ଅଶ୍ଳୀଳ ରସିକତା କରୁଥିଲେ ବାବର


ମଧ୍ୟ ଏସିଆର ମୁସଲମାନ ସମ୍ରାଟ ଥିଲେ ତୈମୁରଲଙ୍ଗଙ୍କ ବଂଶଧର ଜହିର-ଉଦ୍-ଦିନ୍ ମୁହମ୍ମଦ ବାବର, ଯିଏ ବାବର ନାଁରେ ଜଣାଶୁଣା ଥିଲେ। କାବୁଲର ଶାସନ କ୍ଷମତା ଅକ୍ତିଆର କରିବା ପରେ କାବୁଲରେ ସମୁଦାୟ କୋଡ଼ିଏ ବର୍ଷ ବିତାଇଥିଲେ ବାବର। କୋଡ଼ିଏ ବର୍ଷ ଭିତରେ ଚାରିଥର ଭାରତ ଆକ୍ରମଣ କରିଥିଲେ। ପଞ୍ଚମ ଥର କରିଥିଲେ ୧୫୨୫ ମସିହାରେ -ଏହା ଥିଲା ତାଙ୍କର ଶେଷ ଭାରତ ଅଭିଯାନ। ଏଇ ଅଭିଯାନ ବେଳେ ରସିକ, ଦୁଃସାହସୀ ବାବର ଶିକାର କରୁଥିଲେ, ମଦ୍ୟପାନ କରୁଥିଲେ ଏବଂ ଅଶ୍ଳୀଳ ରସିକତା ମଧ୍ୟ କରୁଥିଲେ।

ଖୁବ୍ ହାଲ୍‌କା ମିଜାଜରୁ ଏଇ ଅଭିଯାନ ଆରମ୍ଭ ହୋଇଥିଲା। ବାବର ତାଙ୍କ ‘ବାବରନାମା’ ରେ ଲେଖିଛନ୍ତି - ମଦ ପିଇ ବେଶୀ ସମୟ ବିତୁଥିଲା। ସକାଳେ ଗୋଟିଏ ପେଗ୍‌ରୁ ଆରମ୍ଭ ହେଉଥିଲା ଜୀବନ। ବନ୍ଧୁମାନଙ୍କ ସହ ଚାଲୁ ଚାଲୁ କବିତା ଲେଖୁଥିଲି। ଅଶ୍ଳୀଳ ରସିକତା କରୁଥିଲି। ଗଣ୍ଡା ଦେଖିଲେ ଶିକାର ନିଶାରେ ମାତିଯାଉଥିଲି।

ଦିଲ୍ଲୀର ସିଂହାସନ ସେତେବେଳେ ଲୋଦୀ ବଂଶର ଜନପ୍ରିୟ ସୁଲତାନମାନଙ୍କ ହାତରେ ଥିଲା। ଆଫଗାନ୍ ମୁସଲମାନମାନଙ୍କର ଏଇ ରାଜବଂଶ, ରାଜଧାନୀକୁ ଅନେକ ସ୍ଥାପତ୍ୟ ଓ ଐତିହ୍ୟରେ ସମୃଦ୍ଧ କରିଛନ୍ତି, ଯାହାର ଅନ୍ୟତମ ପ୍ରମାଣ ହେଉଛି ବିଶ୍ୱର ଅନନ୍ୟ ଶ୍ରେଷ୍ଠ ନଗର ଉଦ୍ୟାନ-‘ଲୋଦୀ ଗାର୍ଡ଼େନ୍’।
 
ଲୋଦୀମାନଙ୍କର ଘରୋଇ ବିବାଦ ସବୁବେଳେ ଲାଗିରହୁଥିଲା। ତଥାପି ଆକ୍ରମଣକାରୀ ବାବରଙ୍କ ବିରୋଧରେ ସେମାନେ ଏକ ଲକ୍ଷ ସେନା ଏବଂ ଶହେ ହାତୀର ଏକ ବିଶାଳ ବାହିନୀ ଠୁଳ କରି ପାରିଥିଲେ। ବିପକ୍ଷରେ ସେନା ସଂଖ୍ୟା ନଗଣ୍ୟ ଥିଲା-ବାବରଙ୍କ ଅନୁଗତ ମାତ୍ର ୧୨ ହଜାର ସୈନ୍ୟଙ୍କର ଏକ କ୍ଷୁଦ୍ର ବାହିନୀ।

୧୫୨୬ ମସିହା ଏପ୍ରିଲ ୨୦ ତାରିଖରେ ଦିଲ୍ଲୀଠାରୁ କେଇ ମାଇଲ୍ ଉତ୍ତରରେ ଇତିହାସ ପ୍ରସିଦ୍ଧ ‘ପାନୀପତ’ ଯୁଦ୍ଧକ୍ଷେତ୍ରରେ ଦୁଇ ବାହିନୀ ମୁହାଁମୁହିଁ ହେଲେ। ବହୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଯୁଦ୍ଧ ଜିତିଲେ ବାବର। ଇବ୍ରାହିମ୍ ଲୋଦୀଙ୍କୁ ହତ୍ୟା ଏବଂ ଅନ୍ୟମାନଙ୍କୁ ବିତାଡ଼ିତ କରି ଦିଲ୍ଲୀ ସିଂହାସନ ଦଖଲ କଲେ ମୋଗଲ ସାମ୍ରାଜ୍ୟର ପ୍ରତିଷ୍ଠାତା ବାବର।

ଠିକ୍ ପରବର୍ଷ ରାଣା ସଂଗ୍ରାମ ସିଂହଙ୍କ ରାଜପୁତ୍ ମେଣ୍ଟକୁ ପରାସ୍ତ କଲେ ଏବଂ କବ୍‌ଜା କଲେ ସାରା ଉତ୍ତର ଭାରତ। ଏହାପରେ ଅନେକ ଛୋଟକାଟର ଯୁଦ୍ଧକୁ ସାମ୍ନା କରିଛନ୍ତି ଶେହେନ୍‌ଶାହ ବାବର। ତେବେ ଯୁଦ୍ଧରେ ଯେତେ ସମୟ ଖର୍ଚ୍ଚ ହୋଇଛି, ତାଙ୍କର ଅନୁଗାମୀ ଯୋଦ୍ଧା ଏବଂ ସେନାଙ୍କ ମଧ୍ୟରେ ଯୁଦ୍ଧରେ ଲୁଟ୍ ହୋଇଥିବା ସାମଗ୍ରୀର ଭାଗ ବାଣ୍ଟିବାରେ ତା’ଠାରୁ ଅଧିକ ସମୟ ଖର୍ଚ୍ଚ ହୋଇଥିଲା। ନୂଆ ରାଜ୍ୟର ପରିବେଶ ଓ ପରିସ୍ଥିତି ସମ୍ପର୍କରେ ଜାଣିବାକୁ ବାବରଙ୍କର ଖୁବ୍ ଆଗ୍ରହ ଥିଲା। ସହଜାତ କୌତୂହଳ ପାଇଁ ଉତ୍ତର ଭାରତର ପ୍ରାକୃତିକ ଇତିହାସ, ସ୍ଥାନୀୟ ବାସିନ୍ଦାଙ୍କ ରୀତି-ନୀତି, ବିଶ୍ୱାସ ଓ ଧ୍ୟାନ-ଧାରଣାକୁ ନେଇ ଅନୁଧ୍ୟାନ କରିଥିଲେ ବାବର। କିନ୍ତୁ ତାଙ୍କ ଆଗ୍ରହର ଶେଷ ନ ଥିଲା ଏବଂ ସେ କୌଣସିଥିରେ ସନ୍ତୁଷ୍ଟ ନ ଥିଲେ। କାରଣ ବାବର ସବୁଦିନ ଥିଲେ ଜଣେ ଅସନ୍ତୁଷ୍ଟ ମଣିଷ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ