କିଏ ପ୍ରକୃତରେ ସେକ୍ସପିୟର


ଓ୍ୱିଲିୟମ୍ ସେକ୍ସପିୟର ଜଣେ ବିଶ୍ୱପ୍ରସିଦ୍ଧ ନାଟ୍ୟକାର ଥିଲେ, ଏ କଥା ଆମେ ସମସ୍ତେ ଜାଣୁ।  ସେ ଜଣେ ପୁରୁଷ ଏବଂ ବିବାହ କରିଥଲେ ଆନି ହାଥୱେ ନାମ୍ନୀ ଜଣେ ମହିଳାଙ୍କୁ, ଯିଏକି ସେକ୍ସପିୟରଙ୍କଠାରୁ ଆଠବର୍ଷ ବଡ଼ ଥିଲେ। ତାଙ୍କ ରଚିତ ନାଟକ ରୋମିଓ ଜୁଲିଏଟ୍, ଦ ଟେମ୍ପେଷ୍ଟ୍, କିଂ ଜନ୍, କିଂ ଲିୟର, ହେନେରୀ ଫୋର, ହାମଲେଟ୍, ଜୁଲିୟସ୍ ସିଜର, ଅଥେଲୋ, ମାକ୍‌ବେଥ ଆଦି ବହୁଚର୍ଚ୍ଚିତ।

ଏବେ ନୁହଁ, ନାଟ୍ୟକାର ସେକ୍ସପିୟର ଜଣେ ନାରୀ ନା ପୁରୁଷ, ଦୀର୍ଘ ଦେଢ଼ଶହ ବର୍ଷ ଧରି ବିବାଦ ଚାଲିଛି। କିଛିବର୍ଷ ତଳେ ଏଇ ବିବାଦକୁ ବଢ଼େଇ ଦେଇଥିଲା ‘ନ୍ୟୁଜ ଓ୍ୱିକ୍’ ପତ୍ରିକା। କେବଳ ପୁରୁଷ କି ନାରୀ ନୁହଁ, ଆଉ ଏକ ବିବାଦ ମଧ୍ୟ ଦାନା ବାନ୍ଧିଥିଲା। ତାହା ହେଲା-ସେକ୍ସପିୟରଙ୍କ ଅସ୍ତିତ୍ୱକୁ ନେଇ। ସେକ୍ସପିୟର ବୋଲି ସତରେ କ’ଣ ଜଣେ କେହି ଥିଲେ !

ସେକ୍ସପିୟର ଜଣେ ନାରୀର ନାଁ ଥିଲା - କେତେକ ଏଇକଥା ବିଶ୍ୱାସ କରୁଥିବାବେଳେ, ଅନ୍ୟ କେତେକେ କହୁଛନ୍ତି, ସେକ୍ସପିୟର ନାଁରେ କୌଣସି ବ୍ୟକ୍ତିର ଅସ୍ତିତ୍ୱ କେବେ ମଧ୍ୟ  ନ ଥିଲା। କେତେଜଣ ଲେଖକ ମିଶି ସବୁ ନାଟକ ଲେଖିଲେ ସେକ୍ସପିୟର ନାଁରେ ଏବଂ ସବୁ ଲେଖକଙ୍କ ନାଁର ପ୍ରଥମ ଅକ୍ଷରକୁ ନେଇ ଏକ ନାଁ ସୃଷ୍ଟି କଲେ, ଯାହା ହେଲା - ସେକ୍ସପିୟର । କେତେକ ମଧ୍ୟ ଚିରାଚରିତ କିମ୍ବଦନ୍ତୀକୁ ମାନି ଲଣ୍ଡନର ଗ୍ଲୋବ୍ ଥିଏଟରରେ ଅଧାରାତିରେ ସେକ୍ସପିୟରଙ୍କ ଆତ୍ମା ଏବେ ବି ଘୂରିବୁଲୁଛି କହି ଚମକାଇ ଦେଉଥିଲେ।

ଲଣ୍ଡନରୁ ପ୍ରକାଶିତ ‘ନ୍ୟୁଜ୍ ଓ୍ୱିକ୍’ ପତ୍ରିକା ଏଇ ବିବାଦରେ ନିଆଁ ଢ଼ାଳିଥିଲା। ଗ୍ଲୋବ୍ ଥିଏଟରର ସେକ୍ସପିଅରାନ ଅଭିନେତା ଓ କଳା ନିର୍ଦେଶକ ମାର୍କ ରିଲିଂଶ ଏଇ ପତ୍ରିକାରେ ଯେଉଁ ଲେଖା ଲେଖିଥିଲେ, ବାସ୍ତବରେ ତାହା ଚମକାଇ ଦେଲାଭଳି। ରିଲିଂଶ ଲେଖିଥିଲେ - ଜନ୍ମ ହେବାବେଳେ ଶିଶୁର ସାମାନ୍ୟ ବୁଦ୍ଧି ଥାଇପାରେ, ମାତ୍ର ସେ ଜନ୍ମ ହେବାମାତ୍ରେ ଖାତା ବହି ଧରି ପାଠ ପଢ଼ି ପାରିବନି। ସୁତରାଂ ସ୍କୁଲସ୍ତରରେ କେବଳ ବ୍ୟାକରଣ ପଢ଼ିଥିବା ସେକ୍ସପିୟର କେବେ ବି ଏଭଳି ମହାନ ନାଟକ ରଚନା କରି ପାରିବେ ନାହିଁ।

ତା’ହେଲେ କିଏ ସେହି ରହସ୍ୟମୟ ନାଟ୍ୟକାର, ଯିଏ ସୃଷ୍ଟିକରି ଯାଇଛନ୍ତି ଏଭଳି କାଳଜୟୀ ନାଟକ ! ଏ ସଂପର୍କରେ ଜଣେ ଆମେରିକୀୟ ଲେଖକ ରବିନ୍ ଓ୍ୱିଲିୟମ୍ ନିଜ ଗବେଷଣା ଦ୍ୱାରା ପ୍ରମାଣିତ କରିଛନ୍ତି ଯେ, ସେକ୍ସପିୟର ନାଟକ ସମୂହର ନାଟ୍ୟକାର ହେଉଛନ୍ତି ଜଣେ ନାରୀ ଏବଂ ତାଙ୍କ ନାଁ ମେରୀ ହର୍ବର୍ଟ ସିଡ୍‌ନୀ। ପ୍ରକୃତରେ ରବିନଙ୍କ ତର୍କ ଖୁବ୍ ଯୁକ୍ତିସଂଗତ। କାରଣ ମେରୀ ସିଡ୍‌ନୀ ହେଉଛନ୍ତି ମହାରାଣୀ ଏଲିଜାବେଥ-ପ୍ରଥମଙ୍କ ସମୟର ଚର୍ଚ୍ଚିତ କବି ସାର୍ ଫିଲିପ୍ ସିଡ୍‌ନୀଙ୍କ ଭଉଣୀ ଏବଂ ସେ ସମୟରେ ସବୁଠୁ ଅଧିକ ପାଠ ପଢ଼ିଥିବା ଶିକ୍ଷିତା ମହିଳା ଥିଲେ। ତା’ଛଡ଼ା ମେରୀ ସିଡ୍‌ନୀ ଯେ ପ୍ରକୃତରେ ସେକ୍ସପିୟର, ଏହାର ଯଥେଷ୍ଟ ପ୍ରମାଣ ମଧ୍ୟ ରହିଛି। ସେ ନିଜେ ଜଣେ ନାଟ୍ୟକାର ଥିଲେ ଏବଂ ତାଙ୍କୁ ଇଂରାଜୀ ସାହିତ୍ୟର ପ୍ରଥମ ସାହିତ୍ୟିକ ଭାବରେ ସମ୍ମାନିତ ମଧ୍ୟ କରାଯାଇଥିଲା।

ସେକ୍ସପିୟରଙ୍କ ପ୍ରଥମ ଆଠଟି ନାଟକ କୌଣସି ଅଞାତ ନାଁରେ ଛପା ଯାଇଥିଲା। କିନ୍ତୁ ସେଥିରୁ ତିନୋଟି ନାଟକରେ ସ୍ପଷ୍ଟଭାବେ ଲେଖାଯାଇଥିଲା, ଏଇ ନାଟକର ନିର୍ମାତା ପେବ୍ରୁକର ଲୋକ ଥିଲେ ଏବଂ ସେଇ ନାଟ୍ୟ କମ୍ପାନୀର ପ୍ରାୟୋଜକ ମେରୀଙ୍କ ପତି ଏବଂ ନିଜେ ମେରୀ ଥିଲେ। ଦୁହେଁ ପେବ୍ରୁକର ରାଜା-ରାଣୀ। ମେରୀ ସିଡ୍‌ନୀ ପେବ୍ରୁକର ରାଜକୁମାରୀ ଥିଲେ। ସେକ୍ସପିୟରଙ୍କ କିଛି ନାଟକରେ ଏମିତି କିଛି କବିତା ମିଳୁଛି, ଯାହା କୌଣସି କମ୍ ବୟସର ପ୍ରେମୀକୁ ସମ୍ବୋଧିତ କରାଯାଇଛି। ପ୍ରକୃତରେ ମେରୀ ସିଡ୍‌ନୀ ମଧ୍ୟ ଜଣେ କମ୍ ବୟସର ଯୁବକକୁ ପ୍ରେମ କରୁଥିଲେ, ଯାହାଙ୍କ ନାଁ ଥିଲା ମେଥ୍ୟୁ ଲିସର।

ସିଡ୍‌ନୀଙ୍କୁ ଯଦି ସେକ୍ସପିୟର ମାନି ନିଆଯିବ, ତେବେ ବହୁ ପ୍ରଶ୍ନର ଉତ୍ତର ମଧ୍ୟ ମିଳିଯିବ। ସେକ୍ସପିୟରଙ୍କ ପ୍ରଥମ ନାଟକ ‘ଫର୍ଷ୍ଟ ଫୋଲିଓ ଅଫ୍ ୧୬୨୩’ କୁ ପେବ୍ରୁକ ଓ ମଣ୍ଟେ ଗୋମରୀଙ୍କୁ ଉତ୍ସର୍ଗ କରାଯାଇଥିଲା। ବାସ୍ତବରେ ସିଡ୍‌ନୀଙ୍କ ପୁଅର ନାଁ ଥିଲା ମଣ୍ଟେ ଗୋମରୀ। ଏହାଛଡ଼ା ସେକ୍ସପିୟର ଓ ସିଡ୍‌ନୀଙ୍କ ଜୀବନକାଳ ଏକ। ଯେଉଁ ସମୀକ୍ଷକମାନେ ଏଡଓ୍ୱାଡ୍ ଡି ବେରେଙ୍କୁ ସେକ୍ସପିୟର ବୋଲି ମାନୁଛନ୍ତି, ସେମାନେ ଭୁଲି ଯାଉଛନ୍ତି ଯେ  ସେକ୍ସପିୟରଙ୍କ ପାଇଁ ନିର୍ଦ୍ଧାରିତ ସମୟଠାରୁ ୧୨ ବର୍ଷ ଆଗରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟକିଛି ସମୀକ୍ଷକ, ଯେଉଁମାନେ କି କ୍ରିଷ୍ଟୋଫର ମାର୍ଲୋଙ୍କ ଚିତ୍ରରେ ସେକ୍ସପିୟରଙ୍କ ଚିତ୍ର ଖୋଜୁଛନ୍ତି, ସେମାନେ ମଧ୍ୟ ଜାଣିବା ଦରକାର କି, ମାର୍ଲୋ ନିଜ ମୃତ୍ୟୁର ମିଛ ଖବର ସୃଷ୍ଟି କରି ବିଦେଶ ପଳାଇଥିଲେ ୧୫୯୩ ମସିହାରେ।

ମାତ୍ର ସିଡ୍‌ନୀଙ୍କ ଜନ୍ମ ଓ ମୃତ୍ୟୁ ବର୍ଷ, ସେକ୍ସପିୟରଙ୍କ ବୟସ ସହ ଖାପ୍ ଖାଉଛି। ସେକ୍ସପିୟରଙ୍କ ଜନ୍ମର ତିନିବର୍ଷ ଆଗରୁ ସେ ଜନ୍ମ ହୋଇଥିଲେ ଏବଂ ସେକ୍ସପିୟରଙ୍କ ମୃତ୍ୟୁର ପାଞ୍ଚବର୍ଷ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ସିଡ୍‌ନୀଙ୍କ ଜୀବନରେ ଯେଉଁଭଳି ଭାବରେ ଅନ୍ଧାର ଓ ନିରାଶା ଆସିଥିଲା, ତାହାର ପ୍ରତିଚ୍ଛବି ସେକ୍ସପିୟରଙ୍କ ନାଟକଗୁଡ଼ିକରେ ଦେଖିବାକୁ ମିଳିଥିଲା। ତେଣୁ ସିଡ୍‌ନୀ ହିଁ ସେକ୍ସପିୟର, ଏବଂ ସେକ୍ସପିୟରଙ୍କ ନାଁରେ ରଚିତ ସବୁ ନାଟକର ରଚୟିତା ଜଣେ ନାରୀ...ଏ ନେଇ ହିଁ ବିବାଦ ଚାଲିଛି। ବାକି କଥା ହୁଏତ ପରବର୍ତ୍ତୀ ଗବେଷଣା କହିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ