ଆଜି ଶ୍ରାବଣର ପ୍ରଥମ ସୋମବାର: ଲିଙ୍ଗରାଜ ଓ ଲୋକନାଥଙ୍କ ପୀଠରେ ଜଳଲାଗି କଲେ କାଉଡ଼ିଆ


ପବିତ୍ର ଶ୍ରାବଣ ମାସର ଆଜି ହେଉଛି ପ୍ରଥମ ସୋମବାର। ଏଥିପାଇଁ ସବୁ ଶୈବପୀଠରେ ଲାଗିଛି କାଉଡ଼ିଆଙ୍କ ଭିଡ଼। ହର ହର ମହାଦେବ ଧ୍ୱନୀରେ ପ୍ରକମ୍ପିତ ହେଉଛି ପୂରା ପରିବେଶ। ବଡ଼ି ଭୋର୍‌ରୁ ବିଭିନ୍ନ ସ୍ଥାନରେ ଦେବ ଦେବ ମହାଦେବଙ୍କଠାରେ ଜଳଲାଗି କରି କାଉଡ଼ିଆମାନେ ଆଶୀର୍ବାଦ ଭିକ୍ଷା କରୁଛନ୍ତି। ବିଶେଷ କରି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଓ ପୁରୀର ଲୋକନାଥଙ୍କ ପୀଠ ସହ କଟକର ଧବଳେଶ୍ବର, ନୟାଗଡ଼ର ଲଡୁବାବା, ଭଦ୍ରକର ଆରଡ଼ି ଏବଂ ଢେଙ୍କାନାଳର କପିଳାସ ପୀଠରେ କାଉଡ଼ିଆମାନେ ଜଳ ଲାଗି କରିଛନ୍ତି। ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଜଳ ଲାଗି କରିବାର ସୁଯୋଗ ଦେବା ସକାଶେ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଛି।

ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଏଥିସହ ୨୧ଟି  ସିସି କ୍ୟାମେରା ମଧ୍ୟ ଲଗାଯାଇଛି। ସେହିପରି ପୁରୀ ଲୋକନାଥ ମନ୍ଦିର ଓ ଭଦ୍ରକ ଆଖଣ୍ଡଳମଣୀ ମନ୍ଦିରରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଛି। ତେବେ ଗତ ଶୁକ୍ରବାର ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ହୋଇଥିବାରୁ ପୂର୍ବବର୍ଷ ଅପେକ୍ଷା କାଉଡ଼ିଆଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଦୈନନ୍ଦିନ ନୀତିକାନ୍ତିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏହି ଅନୁସାରେ ଭୋର ୪ଟାରେ ପହଡ଼ ଫିଟିବା ପରେ ମଙ୍ଗଳଆଳତୀ, ମହାସ୍ନାନ, ଘର୍ଷଣଲାଗି, ବାଲ୍ୟଭୋଗ ଲାଗି ହୋଇଥିଲା। ଏହାପରେ ଆଗନ୍ତୁକ କାଉଡିଆଙ୍କ ଜଳଲାଗି ନିମନ୍ତେ ସାହାଣମେଲା କରାଯାଇଛି। କାଉଡ଼ିଆମାନେ ଜଳଲାଗି ପାଇଁ ରବିବାର ମଧ୍ୟରାତ୍ରରୁ ସ୍ୱତନ୍ତ୍ର ବ୍ୟାରିକେଡ୍‌ ଦ୍ୱାରା ମନ୍ଦିର ମଧ୍ୟରେ ପ୍ରବେଶ କରି ମହାଦେବଙ୍କ ମସ୍ତକରେ ଜଳଲାଗି ସହ ପୂଜାର୍ଚ୍ଚନା କରିଛନ୍ତି। ସେହିପରି ରାଜ୍ୟର ବିଭିନ୍ନ ନଦୀରୁ ଜଳ ଆଣି ଶ୍ରୀଲୋକନାଥଙ୍କୁ ଜଳ ଲାଗି କରିଛନ୍ତି ପ୍ରାୟ ୧୦ ହଜାର କାଉଡ଼ିଆ। ଏହାପରେ ସେମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ରବିବାର ଅପରାହ୍ନରୁ ଶ୍ରୀକ୍ଷେତ୍ରକୁ ବୋଲବମ୍‌ ଭକ୍ତଙ୍କ ଆଗମନ ହୋଇଥିଲା। ଜଳ ଲାଗି ପାଇଁ ପ୍ରଶାସନ ଓ ଶ୍ରୀଲୋକନାଥ ଦେବ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଆଶ୍ରମଠାରୁ ବ୍ୟାରିକେଡ୍‌ କରାଯାଇଛି। କାଉଡ଼ିଆମାନେ ଏହି ବ୍ୟାରିକେଡ ଦେଇ ପାର୍ବତୀ ସାଗର କଡ଼େ କଡ଼େ ଯାଇଥିଲେ। ରୋଷଘର ଦୁଆର ମୁହଁରେ ପ୍ରବେଶ କରି ନାଟାମ୍ବର ମନ୍ଦିର ପଛପଟେ ଯାଇ ଲକ୍ଷ୍ମୀଙ୍କ ଦ୍ୱାରରେ ସ୍ଥାପିତ ଲିଙ୍ଗରେ ପାଣି ଢାଳିଥିଲେ। ବିଶ୍ୱାସ ରହିଛି ଯେ ଶ୍ରାବଣ ମାସରେ ଶିବଲିଙ୍ଗରେ ପାଣି ଢ଼ାଳିଲେ କୋଟି ପୁଣ୍ୟ ପ୍ରାପ୍ତି ହୋଇଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ