କୋହିନୂରର କାହାଣୀ


ସମ୍ରାଟ ଜହାଙ୍ଗୀରଙ୍କ ପୁଅ ଶାହଜହାନ ଯେଉଁଦିନ ମୋଗଲ ସାମ୍ରାଜ୍ୟର ଦିଲ୍ଲୀ ସିଂହାସନରେ ବସିଲେ, ଠିକ୍ ସେହିଦିନ ଦ୍ୱିପ୍ରହରେ ପାରସ୍ୟ (ଆଧୁନିକ ଇରାନ୍)ର ଇମ୍ପାହାନ ସହରରେ ବୁଲୁଥିଲେ ଜଣେ ତେଲ ବ୍ୟବସାୟୀଙ୍କ ପୁଅ ମହମ୍ମଦ ସୟିଦ। ଉଦ୍ଦେଶ୍ୟ, ବଜାରରୁ କିଛି କିଣାକିଣି କରିବା। ସେଦିନ କେହି ବି ଜାଣି ନ ଥିଲେ ଯେ ସେଇ ତେଲ ବ୍ୟବସାୟୀଙ୍କ ପୁଅ ଭବିଷ୍ୟତରେ ଦିନେ ସମ୍ରାଟ ଶାହଜହାନଙ୍କ ରାଜ ଦରବାରରେ ‘ୱଜୀର-ଏ-ଆଜମ୍’ ଆସନ ଅଳଙ୍କୃତ କରିବେ। କେହି ବି ସ୍ବପ୍ନରେ ଭାବି ନ ଥିଲେ ଯେ ସେଇ ତେଲ ବ୍ୟବସାୟୀଙ୍କ ପୁଅ ହାତରେ ଶାହଜହାନଙ୍କ ହାତକୁ ଫେରିଆସିବ ସେଇ ଅମୂଲ୍ୟ ରତ୍ନ ଯାହା ସେ ପର୍ଯ୍ୟନ୍ତ ‘ବାବରଙ୍କ ହୀରା’ ନାଁରେ ନାମିତ ଥିଲା। ବହୁବର୍ଷ ଆଗରୁ ଏହାକୁ ତତ୍କାଳୀନ ପାରସ୍ୟ ସମ୍ରାଟ ସୁଲତାନ ତାହମାସପ ହାତରେ ଟେକି ଦେଇଥିଲେ ଭାରତରୁ ପଳାୟନ କରିଥିବା ମୋଗଲ ସମ୍ରାଟ ହୁମାୟୁନ।

୧୬୮୮ ଖ୍ରୀଷ୍ଟାବ୍ଦ ନଭେମ୍ବର ମାସର ଗୋଟିଏ ଦିନ। ପାରସ୍ୟର ଖୋରାସାନ ଅଞ୍ଚଳର ଏକ ଯାଯାବର ମେଷପାଳକ ଘରେ ଯେଉଁ ଶିଶୁଟି ଜନ୍ମ ନେଇଥିଲା, କିଏ ଜାଣିଥିଲା ଯେ ସେଇ ଶିଶୁ ଦିନେ ପାରସ୍ୟର ରାଜସିଂହାସନରେ ବସିବ। ୧୭୩୯ ଖ୍ରୀଷ୍ଟାବ୍ଦରେ ଭାରତରେ ବିଭୀଷିକା ସୃଷ୍ଟି କରିବ ଏବଂ  ପୁଣି ସେଇ ଅମୂଲ୍ୟ ରତ୍ନକୁ ଫେରାଇନେବ ପାରସ୍ୟ। ସେଇ ଯାଯାବର ମେଷପାଳକ ଘରେ ଜନ୍ମ ନେଇଥିବା ଶିଶୁଟିର ନାଁ ହେଉଛି ନାଦିର ଶାହ।

ଶେଷଥର ପାଇଁ ଯାହାଙ୍କ ମସ୍ତକର ମୁକୁଟରେ ଏଇ ଅମୂଲ୍ୟ ରତ୍ନ ଶୋଭା ପାଉଥିଲା, ସେ ଥିଲେ ଇଂଲଣ୍ଡର ରାଜମାତା ଏବଂ ରାଜା ଷଷ୍ଠ ଜର୍ଜଙ୍କ ପତ୍ନୀ ମହାରାଣୀ ଏଲିଜାବେଥ। ଯାହାଙ୍କର ମୃତ୍ୟୁପରେ ଏବେ ଲଣ୍ଡନ ସଂଗ୍ରହାଳୟରେ ଶୋଭାପାଉଛି ସେଇ ବହୁ ଦୁଷ୍ପ୍ରାପ୍ୟ ଅମୂଲ୍ୟ ରତ୍ନ।
ଏହା ଏମିତି ଏକ ଅମୂଲ୍ୟ ରତ୍ନ ଯାହାକୁ ଦେଖି ନାଦିର ଶାହ ‘କୋହ୍-ଇ-ନୂର’ ବା ମାଉଣ୍ଟେନ ଅଫ ଲାଇଟ ବୋଲି ଚିତ୍କାର କରି ଉଠିଥିଲେ। ତାହା ହେଉଛି ମହାଭାରତ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କର ସେଇ ସ୍ୟମନ୍ତକ ମଣି, ଯାହା ସମ୍ପର୍କରେ ଦି’ପଦ କହିବା ନିହାତି ଆବଶ୍ୟକ।

କିନ୍ତୁ ଏ କାହାଣୀର ଆରମ୍ଭ କେଉଁଠୁ? ସ୍ୟମନ୍ତକ ମଣି ସହ ଏହାକୁ ଯୋଡ଼ିବା ତଥ୍ୟଭିତ୍ତିକ ନୁହେଁ। ବରଂ ମୋଗଲ ସମ୍ରାଟ ବାବରଙ୍କ ଆତ୍ମଜୀବନୀ ‘ବାବରନାମା’ରେ ଏଇ ଦୁର୍ମୁଲ୍ୟ ରତ୍ନ ହୀରା ସମ୍ପର୍କରେ ପ୍ରଥମ ଲେଖା ଦେଖିବାକୁ ମିଳେ। ନା, ପ୍ରଥମ ଲେଖା କହିଲେ ଭୁଲ୍ ହେବ। କାରଣ ଅମୀର ଖୁସ୍ରୁଙ୍କ ଲେଖାରୁ ଜଣାପଡ଼େ, ଏଇ ହୀରା ହେଉଛି ମାଲବରାଜ ରାଇମାହଲୋକ ଦେଓ ବାହାଦୂରଙ୍କ ସମ୍ପତ୍ତି। ବର୍ତ୍ତମାନର ମଧ୍ୟ ପ୍ରଦେଶର ଉଜ୍ଜୟିନୀ ଥିଲା ଦେଓ ବାହାଦୂରଙ୍କ ରାଜଧାନୀ। ଏହା ହେଉଛି ସେଇ ଉଜ୍ଜୟିନୀ ଯାହା ରାଜା ବିକ୍ରମାଦିତ୍ୟଙ୍କ ଉଜ୍ଜୟିନୀ। ମହାକବି କାଳିଦାସଙ୍କ ଉଜ୍ଜୟିନୀ। ଯଦିଓ ରାଜା ଦେଓ ବାହାଦୂରଙ୍କ ସହ ବିକ୍ରମାଦିତ୍ୟଙ୍କର କୌଣସି ସମ୍ପର୍କ ନ ଥିଲା, କିନ୍ତୁ ଏଇ ହୀରା ରାଜା ବିକ୍ରମାଦିତ୍ୟଙ୍କର ବୋଲି ଶୁଣା ଯାଉଥିଲା। ତେବେ ରାଜା ଦେଓ ବାହାଦୂର କେମିତି ଏଇ ହୀରା ହାସଲ କଲେ, ତା’ର କୌଣସି ପ୍ରମାଣ ମିଳୁ ନାହିଁ। ତେଣୁ ଅମୀର ଖୁସ୍ରୁଙ୍କ ବର୍ଣ୍ଣନା ଅନୁସାରେ, ଏ କଥା କୁହାଯାଇପାରେ ଯେ ଦିଲ୍ଲୀର ସୁଲତାନ ଆଲାଉଦ୍ଦିନ ଖିଲଜୀ ମାଲବରାଜଙ୍କୁ ଯୁଦ୍ଧରେ ହରାଇଥିଲେ ଏବଂ ମୁକ୍ତିପଣ ହିସାବରେ ହାସଲ କରିଥିଲେ ଏଇ ହୀରା। ଏହା ୧୩୦୬ ଖ୍ରୀଷ୍ଟାବ୍ଦର କଥା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ