ରାଜ୍ୟ
ଓଲିଉଡ୍ ସିନେମାଟୋଗ୍ରାଫର୍ ଅଶୋକ ସ୍ୱାଇଁଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପ୍ରସିଦ୍ଧ କ୍ୟାମେରାମ୍ୟାନ୍ ତଥା ‘ଜୟଦେବ ପୁରସ୍କାର’ ବିଜେତା ଅଶୋକ ସ୍ୱାଇଁଙ୍କ ପରଲୋକ ହୋଇଯାଇଛି। ଶନିବାର ସକାଳ ୯ଟା ସମୟରେ ସେ କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଶେଷ ସମୟରେ ତାଙ୍କ ପାଖରେ ପତ୍ନୀ , ଗୋଟିଏ ପୁଅ ଏବଂ ଦୁଇ ଝିଅ ଉପସ୍ଥିତ ଥିଲେ।
୧୯୯୬ରେ ବେଙ୍ଗାଲୁରୁରୁ ସିନେମାଟୋଗ୍ରାଫିରେ ଶିକ୍ଷା ଗ୍ରହଣ କରିବା ପରେ ଅଶୋକ ସ୍ୱାଇଁ ଚେନ୍ନାଇର ଏଭିଏମ୍ ଷ୍ଟୁଡିଓ, ମୁମ୍ବାଇର ଆରକେ ଷ୍ଟୁଡିଓ ପରି ପ୍ରଖ୍ୟାତ ଅନୁଷ୍ଠାନରେ କାର୍ଯ୍ୟ କରିଥିଲେ। ୧୯୭୩ରେ ଦୂରଦର୍ଶନରେ କ୍ୟାମେରାମ୍ୟାନ୍ ଭାବରେ କାର୍ଯ୍ୟ କରିବା ପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ତାଙ୍କ ସିନେମାଟୋଗ୍ରାଫିରେ ଶେଷ ପ୍ରତିକ୍ଷା, ସୁବର୍ଣ୍ଣ ସୀତା, ବତାସୀ, ଝଡ଼, ପର ଝିଅ ଘର ଭାଙ୍ଗେନା, ମୁଁ ତୁମେ ଓ ସେ, ରାଧା, ଶଙ୍ଖାସିନ୍ଦୁର, ପୂଜାଫୁଲ, ନଳଦମୟନ୍ତୀ, ଭୁଲିହୁଏନା, ଜୟଦେବ, ଛ’ ମାଣ ଆଠଗୁଣ୍ଠ, କୁରୁକ୍ଷେତ୍ର, ଗୋପରେ ବଢୁଛି କଳାକହ୍ନେଇ, ଦାଦାଗିରି, ଶାସ୍ତି, ସହରୀବାଘ, ବଡ଼ଭାଉଜ, ହିସାବ କରିବ କାଳିଆ, ନ୍ୟାୟ ଅନ୍ୟାୟ, ସମର ସଲିମ୍ ସାଇମନ୍, ଭୁଲି ହୁଏନା ଭଳି ୩୦ରୁ ଅଧିକ ଓଡ଼ିଆ ସିନେମାରେ ସିନେମାଟୋଗ୍ରାଫର୍ ଭାବେ କାର୍ଯ୍ୟ କରିଥିଲେ। ଏତଦବ୍ୟତୀତ ସେ ଅନେକ ଟେଲି ସିନେମା ଏବଂ ଧାରାବାହିକରେ ମଧ୍ୟ ଚିତ୍ରୋତ୍ତଳନ ଦାୟିତ୍ୱ ଗ୍ରହଣ କରିଥିଲେ।
ସିନେମାଟୋଗ୍ରାଫର୍ ଅଶୋକ ସ୍ୱାଇଁଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳି ଯାଇଛି। ଅଶୋକ ସ୍ୱାଇଁଙ୍କର ଶେଷ ଦର୍ଶନ ଲାଗି ମୃତ ଶରୀରକୁ ତାଙ୍କର କଟକ ମହତାବ ରୋଡସ୍ଥିତ ବାସଭବନକୁ ଅଣାଯାଇଛି। ସେଠାରେ ତାଙ୍କର ଶେଷ ଦର୍ଶନ କରିବାକୁ ତାଙ୍କ ବାସଭବନରେ ଭିଡ ପରିଲକ୍ଷିତ ହୋଇଥିଲା।