ଆକଟରୁ ଅଣନିଃଶ୍ବାସୀ: ଛାତ୍ରୀନିବାସରୁ ଶୁଭୁଛି ବିଦ୍ରୋହର ସ୍ବର

ସୁରକ୍ଷା ଆଳରେ ଛାତ୍ରୀମାନଙ୍କୁ ଲିଙ୍ଗଭିତ୍ତିକ କଟକଣାରେ ବାନ୍ଧି ରଖିବା କ’ଣ ନ୍ୟାୟସଙ୍ଗତ?

କ୍ୟା - ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ପିଞ୍ଜରା ତୋଡ୍‌ ଅଭିଯାନ
ପ୍ରାଚ୍ୟ ସଭ୍ୟତା ହେଉ ବା ପାଶ୍ଚାତ୍ୟ ସଭ୍ୟତା ସବୁ ସମୟରେ ନାରୀ ପ୍ରତି ଅନ୍ୟାୟ ହୋଇଆସୁଛି। ଏହା କିଛି ନୂଆ କଥା ନୁହେଁ। ସବୁଠି ନାରୀ ପରାଧୀନ ଓ ସୀମାବଦ୍ଧ। ପରାଧୀନତା ଓ ସୀମାବଦ୍ଧତାର ରୂପରେଖ ଅଲଗା ଅଲଗା ହୋଇପାରେ। ଆମ ଚଳଣି ଏତେ ମାତ୍ରାରେ ପୁରୁଷ ପ୍ରାଧାନ୍ୟ ସମାଜ ଦ୍ୱାରା ପ୍ରଭାବିତ ଯେ ଲିଙ୍ଗଭେଦର ପାର୍ଥକ୍ୟ ବୁଝିବା ସହଜସାଧ୍ୟ ନୁହେଁ। ଉଦାହରଣ ସ୍ବରୂପ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଭଳି ଅନୁଷ୍ଠାନଗୁଡ଼ିକ ଏମିତି ରୁଢ଼ିବାଦୀ ଏବଂ ପିତୃସତ୍ତାତ୍ମକ ଚିନ୍ତାଧାରା ପରିପନ୍ଥୀ ହେବା ସ୍ଥାନରେ ସେମାନେ ନାରୀ ଅର୍ଥାତ୍ ଛାତ୍ରୀମାନଙ୍କ ଉପରେ କଟକଣା ଜାରି ରଖିଛନ୍ତି। ମୁଖ୍ୟତଃ ହଷ୍ଟେଲ୍‌ରେ ରହୁଥିବା ଛାତ୍ରୀମାନଙ୍କୁ ସୁରକ୍ଷାର ଆଳ ଦେଖାଇ ନୂଆ ନୂଆ କଟକଣାମାନ ଲଗାଇ ଚାଲିଛନ୍ତି।

ଏଠାରେ ମୁଁ ଆପଣମାନଙ୍କୁ ଏକ ଛୋଟ ଉଦାହରଣ ଦେବାକୁ ଚାହିଁବି। ଏଇ କିଛି ଦିନ ତଳେ ମୋର ଜଣେ ସମ୍ପର୍କୀୟ ଭଉଣୀକୁ ଦେଖା କରିବାକୁ ତା’ର ହଷ୍ଟେଲକୁ ଯାଇଥିଲି। ତା’ ସହିତ କଥା ହେବା ପ୍ରସଙ୍ଗରେ, ତା’ର ହଷ୍ଟେଲ୍ ବିଷୟରେ କଥାହେଲି। ତା’ ମୁହଁରୁ ଶୁଣିଲା ପରେ ଲାଗିଲା ଯେ ଆଜିର ଦିନରେ କ’ଣ ଏମିତି କଟକଣା କେଉଁଠି ଲାଗୁ କରାଯାଇପାରେ କି? ଶୁଣି ଆଶ୍ଚର୍ଯ୍ୟ ହେଲି।

ତାଙ୍କ ହଷ୍ଟେଲ୍‌ରେ ରହୁଥିବା ଛାତ୍ରୀମାନଙ୍କ ଉପରେ କେବଳ ହଷ୍ଟେଲ୍‌ରୁ ବାହାରକୁ ଯିବା ଆସିବା କିମ୍ବା କାହା ସହିତ ଦେଖା କରିବା କଟକଣାରେ ସୀମିତ ନୁହେଁ, ବରଂ ସେମାନେ କ’ଣ ଖାଇବେ, ଖାଦ୍ୟ ଦ୍ରବ୍ୟ ନିଜ ରୁମ୍‌କୁ ନେବେ କି ନାହିଁ, ନିଜ ପାଖରେ ଫୋନ୍ ରଖିବା, ବିନା ଚୁନିରେ ଡ୍ରେସ୍ ପିନ୍ଧିବା ଉପରେ ସଂପୂର୍ଣ୍ଣ କଟକଣା ରହିଛି।  ଏପରିକି ଅଭିଭାବକଙ୍କ ଦ୍ୱାରା ଦିଆଯାଇଥିବା ଖାଦ୍ୟ ପଦାର୍ଥ ବିନା ଯାଞ୍ଚରେ ଛାତ୍ରୀମାନେ ନିଜ ରୁମ୍‌କୁ ନେବା କ୍ଷେତ୍ରରେ ମଧ୍ୟ କଟକଣା ଜାରି ରହିଛି। ମାତ୍ର ଛାତ୍ରମାନଙ୍କ ହଷ୍ଟେଲ୍‌ରେ ଏସବୁ କୌଣସି କଟକଣା ଲାଗୁ ନୁହେଁ।

ଏସବୁ କଟକଣା କିନ୍ତୁ ଗୋଟିଏ ଛାତ୍ରୀନିବାସ ବା ଓଡ଼ିଶା ଭିତରେ ସୀମିତ ନୁହେଁ, ଦେଶସାରା ପ୍ରାୟ ଛାତ୍ରୀନିବାସରେ ଆପଣ ଏପରି କଟକଣା ପାଇପାରିବେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରୀନିବାସରେ ରହୁଥିବା ଛାତ୍ରୀମାନେ ମଧ୍ୟ ଏମିତି ଲିଙ୍ଗଭିତ୍ତିକ କଟକଣା ବିରୋଧରେ ‘ପିଞ୍ଜରା ତୋଡ଼୍’ ନାମକ ଅଭିଯାନ ଚଳାଇ ଆସୁଛନ୍ତି। ସେମାନେ ନିଜର ଫେସ୍ ବୁକ୍ ଏବଂ ବିଭିନ୍ନ ସାମାଜିକ ଗଣମାଧ୍ୟମ ଜରିଆରେ ଏପରି କଟକଣା ବିରୋଧରେ ସ୍ବର ଉତ୍ତୋଳନ କରିଆସୁଛନ୍ତି। କିନ୍ତୁ ସଫଳତା ଏପର୍ଯ୍ୟନ୍ତ ମିଳିପାରିନାହିଁ।

ଏସବୁକୁ ଦେଖିଲେ ଲାଗେ, ଯେପରି ଜଣେ ସାଧାରଣ ଲୋକକୁ ଗୁଣ୍ଡା ଦାଉରୁ ରକ୍ଷା କରିବାକୁ ହେଲେ, ସେହି ସାଧାରଣ ଲୋକକୁ ହିଁ ଜେଲ୍‌ରେ ଭରିଦେବା ସଦୃଶ। କାରଣ ସୁରକ୍ଷା କେବଳ ଗୋଟିଏ ଆଳ। ଆମ୍ଭେ ଛାତ୍ରୀମାନଙ୍କୁ ବା ନାରୀମାନଙ୍କୁ ପୁରୁଷମାନଙ୍କ ସହିତ ସମକକ୍ଷ ହେବାକୁ ପ୍ରକାରାନ୍ତରେ ଚେଷ୍ଟା କରୁଛେ। ଆମର ପିତୃକୈନ୍ଦ୍ରିକ ଚିନ୍ତାଧାରା ଭୟକରୁଛି ଯେ ନାରୀମାନେ ନିଜର ମନଇଚ୍ଛା ସ୍ବଚ୍ଛନ୍ଦରେ ଅନ୍ୟମାନଙ୍କ ସହିତ ମିଶିପାରିବେ, ସହଜରେ ଚାକିରି କରିପାରିବେ ଏବଂ ବିଭିନ୍ନ କ୍ଷେତ୍ରରେ ନାରୀମାନେ ପୁରୁଷମାନଙ୍କ ଠାରୁ ବଳିଯିବେ।

ଯଦି ଆମେ ପ୍ରକୃତରେ ନାରୀମାନଙ୍କୁ ପୁରୁଷ ସହିତ ସମାନ ଓ ଭେଦଭାବହୀନ ଏକ ସମାଜ ଗଠନର ସ୍ବପ୍ନ ଦେଖୁଛୁ, ତେବେ ଏପରି ରୁଢ଼ିବାଦୀ କଟକଣାଗୁଡ଼ିକୁ ପ୍ରଥମେ ଶିକ୍ଷାନୁଷ୍ଠାନଗୁଡ଼ିକରୁ ହିଁ ହଟାଇବାକୁ ପଡ଼ିବ। ଏଥିପାଇଁ କେବଳ ଛାତ୍ରୀମାନେ ଅଣ୍ଟାଭିଡ଼ି ଆଗକୁ ଆସିଲେ ହେବ ନାହିଁ, ସେମାନଙ୍କୁ ନୈତିକ ସମର୍ଥନ ଦେଇ ଅଭିଭାବକ ଓ ଛାତ୍ର ସମାଜ ଆଗକୁ ଆସିବାକୁ ପଡ଼ିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଟେଷ୍ଟି ଏଣ୍ଡ କ୍ରିସ୍‌ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍‌ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍‌ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।