ଜାହାଙ୍ଗୀରଙ୍କ ତରବାରି


ସେତେବେଳେ ଦିଲ୍ଲୀ ସିଂହାସନରେ ଶାସନ କରୁଥିଲେ ଆକବରଙ୍କ ବଡ଼ପୁଅ ମୋଗଲ ସାମ୍ରାଜ୍ୟର ଚତୁର୍ଥ ବାଦ୍‌ଶାହ ନୁର-ଉଦ୍-ଦିନ୍ ସଲିମ୍, ଯିଏ ‘ଜାହାଙ୍ଗୀର’ ନାଁରେ ଇତିହାସ ପ୍ରସିଦ୍ଧ।


୧୬୨୧ ମସିହା, ଅପ୍ରେଲ୍ ୧୦ ତାରିଖ ଭୋର୍ ସମୟ। ସେ କାଳର ଜଳନ୍ଧର ପ୍ରଗଣା ଏକ ଛୋଟ ଗାଁର ସୀମାଠାରୁ କିଛିଦୂରରେ ଏକ ଭୟଙ୍କର ଶବ୍ଦ ଶୁଣାଗଲା। ଭୟରେ ଜଡ଼ସଡ଼ ଗାଁଲୋକ, ଡରିମରି ପ୍ରଗଣାର ଫୌଜଦାର ମହମ୍ମଦ ସୟିଦଙ୍କୁ ଖବର ଦେଲେ। ଫୌଜଦାର ସୟିଦ ଘୋଡ଼ା ଛୁଟାଇ ଘଟଣାସ୍ଥଳକୁ ଯାଇ ଦେଖିଲେ ୧୨ ଗଜ ଜାଗାରେ ଥିବା ଗଛପତ୍ର ଜଳିପୋଡ଼ି ଛାରଖାର ହୋଇଯାଇଛି ଏବଂ ଠିକ୍ ସେଇ ଜାଗାର ମଝିରେ ସୃଷ୍ଟି ହୋଇଛି ଏକ ବିରାଟ ଗର୍ତ୍ତ।

ସୈନ୍ୟମାନେ ସେ ସ୍ଥାନ ଖୋଳିବାକୁ ଲାଗିଲେ ଫୌଜଦାରଙ୍କ ନିର୍ଦେଶରେ। ଖୋଳୁ ଖୋଳୁ ତଳୁ ଗରମ ମାଟି ବାହାରିଲା  ଏବଂ ଶେଷରେ ମିଳିଲା ଲାଲ୍ ଟକମକ ଏକ ବିଶାଳ ଲୌହଖଣ୍ଡ। ତାହା ଯେ ଆକାଶରୁ ଖସିଥିବା ଏକ ବଡ଼ ଉଲ୍‌କା ପିଣ୍ଡ, ଏ କଥା ବୁଝିବାରେ କାହାକୁ ଅସୁବିଧା ହେଲା ନାହିଁ। ଥଣ୍ଡା ହେବା ପରେ ଏକ ବଡ଼ ବ୍ୟାଗରେ ଏହି ଲୁହାଖଣ୍ଡକୁ ଭର୍ତ୍ତି କରାଗଲା ଏବଂ ସିଲମୋହର ଲଗାଇ ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ପାଖକୁ ପଠାଇ ଦିଆଗଲା। ବାଦ୍‌ଶାହଙ୍କ ସାମ୍ନାରେ ଓଜନ କରାଗଲା। ଅଧାପୋଡ଼ା ଉଲ୍‌କା ପିଣ୍ଡର ଓଜନ ଥିଲା ୧୫୦ ତୋଳା।

ବାଦଶାହାଙ୍କ ହୁକୁମରେ କାରଖାନାର ଓସ୍ତାଦ୍‌ ଦାଉଦଙ୍କୁ ଡ଼କାଗଲା ଏବଂ ସବୁ କୁସଂସ୍କାର, ଅନ୍ଧବିଶ୍ୱାସକୁ ପଛରେ ପକାଇ ସେଇ ଲୁହାରେ ଏକ ତରବାରି, ଦୁଇଟି ଛୁରି ତିଆରି କରିବାକୁ ନିର୍ଦେଶ ଦେଲେ ଜାହାଙ୍ଗୀର। କାମ ଆରମ୍ଭ କରାଗଲା। ମାତ୍ର ହାତୁଡ଼ି ଆଘାତରେ ଲୁହାଖଣ୍ଡ ଟୁକୁରା ଟୁକୁରା ହେବାଦେଖି ସମ୍ରାଟ ଜାହାଙ୍ଗୀରଙ୍କୁ ଜଣାଇଲେ ଦାଉଦ୍। ଜାହାଙ୍ଗୀର ପରାମର୍ଶ ଦେଲେ - ‘ଉଲ୍‌କା ପିଣ୍ଡକୁ ତରଳାଇ ଦିଅ। ତା’ ଦେହରେ ଅଲଗା ଲୁହା ମିଶାଇ ଅସ୍ତ୍ର ତିଆରି କାମ ଆରମ୍ଭ କର।’
ଏହାପରେ କାରିଗର ଦାଉଦ୍ ତିନିଭାଗ ଉଲ୍‌କା ପିଣ୍ଡ ସହ ଏକଭାଗ ସାଧାରଣ ଲୁହା ମିଶାଇ ଛୁରି, ତରବାରି ତିଆରି କରି ସମ୍ରାଟଙ୍କୁ ଦେଲେ। ସମ୍ରାଟ ଖୁସିହେଲେ। ଶେଷ ପର୍ଯ୍ୟନ୍ତ ସ୍ବର୍ଗୀୟ ଉଲକାରୁ ତିଆରି ଏଇ ତରବାରିକୁ ଅଣ୍ଟାରେ ଓହଳାଇ ରଖିଥିଲେ ମୋଗଲ ବାଦଶାହା ଜାହାଙ୍ଗୀର।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ