ସାହିତ୍ୟିକ ରମାକାନ୍ତ ରଥ ପାଇଲେ ସର୍ବୋଚ୍ଚ ଅତିବଡ଼ି ପୁରସ୍କାର


ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ରମାକାନ୍ତ ରଥଙ୍କୁ ୨୦୧୮ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ବତ ସମ୍ମାନ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଗୁରୁବାର ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ରମାକାନ୍ତ ରଥଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ରାଶିସ୍ବରୂପ ରଥଙ୍କୁ ୧ ଲକ୍ଷ ଟଙ୍କା ସହ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଯାଇଥିଲା। ତାଙ୍କ ସହ ୧୫ ଜଣ ସାରସ୍ୱତ ସାଧକ ଓ ସାଧିକାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ସେମାନେ ହେଲେ ମାନଗୋବିନ୍ଦ ମହାସୂପକାର, ସତ୍ୟନାରାୟଣ ରଥ, କୁମାର ଚକ୍ରବର୍ତ୍ତୀ, ସୀତାରାମ ବିର୍ତ୍ତିଆ, ପ୍ରତିମା ମିଶ୍ର, ବଂଶୀଧର ସାହୁ, ବିଜୟ ଚନ୍ଦ୍ର ଜେନା, ଶଙ୍କର୍ଷଣ ମଙ୍ଗରାଜ, ଦୁର୍ଯ୍ୟୋଧନ ଦାସ, କୁଞ୍ଜ ବିହାରୀ ପାଢ଼ୀ, ପ୍ରଫୁଲ୍ଲ କୁମାର ଦାଶ, ଡା. ସରୋଜିନୀ ଷଡଙ୍ଗୀ, ଗିରି ଦଣ୍ଡସେନା, ବ୍ରଜମୋହନ ମିଶ୍ର। ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କୁ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା, ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା।

ଏହି ଅବସରରେ ରାଜ୍ୟର ଭାଗବତ ଟୁଙ୍ଗି ପୁନରୁଦ୍ଧାର ଅନୁଦାନ ବୃଦ୍ଧି ନେଇ ଘୋଷଣା କରିଥିଲେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା। ଅନୁଦାନ ରାଶି ୨୫ରୁ ୫୦ ହଜାର ଟଙ୍କାକୁ ବୃଦ୍ଧି ଲାଗି ଘୋଷଣା କରାଯାଇଥିଲା। ଏଥିସହ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମପୀଠ କପିଳେଶ୍ବରପୁର ଶାସନ ଓ ସାଧନା ପୀଠ ପୁରୀସ୍ଥିତ ତାସଲହଡି ମଠର ଉନ୍ନତିକରଣ ସହ ତାହାକୁ ପର୍ଯ୍ୟଟନସ୍ଥଳୀଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାର ୧ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବିଭାଗର ନିର୍ଦେଶକ ବିଜୟ କୁମାର ନାୟକ ଯୋଗଦେଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହରିହର ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏକାଡେମୀ ସଚିବ ଡ. ଜୟନ୍ତୀ ରଥ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଏକାଡେମୀ ପକ୍ଷରୁ ପ୍ରକାଶିତ ଡ. ଅଜୟ କୁମାର ମିଶ୍ରଙ୍କ ସମ୍ପାଦିତ ପୁସ୍ତକ ‘ପୂର୍ବାଞ୍ଚଳ ଓଡ଼ିଆ ଲୋକଗୀତ ଓ ଲୋକକାହାଣୀ’, ଚକ୍ରଧର ମହାପାତ୍ରଙ୍କ ରଚିତ ଓ ମଞ୍ଜୁ ମୋଦିଙ୍କ ଦ୍ୱାରା ଅନୂଦିତ ‘କୁନ୍ତଳା କୁମାରୀ କା ଜୀବନ ଚରିତ‌’, ଲିଙ୍ଗରାଜ ନାହାକଙ୍କ ‘ରାମନାଟକ’ ଏବଂ ବଟକୃଷ୍ଣ ତ୍ରିପାଠୀଙ୍କ ‘ଜଗନ୍ନାଥଧାମକୁ ତୀର୍ଥଯାତ୍ରା’ ପୁସ୍ତକ ଲୋକାର୍ପିତ ହୋଇଥିଲା। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ