ଖୁସ୍ଓ୍ୱନ୍ତ ଜୀ’ଙ୍କ ଘରେ ଓମ୍ ପୁରୀ


ଭାରତୀୟ ସିନେମାର ଜୀବନ୍ତ କିମ୍ବଦନ୍ତୀ ଓମ୍ ପୁରୀ ଭାରତ ଛାଡ଼ି ଲଣ୍ଡନରେ ବସବାସ କରିବା କଥା ଘୋଷଣା କରିବାର କିଛିଦିନ ପରେ ‘ଅର୍ଡ଼ର ଅଫ୍ ବ୍ରିଟିଶ୍ ଏମ୍ପାୟାର’ ସମ୍ମାନ ପାଇଲେ ସେ। ସିନେମାରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଏଇ ଉପାଧିରେ ଭୂଷିତ କଲେ ବ୍ରିଟେନର ମହାରାଣୀ। ଏତେବଡ଼ ଘଟଣା, ଏତେ ବଡ଼ ପୁରସ୍କାର, ଏତେ ପାଖାପାଖି ସ୍ବପ୍ନ ଓ ସାଫଲ୍ୟ-ତଥାପି ଖୁବ୍ ଶାନ୍ତ, ସ୍ଥିର ଓ ସ୍ବାଭାବିକ ଅଭିନେତା ହେଉଛନ୍ତି ଓମ୍ ପୁରୀ। କେବଳ ଅଭିନେତା ଭାବରେ ନୁହଁ, ଓମ୍ ଜଣେ ଭଲ ମଣିଷ। କେମିତି? ଗୋଟିଏ ଉଦାହରଣ ଦେଲେ ସ୍ପଷ୍ଟ ହୋଇଯିବ।

‘ଟ୍ରେନ୍ ଟୁ ପାକିସ୍ତାନ’ ପାଇଁ ପ୍ରସିଦ୍ଧ ଲେଖକ ଓ ସାମ୍ବାଦିକ ଖୁସଓ୍ୱନ୍ତ ସିଂଙ୍କ ଦିଲ୍ଲୀ ଘରକୁ ବୁଲି ଆସିବାକୁ ଇଚ୍ଛା କରି ଟେଲିଫୋନ୍ କଲେ ଓମ୍। ଖୁସଓ୍ୱନ୍ତ ଟେଲିଫୋନରେ ନାଁ ଟା ଭଲଭାବରେ ଶୁଣିପାରିଲେ ନାହିଁ। ତାଙ୍କୁ ଶୁଣାଗଲା-ଅମରୀଶପୁରୀ। ହୁଏତ ସେ ଓମ୍ ପୁରୀଙ୍କୁ ଚିହ୍ନିବା ଦୂରେ ଥାଉ, କେବେ ନାଁ ମଧ୍ୟ ଶୁଣି ନ ଥିଲେ। ତେବେ ଅମରୀଶପୁରୀଙ୍କ ନାଁ ଶୁଣିଥିଲେ। ଯାହାହେଉ, ପରଦିନ ଅପରାହ୍ଣ ଦିନ ତିନିଟାରେ ତାଙ୍କୁ ଆପଏଣ୍ଟମେଣ୍ଟ ଦେଇଦେଲେ।

ପରଦିନ ଠିକ୍ ସମୟରେ ପତ୍ନୀ ଓ ପିଲାମାନଙ୍କୁ ଧରି ଖୁସ୍ଓ୍ୱନ୍ତଙ୍କ ଘରେ ପହଞ୍ଚିଲେ ଓମ୍ ପୁରୀ। ପରେପରେ ହସିହସି ଅନ୍ୟ ଅତିଥିମାନଙ୍କ ସହ ପରିଚିତ କରାଇଦେଲେ ଖୁସ୍ଓ୍ୱନ୍ତ : ‘ଇୟେ ହେଉଛନ୍ତି ବିଖ୍ୟାତ ଫିଲ୍ମ ଅଭିନେତା ଅମରୀଶପୁରୀ। ହଁ, ଏ ହେଉଛନ୍ତି ଅମରୀଶଙ୍କ ପତ୍ନୀ .....।’
ହଠାତ୍ ଆଇଆରଇ ଟ୍ରେନିଂ ଇନଷ୍ଟିଚ୍ୟୁଟର ନିର୍ଦେଶିକା ପରଭିନ୍ ତଲ୍‌ହା ଚିତ୍କାର କରିଉଠିଲେ - ‘ଖୁସ୍ଓ୍ୱନ୍ତ ଜୀ...କ’ଣ କହୁଛନ୍ତି ! ଏ ଅମରୀଶ ପୁରୀ ନୁହନ୍ତି, ଓମ୍ ପୁରୀ...ଓମ୍ ପୁରୀ...!’ ହଠାତ୍ ସମସ୍ତେ ଚୁପ୍‌ଚାପ୍। ଅତିଥିମାନେ ହସି ପକାଇଲେ। ବିଚଳିତ ହୋଇପଡ଼ିଲେ ଖୁସ୍ଓ୍ୱନ୍ତ।
ସେଦିନ ଆଦୌ ବିଚଳିତ ହୋଇ ନ ଥିଲେ କେବଳ ଓମ୍ ପୁରୀ ଏବଂ ତାଙ୍କ ବଙ୍ଗୀୟ ପତ୍ନୀ ନନ୍ଦିତା। ପ୍ରତିକ୍ରିୟାହୀନ ଥିଲେ। ଓମ୍ ହସିଥିଲେ ଏବଂ କହିଥିଲେ : ‘ନନ୍ଦିତା, ଏମିତି ଭୁଲ୍ ମଝିରେ ମଝିରେ ହୁଏ। ଏହା ଆମ ଜୀବନର ସାଧାରଣ କଥା।’

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ