଷରେ ୧୨ ହଜାର ୭୧୬ ମେଟ୍ରିକ୍ ଟନ୍ ମାଛ, ୧୩ ହଜାର ୨୯୫ ମେଟ୍ରିକ୍ ଟନ୍ ଚିଙ୍ଗୁଡ଼ି, ୩୫୧ ମେଟ୍ରିକ୍ ଟନ୍ କଙ୍କଡ଼ାକୁ ମିଶାଇ ୨୬ ହଜାର ୩୬୨ ମେଟ୍ରିକ୍ ଟନ୍ ସାମଗ୍ରୀ ଉତ୍ପାଦିତ ହୋଇଥିଲା। ୨୦୧୭-୧୮ ବର୍ଷରେ ଚିଲିକାରୁ ୧୧ ହଜାର ୩୭୫ ମେଟ୍ରିକ୍ ଟନ୍ ମାଛ, ୪ ହଜାର ୭୦୭ ମେଟ୍ରିକ୍ ଟନ୍ ଚିଙ୍ଗୁଡ଼ି ଓ ୨୭୬ ମେଟ୍ରିକ୍ ଟନ୍ କଙ୍କଡ଼ାକୁ ମିଶାଇ ମୋଟ୍ ୧୬ ହଜାର ୩୫୮ ମେଟ୍ରିକ୍ ଟନ୍ ସାମଗ୍ରୀ ଉତ୍ପାଦିତ ହୋଇଥିଲା। ଏହାର ବିଶ୍ଳେଷଣରୁ ଜଣାପଡ଼ିଛି ଯେ ୨୦୧୬-୧୭ ବର୍ଷ ତୁଳନାରେ ୨୦୧୭-୧୮ ବର୍ଷରେ ପ୍ରାୟ ୧୦ ହଜାର ମେଟ୍ରିକ୍ ଟନ୍ କମ୍ ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ା ମିଳିଛି।

ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଶା ସରକାରଙ୍କ ପକ୍ଷରୁ ଚିଲିକାରେ ଓ୍ୱାଟର୍‌ ଏରୋଡ୍ରମ୍ ପ୍ରତିଷ୍ଠା କରି ସି’ ପ୍ଲେନ୍ ଚଳାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଧିବଦ୍ଧ ପ୍ରସ୍ତାବ ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ପ୍ରସ୍ତାବ କ୍ରମେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗର ଏକ ପ୍ରତିନିଧି ଦଳ କ୍ଷେତ୍ର ପରିଦର୍ଶନରେ ଆସି ଏଠାରେ ବିପୁଳ ନୀଳ ଜଳରାଶି ଥିବାରୁ ଓ୍ୱାଟର୍‌ ଏରୋଡ୍ରମ୍ ଓ ସି’ ପ୍ଲେନ୍ ପ୍ରକଳ୍ପକୁ ସବୁଜ ସଙ୍କେତ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ପ୍ରକଳ୍ପକୁ ବିଭିନ୍ନ ସ୍ତରରୁ ଦଳମତ ନିର୍ବିଶେଷରେ ବିରୋଧ କରାଯାଇଥିଲା। ଏମିତିକି ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ଚିଲିକାକୁ ରକ୍ଷା କରିବା ପାଇଁ କେତେକ ସମାଜସେବୀ ମଧ୍ୟ ପତ୍ର ଲେଖିଥିଲେ। ଏହା ଉପରେ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ବେସାମରିକ ବିମାନ ଚଳାଚଳ ବିଭାଗକୁ କହିଥିଲା।

କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗରୁ ଗତ ଅଗଷ୍ଟ ୩୧ ତାରିଖରେ ରାଜ୍ୟ ସରକାରଙ୍କୁ ସୂଚନା ମିଳିବା ପରେ ଏନେଇ ଘଣ୍ଟାଚକଟା ଆରମ୍ଭ ହୋଇଥିଲା। ଏମିତିକି ଗତ ୫ ତାରିଖରେ ଏ ସଂକ୍ରାନ୍ତରେ ବିଧାୟକ ରାୟ ବିଧାନସଭାରେ ପଚାରିଥିବା ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଥିଲେ ଯେ ଉକ୍ତ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ବିବରଣୀ ଉପଲବ୍ଧ ହେବା ପରେ ଚିଲିକା ହ୍ରଦର ପ୍ରାକୃତିକ ପରିବେଶ ଉପରେ ବିଶେଷ କରି ପକ୍ଷୀ, ଡଲ୍‌ଫିନ୍ ଓ ଅନ୍ୟ ଜଳଜୀବଙ୍କ ଉପରେ ତାହାର କି କି ପ୍ରଭାବ ପଡ଼ିବ, ସେ ସଂକ୍ରାନ୍ତରେ ଆକଳନ କରାଯିବ। ଗତ ୬ ତାରିଖରେ ବିଧାନସଭାର ଶୂନ୍ୟ କାଳରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା। ଏହାପରେ ବିଭାଗୀୟ କର୍ତ୍ତୃପକ୍ଷ ଚିଲିକା ପ୍ରତି ମାଡ଼ି ଆସୁଥିବା ବିପତ୍ତି ନେଇ ସଚେତନ ହୋଇ ଏହି ପ୍ରକଳ୍ପ ନ କରିବା ଲାଗି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବେସାମରିକ ବିମାନ ଚଳାଚଳ ବିଭାଗ ଏଥିରୁ ଓହରି ଯାଇଛି। କିନ୍ତୁ ଏତେ ସବୁ ଘଟିବା ପରେ ଗତ ୧୧ ତାରିଖରେ ସରକାରଙ୍କ ପକ୍ଷରୁ ବିଧାନସଭାରେ ପୁଣି କୁହାଯାଉଛି ଯେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ଚିଲିକା ହ୍ରଦରେ ଓ୍ୱାଟର୍‌ ଏରୋଡ୍ରମ୍ ପ୍ରତିଷ୍ଠା ଓ ସି’ ପ୍ଲେନ୍ ଚଳାଚଳ ସମ୍ବନ୍ଧରେ କୌଣସି ତଥ୍ୟ ଉପଲବ୍ଧ ନାହିଁ। ଚିଲିକା ବିଶ୍ୱର ଏକ ଅମୂଲ୍ୟ ସମ୍ପଦ ଏବଂ ଏହା ଓଡ଼ିଶାରେ ଥିବା ବେଳେ ଏହି ହ୍ରଦର ବିକାଶ ତଥା ସୁରକ୍ଷା ପ୍ରତି କର୍ତ୍ତୃପକ୍ଷ କେତେ ଦାୟିତ୍ୱହୀନ ହୋଇପାରନ୍ତି, ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବିଭ୍ରାନ୍ତିକର ତଥ୍ୟ ତାହାର ଜ୍ୱଳନ୍ତ ପ୍ରମାଣ ବୋଲି ବିଧାୟକ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ସୂର୍ଯ୍ୟ ବିନା ଜୀବନ ସମ୍ଭବ
ଆମେ ଏ ପର୍ଯ୍ୟନ୍ତ ଜାଣିଥିଲେ - ସୂର୍ଯ୍ୟଙ୍କର ଆଲୋକ ଓ ଉତ୍ତାପର ଏକ ନିର୍ଦ୍ଦିଷ୍ଟ ସମନ୍ବୟରେ ଜୀବନୀ ଶକ୍ତି ସଞ୍ଚରିତ ହୁଏ। ପ୍ରକାରାନ୍ତରେ ସୂର୍ଯ୍ୟଙ୍କ ଅନୁପସ୍ଥିତିରେ ଜୀବନଧାରଣ ସମ୍ଭବ ନୁହେଁ। କିନ୍ତୁ ୨୦୧୩ ମସିହାରେ ବୈଞାନିକମାନେ ପ୍ରଶାନ୍ତ ମହାସାଗରର ଅତଳ ଗର୍ଭରେ ଆଲୋକ-ଉତ୍ତାପର ଅନୁପସ୍ଥିତିରେ ଜୀବନୀ-ଶକ୍ତିର ସନ୍ଧାନ ପାଇବା ପରେ ଉତ୍‌ଫୁଲ୍ଲିତ ହୋଇଉଠିଛନ୍ତି। ନର୍ଥ କାରୋଲିନା ବିଶ୍ୱବିଦ୍ୟାଳୟର ଗବେଷକ ମାର୍କ ଲିଭର ଘୋଷଣା କରିଛନ୍ତି - ସାଧାରଣତଃ ଆଲୋକ ସଂଶ୍ଳେଷଣ ସାହାଯ୍ୟରେ ପୃଥିବୀ ପୃଷ୍ଠରେ ଖାଦ୍ୟ ସଂଗ୍ରହ ସମ୍ଭବ ହୋଇଥାଏ। ସେଥି ନିମନ୍ତେ ସୂର୍ଯ୍ୟର ଆଲୋକ ଅପରିହାର୍ଯ୍ୟ। କିନ୍ତୁ ଗଭୀର ମହାସାଗରରରେ କେମୋସିନ୍ଥେସିସ୍‌ ପ୍ରକ୍ରିୟାରେ ଜୀବନ ସମ୍ଭବ ହୋଇଛି। ତାଙ୍କର ଏହି ଗବେଷଣା ମହାକାଶରେ ଜୀବନ ସନ୍ଧାନରେ ବହୁ ଭାବରେ ସହାୟକ ହେବ।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?