ବିଶ୍ୱକବିଙ୍କ ଶେଷ ପ୍ରେମିକା ଭିକ୍ଟୋରିଆ


ନାରୀର ପ୍ରେମ ମନ ଓ ହୃଦୟରେ ଫୁଟେଇଦିଏ ଫୁଲ। ଯେଉଁ ଫୁଲ ମଉଳିଗଲେ ବି ତାର ମଧୁର ମହକରେ ମତୁଆଲା କରି ରଖିଥାଏ ତମାମ୍ ଜୀବନ। ନାରୀର ପ୍ରେମ ନେଇ ଏ କଥା କହିଥିଲେ ସାହିତ୍ୟ ପାଇଁ ନୋବେଲ ବିଜେତା ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର। ଯାହାର ପ୍ରମାଣ ଫୁଟିଉଠିଛି, ବିଶ୍ୱକବିଙ୍କ ଜୀବନର ପ୍ରତିଟି ପାହାଚରେ।

କାଦମ୍ବରୀ ହିଁ ପ୍ରଥମ ପ୍ରେମ

ରବୀନ୍ଦ୍ରନାଥଙ୍କୁ ଯେତେବେଳେ ମାତ୍ର ୧୩ ବର୍ଷ ୧୦ ମାସ, ଯେତେବେଳେ ତାଙ୍କ ଭିତରେ ଖପ୍‌ଖାପ୍ ଡେଉଁଥିଲା ଗୋଟିଏ କିଶୋର ହୃଦୟ, ଯେତେବେଳେ ତାଙ୍କୁ ଜଣା ନ ଥିଲା କ’ଣ ହୋଇପାରେ ଫୁଲ ଆଉ ପ୍ରଜାପତିର ସମ୍ପର୍କ, ସେତେବେଳେ ତାଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ ମା ଶାରଦା ଦେବୀ। ଉଦାସ ହୋଇ ଦିନେ ସେ ବଗିଚାରେ ବସିଥିବାବେଳେ, କାହାର କଅଁଳ ହାତ ଥାପି ହୋଇଗଲା ତାଙ୍କ କାନ୍ଧରେ। ବୁଲି ଦେଖିଲେ, ପାଖରେ ଅଛନ୍ତି ତାଙ୍କ ସାନ ଭାଉଜ କାଦମ୍ବରୀ ଦେବୀ। ରବୀନ୍ଦ୍ରଙ୍କ ସବୁକଥା ବୁଝୁଥିଲେ କାଦମ୍ବରୀ।

କାଦମ୍ବରୀ ହିଁ ଥିଲେ ରବୀନ୍ଦ୍ରଙ୍କ ଅଝଟ କୈଶୋର, ଆଦ୍ୟ ଯୌବନର ଖେଳସାଥୀ, ମା, ପ୍ରେମିକା ମଧ୍ୟ। କିନ୍ତୁ ରବୀନ୍ଦ୍ର ଓ କାଦମ୍ବରୀଙ୍କ ସମ୍ପର୍କକୁ ନେଇ ଠାକୁର ପରିବାରରେ ଉଠିଲା ଝଡ଼। ମାନସିକ ଭାରସାମ୍ୟ ହରାଇ ୨୫ ବର୍ଷର ଉଛୁଳା ଯୌବନ ଢେଉକୁ ଆଡ଼େଇ ଆତ୍ମହତ୍ୟା କଲେ କାଦମ୍ବରୀ। ଏଇଠି ଶେଷ ହେଲା ୨୩ ବର୍ଷ ବୟସ୍କ ରବୀନ୍ଦ୍ରଙ୍କ ଜୀବନର ପ୍ରଥମ ପ୍ରେମ।

ଅନ୍ନପୂର୍ଣ୍ଣା ହିଁ ନଳିନୀ

୧୮୭୮ ମସିହାରେ ଇଂଲଣ୍ଡ ଯିବା ଆଗରୁ ରବୀନ୍ଦ୍ରଙ୍କ ଜୀବନରେ ଆସିଥିଲେ ଜଣେ ବିଦେଶିନୀ, ଯାହାଙ୍କ ନାଁ ଅନ୍ନପୂର୍ଣ୍ଣା। ସେ ଦୁଇମାସ ପାଇଁ ଅତିଥି ଥିଲେ ଅନ୍ନପୂର୍ଣ୍ଣାଙ୍କ ଘରେ ଏବଂ ଅନ୍ନପୂର୍ଣ୍ଣାଙ୍କୁ ଦେଖିବାମାତ୍ରେ ତାଙ୍କୁ ପାଇବା ପାଇଁ ଏକ ରକମ ପାଗଳ ହୋଇଯାଇଥିଲେ ରବୀନ୍ଦ୍ର। ଅନ୍ନପୂର୍ଣ୍ଣାଙ୍କୁ ପ୍ରେମରେ ଆନ୍ନା ବୋଲି ଡାକୁଥିଲେ ରବୀନ୍ଦ୍ର। ଥରେ ଆନ୍ନା କହିଲେ - ମୋତେ ଆଉ ଗୋଟିଏ ନୂଆ ନାଁରେ କେବେ ଡାକିବ ଯେ! ପ୍ଲିଜ୍..ମୋର  ଗୋଟିଏ ନୂଆ ନାଁ ଦିଅନା...!

ରବୀନ୍ଦ୍ର ‘ଆନ୍ନା’ଙ୍କ ନାଁ ଦେଇଥିଲେ ନଳିନୀ। ଏଇ ନଳିନୀଙ୍କୁ ନେଇ ଅନେକ ଗୀତି-କବିତା ଲେଖିଥିଲେ ସେ। ନଳିନୀଙ୍କ ନାଁରେ ଲେଖିଥିଲେ ‘ନଳିନୀ’ ଗୀତି କବିତା, ଯାହା ବିଶ୍ୱକବିଙ୍କ ବହୁଚର୍ଚ୍ଚିତ ସଫଳ ସୃଷ୍ଟି।

ପରିଣତ ବୟସରେ ଭିକ୍ଟୋରିଆ
ପରିଣତ ବୟସରେ ତାଙ୍କ ଜୀବନରେ ଆସିଥିଲେ ଆଉ ଜଣେ ବିଦେଶିନୀ ୧୯୨୪ ମସିହାରେ। ଯାହାଙ୍କ ନାଁ ଭିକ୍ଟୋରିଆ ଓକାମ୍ପୋ। ସେ ଥିଲେ କବିଗୁରୁଙ୍କ ଶେଷ ପ୍ରେମିକା। ତାଙ୍କୁ ରବୀନ୍ଦ୍ର ସ୍ନେହରେ ଡାକୁଥିଲେ, ବିଜୟା। ରବୀନ୍ଦ୍ର ରହୁଛନ୍ତି ‘ସାନ୍ ଇଜ୍‌ହେ’ରେ, ଏ କଥା ଜାଣି ଖୁବ୍ ବୟସ୍କ କବି ରବୀନ୍ଦ୍ରଙ୍କ ପାଖକୁ ଧାଇଁ ଆସିଥିଲେ କିଶୋରୀ ବିଜୟା। ଭରି ଦେଇଥିଲେ ତାଙ୍କ ପ୍ରୀତିର ପିଆଲା। ଥରେ ନୁହଁ, ବାରମ୍ବାର। ବିଜୟାଙ୍କୁ ପାଇ ରବୀନ୍ଦ୍ରଙ୍କ ପରିଣତ ବୟସରେ ମଧ୍ୟ ଯୌବନର ଫୁଲ ଫୁଟିଥିଲା। ବିଜୟାଙ୍କ ମନ ଓ ଦେହ ଛଡ଼ା ରବୀନ୍ଦ୍ର ଅନେକ କିଛି ପାଇଥିଲେ। ଭିକ୍ଟୋରିଆ ଓକାମ୍ପୋ ବା ବିଜୟା ରବୀନ୍ଦ୍ରଙ୍କ କଳା ଓ ସାହିତ୍ୟକୁ ପରିପୂର୍ଣ୍ଣ କରିଥିଲେ। ସେମାନଙ୍କ ସମ୍ପର୍କକୁ ନେଇ ସାରା ପ୍ୟାରିସ୍ ସହରରେ ଚହଳ ପଡ଼ିଯାଇଥିଲା।

ମୃଣାଳିନୀଙ୍କୁ ଠକିଥିଲେ ସାରା ଜୀବନ

ତଥାପି ରବୀନ୍ଦ୍ରଙ୍କ କବି ହୃଦୟର ପ୍ରେମ ଅତୃପ୍ତ, ଅପୂର୍ଣ୍ଣ ରହି ଯାଇଥାଆନ୍ତା, ଯଦି ତାଙ୍କ ପ୍ରେମର ପରିଧିକୁ ଆସି ପାରି ନ ଥାଆନ୍ତେ, ଭବ ତାରିଣୀ, ଯାହାଙ୍କୁ ସମସ୍ତେ ଜାଣିଥିଲେ କବି ପତ୍ନୀ ମୃଣାଳିନୀ ନାଁରେ।

ଠିକ୍ କାଦମ୍ବରୀ ଦେବୀଙ୍କ ମୃତ୍ୟୁ ପରେ ଉଭୟଙ୍କ ବିବାହ ହୋଇଥିଲା। ରବୀନ୍ଦ୍ରଙ୍କୁ ୨୩ ଆଉ ମୃଣାଳିନୀଙ୍କୁ ମାତ୍ର ଏଗାର ବର୍ଷ। ବାହାଘର ପରେ ମୃଣାଳିନୀ ଶ୍ୱଶୁର ଘରେ ପାଠପଢ଼ିଲେ। ଅନେକ ସମୟରେ ମୃଣାଳିନୀଙ୍କୁ କୋଳରେ ଆଉଜାଇ ରବୀନ୍ଦ୍ର ତାଙ୍କୁ ଶୁଣାଉଥିଲେ ବିଭିନ୍ନ ଭାଷାର ଗପ ଓ କବିତା। ମୃଣାଳିନୀ ଖୁବ୍ ସରଳ। ଆନ୍ନା, ଭିକ୍ଟୋରିଆଙ୍କ ସହିତ ସ୍ବାମୀ ରବୀନ୍ଦ୍ରଙ୍କ ପ୍ରେମ ସମ୍ପର୍କ ତାଙ୍କ ନରମ ହୃଦୟରେ ଛୁରିଟିଏ ହୋଇ କାଟି ଦେଇଥିଲା। କ୍ଷତ ପରେ କ୍ଷତ। ବିରହ ତାଙ୍କୁ ଉଜାଗର ରଖୁଥିଲା ରାତି ପରେ ରାତି। ଦେହ ଖୋଜୁଥିଲା ସ୍ବାମୀଙ୍କ ଦେହ। ମନ ଖୋଜୁଥିଲା ସ୍ବାମୀଙ୍କ ମନ। ମାତ୍ର ତାଙ୍କୁ କିଛି ବି ମିଳି ନ ଥିଲା। ସେ କେବଳ କାନ୍ଦିଥିଲେ ଗୁମୁରି ଗୁମୁରି।

ଛଳନା କରିବାରେ ରବୀନ୍ଦ୍ର ଥିଲେ ଧୂରନ୍ଧର। ବିଦେଶରୁ ଗଦାଗଦା ଚିଠି ମୃଣାଳିନୀଙ୍କ ପାଖକୁ ଲେଖୁଥିଲେ। ସେଥିରେ ନା ଥିଲା ପ୍ରେମ, ନା ସ୍ନେହ ନା ଭଲପାଇବା। କେବଳ ଛଳନା ଆଉ ପ୍ରତାରଣା। ଆଉ ସହି ପାରିଲେନି ମୃଣାଳିନୀ। ଶେଷରେ ସବୁ ଗହଣାଗାଣ୍ଠି ‘ବ୍ରହ୍ମଚର୍ଯ୍ୟ ଆଶ୍ରମ ପାଣ୍ଠି’କୁ ଦାନ କରିଦେଲେ। ପରେ ପରେ ମାଟିଘଟ ଛାଡ଼ିଦେଲା ସ୍ବାମୀ ଥାଇ ବି ସ୍ବାମୀହରା ମୃଣାଳିନୀଙ୍କ ଅତୃପ୍ତ ଆତ୍ମାପକ୍ଷୀ।

ଏ ସବୁକୁ ସେ ଅନୁଭବ କରିପାରିଥିଲେ କି ନା ତାହା କେବଳ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ହିଁ ଜାଣିଥିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ